ଆମ ଦେଶରେ ଗଣତନ୍ତ୍ର ଓ ଜନମତ

ଗଣତନ୍ତ୍ର ହେଉଛି ସର୍ବୋକ୍ରୃଷ୍ଟ ଶାସନ ବ୍ୟବସ୍ଥା  । ସ୍ୱେଛାଚାରୀ ରାଜତନ୍ତ୍ର ଶାସନ ବିରୋଧରେ ଜନ ଆନେ୍ଦାଳନରୁ ଏହି ଗଣତନ୍ତ୍ର ଶାସନ ବ୍ୟବସ୍ଥାର ଆବିର୍ଭାବ ଘଟିଛି । ଇଂଲଣ୍ଡ ,ଆମେରିକା ଓ ଫରାସି  ଭଳି ରାଷ୍ଟ୍ର ମାନଙ୍କରେ ଅତୀତରେ ରାଜା ବା ସମ୍ରାଟ ମାନଙ୍କ ଜନବିରୋଧୀ ଓ ସ୍ୱେଛାଚାରିତା କାର୍ଯ୍ୟକଳାପ ବିରୁଦ୍ଧରେ ହୋଇଥିବା ବିପ୍ଲବରୁ ଗଣତନ୍ତ୍ରର ଜନ୍ମ ବୋଲି ଇତିହାସରୁ ଜଣାପଡେ । ଆମ ଦେଶ ଭାରତ ହେଉଛି ବିଶ୍ୱର ସର୍ବବ୍ୃହତ  ଗଣତାନ୍ତ୍ରିକ ରାଷ୍ଟ୍ର । ୧୯୪୭ ମସିହାରେ ଆମ ଦେଶ ଭାରତ ଇଂରେଜ ଶାସନରୁ ମୁକ୍ତି ପାଇଲା ପରେ ଏକ ସାର୍ବଭୈାମ ଗଣତନ୍ତ୍ର ରାଷ୍ଟ୍ର ଭାବରେ ପରିଚୟ ପାଇଲା । ନିର୍ବାଚନ ହେଉଛି ଗଣତନ୍ତ୍ର ଶାସନର ଏକ ମୁଖ୍ୟ ଆୟୂଧ । ଏହା ଦ୍ୱାରା ଶାସନ ମୁଖ୍ୟ ଙ୍କ କାଯ୍ୟକଳାପ କୁ ନିୟନ୍ତ୍ରଣ କରାଯାଇଥାଏ । ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ନିର୍ଦ୍ଦାରିତ ସମୟ ବ୍ୟବଧାନରେ ରେ ନିର୍ବାଚନ ହେବା ଓ ଏଥିରେ ଜନସାଧାରଣଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ରେ ଜନ ପ୍ରତିନିଧି ଚୟନ ହେବା ପ୍ରକ୍ରିୟା ହିଁ ଅନ୍ୟାନ୍ୟ ଶାସନ ବ୍ୟବସ୍ଥା ଅପେକ୍ଷା ଗଣତନ୍ତ୍ର  ଶାସନ ବ୍ୟବସ୍ଥାକୁ ଅଧିକ ମର୍ଯ୍ୟାଦା ଦେଇଥାଏ । ଭାରତ ଏକ ମହାସଂଘୀୟ ଗଣତାନ୍ତ୍ରିକ ରାଷ୍ଟ୍ର ।  ଏହି ଦେଶରେ କେନ୍ଦ୍ର ଓ ରାଜ୍ୟ ସରକାର ମାନଙ୍କ ଦ୍ୱାରା ଶାସନ ପରିଚାଲିତ ହୋଇଥାଏ । ସେହିପରି ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ମଧ୍ୟ ସ୍ୱାୟତ୍ତ  ଶାସନ ଓ ପଞ୍ଚାୟତ ଶାସନ ବ୍ୟବସ୍ଥା ରହିଅଛି । ଏସବୁ ବ୍ୟବସ୍ଥା ଆମ ଦେଶର ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ନିର୍ଦ୍ଦାରିତ ସମୟ ବ୍ୟବଧାନରେ ଅର୍ଥାତ  ପ୍ରତି ପାଞ୍ଚ   ବର୍ଷରେ ସାବାଳକ ଭୋଟ ନିର୍ବାଚନ ପ୍ରକ୍ରିୟାରେ ଜନ ପ୍ରତିନିଧୀ ଚୟନ ଓ  ଶାସନ ମୁଖ୍ୟ ଚୟନ କରାଯାଇ ଆସୁଛି । ସ୍ୱାଧୀନୋତ୍ତର ଭାରତ ବର୍ଷରେ ୧୯୫୧-୧୯୫୨ ବର୍ଷରେ  ପ୍ରଥମ ଥର ପାଇଁ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସେହି ବର୍ଷଠାରୁ ବର୍ତ୍ତମାନ ଯାଏଁ ପ୍ରାୟ ୭୪ ବର୍ଷ ଧରି କ୍ରମାଗତ ଭାବରେ ସାବାଳକ ଭୋଟ ପ୍ରଥା ମାଧ୍ୟମରେରେ ନିର୍ବାଚନ ଅନୁଷ୍ଠିତ ହୋଇ ଆସୁଛି । ଚଳିତ ବର୍ଷ  ଆମ ଦେଶରେ ଅଷ୍ଟାଦଶ ତମ ସାାଧାରଣ ନିର୍ବାଚନ ଆମ ଦେଶର ମତଦାତାଙ୍କ ପାଇଁ ନିଶ୍ଚୟ ଉତ୍ସାହ ଓ ଉଦ୍ଦୀପନା ଆଣିଛି । ଜନମତ ଆଧାରରେ ଜନପ୍ରତିନିଧି  ନିର୍ବାଚିତ ହେବା ସହିତ ସଂଖ୍ୟା ଗରିଷ୍ଠ ପ୍ରତିନିଧି ପାଇଥିବା ଦଳ ସରକାର ଗଠନ କରିବା ବ୍ୟବସ୍ଥା ଲୋକଙ୍କ ଅଧିକାରକୁ  ଅଧିକ ଗୁରୁତ୍ୱ ଦେଉଛି ।  ତେଣୁ ଜନସାଧାରଣଙ୍କ ଅଧିକାର ପ୍ରତି ସଚେତନତା ଉପରେ ଗଣତନ୍ତ୍ରର ସଫଳତା ଓ ବିଫଳତା ନିର୍ଭର କରେ । 
ଆମ ଦେଶରେ ଏହି ନିର୍ବାଚନ ପ୍ରକ୍ରିୟା ଦୀର୍ଘ ବର୍ଷଧରି ହୋଇ ଆସୁଥିବାରୁ ଆମେ ଭାରତୀୟ କାଳକ୍ରମେ ଅଧିକ ଅଭିଜ୍ଞ ଓ  ସଚେତନ ହେବା କଥାା ଆମେ କେତେଦୂର ସଠିକ  ପ୍ରତିନିଧି ଚୟନ କରିପାରୁଛୁ ତାହା ପ୍ରତି ପାଞ୍ଚ ବର୍ଷରେ ସମୀକ୍ଷା କରିବା ଆବଶ୍ୟକ । ସମୀକ୍ଷା ଆଧାରରେ ପରବର୍ତ୍ତୀ ସମୟ ପାଇଁ ଆମ ପ୍ରତିନିଧି ଚୟନ ହେଲେ ଆମେ ଉଚିତ ନ୍ୟାୟ ପାଇବୁ । ସ୍ୱାଧୀନତା ପରେ ପରେ ଅନୁଷ୍ଠିତ ନିର୍ବାଚନରେ ଅନେକ ସ୍ୱାଧିନତା ସଂଗ୍ରାମୀ ,ସମାଜସେବୀ ,ବୁଦ୍ଦିଜିବୀଙ୍କୁ ଜନସାଧାରଣ ନିର୍ବାଚିତ କରି ଦେଶର ବିକାଶ ର ସ୍ୱପ୍ନ ଦେଖିଥିଲେ ।  