ଏକ୍ସପ୍ରେସଓ୍ବେ ଯାତ୍ରା ମହଙ୍ଗା : ରାଜପଥ ଟୋଲ୍ 4-5 ପ୍ରତିଶତ ବୃଦ୍ଧି

ବଢ଼ିଲା ରାଜପଥ ଟୋଲ୍ । ଭାରତର ଜାତୀୟ ରାଜପଥ ପ୍ରାଧିକରଣ ଦେଶବ୍ୟାପୀ ଟୋଲ୍ ଦର ହାରାହାରି 4ରୁ 5 ପ୍ରତିଶତ ବୃଦ୍ଧି କରିଛି । ଏଣିକି ମହଙ୍ଗା ହେବ ଜାତୀୟ ରାଜପଥ ଏବଂ ଏକ୍ସପ୍ରେସ ଓ୍ବେର ଯାତ୍ରା । ମଙ୍ଗଳବାର ଠାରୁ ନୂଆ ଶୁଳ୍କ ଲାଗୁ ହୋଇଥିବା ନେଇ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ତାଙ୍କ କହିବା ଅନୁସାରେ, ପ୍ରତିବର୍ଷ ଏପ୍ରିଲ ମାସରେ ଟୋଲ ଦର ସଂଶୋଧିତ ହୋଇଥାଏ । ଏନଏଚଆଇ ପ୍ରତି ହାଇଓ୍ବେ ଏବଂ ଏକ୍ସପ୍ରେସ ଓ୍ବେ ପାଇଁ ଅଲଗା ଅଲଗା ଦର ସଂଶୋଧିତ କରିଥାଏ । ଏହି କ୍ରମରେ ଦେଶର ଅନେକ ସ୍ଥାନରେ ପୃଥକ ପୃଥକ ଦର ବୃଦ୍ଧି କରାଯାଇଛି । ଯଦି ଆମେ ପୁରା ଦେଶ କଥା ଦେଖିବା ତାହେଲେ ଦେଶରେ ମୋଟ 855 ଟୋଲ୍ ପ୍ଲାଜା ରହିଛି । ସେଥିମଧ୍ୟରୁ 675ଟି ଟୋଲ୍ ପ୍ଲାଜା ସରକାରଙ୍କ ଦ୍ବାରା ପରିଚାଳିତ ହେଉଥିବା ବେଳେ 180ଟି ଟୋଲ୍ ପ୍ଲାଜା ଘରୋଇ କମ୍ପାନୀ ଦ୍ବାରା ପରିଚାଳିତ । ଜାତୀୟ ରାଜପଥ ନେଟଓ୍ବର୍କରେ ପ୍ରାୟ 855 ୟୁଜର ଫି ପ୍ଲାଜା ରହିଛି । ଯାହାଉପରେ ନ୍ୟାସନାଲ ହାଇଓ୍ବେ ଫି ଆଇନ 2008 ଅନୁସାରେ ଲାଗୁ କରାଯାଇଥାଏ ।