ନବୀନ ଇସ୍ତଫା ଦେବାର ବର୍ଷକ ପରେ... କେମିତି ଅଛି ବିଜେଡ଼ି?

ନବୀନ ଇସ୍ତଫା ଦେବାର ବର୍ଷକ ପରେ... କେମିତି ଅଛି ବିଜେଡ଼ି?

ଭୁବନେଶ୍ୱରରୁ ରାମଚଣ୍ଡୀ ପ୍ରସାଦ ରଣସିଂହ :   ଜୁନ୍ ୪, ୨୦୨୪  । ସେଦିନ ସକାଳୁ ସକାଳୁ ସାଧାରଣ ନିର୍ବାଚନ ଫଳାଫଳକୁ ନେଇ ସମସ୍ତଙ୍କ ମନରେ ଥିଲା ଉକôଣ୍ଠା  । ବିଜେଡ଼ି ସୁପ୍ରିମୋ ତଥା ରେକର୍ଡ଼ଧାରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ଇତିହାସ ରଚିବେ ନା ଇତିହାସ ପାଲଟିଯିବେ? ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରିଥିଲା  । କିନ୍ତୁ ସେଦିନ ମଧ୍ୟାହ୍ନର ସୂର୍ଯ୍ୟ, ବିଜେପିକୁ ସୁହାଇଥିଲା  । ସାରା ରାଜ୍ୟରେ ଫୁଟୁଥିଲା ପଦ୍ମ  । ଅପରପକ୍ଷରେ ଫାଟି ଫାଟି ଚାଲିଥିଲା ଶଙ୍ଖ  । ଗୁମସୁମ୍ ହୋଇ ପଡ଼ିଥିଲା ଶଙ୍ଖ ଶିବିର  । ସେପଟେ ବିଜେପି ଅଫିସ କାର୍ଯ୍ୟକର୍ତ୍ତାଙ୍କ କଳରବରେ ମୁଖରିତ ହୋଇ ଉଠୁଥିଲା  । 
ଜୁନ୍ ୫, ୨୦୨୪  । ପ୍ରତ୍ୟେକ ନିର୍ବାଚନ ଫଳାଫଳ ବାହାରିବା ପରେ ସ୍ୱାଭାବିକ ଭାବେ ନବୀନ ରାଜଭବନ ଯାଆନ୍ତି, ଇସ୍ତଫା ଦିଅନ୍ତି  । କିନ୍ତୁ ଗତବର୍ଷ ଥିଲା ବ୍ୟତିକ୍ରମ  । ପୂର୍ବରୁ ନବୀନ ଇସ୍ତଫା ପତ୍ର ଦେବା ସହ ସରକାର ଗଢ଼ିବାର ଦାବି ରଖୁଥିଲେ  । ଅର୍ଥାତ୍ ପୂର୍ବରୁ ତାଙ୍କ ଇସ୍ତଫା ପତ୍ର କେବଳ ଔପଚାରିକତା ହିଁ ଥିଲା  । କିନ୍ତୁ ୨୦୨୪ରେ ନବୀନଙ୍କ ଇସ୍ତଫା ପତ୍ର ଥିଲା, ବିଜେଡ଼ି ରାଜନୀତିକ ମାଦଳା ପାଞ୍ଜିରେ ଆଉ ଏକ ଅଧ୍ୟାୟର ମର୍ମସ୍ପର୍ଶୀ ଯବନିକା  । ତକôାଳୀନ ରାଜ୍ୟପାଳ ରଘୁବର ଦାସଙ୍କୁ ସେ ଇସ୍ତଫା ପତ୍ର ଦେବାର ଦୃଶ୍ୟ କୋଟି କୋଟି ନବୀନ ପ୍ରେମୀଙ୍କ ହୃଦୟକୁ କୋରି ଦେଇଥିଲା  । ନବୀନ ସିନା ଚିରାଚରିତ ହସ ହସ ମୁହଁରେ ଫେରୁଥିଲେ, କିନ୍ତୁ ହୃଦୟ ଭିତରେ ନିର୍ବାଚନ ପରାଜୟର କୋହ କିନ୍ତୁ ବାରି ହୋଇପଡୁଥିଲା  ।
