ପାଣ୍ଡିଆନଙ୍କ ମିଛକୁ ବର୍ଷେ ପୂରିଲା : ପ୍ରଚ୍ଛଦପଟରେ ଚଳାଉଛନ୍ତି ଗୋଟ

ପାଣ୍ଡିଆନଙ୍କ ମିଛକୁ ବର୍ଷେ ପୂରିଲା : ପ୍ରଚ୍ଛଦପଟରେ ଚଳାଉଛନ୍ତି ଗୋଟ


 ୨୦୨୪ ଜୁନ୍ ୯  । ଆଜକୁ ଠିକ୍ ବର୍ଷକ ତଳେ ସବୁ ଅହଙ୍କାରକୁ ସମାଧି ଦେଇ ସତକୁ ସ୍ୱୀକାର କରିଥିଲେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍  । ଖାଣ୍ଟି ଓଡ଼ିଆ ହେବା ପାଇଁ ବିନା ଆଫିଡେଭିଟ୍ରେ କାର୍ତ୍ତିକକୁ ରୂପାନ୍ତରିତ ହୋଇଥିବା ପାଣ୍ଡିଆନ୍ ଶେଷରେ ବିଜେଡ଼ି କର୍ମୀଙ୍କୁ କ୍ଷମା ମାଗିବା ସହ ରାଜନୀତି ଛାଡ଼ିଲେ ବୋଲି ଘୋଷଣା କରିଥିଲେ  । ହେଲେ ‘ଏକାଦଶୀ ଦିନ ଏଗାର ବକତ, ଦ୍ୱାଦଶୀ ଦିନ ଇଲିସି, ତ୍ରୟୋଦଶୀ ଦିନ ତାମ୍ପଡ଼ା ଶୁଖୁଆ, ତାକୁ ଖାଉଥା’ନ୍ତି ସନ୍ନ୍ୟାସୀ’ ନ୍ୟାୟରେ ପାଣ୍ଡିଆନ୍ ମିଛ ସନ୍ନ୍ୟାସୀ ସାଜିଛନ୍ତି  । ଏବେବି ସେ ବିଜେଡ଼ିର ହର୍ତ୍ତା କର୍ତ୍ତା ଦଇବ ବିଧାତା  । ନବୀନଙ୍କ ସହ ତାଙ୍କର ରହିଛି ଫେଭିକ୍ୱିକ୍ ଯୋଡ୍ର ସମ୍ପର୍କ  । ବରିଷ୍ଠ ହୁଅନ୍ତୁ କି ଯୁବ, ଯିଏ ଯେତେ ଗର୍ଜିଲେ ବି ଯେଯାଏଁ ଅଛନ୍ତି ନବୀନ, ସେଯାଏଁ ତାଙ୍କ ସହ ରହିବେ ପାଣ୍ଡିଆନ୍  । ଯେଉଁଥିପାଇଁ ବିଜେଡ଼ିରେ ପାଣ୍ଡିଆନଙ୍କ କ୍ଷମତା କିନ୍ତୁ ବର୍ଷକ ଭିତରେ ଟିକିଏ ବି କମିନାହିଁ  । କେବଳ ଯାହା ରୂପାନ୍ତରିତ ହୋଇଛି  । ପୂର୍ବରୁ ପ୍ରଜାପତି ଭଳି ସାରା ଓଡ଼ିଶା ଘୂରି ବୁଲୁଥିବା ପାଣ୍ଡିଆନ୍ ଏବେ ନବୀନ ନିବାସ ଭିତରେ ସମ୍ବାଳୁଆ ଭଳି ପଡ଼ି ରହିଛନ୍ତି  । ଦିନେ ଯେଉଁ ପାଣ୍ଡିଆନ୍ ପ୍ରଶାସନ, ଶାସନ ଓ ଦଳୀୟ କଳବଳ ଲଗାଇ ଅନ୍ୟର ବାଟ ବନ୍ଦ କରିଦେଇଥିଲେ  ଆଜି ସେହି ପାଣ୍ଡିଆନ ନବୀନ ନିବାସର ଏରୁଣ୍ଡି ଡେଇଁ ପଦାକୁ ଆସିବାକୁ ବି ଡରୁଛନ୍ତି  ।
ଗତବର୍ଷ ଜୁନ୍ ୯ରେ ପାଣ୍ଡିଆନ୍ କ’ଣ କହିଥିଲେ, ଆଉ ତାହା କେତେ ସତ ଥିଲା ତାହା ସାରା ଓଡ଼ିଶାବାସୀ ଜାଣିଛନ୍ତି  । ପାଣ୍ଡିଆନ୍ କହିଥିଲେଯେ, ଜୟ ଜଗନ୍ନାଥ  । ମୁଁ ଏକ ସାଧାରଣ ପରିବାରୁ ଆସିଛି  । ମୋ ସ୍ୱପ୍ନ ଥିଲା ଆଇଏଏସ ହେବା  । ପ୍ରଭୁ ଜଗନ୍ନାଥଙ୍କ ଦୟାରୁ ମୁଁ ଆଇଏଏସ ହେଲି  । କେନ୍ଦ୍ରାପଡ଼ାରେ ମୋର ପରିବାର ଥିବାରୁ ମୁଁ ଓଡ଼ିଶା ଆସିଲି  । ଧର୍ମଗଡ଼, ରାଉରକେଲା, ମୟୂରଭଞ୍ଜ, ଗଞ୍ଜାମରେ ମୁଁ କାମ କଲି  । ନବୀନଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ମୁଁ ତାଙ୍କ ସହ କାମ କରିଛି  । ତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ମୁଁ ଦିନରାତି ପରିଶ୍ରମ କରୁଥିଲି  ।  