ଓଡ଼ିଶାରେ ଦାଦନ ଓ ଗୋତି ଶ୍ରମିକ

ଆଦିତ୍ୟ କୁମାର ମହାନ୍ତି : ଓଡ଼ିଶାର ଭୂମିହୀନ ଅଭାବୀ ଓ ଗରିବ ଲୋକମାନେ ନିଜର ଓ ନିଜ ପରିବାରର ପେଟ ଚାଖଣ୍ଡେ ପୋଷିବା ପାଇଁ ଭାରତର ଅନ୍ୟାନ୍ୟ ରାଜ୍ୟକୁ ଏବଂ ବେଳେବେଳେ ମଧ୍ୟପ୍ରାଚ୍ୟ ଦେଶମାନଙ୍କୁ ଖଟିବା ପାଇଁ ଯାଇଥାନ୍ତି । ଗତ ଅର୍ଦ୍ଧ ଶତାବ୍ଦୀରୁ ଊଦ୍ଧ୍ୱର୍ ସମୟ ଧରି ଏହା ଏକ ଗରିବ ଓଡ଼ିଆ ମାନଙ୍କ ପାଇଁ ପରମ୍ପରାରେ ପରିଣତ ହୋଇଯାଇଛି । ଆଗରୁ କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଯେଉଁ ରାଜ୍ୟମାନଙ୍କରେ ବିକାଶ ପାଇଁ ରାସ୍ତାଘାଟ, ପୋଲ ଓ ଘର ତିଆରି ଆଦି କାର୍ଯ୍ୟରେ ଶ୍ରମିକମାନଙ୍କ ଆବଶ୍ୟକତା ଥାଏ ଠିକାଦାରମାନେ ପ୍ରଥମେ ଓଡ଼ିଶା ରାଜ୍ୟକୁ ପ୍ରାଧାନ୍ୟ ଦେଇଥାନ୍ତି । କାରଣ, ଓଡ଼ିଆମାନେ ସରଳ, ପରିଶ୍ରମୀ ଓ ପ୍ରତିବାଦହୀନ ମଣିଷ ଭାବରେ ପରିଚିତ ଲାଭ କରିଥାନ୍ତି । ରାଜ୍ୟର ମୁଖ୍ୟ କୃଷି ଧାନ ଚାଷ ହୋଇଥିବା ଯୋଗୁ ସ୍ୱଳ୍ପ ଭୂମି ଚାଷୀ ଓ ଭୂମିହୀନ ଚାଷୀମାନେ ନିଜର ଗୋଟିଏ ବର୍ଷର ଗୁଜୁରାଣ ମେଣ୍ଟାଇବା ପାଇଁ ଧାନ ଅମଳ ପରେ ବାହାରକୁ ଦାଦନ ଖଟିବା ପାଇଁ ଯାଇଥାନ୍ତି । ଏ ପ୍ରଥା ପ୍ରାୟ ୧୯୮୦-୯୦ ମସିହା ପର୍ଯ୍ୟନ୍ତ ଠିକ୍ ଠାକ ଚାଲିଥିଲା । କାଁ...ଭାଁ କିଛି ଘଟଣାକୁ ଛାଡ଼ିଦେଲେ ଦାଦନ ଶ୍ରମିକମାନେ ସୁରୁଖୁରୁରେ ବର୍ଷାଋତୁ ଆରମ୍ଭ ପୂର୍ବରୁ ଘରକୁ ଫେରୁଥିଲେ ।
କିନ୍ତୁ ଏହା ପରେ ପରେ ଭାରତରେ ବିକାଶର ଧାରା ତ୍ୱରାନ୍ୱିତ ହେବାଫଳରେ ବିଭିନ୍ନ ରାଜ୍ୟରେ ଶ୍ରମିକମାନଙ୍କର ଅଭାବ ବହୁଳ ଭାବରେ ପରିଲକ୍ଷିତ ହେଲା । ତେଣୁ ଠିକାଦାରମାନେ ଓଡ଼ିଶା ମୁହାଁ ହେଲେ । ଅନ୍ୟ ରାଜ୍ୟର ସରକାରମାନେ ଶ୍ରମିକମାନଙ୍କ ଦୈନିକ ପାରିଶ୍ରମିକ ଓଡ଼ିଶା ରାଜ୍ୟ ଅପେକ୍ଷା ଯେହେତୁ ଅଧିକ ଦେଉଥିଲେ ସେଥିପାଇଁ ଓଡ଼ିଶା ଶ୍ରମିକମାନେ ଦିପଇସା ଅଧିକ ରୋଜଗାର କରିବା ପାଇଁ ଅନ୍ୟ ରାଜ୍ୟକୁ ଯିବା ପାଇଁ ଇଛା ପ୍ରକାଶକଲେ । ଏହାର ସୁଯୋଗ ନେଇ କାଳକ୍ରମେ ଠିକାଦାରମାନେ ମାଲିକମାନଙ୍କ ସହ ସଲାସୁତୁରାକରି ଶ୍ରମିକମାନଙ୍କୁ ଶୋଷଣ କରିବା ଆରମ୍ଭ କଲେ । ଓଡ଼ିଶାର ଯେଉଁ ଗ୍ରାମାଞ୍ଚଳରେ ଶ୍ରମିକମାନେ ବେକାର ଥିବେ ଓ କୌଣସି କାମଧନ୍ଦା ନପାଇ ପେଟପୋଷଣ ଅନ୍ୱେଷଣରେ ଥିବେ ଠିକାଦାରମାନେ ସେମାନଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଅନ୍ୟ ରାଜ୍ୟକୁ କାମ ପାଇଁ ଯିବାକୁ ପ୍ରବର୍ତ୍ତାଇଥାନ୍ତି । କମ୍ କାମ ଅଧିକ ପଇସା, ଭଲ ଖାଦ୍ୟ ଓ ରହଣି ସହ ସ୍ୱାସ୍ଥ୍ୟସେବା ଇତ୍ୟାଦି ପ୍ରଦାନ କରାଯିବ କହି ଶ୍ରମିକମାନଙ୍କୁ ଏକାଠି କରନ୍ତି । ଏହାବ୍ୟତୀତ ଶ୍ରମିକମାନଙ୍କୁ ଅଧିକ ପ୍ରଲୋଭିତ କରିବାପାଇଁ ଓ ସେମାନଙ୍କ ବିଶ୍ୱାସଯୋଗ୍ୟ ହେବାପାଇଁ ସେମାନେ ଗୋଟିଏ ବା ଦୁଇମାସର ଅଗ୍ରିମ ପାରିଶ୍ରମିକ ମଧ୍ୟ ଦେଇଥାନ୍ତି । ଫଳରେ ନିରୀହ ଶ୍ରମିକମାନେ ଏଥିଦ୍ୱାରା ପ୍ରଭାବିତ ହୋଇ ଶହ ଶହ ସଂଖ୍ୟାରେ ଭାରତର ବିଭିନ୍ନ ରାଜ୍ୟର ସହରମାନଙ୍କୁ ଖଟିବାକୁ ଯାଇଥାନ୍ତି । ଗ୍ରାମୀଣ ପରିବେଶରେ ବଢ଼ି ଆସିଥିବା ଶ୍ରମିକମାନେ ସହରର ଚାକଚକ୍ୟ ପରିବେଶ ଦେଖି ପ୍ରଥମେ କେତେ ଦିନ ଏକ ଉଜ୍ଜ୍ୱଳ ଭବିଷ୍ୟତର ସ୍ୱପ୍ନ ଦେଖନ୍ତି । ଭାବିନିଅନ୍ତି ଯେ ଏଠି ଏଭଳି ଭାବରେ ରହିଲେ ଗାଁରେ ଯାଗା ଖଣ୍ଡେ କିଣିହେବ, ଘରଟିଏ କରିହେବ, ପୁଅଝିଅଙ୍କୁ ପାଠ ପଢ଼େଇ ଭଲ ଯାଗାରେ ବାହାସାହା କରିହେବ । କିନ୍ତୁ ସେମାନଙ୍କ ଏ ସ୍ୱପ୍ନ ମାସକ ମଧ୍ୟରେ ଭାଙ୍ଗି ଚୁରମାର ହୋଇଯାଏ । ଠିକାଦାରମାନେ ସେମାନଙ୍କୁ ବହୁ ବିପଦସଙ୍କୁଳ କାର୍ଯ୍ୟରେ ଲଗାଇଥାନ୍ତି । ଆଠ ଘଣ୍ଟା କାମ କରିବା ପରିବର୍ତ୍ତେ ୧୨ଘଣ୍ଟାରୁ ଊଦ୍ଧ୍ୱର୍ କାମ କରିବା ପାଇଁ ବାଧ୍ୟ କରିଥାନ୍ତି । ଦିନବେଳେ କାମ କରିବା ପରେ ମଧ୍ୟ ରାତିରେ କଠିନ ପରିଶ୍ରମ କରିବା ପାଇଁ ବାଧ୍ୟ କରିଥାନ୍ତି । ପ୍ରଥମେ ପ୍ରଥମେ ଯେଉଁ ଖାଦ୍ୟ ଦେଇ ଆକର୍ଷିତ କରୁଥିଲେ ତାହା କମି କମି ଶେଷରେ ଭାତ ତରକାରୀ ବା ରୁଟି ଡାଲ୍ମା ବା ଭାତ ସମ୍ବର ମଧ୍ୟରେ ସୀମିତ ରହେ । ତାହା ପୁଣି ପେଟ ପୁରା ଖାଦ୍ୟ ନୁହେଁ । ରୋଗ ବୈରାଗ୍ୟ ହେଲେ ମଧ୍ୟ ସେମାନଙ୍କୁ କାମ କରିବା ପାଇଁ ବାଧ୍ୟ କରାଯାଏ । ଯେଉଁମାନେ ଏହାର ପ୍ରତିବାଦ କରନ୍ତି ବା ଦିଆଯାଇଥିବା ଚୁକ୍ତିକୁ ଖିଲାପ କରାଯାଉଥିବା ଅଭିଯୋଗ କରନ୍ତି ସେମାନଙ୍କୁ ଅମାନୁଷିକ ଭାବେ ଶାରୀରିକ ଦଣ୍ଡଦେବା ସହ ରୋଗ ବୈରାଗ୍ୟରେ ପଡ଼ିଲେ ଔଷଧ ଟିକେ ମଧ୍ୟ ଦେବାକୁ କୁଣ୍ଠା ପ୍ରକାଶ କରନ୍ତି । ଠିକାଦାରମାନେ ଯେଉଁ ଅଗି୍ରମ ଟଙ୍କା ଦେଇ ଶ୍ରମିକମାନଙ୍କୁ ଆଣିଥିଲେ, ତାହାର ଅବଧି ସରିଯାଇଥିଲେ ମଧ୍ୟ ସେମାନଙ୍କୁ ତାଙ୍କର ନ୍ୟାଯ୍ୟପ୍ରାପ୍ୟ ନଦେଇ ଅଟକାଇ ରଖି କାମ କରିବାକୁ ବାଧ୍ୟ କରନ୍ତି । ଯେଉଁମାନେ କୌଶଳକରି ସେଠାରୁ ଖସି ଆସିବାକୁ ଉଦ୍ୟମ କରନ୍ତି ଠିକାଦାରମାନେ ସେମାନଙ୍କୁ କୌଣସି ପ୍ରକାରେ ଧରିନେଇ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ସହ ବିଭିନ୍ନ ଫୌଜଦାରୀ କେସ୍ରେ ଜଡ଼ିତ କରିଦିଅନ୍ତି । ଫଳରେ ଗାଁରେ ଘରଲୋକ ଉପାସରେ ଓ କର୍ମକ୍ଷେତ୍ରରେ ଶ୍ରମିକମାନେ ଭୋକ ଉପାସ ଓ ମାନସିକ ଶାରୀରିକ ନିର୍ଯାତନା ଭିତରେ ସଢ଼ିଯାଆନ୍ତି । କେଉଁଠି କେଉଁଠି ମହିଳା ଶ୍ରମିକ ମାନେ ଯୌନ ନିର୍ଯାତନାର ଶିକାର ହୁଅନ୍ତି ତ କେଉଁଠି ପୁରୁଷ ଯୁବ ଶ୍ରମିକମାନେ ସମଲିଙ୍ଗି ଯୌନ ନିର୍ଯାତନା ସହିବାକୁ ବାଧ୍ୟ ହୁଅନ୍ତି । କେଉଁଠି ସେମାନେ ନିଜର ଅଙ୍ଗ ପ୍ରତ୍ୟଙ୍ଗ ହରାନ୍ତି ତ କେଉଁଠି ସେମାନଙ୍କୁ ହତ୍ୟା ମଧ୍ୟ କରାଯାଏ ।  