ଖାଦ୍ୟ , ଶିକ୍ଷା ,ସ୍ୱାସ୍ଥ୍ୟ, ଗମନାଗମନ ଭଲି ମୈାଳିକ ସମସ୍ୟାର ସମାଧାନ କରିବାପାଇଁ ସଂକଲ୍ପ ନେଇଥିବା ଦଳ ଓ ପ୍ରତିନିଧିକୁ ଚୟନ କରିବାପାଇଁ ସେହି ସମୟରେ ଦେଶ ପ୍ରୟାସ କରିଛି । ଯେଉଁ ସମୟରେ ଭାରତବର୍ଷ ନାନାବିଧ ସମସ୍ୟା ଦେଇ ଗତି କରୁଥିଲା , ସଂଖ୍ୟା ଗରିଷ୍ଠ ମତଦାତା ଶିକ୍ଷା  ଓ ସଚେତନତାର ବହୁ ଦୂରରେ ରହିଥିଲେ, ସେହି ସମୟରେ ବି ଭାରତ ବର୍ଷ ଅନେକ ଗୁଣୀ ,ଜ୍ଞାନୀ ଓ ଉପଯୁକ୍ତ ପ୍ରତିନିଧି ଚୟନ କରି ନିଜ ଦେଶର ବିକାଶ ପାଇଁ  ପ୍ରୟାସ  କରିଥିଲା । କିନ୍ତୁ  ଆଜି ନିର୍ବାଚନର ରୂପରେଖକୁ ଅନୁଧ୍ୟାନ କଲେ ଆମେ କେତେଦୂର ସଠିକ ଭାବରେ ପ୍ରାର୍ଥ ଚୟନ କରିବା ପାଇଁ ସମର୍ଥ ହେଉଛୁ  ତାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।  ଆମ ଦେଶ ଭାରତବର୍ଷ  ଅନେକ କ୍ଷେତ୍ରରେ ବିକାଶ କରୁଥିବା ଆମେ ଡିଣ୍ଡିମ ପିଟୁଛୁ । ସମଗ୍ର ବିଶ୍ୱରେ ଆଜି ଭାରତର ପତିଆରା ବଢିଛି ବୋଲି ଆମେ ଗର୍ବ ଅନୁଭବ କରୁଛୁ । ହେଲେ ଦୁନିଆର ସର୍ବବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ର  ଆମ ଦେଶ ଭାରତ ରେ ଅନୁଷ୍ଠିତ ହେଉଥିବା ନିର୍ବାଚନର ଅସଲ ରୂପକୁ କଣ ସମସ୍ତଙ୍କୁ ଜଣା । ଏହି ପରିପ୍ରେକ୍ଷୀରେ ବିଗତ କିଛି ବର୍ଷର ସାଧାରଣ ନିର୍ବାଚନର କିଛି  ତଥ୍ୟ ଏଠାରେ ଉପସ୍ଥାପନା କରିବା ସହିତ ଆମେ ମତଦାତା କେତେଦୂର  ବିବେକାନୁମୋଦିତ ପ୍ରାର୍ଥୀ ଚୟନ କରିପାରିଛୁ ନା ନାହିଁ ,ପାଠକ ଙ୍କ ନିକଟରେ ମୋର ବ୍ୟକ୍ତିଗତ ମତ ରଖୁଛି ।  
ଆମ ସମ୍ବିଧାନ ଭାରତର ପ୍ରତ୍ୟେକ ନାଗରିକଙ୍କୁ ରାଜନୈତିକ ଅଧିକାର ପ୍ରଦାନ କରିଛି । ଏହି ନ୍ୟାୟରେ ସେ ନିର୍ବାଚନରେ ଅବାଧରେ ମତଦାନ କରିବା ସହିତ ଯେ କୌଣସି ରାଜନୈତିକ ପଦ ପଦବୀ ପାଇଁ ନିର୍ବାଚନ ଲଢି ପାରିବ । କିନ୍ତୁ ପ୍ରକୃତ ପକ୍ଷେ ଏହି ପଦ ପଦବୀରେ ଆସୀନ ହେବା ପାଇଁ କେଉଁ ମାନେ ଯୋଗ୍ୟ କାହାକୁ ଅଛପା ନାହିଁ । ଜଣେ ନିର୍ମଳ ଭାବମୁର୍ତ୍ତି ସଂପନ୍ନ ଓ ପ୍ରକୃତ ଜନସେବା ପାଇଁ ଆଗ୍ରହୀ ବ୍ୟକ୍ତି ବିଶେଷ ପାଇଁ ସାଂପ୍ରତିକ ଖର୍ଚ୍ଚବହୁଳ ନିର୍ବାଚନ ପ୍ରକ୍ରିୟା କେବଳ ଯେ ତାଙ୍କୁ  ରାଜନୈତିକ ଅଧିକାରରୁ ବଂଚିତ କରୁଛି ତାହା ନୁହେଁ ବରଂ ଯେକୌଣସି ଉପାୟରେ ଅର୍ଥ ସଂଚୟ କରିଥିବା ଧନିକମାନଙ୍କୁ ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ସୁଯୋଗ ଆଣୁଛି । ଯାହା ଦ୍ୱାରା ଆଜି ଭାରତବର୍ଷ କେଉଁ ପୃଷ୍ଠଭୁମି ସଂପନ୍ନ ବ୍ୟକ୍ତିବିଶେଷଙ୍କୁ ରାଜ୍ୟସଭା ,ଲୋକସଭା କିମ୍ବା ବିଧାନ ସଭା ଭଳି ଉଚ୍ଚ କ୍ଷମତାସଂପନ୍ନ ଗୃହରେ କ୍ଷମତାସୀନ ହେବାର ସୁଯୋଗ  ପ୍ରଦାନ କାରୁଛି  ,ତାହା  ଆଲୋଚନାର ବିଷୟ ଅଟୋ  ଆମ ଦେଶରେ ନିର୍ବାଚନ ସଂସ୍କାର ଉଦେ୍ଦଶ୍ୟରେ ଗଠିତ ଏସୋସିଏସନ ଅଫ ଡୋମୋକ୍ରେଟିକ ରିଫର୍ମସ  (ଏ ଡି ଆର ) ର ରିପୋର୍ଟ ମୁତାବକ ୨୦୦୯ ସାଧାରଣ ନିର୍ବାଚନରେ ୫୪୩ ଗୋଟି ଲୋକସଭା ସଦସ୍ୟ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଲେ ୭୮୧୦ଜଣ ପ୍ରାର୍ଥୀ  ଏହି ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ ଥିଲେ । ତନ୍ମଧ୍ୟରୁ ୧୧୫୮ ଜଣ ଅଭିଯୁକ୍ତ ଅପରାଧୀ ରହିଥିବାବେଲେ ୮୮୯ ଜଣ ଅଭିଯୁକ୍ତ ଅପରାଧୀଙ୍କ ନାମରେ ହତ୍ୟା ,ହତ୍ୟା ଉଦ୍ୟମ , ମହିଳା ମାନଙ୍କ ଉପରେ ଅତ୍ୟାଚାର ବା ଧର୍ଷଣ ଭଳି ସଂଗୀନ ଅଭିଯୋଗ ରହିଥିଲାା ଏହି ନିର୍ବାଚନରେ ଜୟଯୁକ୍ତ ହୋଇଥିବା ୫୪୩ ଜଣ ଲୋକସଭା ସଦସ୍ୟଙ୍କ ମଧ୍ୟରୁ ୧୬୨ ଜଣ ଅଭିଯୁକ୍ତ ଅପରାଧୀ ନିର୍ବାଚିତ ହୋଇଥିଲେ  । ଯାହାକି ସମୁଦାୟ ନିର୍ବାଚିତ ସଦସ୍ୟଙ୍କ ୩୦ ପ୍ରତିଶତ ଅଟେ ଓ  ୧୪ ପ୍ରତିଶତ ଅଭିଯୁକ୍ତ ଅପରାଧୀ ସଂଗୀନ ଅପରାଧରେ ଜଡିତ ଥିଲେ ।  ଏହା ସହିତ ସମୁଦାୟ ସଦସ୍ୟ ସଂଖ୍ୟାରୁ ୫୮ ପ୍ରତିଶତ କୋଟିପତି ସଦସ୍ୟ ରହିଥିଲେ ।
 ସେହିପରି ୨୦୧୪ ସାଧାରଣ ନିର୍ବାଚନରେ ୫୪୩ ଗୋଟି ଲୋକସଭା ସଦସ୍ୟ ଆସନ ପାଇଁ ଅନୁଷ୍ଠିତ ନିର୍ବାଚନରେ ୮୨୫୧ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ୧୩୯୮ ଜଣ ପ୍ରାର୍ଥୀ ଅଭିଯୁକ୍ତ ଅପରାଧୀ ରହିଥିଲେ ।  ଏହି ନିର୍ବାଚନରେ ମଧ୍ୟ ୧୮୫ ଜଣ ଅଭିଯୁକ୍ତ ଅପରାଧୀ ନିର୍ବାଚିତ ହୋଇ ଆସିଥିବାବେଲେ ତନ୍ମଧ୍ୟରୁ ୧୧୨ ଜଣ ଅଭିଯୁକ୍ତ ସଦସ୍ୟଙ୍କ ନାମରେ ସଂଗୀନ ଅଭିଯୋଗ ରହିଥିଲା । ୫୪୩ଜଣ ସଦସ୍ୟଙ୍କ ମଧ୍ୟରୁ ୪୪୩ ଜଣ କୋଟିପତି ସଦସ୍ୟ ରହିଥିଲେ । ଏହି ସମୟରେ ୩୪ ପ୍ରତିଶତ ଅଭିଯୁକ୍ତ ଅପରାଧୀ ନିର୍ବାଚିତ ହୋଇଥିବାବେଲେ ୨୧ ପ୍ରତିଶତ ଅଭିଯୁକ୍ତ ସଂଗୀନ ଅପରାଧରେ ଅଭିଯୁକ୍ତ ରହିଥିଲେ । ଅନୁରୂପ ଭାବରେ ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ୫୩୯ ଗୋଟି ଲୋକସବା ସଦସ୍ୟ ପଦ ପାଇଁ ଅନୁଷ୍ଠିତ ନିର୍ବାଚନରେ  ୮୦୩୯ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ତନ୍ମ ଧ୍ୟରୁ   ଅନେକ ଅଭିଯୁକ୍ତ ଅପରାଧୀ ରହିଥିଲେ । ଏହି ନିର୍ବାଚନରେ ୫୩୯ ଜଣ ନିର୍ବାଚିତ ସଦସ୍ୟଙ୍କ ମଧ୍ୟରୁ ୪୩ ପ୍ରତିଶତ ଅର୍ଥାତ ୨୩୩ ଜଣ ଅଭିଯୁକ୍ତ ଅପରାଧୀ ରହିଥିବାବେଳେ ୨୯ ପ୍ରତିଶତ ଅଭିଯୁକ୍ତ ସଂଗୀନ ଅପରାଧରେ ଅଭିଯୁକ୍ତ ରହିଥିଲେ । ଏହି ସମୟ ମଧ୍ୟରେ  ୪୭୫ ଜଣ ସଦସ୍ୟ କୋଟିପତି ରହିଥିବାବେଲେ  ପ୍ରତି ସଦସ୍ୟଙ୍କ ହାରାହାରି ସଂପତ୍ତିର ମୂଲ୍ୟ ୨୦.୯୩ କୋଟି ରହିଥିଲା । ଏହି  ସମୟ ଅବଧିରେ ଉଭୟ ଲୋକସଭା ଓ ରାଜ୍ୟସଭାର ସମୁଦାୟ ୭୬୩ ଜଣ ନିର୍ବାଚିତ ସଦସ୍ୟଙ୍କ ମଧ୍ୟରୁ ୩୦୬ ଜଣଙ୍କ ନାମରେ ଅପରାଧ ଅଭିଯୋଗ ରହିଥିଲାା ଅର୍ଥାତ ରାଜ୍ୟ ସଭାର ୭୩ ଜଣ ସଦସ୍ୟ ମଧ୍ୟ ଅଭିଯୁକ୍ତ ଅପରାଧୀ ରହିଥିଲେ । ଚଳିତ ସାଧାରଣ ନିର୍ବାଚନରେ ମଧ୍ୟ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ପ୍ରାର୍ଥୀପତ୍ର ଦାଖଲ କରିଥିବା ୧୬୧୮ ଜଣଙ୍କ ମଧ୍ୟରୁ ୨୫୨ ଜଣ ,ଦ୍ୱିତୀୟ ପର୍ଯ୍ୟାୟରେ ୧୧୯୨ ଜଣଙ୍କ ମଧ୍ୟରୁ ୨୫୦ ଜଣ ,ତୃତୀୟ ପର୍ଯ୍ୟାୟରେ ୧୩୫୨ ଜଣଙ୍କ ମଧ୍ୟରୁ ୧୭୨ ଜଣ , ଚତୁର୍ଥ ପର୍ଯ୍ୟାୟରେ ୧୭୧୦ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩୬୦ ଜଣ ,ପଂଚମ ପର୍ଯ୍ୟାୟରେ ୭୨୦ ଜଣ ଙ୍କ ମଧ୍ୟରୁ ୧୪୪ ଜଣ ଓ ଷଷ୍ଠ ପର୍ଯ୍ୟାୟ ରେ ୮୬୬ ଜଣ ପ୍ରାର୍ଥୀ ଙ୍କ ମଧ୍ୟରୁ ୧୮୦ ଜଣ ପ୍ରାର୍ଥୀ ଅଭିଯୁକ୍ତ ଅପରାଧୀ ଅଟନ୍ତି । ସପ୍ତମ ପର୍ଯ୍ୟାୟର ତଥ୍ୟ ହସ୍ତଗତ ହୋଇ ନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିଥିବା ୭୪୫୮ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୧୦୮ ଜଣ ପ୍ରାର୍ଥୀଙ୍କ ନାମରେ ବିଭିନ୍ନ ପ୍ରକାର ଅପରାଧିକ ମାମଲା ଥିବା ସଂପ୍ୃକ୍ତ ପ୍ରାର୍ଥୀମାନେ ତାଙ୍କ ପ୍ରଦତ୍ତ ଏଫିଡେଭିଟ    ଅନୁସାରେ ଏଡିଆରର ରିପୋର୍ଟ ମୁତାବକ ଜଣାପଡିଛି । ଅନ୍ୟ ପକ୍ଷରେ ୨୦୦୪ ଲୋକସବା ନିର୍ବାଚନରୁ ୨୦୧୯ ଲୋକସଭା ନିର୍ବାଚନ ମଧ୍ୟରେ ୨୩ ଜଣ ଅଭିଯୁକ୍ତ ଅପରାଧୀ ଲୋକସଭା ସଦସ୍ୟ ଭାବରେ  ପୁନଃ ନିର୍ବାଚିତ ହୋଇ ଆସିଛନ୍ତି ,ଯେଉଁ ମାନଙ୍କ ମଧ୍ୟରୁ ୯ ଜଣ ଅଭିଯୁକ୍ତ ସଦସ୍ୟଙ୍କ ନାମରେ ହତ୍ୟା ,ହତ୍ୟା ଉଦ୍ୟମ ,ଧର୍ଷଣ ଓ ନାରୀ ନିର୍ଯାତନା ଭଲି ସଂଗୀନ ଅପରାଧ କରିଥିବା ଅଭିଯୋଗ ରହିଛି । ଏହି ଅଭିଯୁକ୍ତ ସଦସ୍ୟ ମାନଙ୍କ ସଂପତ୍ତିର ମଧ୍ୟ କ୍ରମାଗତ ଭାବରେ ଅଭିବୃଦ୍ଧି ଘଟିଛି । ସେମାନଙ୍କ ହାରାହାରି ସଂପତ୍ତି ୨୦୦୪ ନିର୍ବାଚନବଲେ ୧.୫୨ କୋଟି ରହିଥିବାବେଲେ ୨୦୦୯ ରେ ୩.୪୬ କୋଟି ,୨୦୧୪ ନିର୍ବାଚନରେ ୧୭.୫୧ କୋଟି ଓ ୨୦୧୯ ନିର୍ବାଚନରେ ୧୫.୯୮ କୋଟି ରହିଥିବା ଜଣାପଡିଛି । ଏଭଲି ଭାବରେ ରାଜ୍ୟ ସଭା ,ବିଭିନ୍ନ ରାଜ୍ୟର ବିଧାନସଭା , ତ୍ରିସ୍ତରୀୟ ପଂଚାୟତ ସଂସ୍ଥା ,ସ୍ଥାନୀୟ ସ୍ୱାୟତ୍ତ ସଂସ୍ଥା ମାନଙ୍କରେ ବର୍ତ୍ତମାନ ଅନେକ ଅଭିଯୁକ୍ତ ଅପରାଧୀ ନିର୍ବାଚିତ ହୋଇ ଆସୁଥିବା ଏକ ଧାରାରେ ପରିଣତ ହୋଇଛି । 
