ମୋହନ-ଧର୍ମେନ୍ଦ୍ର ଫାଟ

ଯାହା ଆଶଙ୍କା କରାଯାଉଥିଲା ସେଇଆ ହିଁ ହେଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି । ଉଭୟଙ୍କ ମଧ୍ୟରେ ଆଉ ପୂର୍ବଭଳି ସୁସମ୍ପର୍କ ନାହିଁ । ମୋହନ ଏବେ ଏକେଲା ଚଲୋ ରାସ୍ତା ଆପଣାଇ ନେଇଛନ୍ତି । ଆଉ ପ୍ରଶାସନିକ କ୍ଷେତ୍ରରେ ଧର୍ମେନ୍ଦ୍ରଙ୍କ ହସ୍ତକ୍ଷେପ ଚାହୁଁନାହାନ୍ତି । ଯାହା ଏବେ ବିଜେପି ରାଜନୀତିରେ ରୋଚକ ଚର୍ଚ୍ଚା ସୃଷ୍ଟି କରିଛି ।
ସମ୍ପ୍ରତି ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀରେ କମ୍, ସମ୍ବଲପୁର, ଢେଙ୍କାନାଳ ଓ ଅନୁଗୁଳରେ ଅଧିକ ସମୟ ବିତାଉଥିବା ଲକ୍ଷ୍ୟ କରାଯାଉଛି । ସେ ନିଜ ନିଜ ବାଟରେ ସଂଗଠନକୁ ମଜବୁତ୍ କରିବାରେ ଲାଗି ପଡ଼ିଛନ୍ତି । ସେପଟେ ମୋହନଙ୍କ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ରଙ୍କୁ ଦେଖିବାକୁ ମିଳୁନଥିବାବେଳେ, ଧର୍ମେନ୍ଦ୍ରଙ୍କ କାର୍ଯ୍ୟକ୍ରମରେ ବି ମୋହନଙ୍କୁ ଦେଖିବାକୁ ମିଳୁନାହିଁ । ଏମିତିକି ଭୁବନେଶ୍ୱରରେ ବି ଦୁଇ ନେତା ଗୋଟିଏ କାର୍ଯ୍ୟକ୍ରମରେ ଏକାଠି ହେଉନାହାନ୍ତି । ନିକଟରେ ବୁର୍ଲା ହସପିଟାଲରେ ଏକ ଉଦଘାଟନ କାର୍ଯ୍ୟକ୍ରମ ହୋଇଥିଲା । ସେଠାରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ଥିଲା । ଧର୍ମେନ୍ଦ୍ର ବି ଉପସ୍ଥିତ ରହିଥା’ନ୍ତେ । କିନ୍ତୁ ମୁଖ୍ୟମନ୍ତ୍ରୀ ସେହି କାର୍ଯ୍ୟରେ ଯୋଗଦେଲେ ନାହିଁ । କେବଳ ଧର୍ମେନ୍ଦ୍ର ହିଁ ଉଦଘାଟନ କରିଥିଲେ । ସମ୍ପ୍ରତି ପ୍ରତିଦିନ ଧର୍ମେନ୍ଦ୍ର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରୁଛନ୍ତି । ରୋଡ଼ଶୋ’ ବି କରୁଛନ୍ତି ।
ଦଳୀୟ ଅଳିନ୍ଦରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ମୋହନ ଆଉ ଧର୍ମେନ୍ଦ୍ରଙ୍କ କଥାରେ ଚାଲିବାକୁ ଚାହୁଁନାହାନ୍ତି । ଧର୍ମେନ୍ଦ୍ରଙ୍କ କେତେକ ପରାମର୍ଶ ମଧ୍ୟ ମୋହନ ଗ୍ରହଣ କରିନାହାନ୍ତି । ମୋହନ ନିଜେ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ନିଜେ ହିଁ ସରକାର ଚଳାଇବାକୁ ସମର୍ଥ ବୋଲି ବାର୍ତ୍ତା ଦେଉଛନ୍ତି । ସେପଟେ ଧର୍ମେନ୍ଦ୍ର ହିଁ ମୋହନଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲେ । ଅନେକ ବରିଷ୍ଠ ନେତା ଥିଲେ ବି ଧର୍ମେନ୍ଦ୍ରଙ୍କ ଗୋଟିଚାଳନା ପାଇଁ ମୋହନ ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି । ଏକଥା ବିଜେପିରେ ସମସ୍ତେ ଜାଣିଛନ୍ତି । ଯେଉଁଥିପାଇଁ ମୋହନ ପ୍ରଥମେ ଧର୍ମେନ୍ଦ୍ରଙ୍କ କଥା ହିଁ ଶୁଣୁଥିଲେ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କର କଥାର ଗୁରୁତ୍ୱ ରହୁନଥିଲା । ଏବେ କିନ୍ତୁ ଧର୍ମେନ୍ଦ୍ରଙ୍କୁ ଛାଡ଼ି ମନମୋହନ, କନକବର୍ଦ୍ଧନଙ୍କ ଭଳି ନେତାଙ୍କ ସହ ମୋହନ ଭଲ ସମ୍ପର୍କ ରଖିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ଭାବେ ଆଉ ପୂର୍ବଭଳି ଧର୍ମେନ୍ଦ୍ରଙ୍କର କାଟତି ନଥିବା ବାର୍ତ୍ତା ଯାଇଛି । ସେଥିପାଇଁ ମୁଖ୍ୟମନ୍ତ୍ରୀ ମଧ୍ୟ ଧର୍ମେନ୍ଦ୍ର ବିରୋଧୀ ଅଭିଯାନରେ ସାମିଲ୍ ହୋଇଯାଇଥିବା କୁହାଯାଉଛି । ଏବେବି ଧର୍ମେନ୍ଦ୍ର ଜାତୀୟ ବିଜେପି ସଭାପତି ରେସ୍ରେ ଅଛନ୍ତି । ଯଦି ଧର୍ମେନ୍ଦ୍ର ରାଷ୍ଟ୍ରୀୟ ବିଜେପି ସଭାପତି ହୁଅନ୍ତି ତେବେ ରାଜ୍ୟ ବିଜେପି ରାଜନୀତି କଡ଼ ଲେଉଟାଇବା ନିଶ୍ଚିତ ।