ଶିକ୍ଷା, ସ୍ୱାସ୍ଥ୍ୟ, ଦାରିଦ୍ର୍ୟ ଦୂରୀକରଣ, ମନ୍ଦିର ପୁନରୁଦ୍ଧାର, ଯୁବଛାତ୍ରଙ୍କ ପାଇଁ କାମ କରୁଥିଲି  । ୫ଟି ସ୍କୁଲ ଜରିଆରେ ରୂପାନ୍ତରିତ ହେଲା  । କୋଭିଡ଼ ବେଳେ ୩୦ ଜିଲ୍ଲା ଯାଇଛି  । ଏହି ସମୟରେ ଫନି ଓ ଫାଇଲିନ୍ ଦେଖିଛୁ  । ମୁଁ ଚାକିରୀରୁ ଅବସର ନେଇ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କୁ ସହଯୋଗ କଲି  । ମୁଁ ତାଙ୍କୁ କେବଳ ସାହାଯ୍ୟ କରୁଥିଲି  । ବୋଧହୁଏ ମୁଁ ଠିକ ସମୟରେ କିଛି ନ୍ୟାରେଟିଭ ସମ୍ପର୍କରେ ଭଲଭାବେ କହିପାରିନଥିଲି  ।  ମୁଁ ପଦବୀ ନେଇନି କି ପ୍ରାର୍ଥୀ ହୋଇନି  । ଗତ ୧୨ ବର୍ଷ ଧରି  ଦିନରାତି କାମ କରିଛି  । ଏବେ ମୋର ସମ୍ପତ୍ତି କେବଳ ପୈତୃକ ସମ୍ପତ୍ତି  । ମୁଁ ଚାକିରୀ କରିବା ବେଳେ ଯେତିକି ଥିଲା ଏବେ ବି ସେତିକି ଅଛି  । ଓଡ଼ିଶାବାସୀ ମୋତେ ଭଲପାଇବା ଦେଇଛନ୍ତି  । କେବଳ ନବୀନଙ୍କୁ ସହଯୋଗ କରୁଥିଲି  । ଯଦି ମୁଁ କାହାକୁ ଆଘାତ ଦେଇଥିବି ତେବେ ଦୁଃଖିତ  । ଯଦି ମୁଁ ବିଜେଡ଼ି ହାରିବା ପାଇଁ ଦାୟୀ, ତେବେ କ୍ଷମା ମାଗୁଛି  । ଆଉ ସକ୍ରିୟ ରାଜନୀତିରେ ରହିବି ନାହିଁ ବୋଲି ପାଣ୍ଡିଆନ୍ କହିଛନ୍ତି  । 
ପାଣ୍ଡିଆନ୍ ନିଜ ବକ୍ତବ୍ୟରେ ନିଜର କର୍ମ, ଦମ୍ଭ ଓ ଦରଜ କଥା କହିଥିଲେ  । ଆଉ ଶେଷକୁ କ୍ଷମା ମାଗି ସକ୍ରିୟ ରାଜନୀତିରେ ରହିବେ ନାହିଁ ବୋଲି କହିଥିଲେ  । ହେଲେ ସକ୍ରିୟ ମାନେ କ’ଣ ? କେବଳଯେ, ନିର୍ବାଚନ ଲଢ଼ିବା, ରୋଡ଼ଶୋ’ କଲେ କ’ଣ ଜଣଙ୍କୁ ସକ୍ରିୟ ବୋଲି କୁହାଯିବ କି ? ଆଉ ପ୍ରଚ୍ଛଦପଟରେ ରହି ବିଜେଡ଼ିର ଟିକିନିଖି କଥା ବୁଝୁଥିବା ବ୍ୟକ୍ତି କ’ଣ ସକ୍ରିୟ ନୁହଁନ୍ତି କି ? ଏହାର ଉତ୍ତର ପାଇବାକୁ ବେଶୀ ଦୂର ଯିବାକୁ ପଡ଼ିବ ନାହିଁ  । ସଦ୍ୟତମ ବିବାଦ ‘ୱାକଫ ବିଲ୍ ଦ୍ୱନ୍ଦ୍ୱ’ ହିଁ ଏହାର ଜ୍ୱଳନ୍ତ ଉଦାହରଣ  । ୱାକଫ ବିଲ୍କୁ ନେଇ ସଂସଦରେ ଚର୍ଚ୍ଚା ହେବା ପୂର୍ବରୁ ନବୀନଙ୍କ ନିଦେ୍ର୍ଦଶରେ ବିଜେଡ଼ି କହିଲା ଆମେ ଏହି ବିଲ୍କୁ ବିରୋଧ କରିବୁ  । କିନ୍ତୁ ଠିକ୍ ଭୋଟ ଦାନ ଦିନ ନବୀନଙ୍କ ଉର୍ବର ମସ୍ତିଷ୍କରେ ବିବେକ ଗଜୁରିଲା  । ଆଉ ନବୀନଙ୍କ ବିବେକ ଡାକରା ଶୁଣି ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ ସଂଖ୍ୟାଧିକ ୱାକଫ ବିଲ ସମର୍ଥନରେ ଭୋଟ୍ ଦେଲେ  । ତେଣୁ ସେହି ସମର୍ଥନଟା କାହା ବିବେକ ତାହା ସାରା ଓଡ଼ିଶା ଜାଣିସାରିଛି  । ବରିଷ୍ଠ ବିଜେଡ଼ି ନେତାମାନେ ବି ଏକଥା ଖୋଲାଖୋଲି ସ୍ୱୀକାର କରିଛନ୍ତି  । ଅତଏବ ଏବେବି ପାଣ୍ଡିଆନଙ୍କ ବିବେକ ଡାକରା ଦଳର ଆଗଧାଡ଼ିର ଅନେକ ନେତା ଇଚ୍ଛା ଥାଉ ବା ନଥାଉ ଶୁଣିବାକୁ ବାଧ୍ୟ କହିଲେ ଭୁଲ୍ ହେବନାହିଁ  ।  ନିକଟରେ ବିଜେଡ଼ି ଗଢ଼ିଲା ରାଜନୈତିକ ବ୍ୟାପାର କମିଟି  । ଏହି କମିଟିରେ ପାଣ୍ଡିଆନଙ୍କ ଅନୁଗତମାନଙ୍କୁ ବେଶୀ ଅଗ୍ରାଧିକାର ଦିଆଗଲା  । ଆଜିକା ଦିନରେ ପ୍ରଣବ ପ୍ରକାଶ ଦାସ ଓ ଭିକେ ପାଣ୍ଡିଆନଙ୍କ ବିରୋଧରେ ବିବାଦ ରହିଛି ବୋଲି ଦଳର କିଛି ନେତା ଚର୍ଚ୍ଚା କରୁଛନ୍ତି  । କିନ୍ତୁ ବାସ୍ତବରେ ବବି ଓ ପାଣ୍ଡିଆନ ଏବେବି ଏକ ଓ ଅଭିନ୍ନ ଅଛନ୍ତି  । କେବଳ ଆଇ ୱାସ ପାଇଁ ମିଛିମିଛିକା ଅଭିନୟ ଚାଲିଛି କହିଲେ ଭୁଲ୍ ହେବନାହିଁ  । ପାଣ୍ଡିଆନଙ୍କ ଦେହରେ ଆଘାତ ଲାଗିଲେ, ନବୀନଙ୍କ ଦେହରେ ଚିହ୍ନ  । ଏକଥା ସମସ୍ତେ ଜାଣନ୍ତି  । ସେଥିପାଇଁ ପାଣ୍ଡିଆନଙ୍କୁ ଦଳ ଭିତରେ କେହି ବିରୋଧ କଲେ ନବୀନ ପଦାକୁ ବାହାରୁଛନ୍ତି  । ସଫେଇ ଦେବାକୁ ବାଧ୍ୟ ହେଉଛନ୍ତି  । ଜୁନ୍ ୪ ନିର୍ବାଚନ ଫଳାଫଳ ପରେ ପାଣ୍ଡିଆନ ଗାଏବ ହୋଇଯିବା, ତାଙ୍କ ବିରୋଧରେ ଯୁବ ଓ ଛାତ୍ରନେତାମାନେ ବିଷୋଦଗାର କରିବା ଘଟଣାରେ ବି ନବୀନ ଆଗକୁ ଆସି ଢାଲ ସାଜିଥିଲେ  । ୱାକଫ ବିଲ୍ ବେଳେ ବି ନବୀନ ଢାଲ ସାଜି କହିଲେଯେ, ପାଣ୍ଡିଆନ୍ ଦଳ କଥା ବୁଝୁନାହାନ୍ତି  । ଲୁଚୁଛି ନା ଗୋଡ଼ ଦୁଇଟି ଦିଶୁଛି ନ୍ୟାୟରେ ନବୀନଙ୍କ ଏଭଳି ସ୍ପଷ୍ଟୀକରଣକୁ ଓଡ଼ିଆବାସୀ ବି ମଜାଳିଆ ଅନ୍ଦାଜରେ ବୁଝୁଛନ୍ତି  । ତାହା ହେଉଛି; ‘ବାପା କହିଲେ, ବାପା ଘରେ ନାହାନ୍ତି  ।’ ସମ୍ପ୍ରତି ପାଣ୍ଡିଆନ୍ ଏମିତି ଏକ ଭୂମିକାରେ  ହିଁ ରହିଛନ୍ତି  ।