ଏବେବି ଲୋକସେବା ଭବନରେ ପାଣ୍ଡିଆନଙ୍କ ଛାଇ : ଅରବିନ୍ଦଙ୍କ ପ୍ରଶ୍ନକୁ ନେଇ ବିଜେପିରେ ଆଲୋଡ଼ନ

ଏବେବି ଲୋକସେବା ଭବନରେ ପାଣ୍ଡିଆନଙ୍କ  ଛାଇ : ଅରବିନ୍ଦଙ୍କ ପ୍ରଶ୍ନକୁ ନେଇ ବିଜେପିରେ ଆଲୋଡ଼ନ

ଭୁବନେଶ୍ୱରରୁ  ରାମଚଣ୍ଡୀ ପ୍ରସାଦ ରଣସିଂହ:  ‘ଇଡ଼ି, ସିବିଆଇ ଲଗାଇ ଦିଲ୍ଲୀ ଆଉ ଝାରଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ବାନ୍ଧିଲ  । ହେଲେ ଓଡ଼ିଶାରେ କାହିଁକି କିଛି କରିପାରିଲନି  । ବରଂ ମୋଦି ସବୁବେଳେ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରୁଥିଲେ  । ସବୁବେଳେ ଅଣଓଡ଼ିଆ ଅଫିସରଙ୍କୁ ଟାର୍ଗେଟ୍ କରୁଥିଲ  । ହେଲେ ସେମାନେ ପଦୋନ୍ନତି ପାଇଛନ୍ତି  । ଉପରୁ ଅର୍ଡ଼ର ଆସିଲା ବୋଲି ସରକାର କ୍ଳିୟରାନ୍ସ ଦେଇଛନ୍ତି  । ଅଣଓଡ଼ିଆ ବାବୁ ହେଲିକପ୍ଟରରେ ବୁଲି ସରକାରୀ ଟଙ୍କା ଉଡ଼ାଇଦେଲେ  । ବନ୍ଧା ହେବେବୋଲି କହିବୁଲିଲ  । ହେଲେ କାର୍ଯ୍ୟାନୁଷ୍ଠାନ ତ ନେଇପାରିଲନି  । ଫାଇଲ୍ ଖୋଲିବ ବୋଲି କହୁଛ ? କିନ୍ତୁ କାଇଁ କିଛି ଖୋଲୁନି  । ଶିକାର ଓ ଶିକାରୀ ସମସ୍ତେ ଏଇଠି ଅଛନ୍ତି  । କାଇଁ କିଛି ତ କରୁନ ?’ 
ବିଜୟ ମହାପାତ୍ରଙ୍କ ପୁଅ ତଥା ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଏହି କଥା ବିଜେପି ଶିବିରରେ ଚହଳ ସୃଷ୍ଟି କରିଛି  । କାହିଁକିନା ଅରବିନ୍ଦ ସେଇ କଥା ଉଠାଉଛନ୍ତି, ଯେଉଁ ପ୍ରଶ୍ନ ଅନେକ ବିଜେପି କାର୍ଯ୍ୟକର୍ତ୍ତା ଓ ନେତାଙ୍କ ମନରେ ଗତ କିଛିମାସ ଧରି ଉଙ୍କି ମାରୁଛି  । ଅନେକ ଏହି ପ୍ରତିନିଧିଙ୍କୁ ମଧ୍ୟ ଏକଥା କହିଛନ୍ତି  । ଶପଥ ନେବା ପରେ ଅନେକ ମନ୍ତ୍ରୀ ମଧ୍ୟ ସମାନ ଢଙ୍ଗରେ ବିଜେଡ଼ି ନେତା ଓ ପାଣ୍ଡିଆନଙ୍କ ବିରୋଧରେ ଆକ୍ସନ ନେବେ ବୋଲି ବାହାସ୍ଫୋଟ ମାରୁଥିଲେ  । କିନ୍ତୁ ହାତୀ ପା... ପା.. ବୋଲି ଫୁସ୍ କହିଲେ ଅତୁ୍ୟକ୍ତି ହେବନାହିଁ  । 
କୁହାଗଲା ଖଣି ମାଫିଆଙ୍କୁ ବାନ୍ଧିବୁ ? ହେଲେ କେତେଜଣ ବନ୍ଧା ହୋଇଛନ୍ତି  । ପାଣ୍ଡିଆନଙ୍କ ହେଲିକପ୍ଟର ବୁଲାର ତଦନ୍ତ ହେବବୋଲି କୁହାଗଲା  । ଅନେକ ନେତାଙ୍କ ପୁରୁଣା ଫାଇଲ୍ ଖୋଲିବ, ଫାଇଭ ଟି ସ୍କୁଲର ଦୁର୍ନୀତି ବିଷୟରେ ତଦନ୍ତ ହେବ  । ଏମିତି କେତେ କଥା ମନ୍ତ୍ରୀ ଓ ନେତାମାନେ କହିବାରେ ହେଳା କରିନାହାନ୍ତି  । ମନ୍ତ୍ରୀଙ୍କ ବାହାସ୍ଫୋଟ କଥା ଶୁଣି ବିଜେପି କାର୍ଯ୍ୟକର୍ତ୍ତାମାନେ ବିଜେଡ଼ି ନେତାଙ୍କୁ ଖତେଇ ହେଉଥିଲେ  । ଆଗକୁ ଦେଖ, କ’ଣ ହେବ ? ବିଜେଡ଼ି ନେତାଙ୍କ ମନରେ ବେଶ୍ କିଛିଦିନ ଛନକା ପଶି ଯାଇଥିଲା  । କେହି ଉଁ କି ଚୁଁ ହେଉନଥିଲେ  । ହେଲେ ଏବେ ଅରବିନ୍ଦ ସରକାରଙ୍କୁ ଛିଗୁଲାଇଛନ୍ତି  । ବିଜେପି ନେତାଙ୍କୁ ବିଜେଡ଼ି ବି ପାଲଟା ଖତେଇ ହେବା ଆରମ୍ଭ କରିଦେଲେଣି  । କାହିଁକିନା କିଛି ହିଁ ଘଟୁନି  । ସରକାର କିଛି କରୁନଥିବାରୁ ଗାଁ ଗାଁରେ ଭିନ୍ନ ବାର୍ତ୍ତା ଯିବା ଆରମ୍ଭ କରିଛି  । ନବୀନ ସରକାର ପ୍ରକୃତରେ ଧୋବ ଫରଫର ଥିଲେ  । ବିଜେପି ଖାଲି ମିଛୁଟାରେ ତାଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି କହୁଥିଲା  । ୧୯୯୦ କଥା ହେଉକି ୧୯୯୫ କଥା  । ନିର୍ବାଚନ ପରେପରେ ସରକାର ବଦଳିଥିଲା ଓ କେଉଁଭଳି ଭାବେ ଭିଜିଲାନ୍ସ ଚଢ଼ାଉ ଓ ତଦନ୍ତ ହୋଇଥିଲା ସେକଥା ଏବେ ଲୋକେ ମନେ ପକାଇବା ଆରମ୍ଭ କରିଛନ୍ତି  ।
ଏସବୁ ଭିତରେ ଅଣ ଓଡ଼ିଆ ଅଫିସର ବା ଅସ୍ମିତା ପ୍ରସଙ୍ଗ କଥା ଆଲୋଚନା କରାଯାଇପାରେ  । ଏବେ ଅସ୍ମିତା ମାନେ ଅହଂ, ମୁଁ ପଣ... ଏମିତି କେତେକଥା କୁହାଯାଉଛି  । କିନ୍ତୁ ନିର୍ବାଚନ ସମୟରେ ଅଣଓଡ଼ିଆ ଅଫିସରଙ୍କୁ ଟାର୍ଗେଟ୍ କରିବା ହିଁ ଅସ୍ମିତା ବୋଲି ଲୋକେ ବୁଝୁଥିଲେ  । ସେତେବେଳେ ଯେଉଁ ନେତାଙ୍କ ମୁହଁରେ ବୁମ୍ ଥିଲା, ତୁରନ୍ତ ସେମାନେ ଅଣ ଓଡ଼ିଆ ଅଫିସରଙ୍କୁ ଟାର୍ଗେଟ୍ କରୁଥିଲେ  । ଭିକେ ପାଣ୍ଡିଆନ୍, ଡିଏସ କୁଟ୍ଟେ, ଆଶିଷ ସିଂ, ସୁଜାତା କାର୍ତ୍ତିକେୟନ ଓ ପ୍ରଣବ ପ୍ରକାଶ ଦାସଙ୍କ ଉପରେ ବିଷ ଉଗାଳୁଥିଲେ  । ସରକାର ଆସିବା ପରେ ନେତାମାନେ ଏମିତି କହୁଥିଲେଯେ, ସତେଯେମିତି ସରକାର ଶପଥ ନେବା ପରଦିନ ଏମାନେ ସବୁ ଜେଲ୍ ପଳାଇବେ  । ହେଲେ ବାସ୍ତବ ଚିତ୍ର କିନ୍ତୁ ସବୁ ଓଲଟା  । ବରଂ କ୍ଷମତାରୁ ଯିବା ପରେବି ସେମାନଙ୍କ ପତିଆରା ଟିକିଏ ବି କମିନାହିଁ  ।  ଡିଏସ କୁଟ୍ଟେ ଓ ଆଶିଷ ସିଂଙ୍କ କଥା ସେତେବେଳେ ଦିଲ୍ଲୀ ଯାଏଁ ଯାଇଥିଲା  । ବିଜେପି ନେତା ବହୁ ତୁମ୍ବିତୋଫାନ୍ କରୁଥିଲେ  । ଏବେବି ୟୁଟୁ୍ୟବ୍ ସର୍ଚ୍ଚ କଲେ ନେତାଙ୍କ ବାହାସ୍ଫୋଟ କଥା କାନରେ ଟାଇଁ ଟାଇଁ ହୋଇ ବାଜୁଛି  । କିନ୍ତୁ ବିଜେପି ସରକାର ଆସିବା ପରେ ସେମାନେ କେନ୍ଦ୍ରୀୟ ଡେପୁଟେସନରେ ପଳାଇଲେ  । ଅରବିନ୍ଦଙ୍କ ଭାଷାରେ ସେମାନେ ପ୍ରମୋସନ ପାଇଲେ  । ପାଣ୍ଡିଆନଙ୍କ ରାସ୍ତାରେ ସୁଜାତା ବି ଭିଆରଏସ ନେଇଗଲେ  । ଏସବୁ ଭିତରେ ସବୁଠୁ ବଡ଼ କଥାଟି ହେଉଛି, ଯେଉଁମାନେ ନବୀନ ସରକାରଙ୍କ ଅମଳରେ ପାଣ୍ଡିଆନଙ୍କ ଛାଇ ହୋଇ କାମ କରୁଥିଲେ ଏବେବି ସେମାନେ ପୂର୍ବଭଳି ଅଗାଧ କ୍ଷମତା ଉପଭୋଗ କରୁଛନ୍ତି  । ଅନେକ ବିଭାଗରେ ପାଣ୍ଡିଆନଙ୍କ ଛାଇ ତୂଲ୍ୟ ବାବୁମାନେ ବିଜେପି ସରକାରର ହର୍ତ୍ତାକର୍ତ୍ତା ସାଜିଛନ୍ତି  । ସେମାନେ ଯାହା ଚାହୁଁଛନ୍ତି ସରକାରରେ ସେଇଆ ହିଁ ହେଉଛି  । ଉପରକୁ ଦେଖା ଯାଉନଥିଲେବି ଭିତରକୁ ପଶିଲେ ସବୁ କଥା ଜଳଜଳ କରି ଦିଶୁଛି  । ଲୋକସେବା ଭବନରେ ପାଣ୍ଡିଆନଙ୍କ ଛାଇମାନେ ପୂର୍ବଭଳି ପାୱାରଫୁଲ୍ ହେବା ସରକାରଙ୍କ ପାଇଁ ଦୀର୍ଘମିଆଦୀ ଭାବେ ଭଲ ନୁହେଁ  । କାହିଁକିନା ଏମାନେ ଉଇ ଭଳି ସରକାରଙ୍କ ଚଉକିକୁ ଫମ୍ପା କରିଦେଲେ ଆଶ୍ଚର୍ଯ୍ୟ ହେବାର ନାହିଁ  । ୧୯୯୦ରେ ସରକାରରୁ ଯିବା ପରେ ଜାନକୀବାବୁ ନିଜ ଅନୁଗତ ବାବୁଙ୍କ ମାଧ୍ୟମରେ ଯେଉଁ ଖେଳ କରିଥିଲେ ୧୯୯୫ରେ ତାହାର ଫଳ ବିଜୁବାବୁ ପାଇଥିଲେ  । ଇତିହାସକୁ ଭୁଲିଯିବା ଭବିଷ୍ୟତ ପାଇଁ ହିତକର ନୁହେଁ କହିଲେ ଅତୁ୍ୟକ୍ତି ହେବନି  ।