ଏହାପରେ ହିଁ ନବୀନ ଆଉ ଏକ ଝଟକାର ସାମ୍ନା କରିଥିଲେ  । ବାତ୍ୟା ପରେ ବି ଯେମିତି ବିଭୀଷିକା ଟଳିନଥାଏ, ଓଲଟ ପବନର ଝଟକାର ଆଶଙ୍କା ଥାଏ, ଠିକ୍ ସେମିତି ନବୀନ ଓ ବିଜେଡ଼ି ପାଇଁ ଆଉ ଏକ ଝଟକା ଅପେକ୍ଷା କରିଥିଲା  । କ୍ଷମତା ଯିବା ପରେ ନିଜ ଲୋକମାନେ ବି କେମିତି ଦାଉ ସାଧନ୍ତି ନବୀନ ପ୍ରଥମ ଥର ପାଇଁ ତାହାର ନଜିର ଦେଖିଥିଲେ  । ଶଙ୍ଖ ଭବନରେ ଯୁବ ଓ ଛାତ୍ରମାନେ ସିଧାସଳଖ ଭାବେ ଭିକେ ପାଣ୍ଡିଆନ୍ ଓ ପ୍ରଣବ ପ୍ରକାଶ ଦାସଙ୍କ ବିରୋଧରେ ନାରାବାଜି କଲେ  । ସୋସିଆଲ ମିଡ଼ିଆରେ ବି ଦୁଇ ନେତାଙ୍କ ନାଁରେ ବିଷୋଦଗାର ହେଲା  । ଦୁଇ ଦିନ ଧରି ସ୍ଥିତି ଏମିତି ହେଲାଯେ, ବରିଷ୍ଠ ନେତାମାନଙ୍କୁ ଭେଟି ନବୀନ ଆଲୋଚନା କରିବାକୁ ବାଧ୍ୟ ହେଲେ  । ସେପଟେ ପାଣ୍ଡିଆନଙ୍କର ଖୋଜଖବର ବି ମିଳିଲା ନାହିଁ  । ଶେଷରେ ସେ ନବୀନଙ୍କ ନିଦେ୍ର୍ଦଶରେ ଦିଲ୍ଲୀରେ ଅଛନ୍ତି ବୋଲି ଦଳ କହିବାକୁ ବାଧ୍ୟ ହୋଇଥିଲା  । କଥା ଏତିକିରେ ସରିନଥିଲା, ନବୀନଙ୍କ ହୃଦୟରେ ପାଣ୍ଡିଆନ୍ କିଭଳି ଆଲିସାନ୍ ବଙ୍ଗଳା କରି ରହିଛନ୍ତି ତାହା ବି ବିଜେଡ଼ି ନେତା ଓ ରାଜ୍ୟ ଦେଖିବାକୁ ପାଇଥିଲା  । ସମସ୍ତେ ପରାଜୟ ପାଇଁ ପାଣ୍ଡିଆନଙ୍କୁ ଦାୟୀ କରୁଥିଲେବି ନବୀନ କିନ୍ତୁ ପାଣ୍ଡିଆନ ପଛରେ ଠିଆ ହେଲେ  । 
ଏଇଠୁ ହିଁ ବିଜେଡ଼ି ରାଜନୀତିର ଗତି ବଦଳି ଯାଇଥିଲା  । ନବୀନଙ୍କୁ ପରାଜିତ ନେତାମାନେ ଭେଟି ହାରିବାର କାରଣମାନ କହିଲେ  । ନବୀନଙ୍କ ଦରଜା ସମସ୍ତଙ୍କ ପାଇଁ ଖୋଲିଗଲା  । ସେପଟେ ତାଙ୍କୁ ନେଇ ଦଳରେ ଅସନ୍ତୋଷ ଥିବାରୁ ପାଣ୍ଡିଆନ୍ ମଧ୍ୟ ଭିଡ଼ିଓ ଜାରି କରି ଦଳରୁ ଇସ୍ତଫା ଦେଇଦେଲେ  । ସମସ୍ତେ ଭାବିଥିଲେ, ପାଣ୍ଡିଆନ୍ ଯିବା ପରେ ଦଳ ପୁଣି ଆଗକୁ ବଢ଼ିବ  । ହେଲେ ସେହି ଭାବନା ଭାବନା ଭିତରେ ହିଁ ରହିଗଲା  । ବିଜେଡ଼ିର ସବୁ ଟିମ୍ ଭାଙ୍ଗି ଦିଆଗଲା  । ବିଜେପି ସରକାରଙ୍କୁ କାଉଣ୍ଟର କରିବା ପାଇଁ ନବୀନ ବାବୁ ବ୍ରିଟେନ ଢାଞ୍ଚାରେ ଛାୟା ମନ୍ତ୍ରୀମଣ୍ଡଳ ବି ଗଠନ କଲେ  । ହେଲେ ପୂର୍ବରୁ ନବୀନଙ୍କ ସବୁ ଯୋଜନା ସହସା କାର୍ଯ୍ୟକାରୀ ହେଉଥିବାବେଳେ ଏବେ କିନ୍ତୁ ଦଳୀୟ ଯୋଜନା ଓ ରଣନୀତି ଢିଲା ହୋଇଗଲା  । କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ନବୀନ ଓଡ଼ିଶା ବୁଲିବେ ବୋଲି ଘୋଷଣା ବି କଲେ  । ହେଲେ ନଭେମ୍ବର ଯାଇ ଜୁନ୍ ହେଲାଣି, ନବୀନ କିନ୍ତୁ ଓଡ଼ିଶା ବୁଲିଲେ ନାହିଁ  ।  ସବୁଠାରୁ ବଡ଼ କଥା ହେଲା, ବିଧିବଦ୍ଧ ଭାବେ ଦଳ ପରାଜୟର କାରଣ ବି ଅନୁଧ୍ୟାନ କରିନଥିଲା  । ସିଧାସଳଖ ଭାବେ ବିଜେପିର ହାୱାକୁ ହିଁ ଦାୟୀ କରାଗଲା  । ଦଳ ଭିତରେ ଖେଣ୍ଟିଆ ଖେଣ୍ଟି ଚାଲିଥିବାବେଳେ ୱାକଫ ବିଲ୍ ପୁଣି ଦଳ ଭିତରେ ଝଡ଼ ସୃଷ୍ଟି କରିଥିଲା  । ବିଜେଡ଼ିର ପୁଞ୍ଜୀଭୂତ ଅସନ୍ତୋଷ ପଦାକୁ ବାହାରିଥିଲା  । ଯେଉଁ ବିଜେପି ପ୍ରୀତି ପାଇଁ ଦଳକୁ ଏତେ ମୂଲ୍ୟ ଦେବାକୁ ପଡ଼ିଲା, ସେହି ବିଜେପି ପ୍ରୀତିକୁ ଅନେକ ପୁରୁଖା ନେତା ସହ୍ୟ ନକରିବା ସ୍ୱାଭାବିକ କଥା  । ପାଣ୍ଡିଆନ ପ୍ରେମୀଙ୍କୁ ଛାଡ଼ିଦେଲେ ପ୍ରାୟ ସବୁ ବଡ଼ ନେତା ଏନେଇ ସ୍ୱର ଉତ୍ତୋଳନ କରିଥିଲେ  । ପୁଣି ପାଣ୍ଡିଆନଙ୍କ ବିରୋଧରେ ଦଳରେ ବିଷୋଦଗାର ଆରମ୍ଭ ହେଲା  । ସହଜେ ତ ପାଣ୍ଡିଆନଙ୍କ ଦେହରେ ଆଘାତ ହେଲେ ନବୀନଙ୍କ ଦେହରେ ଚିହ୍ନ  । ତେଣୁ ନବୀନ ପୁଣି ପାଣ୍ଡିଆନଙ୍କୁ ଘଣ୍ଟ ଘୋଡ଼ାଇବା ଆରମ୍ଭ କଲେ  । ନିକଟରେ ନବୀନ ଦଳର ରାଜନୈତିକ ବ୍ୟାପାର କମିଟି ଗଢ଼ିଥିଲେବି ବହୁ ବରିଷ୍ଠ ନେତାଙ୍କୁ ଅଣଦେଖା କରାଗଲା  । ଲଲିପପ ଭଳି ଅନେକ ନେତାଙ୍କୁ ପଦ ଧରାଇଥିଲେବି ସେମାନଙ୍କ ମନରେ ଉତ୍ସାହ କି ଯୋଶ୍ ବି ନାହିଁ  । ଯୁବ ଓ ଛାତ୍ରନେତାଙ୍କ ମନରେ ଅସନ୍ତୋଷ ବେଶ୍ ବାରି ହୋଇପଡୁଛି  । ଦଳରେ ସମସ୍ତେ ଚାହୁଁଛନ୍ତି ବିଜେଡ଼ି ଉଠୁ... । ଏଇଟା ନବୀନଙ୍କ ପାଇଁ ଭଲ କଥା  । ହେଲେ ସମସ୍ତେ ବି ଚାହୁଁଛନ୍ତି ପାଣ୍ଡିଆନ୍ ହଟନ୍ତୁ  । କିନ୍ତୁ ନବୀନ ଏମିତି କରିପାରିବେ ତ ? ଯଦି ଏମତି ନହେଲା ବିଜେଡ଼ି ଉଠିବ ତ ? ଏହାର ଉତ୍ତର କେବଳ ପଞ୍ଚାୟତ ନିର୍ବାଚନ ହିଁ ଦେଇପାରିବ  ।