ଦୁରୂପଯୋଗ ହେଉଛି ରାସନ୍ କାର୍ଡ
ଆର୍ଥôକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ ରିହାତି ମୂଲ୍ୟରେ ଖାଦ୍ୟଶସ୍ୟ ଯୋଗାଇ ଦେବା ପାଇଁ ସମଗ୍ର ଦେଶରେ ସାଧାରଣ ବଣ୍ଟନ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି । ଏଥିରେ ରାସନ୍ କାର୍ଡ୍ ଯୋଗାଇ ଦେଇ ତାହା ମାଧ୍ୟମରେ କାର୍ଡଧାରୀମାନଙ୍କୁ ସିଧାସଳଖ ଖାଦ୍ୟଶସ୍ୟ ଦିଆଯାଉଛି । ହେଲେ ଏହି ରାସନ୍ କାର୍ଡ୍ ପ୍ରସ୍ତୁତି କ୍ଷେତ୍ରରେ ହିତାଧିକାରୀଙ୍କୁ ବାଛିବା କ୍ଷେତ୍ରରେ ଅନେକ ତ୍ରୁଟି ରହୁଛି । ଯୋଗ୍ୟ ବ୍ୟକ୍ତି କାର୍ଡ୍ ପାଇବା ପରିବର୍ତ୍ତେ ଅଯୋଗ୍ୟ ବ୍ୟକ୍ତିଙ୍କ ହାତକୁ କାର୍ଡ୍ ଚାଲିଯାଉଛି । ଯୋଗ୍ୟ ବ୍ୟକ୍ତିଙ୍କ ନିକଟରେ କାର୍ଡ୍ ପହଞ୍ଚିବା ଏବଂ ରାସନ୍ କାର୍ଡ୍ ମାଧ୍ୟମରେ ସେମାନଙ୍କ ନିକଟରେ ଖାଦ୍ୟ ପହଞ୍ଚିବା ବ୍ୟବସ୍ଥାକୁ ପ୍ରଭାବଶାଳୀ କରିବା ପାଇଁ ସବୁ ରାଜ୍ୟ ସରକାର ଯଥାସାଧ୍ୟ ଚେଷ୍ଟା କରୁଛନ୍ତି ସତ; ମାତ୍ର ଏହା ପରେ ଅଯୋଗ୍ୟ ବ୍ୟକ୍ତିଙ୍କ ନିକଟରେ ରାସନ୍ କାର୍ଡ୍ ପହଞ୍ଚିଯାଉଛି ଏବଂ ଆର୍ଥିକ ଦୁର୍ବଳ ଶ୍ରେଣୀ ପରିବର୍ତ୍ତେ ଲାଭ ସେମାନେ ପାଉଛନ୍ତି । ଏ ପ୍ରକାରର ଘଟଣାରେ ସୁପି୍ରମ୍କୋର୍ଟ୍ ମଧ୍ୟ ଉଦ୍ବେଗ ପ୍ରକାଶ କରିଲେଣି । ରାସନ୍ କାର୍ଡ୍ର ଅପବ୍ୟବହାର ନେଇ ସୁପି୍ରମକୋର୍ଟ୍ର ଏକ ଖଣ୍ଡପୀଠ ଦେଇଥିବା ମନ୍ତବ୍ୟ ବାସ୍ତବିକ ଚିନ୍ତାଜନକ । ସୁପି୍ରମକୋର୍ଟ୍ଙ୍କର ଏହି ଖଣ୍ଡପୀଠ ମତ ଦେଇଛନ୍ତି ଯେ ରାଜ୍ୟ ଗୁଡ଼ିକ ବହୁ ପରିମାଣରେ ରାସନ୍ କାର୍ଡ୍ ଜାରି କରିଥିବା କହୁଛନ୍ତି । ରାଜ୍ୟର ୭୫ ପ୍ରତିଶତ ପର୍ଯ୍ୟନ୍ତ ଜନସାଧାରଣଙ୍କୁ ବିପିଏଲ୍ ବର୍ଗର ଦର୍ଶାଇ ରାସନ୍ କାର୍ଡ୍ ଦିଆଯାଇଥିବା ଏବଂ ତାହା ମାଧ୍ୟମରେ ସେମାନଙ୍କୁ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉଥିବା ଦାବି କରାଯାଉଛି ।
ଅନ୍ୟପକ୍ଷରେ ବିକାଶକୁ ନେଇ ବଡ଼ ବଡ଼ ଦାବି କରୁଛନ୍ତି ଏବଂ ରାଜ୍ୟର ପ୍ରତି ମୁଣ୍ଡ ପିଛା ଆୟ ବହୁ ଅଧିକ ହୋଇଛି ବୋଲି ଦାବି କରୁଛନ୍ତି । ଏ ପ୍ରକାରର ଦାବି ପରସ୍ପର ବିରୋଧୀ ଏବଂ ଏଥିମଧ୍ୟରୁ କେଉଁ ଦାବିଟି ଠିକ୍ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି । ଖଣ୍ଡପୀଠଙ୍କର ଏ ପ୍ରକାରର ଏକ ପ୍ରଶ୍ନ ଅଯୌକ୍ତିକ ନୁହେଁ । ରାଜ୍ୟ ଗୁଡ଼ିକ ବିକାଶକୁ ନେଇ ବଡବଡ କଥା ସବୁ କହୁଛନ୍ତି । ଅଥଚ ରାସନ୍ କାର୍ଡ୍ କଥା ଉଠିଲେ ରାଜ୍ୟର ୭୫ ଭାଗ ଲୋକଙ୍କୁ ୮୦ ଭାଗ ଲୋକଙ୍କୁ ଆଦି ବିଭିନ୍ନ ପରିସଂଖ୍ୟାନ ଦେଇ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଇଛି ବୋଲି କହୁଛନ୍ତି । ତେଣୁ ଦେଖିବାକୁ ଗଲେ ରାସନ୍ କାର୍ଡ୍ ସମ୍ପର୍କିତ ଦୁର୍ନୀତିରେ ରାଜ୍ୟ ସରକାର ଗୁଡ଼ିକର ନୀତି ଏବଂ ପରିସଂଖ୍ୟାନର ଏକ ଭୂମିକା ରହୁଛି । ପ୍ରବାସୀ ଶ୍ରମିକ ଏବଂ ଅଣ-ସଙ୍ଗଠିତ କ୍ଷେତ୍ରର ଶ୍ରମିକ ମାନଙ୍କ ସମସ୍ୟା ସମ୍ପର୍କିତ ଏକ ମାମଲାର ଶୁଣାଣୀ ସମୟରେ କେତେକ ରାଜ୍ୟର ଦ୍ୱନ୍ଦ୍ୱାତ୍ମକ ଚିତ୍ର ଉପରେ ଏହି ଖଣ୍ଡପୀଠ ଚିନ୍ତା ପ୍ରକାଶ କରିଛନ୍ତି ।
ବର୍ତ୍ତମାନ ରାଜ୍ୟରେ ରାସନ୍ କାର୍ଡ୍ ଗୁଡ଼ିକର ନବୀକରଣ ପ୍ରକ୍ରିୟା ଚାଲିଛି । ପୁରୁଣା ରାସନ୍ କାଡର୍୍ଧାରୀଙ୍କ ମଧ୍ୟରୁ ବିପୁଳ ସଂଖ୍ୟକ ରାସନ୍ କାର୍ଡ୍ଧାରୀ ସେମାନଙ୍କ କାର୍ଡ୍କୁ ଅପ୍ଡ଼େଟେଡ୍ କରୁନାହାନ୍ତି କିମ୍ବା କାର୍ଡ୍କୁ ମଧ୍ୟ ଫେରାଉ ନାହାନ୍ତି । ତେଣୁ ସରକାର କାଡର୍୍ ଗୁଡ଼ିକୁ ଅପ୍ଡ଼େଟ୍ କରିବା ପାଇଁ ୪ ଥର ସମୟ ଧାର୍ଯ୍ୟ କରିଲେଣି । ହେଲେ ପ୍ରତିଥର କିଛି ନା କିଛି ଅସୁବିଧା ସୃଷ୍ଟି ହେଉଛି । କାର୍ଡ୍ ଅପ୍ଡ଼େଟ୍ କରିବା ପାଇଁ ଜନସେବା କେନ୍ଦ୍ର ଗୁଡ଼ିକୁ ଯିବା ପାଇଁ କାର୍ଡ୍ଧାରୀମାନେ ବାଧ୍ୟ ହେଉଛନ୍ତି । ଗ୍ରାମାଞ୍ଚଳରେ ଥିବା ଜନସାଧାରଣ କେନ୍ଦ୍ର ଗୁଡ଼ିକରେ କେତେବେଳେ ବିଜୁଳି ଲାଇନ୍ ନାହିଁ ତ ଆଉ କେତେବେଳେ ଇଣ୍ଟରନେଟ୍ ସଂଯୋଗ ନାହିଁ । ଏଭଳି ସମସ୍ୟା ଯୋଗୁଁ ନିର୍ଦ୍ଧାରିତ ସମୟରେ ସବୁ ରାସନ୍କାର୍ଡ୍ଧାରୀଙ୍କର ଅପ୍ ଡେଟ୍ କରିବା ସମ୍ଭବ ହେଉନାହିଁ । ଆଉ ଗୋଟିଏ ବଡ଼ କଥା ହେଲା ଗୋଟିଏ କାର୍ଡ୍କୁ ଅପ୍ଡ଼େଟ୍ କରିବା ପାଇଁ ସ୍ଥଳ ବିଶେଷରେ ପାଖାପଖି ଅଧଘଣ୍ଟା ଲାଗିଯାଉଛି । ଏପରି ହେଲେ ଦିନ ଭିତରେ ସର୍ବାଧିକ ୩୦ଟି କାର୍ଡ୍ ଅପ୍ଡ଼େଟ୍ କରିହେବ । ତାହା ଠାରୁ ଅଧିକ କରିହେବ ନାହିଁ । ଦ୍ୱିତୀୟ କଥାଟି ହେଲା ଅଯୋଗ୍ୟ କାର୍ଡ୍ ଫେରସ୍ତ ନହେଲେ ଅଯୋଗ୍ୟ ହିତାଧିକାରୀଙ୍କ ବିରୁଦ୍ଧରେ ସରକାର କୌଣସି ପଦକ୍ଷେପ ନେଇପାରିବେ ନାହିଁ । ଏବେ ନିଷ୍ପତ୍ତି ସରକାରଙ୍କ ଉପରେ ।