ରଣନୀତି ବଦଳାଇବ ବିଜେଡ଼ି ! ଆଉ ନରମ ନୁହଁ ଏବେ ଗରମ
ରଣନୀତି ବଦଳାଇବ ବିଜେଡ଼ି ! ଆଉ ନରମ ନୁହଁ ଏବେ ଗରମ
ଭୁବନେଶ୍ୱର : ପ୍ରଚାର ରଣନୀତି ବଦଳାଇବ ବିଜୁ ଜନତା ଦଳ । ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଗରମାଗରମ ଭାଷଣ ପରେ ବିଜେଡ଼ି ବି ଆଉ ନରମ ଆଭିମୁଖ୍ୟ ପୋଷଣ କରିବ ନାହିଁ । କାଉଣ୍ଟର ଆଟାକ କରିବାକୁ ଦଳ ବି ଯୋଜନା କରିଛି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁ ନନେଇ କେନ୍ଦ୍ର ସରକାରଙ୍କୁ ବିଜେଡ଼ି କଟାକ୍ଷ କରିବ ।
ଅପ୍ରେଲ ୨୪ରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାରର ଶୁଭାରମ୍ଭ କରିଥିଲେ । ନିଜ ପାରମ୍ପରିକ ଗଡ଼ ହିଞ୍ଜିଳିରେ ସେ ବିକାଶର ହିସାବ ଦେଇଥିଲେ । ବିରୋଧୀଙ୍କୁ ସେ ହାଲକାରେ ଟାର୍ଗେଟ କରିଥିଲେ । ବିକାଶକୁ ନେଇ ବିରୋଧୀ ଅଯଥା ରାଜନୀତି କରିବା ସହ ଅପପ୍ରଚାର କରୁଛନ୍ତି । ସେମାନଙ୍କ ଅସଲ ରୂପ ଓଡ଼ିଶାବାସୀ ଜାଣିଛନ୍ତି ବୋଲି ସେ କହିଥିଲେ । ବାସ୍ ଏତିକି ହିଁରେ ନବୀନଙ୍କ ସମାଲୋଚନା ସୀମିତ ରହିଥିଲା । ଗତ ନିର୍ବାଚନ ଭଳି ନବୀନ କେନ୍ଦ୍ର ସରକାରଙ୍କ ବିରୋଧରେ ପଦୁଟିଏ କହିନଥିଲେ । ନବୀନଙ୍କ ଭାଷଣରୁ ଅନୁମାନ କରାଯାଉଥିଲା ବୋଧହୁଏ ବିଜେପିର କେନ୍ଦ୍ରୀୟ ନେତାମାନେ ମଧ୍ୟ ନବୀନଙ୍କ ବିରୋଧରେ ବିଶେଷ କିଛି କହିବେ ନାହିଁ । ହେଲେ ଅମିତ ଶାହ ସୋନପୁର ସଭାରେ ନିଜ ଅଭିଭାଷଣ ଆରମ୍ଭରୁ ହିଁ ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ କରିଥିଲେ । ୨୦୧୯ ଭଳି ଶାହ ନବୀନ ସରକାରଙ୍କୁ ଉପାଡ଼ି ଫିଙ୍ଗିଦେବାକୁ ବି ଆହ୍ୱାନ ଦେଇଥିଲେ । ମୋଦିଙ୍କ ଯୋଜନାକୁ ରାଜ୍ୟ ହାଇଜାକ୍ କରୁଥିବାନେଇ ମଧ୍ୟ ସେ ବର୍ଷିଥିଲେ । ଶାହଙ୍କ ଭାଷଣରୁ ହିଁ ବିଜେପିର ଆଭିମୁଖ୍ୟ ସ୍ପଷ୍ଟ ହୋଇଯାଇଛି ।
ଏହାର ଜବାବ ଦେବାକୁ ମଧ୍ୟ ବିଜୁ ଜନତା ଦଳ ରଣନୀତି ଆରମ୍ଭ କରିଦେଇଛି । ମେ’ ପହିଲାରୁ ନବୀନ ମାରାଥନ୍ ପ୍ରଚାର ଆରମ୍ଭ କରିବେ । ପ୍ରତିଦିନ ଦୁଇ ଚାରୋଟି ରୋଡ଼ଶୋ’ ଓ ସଭା ମଧ୍ୟ ରହିଛି । ସେପଟେ ବିଜେଡ଼ି ନେତା କାର୍ତ୍ତିକ ପାଣ୍ଡିଆନ୍ ମଧ୍ୟ ବିଭିନ୍ନ ଅଞ୍ଚଳ ଗସ୍ତ କରି ପ୍ରଚାରର କାର୍ଯ୍ୟକ୍ରମ ରଖିଛନ୍ତି । ବିଶେଷକରି ଯେଉଁଦିନ ନବୀନ ପ୍ରଚାର କରିବେ ନାହିଁ ସେଦିନ ମଇଦାନରେ କାର୍ତ୍ତିକଙ୍କୁ ଦେଖିବାକୁ ମିଳିବ । ଇତିମଧ୍ୟରେ କୋରାପୁଟ ଓ ନବରଙ୍ଗପୁରରେ କାର୍ତ୍ତିକ ରାଜ୍ୟ ସରକାରଙ୍କ ହିସାବ ଦେବା ସହ ନାଁନନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଟାକ୍ଷ କରୁଛନ୍ତି ।
ସେହିପରି ବିଜେପିର ଆଭିମୁଖ୍ୟ ବିଜେଡ଼ି ବିରୋଧରେ ଶାଣିତ ରହିବ ବୋଲି ଅମିତ ଶାହା ଦଳୀୟ ନେତାଙ୍କୁ ସୂଚାଇ ଦେଇଛନ୍ତି । ଆରପାର ଲଢେ଼ଇ ପାଇଁ ସେ ଆହ୍ୱାନ ଦେଇଛନ୍ତି । ସୋନପୁରରୁ ଫେରିବା ପରେ ସେ ଭୁବନେଶ୍ୱରରେ ନେତାଙ୍କ ସହ ଆଲୋଚନା କରିଥିଲେ । ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଭୁବନେଶ୍ୱର, ଢେଙ୍କାନାଳ, ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, ପୁରୀ, ଆସ୍କା ଓ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଓ ଏହି ଲୋକସଭା କ୍ଷେତ୍ର ଅନ୍ତର୍ଗତ ୯୧ ବିଧାୟକ ପ୍ରାର୍ଥୀଙ୍କୁ ସେ ବିଜୟର ମନ୍ତ୍ର ଦେଇଛନ୍ତି । ବିଶେଷକରି ବିଜୟ ପାଇଁ କେନ୍ଦ୍ରୀୟ ବିଜେପି ପକ୍ଷରୁ ସବୁପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଥିଲେ । ବିଜେପିର ହଠାତ ଆକ୍ରମଣାତ୍ମକ ଆଭିମୁଖ୍ୟକୁ ନେଇ ବିଜେଡ଼ି ରଣନୀତିକାରମାନେ କାଉଣ୍ଟର ଆଟାକ କରିବାକୁ ସଜବାଜ ହେଉଛନ୍ତି ।