ଏ ସମସ୍ତ ତଥ୍ୟ ଆଧାରରେ ଏହା ସ୍ପଷ୍ଟ ଯେ ବର୍ତ୍ତମାନ ନିର୍ମଳ ଭାବମୂର୍ତ୍ତି ସଂପନ୍ୱ ବ୍ୟକ୍ତି ବିଶେଷଙ୍କ ଅପେକ୍ଷା ଅପରାଧ ପୃଷ୍ଟଭୂମି ଥିବା ବ୍ୟକ୍ତି ବିଶେଷ ଯେ କେବଳ ପ୍ରାର୍ଥୀ ହେଉଛନ୍ତି ତାହ ନୁହେଁ ବରଂ ମତଦାତା ମାନେ ମଧ୍ୟ ଏହି ଭଲି ଅଭିଯୁକ୍ତ ମାନଙ୍କୁ ମତଦାନ କରି ନିର୍ବାଚିତ କରୁଥିବା ଦୃଷ୍ଟିଗୋଚର ହେଉଛି ।  ଆଜି ଜନପ୍ରତିନିଧିର ଦାୟିତ୍ୱର ପରିଭାଷା ବଦଳି ଯାଇଛି । ନିର୍ବାଚିତ ହେବାପରେ ଅନେକ ଜନପ୍ରତିନିଧିଙ୍କ ନାମରେ ଦୁର୍ନୀତି ଓ ଅନିୟମିୟତାର  ଅଭିଯୋଗ ଆସୁଛି । ଏଠାରେ ଆଲୋଚନାର ତାପ୍ତର୍ଯ୍ୟ ହେଲା  ଯେ ଆଜି ସମୟ ବଦଳିବା ସହିତ ଗଣତାନ୍ତ୍ରିକ ବିଚାରଧାରାରେ ମଧ୍ୟ ପରିବର୍ତ୍ତନ ଘଟିଛି । ଗଣତନ୍ତ୍ରରେ  ଜନସାଧାରଣଙ୍କ ଅଂଶଗ୍ରହଣ ବା ସହଭାଗିତାର ରୂପ ବଦଳିଯାଇଛି  ଓ ନିର୍ଦ୍ଦିଷ୍ଟ ମୁଷ୍ଟିମେୟଙ୍କ ହାତରେ ରହିଛି  ଶାସନର ଚାବିକାଠି । ରାଜନୈତିକ ଦଳ ଗୁଡିକ ମଧ୍ୟ  ନୀତି ଓ ଆଦର୍ଶକୁ ପଛରେ ପକାଇ କ୍ଷମତା ଦୌଡରେ ଅଗଣତାନ୍ତ୍ରିକ ଉପାୟ ଅବଲମ୍ବନ କରୁଛନ୍ତି । ଯାହାଫଳରେ ଆଜି ସାଧାରଣ କୃଷକ ,ଶ୍ରମିକ ,ଶିକ୍ଷକ ,ବୁଦ୍ଧିଜୀବୀ ରାଜନୀତିରେ ପ୍ରବେଶ କରିବା ପାଇଁ ସୁଯୋଗ ନଥିବାବେଳେ  କୋଟିପତି ,ଶିଲ୍ପପତି , ମଦବେପାରୀ ,ଖଣିମାଳିକ  ,ଠିକାଦାର , ବ୍ୟବସାୟୀ ଭଳି ପ୍ରଚୁର ଅର୍ଥର ମାଲିକ ସାଜିଥିବା ବ୍ୟକ୍ତି ବିଶେଷ ହିଁ ରାଜନୀତିରେ ପ୍ରବେଶ କରିବା ଅତି ସହଜ ହୋଇଛିା କେବଳ ଧନିକ ବ୍ୟକ୍ତି ବିଶେଷ ହିଁ ଆଜି ରାଜନୀତିରେ ସୁଯୋଗ ପାଉଛି ।  ଆଜି ନିର୍ବାଚନ ସମୟରେ ଆଦର୍ଶ ଆଚରଣ ବିଧିର ଖୋଳାଖୋଲି ଉଲଙ୍ଘନ ହେଉଛି । ଅବାଧ , ସ୍ୱଛ ଓ ନିରପେକ୍ଷ  ନିର୍ବାଚନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 