ଓଡ଼ିଶା ସରକାର ଗରିବମାନଙ୍କ ଉନ୍ନତି କଳ୍ପେ ଏକ ଟଙ୍କିଆ ଚାଉଳ ଯୋଜନା ଠାରୁ ଆରମ୍ଭ କରି ଅନେକ ଉନ୍ନୟନମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ସେମାନଙ୍କୁ ଭୂମି, ବାସଗୃହ, ପାନୀୟଜଳ, ସ୍ୱାସ୍ଥ୍ୟ, ଶିକ୍ଷା ଇତ୍ୟାଦି ସୁବିଧା ପ୍ରଦାନକରିବା ସହ ମନରେଗା ପରି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ବ୍ୟବସ୍ଥା କରିଛନ୍ତି । ତଥାପି କାହିଁକି ଲକ୍ଷ ଲକ୍ଷ ଓଡ଼ିଆ ଦାଦନ ଖଟିବା ପାଇଁ ଆନ୍ଧ୍ର, ତାମିଲନାଡୁ, ଗୁଜୁରାଟ, କର୍ଣ୍ଣାଟକ, ମହାରାଷ୍ଟ୍ର ଏପଟେ ପଞ୍ଜାବ ଓ ଜାମ୍ମୁ କାଶ୍ମୀର ଯାଉଛନ୍ତି ତାହା ବିଚାର କରିବା କଥା । ଦେଶରେ ଶ୍ରମିକମାନଙ୍କ ପାଇଁ ପ୍ରଣୀତ ମୌଳିକ ନୀତିନିୟମ ଏଠି କାହିଁକି ବ୍ୟବହୃତ ହେଉନାହିଁ ତାହା ମଧ୍ୟ ତଦାରଖ କରିବା ସରକାରଙ୍କ କର୍ତ୍ତବ୍ୟ । ଅତିକମରେ ଗଣ୍ଡେ ଖାଇବା ଓ ଖଣ୍ଡେ ପିନ୍ଧିବା, ଶୌଚ ପାଇଁ ପାଇଖାନା, ପିଇବା ପାଇଁ ମୁନେ୍ଦ ପାଣି, ସ୍ୱାସ୍ଥ୍ୟ ଖରାପ ହେଲେ ଚିକିତ୍ସା ଓ ମୁଣ୍ଡ ଗୁଞ୍ଜିବା ପାଇଁ ଚାଳଟିଏ ପାଇବା କ'ଣ ଏମାନଙ୍କ ଅଧିକାର ନାହିଁ? ଏକଥା କାହାକୁ କହିବା? କିଏ ବା ଆମ କଥା ଶୁଣିବ? ସଂପ୍ରତି ଚଳିତ ବର୍ଷ ଓଡ଼ିଶାରେ ମରୁଡ଼ି ଯୋଗୁଁ ଶ୍ରମିକମାନେ ରାଜ୍ୟ ଛାଡ଼ିବା ଆରମ୍ଭ କଲେଣି । ଅନ୍ୟ ଅର୍ଥରେ ଦାଦନ ଓ ଗୋତି ଶ୍ରମିକର ପର୍ବ ଆରମ୍ଭ ହୋଇଗଲାଣି ବୋଲି କହିଲେ ଅତୁ୍ୟକ୍ତି ହେବନାହିଁ । ତେଣୁ ଜାଣିଶୁଣି ଆମ ଲୋକମାନଙ୍କୁ ମକରଣ ମୁହଁକୁ ଠେଲିଦେବା ଅପେକ୍ଷା ସେମାନଙ୍କୁ ନିଜ ରାଜ୍ୟରେ ମର୍ଯ୍ୟାଦାଜନକ ଭାବେ ଥଇଥାନ କରିବା ପାଇଁ ସମସ୍ତଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ହେବା ଉଚିତ ।
 କଟକ