ନିର୍ବାଚନରେ ହିଂସାର ପରିମାଣ କ୍ରମାଗତ ଭାବରେ ବୃଦ୍ଧି ପାଉଥିବାବେଳେ ମତଦାତାଙ୍କୁ ଆକର୍ଷଣ କରିବା ପାଇଁ ମଦ ଓ ବ୍ୟାପକ ଅର୍ଥ  ଖର୍ଚ୍ଚ ହେଉଛି । ଆଜି ଆଉ  ନିର୍ବାଚିତ ପ୍ରତିନିଧି ସାଧାରଣ ମତଦାତାଙ୍କ ପାଖରେ ଉତ୍ତରଦାୟୀ ହେବାପାଇଁ ଚାହୁଁନାହି ।  ଜନପ୍ରତିନିଧିଙ୍କ ବ୍ୟକ୍ତିଗତ ଚରିତ୍ର ,ମାନସିକତା ଓ ନୈତିକତା  ବ୍ୟବସ୍ଥାପିକାରେ  ପ୍ରତିଫଳିତ ହୋଇଥାଏ । ସାଧୁ ଓ ସଚ୍ଚୋଟ ଜନପ୍ରତିନିଧି ସାଧାରଣ ଲୋକଙ୍କ ପାଇଁ  ନିର୍ଭୀକ ଭାବରେ ଲଢେଇ କରିପାରେ । ତେଣୁ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ବିଶ୍ୱାସ ରଖୁଥିବା ବ୍ୟକ୍ତି ବିଶେଷ  ଲୋକପ୍ରତିନିଧି ଭାବରେ ନିର୍ବାଚିିତ ହେଲେ ଦେଶରେ ଏକ ସୁସ୍ଥ ଗଣତନ୍ତ୍ର ପ୍ରତିଷ୍ଠା ହୋଇ ପାରିବ ।  ଲୋକ ପ୍ରତିନିଧି ଚୟନ କରୁଥିବା ସାଧାରଣ ଜନତାଙ୍କ ମଧ୍ୟ ନୈତିକ ମୂଲ୍ୟବୋଧ ରହିବା ଆବଶ୍ୟକ ।  କୌଣସି ପରିସ୍ଥିତିରେ ସାମାନ୍ୟତମ ଲୋଭ ଏକ ଚରିତ୍ରବାନ ଓ ସୁଦକ୍ଷ ପ୍ରତିନିଧି ଚୟନରେ ପ୍ରତିବନ୍ଧକ ସାଜିପାରେ ।  ବିଭିନ୍ନ ଅପରାଧରେ ଛନ୍ଦି ହୋଇଥିବା ବ୍ୟକ୍ତି ବିଶେଷଙ୍କୁ ନିଜ ପ୍ରତିନିଧି ବାଛିବା  ଜଣେ ମତଦାତା ପାଇଁ  ଘାତକ ହୋଇପାରେ । ଅନୁରୂପ ଭାବରେ ରାଜନୈତିକ ଦଳଗୁଡିକ ମଧ୍ୟ ଏ ଦିଗରେ ସଚେତନ ହେବାର ଆବଶ୍ୟକତା ରହିଛି । ରାଷ୍ଟ୍ରର ହିତ ପାଇଁ ଓ ଜନ ସମୂହଙ୍କ ସ୍ୱାର୍ଥ୍ୟ ପାଇଁ ରାଜନୈତିକ ଦଳ ଗୁଡିକ ସମର୍ପିତ ହେବାର ଆବଶ୍ୟକତା ରହିଛିା ପ୍ରାର୍ଥୀ ଚୟନବେଳେ  ଦଳ ଗୁଡିକ  ନିଜ ନିଜ ଦଳର ପ୍ରତିଷ୍ଠା ସହିତ ଜାତୀୟ ସ୍ୱାର୍ଥକୁ ଆଖି ଆଗରେ ରଖି ପ୍ରାର୍ଥୀ ଚୟନ କଲେ ଦେଶ  ଉତ୍ତମ  ଜନପ୍ରତିନିଧି ପାଇବା ସହିତ ଗଣତନ୍ତ୍ରର ଭବିଷ୍ୟତ ଆହୁରି ଉଜ୍ଜଲମୟ ହୋଇ ପାରିବ ।
ସିନାପାଲି ,ନୂଆପଡା 
ମୋ:୮୦୧୮୧୮୦୩୮୧