ଆଧ୍ୟାତ୍ମିକ ଅଭିପ୍ସା ଓ ସ୍ୱାର୍ଥତ୍ୟାଗ


ଇଂ.ସଚ୍ଚିଦାନନ୍ଦ ନନ୍ଦ : କେରଳ ଗୋଟିଏ ପୁଣ୍ୟଭୂମି । ଏକଦା ସମ୍ରାଟ ମହାବଳୀଙ୍କ ସାମ୍ରାଜ୍ୟ ଥିବା ଏହି କେରଳ, ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସମୃଦ୍ଧିରେ ଭରପୁର ଥିଲା । ଏ ସ୍ଥାନର ପ୍ରାକୃତିକ ସୌନ୍ଦର୍ଯ୍ୟ ହିଁ ଭଗବାନଙ୍କ ଏକ ସ୍ୱରୂପ, କାରଣ ସୌନ୍ଦର୍ଯ୍ୟ ହିଁ ଈଶ୍ୱର, ଈଶ୍ୱର ହିଁ ସୌନ୍ଦର୍ଯ୍ୟ । ଏହି ଭୂମିରେ ଭଗବାନ ତିନିଥର ଅବତାର ଗ୍ରହଣ କରିଥିଲେ । ସ୍ୱକୀୟ ସଂସ୍କୃତି ଓ ଉନ୍ନତ୍ତ କଳା ପାଇଁ ଏ ରାଜ୍ୟ ବିଖ୍ୟାତ । ଏ ସ୍ଥାନରେ ଦୈବୀସତ୍ତା ଓ ଆଧ୍ୟାତ୍ମିକତା ସ୍ୱାଭାବିକ ଭାବେ ଦେଖାଯାଏ । ଗତ ସେପ୍ଟେମ୍ବର ମାସ ପାଞ୍ଚ ତାରିଖରେ "ଓନମ' ପର୍ବ ପାଳନ ଉପଲକ୍ଷେ ପ୍ରଶାନ୍ତି ନିଳୟମ୍ରେ ଭଗବାନ ବାବା ଭକ୍ତମାନଙ୍କୁ ଆହ୍ୱାନ ଦେଇ କହିଲେ, ପୂର୍ବ ଗୌରବରେ ଗୌରବାନ୍ୱିତ ଏହି ସ୍ଥାନ ଆଧ୍ୟାତ୍ମିକ ଜୀବନ ଯାପନ କରିବାର ଉପଯୁକ୍ତ ସ୍ଥାନ । ବଡ଼ ମଣିଷକୁ ବଦଳେଇବା ଆଉ ସମ୍ଭବ ନୁହେଁ । ଯେଉଁ ଗଛର ଡାଳ ବାଙ୍କି ଯାଇଛି ତାକୁ ଆଉ ସଳଖ କରିବା ସମ୍ଭବ ନୁହେଁ । କିନ୍ତୁ ଟିକି ଚାରା ଗଛଟିକୁ ଠିକ୍ ଭାବରେ ବଢ଼େଇ ହେବ । ତେଣୁ ଭାରତର ପ୍ରତ୍ୟେକ ବଡ଼ ମଣିଷ ଟିକି ଟିକି ଛାତ୍ରଛାତ୍ରୀମାନଙ୍କର ଉନ୍ନତି ପାଇଁ କାମ କରିବା ଉଚିତ । ଧର୍ମ କରିବା ପାଇଁ ମଣିଷକୁ ଧନ ଦିଆଯାଇଛି; ଉପଭୋଗ ପାଇଁ ନୁହେଁ । ଆମ ପ୍ରତ୍ୟେକ ଗ୍ରାମରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଏବଂ ଗୋଟିଏ ଚିକିତ୍ସାଳୟ ବସାଇବା ପାଇଁ ଆଜି ଶପଥ ନେବା ଉଚିତ । ସାନ ସାନ ଛାତ୍ରଛାତ୍ରୀମାନେ ଏହାଦ୍ୱାରା ଯଥେଷ୍ଟ ଉପକୃତ ହେବେ । ଅନ୍ୟ ରାଷ୍ଟ୍ରମାନଙ୍କ ସମ୍ମୁଖରେ ଭାରତବର୍ଷକୁ ଆଦର୍ଶ ଦେଶର ଆସନ ଦେବାକୁ ହେଲେ ଆମକୁ ସବୁଠୁ କମ୍ କାମନା ରଖି କାମ କରିବାକୁ ପଡ଼ିବ ଏବଂ କଠିନ ଶାରୀରିକ ପରିଶ୍ରମ କରିବାକୁ ହେବ । ଆଜି ଆମ ଦେଶରେ କାହିଁକି ଏତେ ମାତ୍ରାରେ ଦୁର୍ଦ୍ଦଶା ରହିଛି ଜଣେ ହେଲେ ତାହା ଜାଣି ପାରୁନାହାନ୍ତି । ଅନ୍ନପୂର୍ଣ୍ଣାଙ୍କ ନାମ ଅନୁଯାୟୀ ନାମିତ ହୋଇଥିବା ଏହି ପବିତ୍ର ଦେଶ ଭାରତବର୍ଷରେ ଖାଦ୍ୟାଭାବ ରହିଛି ବୋଲି ଆମ ନେତାମାନେ କହି ବୁଲୁଛନ୍ତି, ଭାରତରେ କେବେ ହେଲେ ଖାଦ୍ୟ ଅଭାବ ହେବନାହିଁ ।
ଆଧ୍ୟାତ୍ମିକତାର ଅନ୍ତର୍ନିହିତ ତାତ୍ପର୍ଯ୍ୟ ହେଉଛି ଯେଉଁ ଦିନ ଭଗବାନଙ୍କ ବିଷୟ ପୂର୍ଣ୍ଣ ପ୍ରାଣରେ ଆଲୋଚନା ହୁଏ, ଆତ୍ମା ଶାନ୍ତି ହେଲାଯାଏ ଦୁଃଖୀ ଦରିଦ୍ରମାନଙ୍କୁ ଆପ୍ୟାୟିତ କରାଯାଏ ଏବଂ ଯେଉଁ ଦିନ ଅବିରାମ ଭାବେ ଈଶ୍ୱର ଚିନ୍ତନ ଓ ମନନ କରାହୁଏ, ସେଇ ଦିନ ଗୁଡ଼ିକ ଜୀବନର ପ୍ରକୃତ ଦିନ । ଉପରୋକ୍ତ ପବିତ୍ର କର୍ମ ନ ହୋଇ ଯେଉଁ ଦିନ ଗୁଡ଼ିକ ଅତିବାହିତ ହୋଇଯାଏ ସେଗୁଡ଼ିକ ମୃତୁ୍ୟ ଦିବସ ସଙ୍ଗେ ସମାନ । ଏତଦ୍ବ୍ୟତୀତ ଅନ୍ୟ କେଉଁ ନିର୍ଦ୍ଦିଷ୍ଟ ସତ୍ୟ ମୁଁ ଉପସ୍ଥାପିତ କରି ପାରିବି? ଶାନ୍ତି ଲାଭ ନକରି ସୁଖ ହାସଲ କରାଯାଇ ନପାରେ । କାହିଁ କେଉଁ କାଳରୁ, ମଣିଷ ମାନସିକ ଶାନ୍ତି ହାସଲ କରିବାକୁ କେତେ ଯେ ପ୍ରଯତ୍ନ କରି ନ ଆସୁଛି? ତଥାପି ସେ ଏ ଦିଗରେ କୃତକାର୍ଯ୍ୟ ହେବାକୁ ସମର୍ଥ ହୋଇନାହିଁ । ଏହାର କାରଣ ସେଇ ଭ୍ରାନ୍ତ ଧାରଣା ଯେ, ପଞ୍ଚଇନ୍ଦି୍ରୟ ଦ୍ୱାରା ଉପଭୋଗରୁ ଶାନ୍ତି ମିଳିଥାଏ ।  ଏଥିଯୋଗୁଁ ସେ ନିଜ ମନରେ ଅପବିତ୍ର ଭାବନା ଭର୍ତ୍ତି କରେ ଏବଂ ଅନୁଚିତ ଓ ବିଶୃଙ୍ଖଳିତ କର୍ମମାନ କରି ବସେ । ଏହା କେବେହେଲେ ତାକୁ ତାର ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇ ପାରିବ ନାହିଁ । ମାନବ, ଭକ୍ତିର ମହାସାଗର ହେବା ବଦଳରେ ଆଜି ଭକ୍ତହୀନ ହୋଇ ପଡ଼ିଛି । ହୃଦୟ ସାତ୍ତ୍ୱିକତାରେ ପରିପୂର୍ଣ୍ଣ ହେଲେ ଯାଇ ଜଣେ ସୁଖ ଅନୁଭବ କରିପାରିବ । ମାନବ ହୃଦୟ ଗୋଟିଏ ଦେବ ମନ୍ଦିର । ଏହା ବାସ୍ତବିକ ଗୋଟିଏ କ୍ଷୀର ସାଗର । କଥିତ ଅଛି ଯେ ଏହି କ୍ଷୀର ସାଗରରେ ପ୍ରଭୁ ନାରାୟଣ ଅନନ୍ତ ଶୟନ କରନ୍ତି । କିନ୍ତୁ ମଣିଷ ନିଜକୁ ଏକ ଦୁର୍ଗୁଣର ପୋତାଶ୍ରୟ କରି ତାର ହୃଦୟକୁ ଲବଣ ସାଗରରେ ପରିଣତ କରି ଦେଇଛି, ଯେଉଁଠି ଅହଂକାର ଓ ସ୍ୱାର୍ଥପରତା ତିମି ଓ କୁମ୍ଭୀର ସଦୃଶ ସ୍ୱଚ୍ଛନ୍ଦରେ ପ୍ରତିପାଳିତ । ସ୍ୱାର୍ଥପରତା ଓ ଅହଂକାର ମଣିଷର ସ୍ୱଭାବକୁ ଶୋଷଣ କରି ଦିଅନ୍ତି । ଭଗବାନଙ୍କ ଦ୍ୱାରା ସ୍ଥିରିକୃତ ହୋଇଥିବା ନୀତିନିୟମ ଦ୍ୱାରା ପ୍ରକୃତି ପରିଚାଳିତ । ଗ୍ରହ ନକ୍ଷତ୍ର, ଏପରିକି ପଶୁପକ୍ଷୀମାନେ ମଧ୍ୟ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଶୃଙ୍ଖଳାରେ ଆବଦ୍ଧ । କିନ୍ତୁ ମଣିଷ, ଯିଏ ମୂଳତଃ ପବିତ୍ର ଓ ଐଶ୍ୱରିକ, ତାର ସମସ୍ତ ସୀମା ଅତିକ୍ରମ କରି ସାରିଲାଣି । ମଣିଷ ନିଜ ଦୁରଭ୍ୟାସ ଗୁଡ଼ିକ ବଦଳାଇ ସୁଗୁଣ ସମ୍ପନ୍ନ ହୋଇପାରିବ, ଯାହା ଅନ୍ୟ ପଶୁ ପକ୍ଷୀମାନଙ୍କ ପକ୍ଷେ ଅସମ୍ଭବ । ଏଥିପାଇଁ କିନ୍ତୁ ସତ୍ସଙ୍ଗ ନିହାତି ଆବଶ୍ୟକ । କେବଳ ଏହିଭଳି ଏକ ସତ୍ସଙ୍ଗ ଲାଭ ହେତୁରୁ ଦସୁ୍ୟ ରତ୍ନାକର ମହିର୍ଷି ବାଲ୍ମୀକି ପାଲଟିଯାଇଥିଲେ । ସତ୍ସଙ୍ଗ ପ୍ରଭାବରେ ମନରୁ ଦୁର୍ଭାବନା ଦୂର କରି ଗୋଟିଏ ସୁସ୍ଥ ମାନସିକ ଅବସ୍ଥା ଲାଭ କରିବାର ଶକ୍ତି ମିଳିଥାଏ । ନିଜ ଆସୁରିକ ପିତା ଆଗରେ ଭଗବାନଙ୍କ ସର୍ବବ୍ୟାପକତା ପ୍ରମାଣ କରି ଦେଖାଇ ଥିବା ଭକ୍ତ ପ୍ରହ୍ଲାଦଙ୍କ ନାତି, ସମ୍ରାଟ ମହାବଳୀ । ବଳୀ, ଭଗବାନଙ୍କର ଜଣେ ମହାଭକ୍ତ ଓ ଆଦର୍ଶ ରାଜା ଥିଲେ । ତାଙ୍କ ରାଜତ୍ୱ ସମୟରେ ରାଜ୍ୟ ଅତ୍ୟଧିକ ସମୃଦ୍ଧ ଥିଲା । ମାତ୍ର କେବଳ ସାମାନ୍ୟ ଅହଂକାର ତାଙ୍କ ଅଧୋଗତିର କାରଣ ହୋଇଥିଲା । ଅହଂକାର ହିଁ ବିନାଶର ହେତୁ । ମଣିଷ କେବଳ ନିମିତ୍ତ ମାତ୍ର । ମନକୁ ମାନସ, ବୁଦ୍ଧି, ଚିତ୍ତ ଓ ଅହଂକାର କୁହାଯାଇଥାଏ । ଏଗୁଡ଼ିକ ବର୍ଣ୍ଣନା କରିହେବନାହିଁ । ଭାବନା ଗୁଡ଼ିକ ସୃଷ୍ଟି ହେଲାବେଳେ ଏହାକୁ "ମାନସ', ନିଷ୍ପତ୍ତି ଗ୍ରହଣ କଲାବେଳେ ଏହାକୁ ବୁଦ୍ଧି, ପ୍ରତିଫଳିତ ହେଲାବେଳେ ଚିତ୍ତ ଓ ଶରୀର ସହ ସମାନ ଭାବିଲା ବେଳେ ଏହାକୁ ଅହଂକାର କୁହାଯାଏ । ଏ ଚାରିଟିଯାକ ମନର ପ୍ରତିଫଳନ ବ୍ୟତୀତ ଅନ୍ୟ କିଛି ନୁହେଁ । ମନର ବିଭିନ୍ନ କର୍ମ ଅନୁଯାୟୀ ତାହା ବିଭିନ୍ନ ନାମରେ ନାମିତ ହୋଇଛି । ସେଥିଲାଗି କଥିତ ଅଛି "ସଙ୍କଳ୍ପ ବିକଳ୍ପକାତ୍ମକମ୍ ନମଃ ।' ମଣିଷର ଜୀବନ ତା' ମନର ଏହି ଚାରଟି ବିଭାଗ ଉପରେ ପର୍ଯ୍ୟବସିତ । ତୁମେ ତୁମ ଚାହାଁଣିରେ ମଧ୍ୟ ଶାନ୍ତିପୂର୍ଣ୍ଣ ଭାବରେ ରୂପାନ୍ତର ଆଣିବା ଦରକାର । ଜଣକର ମାନସିକ ଅବସ୍ଥା କ'ଣ ତାହା ତାର ଆଖି କହିଦେବ । ବହୁଳତା ମଧ୍ୟରେ ଏକତ୍ୱ ଦେଖିବାକୁ ହେବ । ଏହି ସଠିକ୍ ଦୃଷ୍ଟିଭଙ୍ଗୀ ଥିବାରୁ ପ୍ରହ୍ଲାଦ କହି ପାରୁଥିଲେ "ବାହାରେ, ଅନ୍ତରରେ, ସର୍ବତ୍ର କେବଳ ନାରାୟଣ ହିଁ ନାରାୟଣ ।' ବଳୀ ପରମ ତ୍ୟାଗର ପ୍ରତୀକ । ତାଙ୍କ ସମୟରେ ପ୍ରଜାମାନେ ବଡ଼ ରାଜାବତ୍ସଳ ଥିଲେ ଏବଂ ରାଜା ଅତ୍ୟନ୍ତ ପ୍ରଜା ବତ୍ସଳ ଥାଇ ତାଙ୍କର ମଙ୍ଗଳ ସାଧନ କରୁଥିଲେ । କିନ୍ତୁ ଆଜିର ନାଗରିକମାନେ ତଥା ଶାସକବୃନ୍ଦ କେବଳ ଅହଂପୂର୍ଣ୍ଣ, ସ୍ୱାର୍ଥ ସାଧନରେ କାଳ ଅପଚୟ କରି ଚାଲିଛନ୍ତି । ଦୈବତ୍ୱ ପ୍ରତିଫଳିତ ନ ହୋଇ ପାରିବାର ତାହା ହିଁ କାରଣ । ଦୈବତ୍ୱ ବିନା, ମାନବିକତା ମୂଲ୍ୟହୀନ, କେବଳ କାମନାର ହ୍ରାସ କରିପାରିଲେ, ସମସ୍ୟା ଓ ଦୁଶ୍ଚିନ୍ତାର ଅବସାନ ଘଟିବ ଓ ଶାନ୍ତି ବିରାଜିବ ।
ସ୍ୱାର୍ଥପରତା ଓ ଅହଂକାର ଭଳି ଦୁଇଟି ବଦ୍ଗୁଣ କବଳରୁ ମଣିଷ ତ୍ରାହି ପାଇବା ଦରକାର । କର୍ମ ଫଳରେ ଆଶା ନରଖି କେବଳ କର୍ମ କରି ଯିବା ଉଚିତ । ନିଜ କର୍ମ ନିଷ୍ଠାପର ଭାବରେ କରିପାରିଲେ ସେ ନିର୍ମଳ ହୋଇଯିବ, ଫଳରେ ସେ ସୁଖୀ ପାରିବାରିକ ଜୀବନ ଯାପନ କରିପାରିବ, ସମାଜରେ ଶାନ୍ତି ଖେଳାଇ ଦେଇ ପାରିବ । ଦୁଷ୍ଟ ପ୍ରବୃତ୍ତି ପରିବର୍ତ୍ତେ ପ୍ରେମ ଓ କରୁଣା ଭଳି ଦୈବୀ ଗୁଣ ପ୍ରତିଷ୍ଠିତ ହେଉ । ଈର୍ଷା, ପରଶ୍ରୀକାତରତା ଓ ଅନ୍ୟର ସୁଖ ପ୍ରତି ଅସହିଷ୍ଣୁତା ପ୍ରଭୃତି, ପାଶବିକ ଗୁଣ ଓ ଏହା ଦ୍ୱାରା ମଣିଷ ପଣିଆ ସମ୍ପୂର୍ଣ୍ଣ ବିନାଶ ପ୍ରାପ୍ତ ହୁଏ । ଏଭଳି ଦୁର୍ଗୁଣ ଓ ଦୁରଭ୍ୟାସ କବଳରୁ ଉଦ୍ଧରି ଆସିବା କର୍ତ୍ତବ୍ୟ । ପ୍ରତ୍ୟେକେ ତ୍ୟାଗ କରିବାର ମହତ୍ ଗୁଣ ଅବଧାରଣ କରିବା ଉଚିତ । ନିଜ ନିଜର ଦୁର୍ଗୁଣ ଗୁଡ଼ିକ ସମ୍ପୂର୍ଣ୍ଣ ତ୍ୟାଗ କରିଦିଅ । ନିଜ ଅନ୍ତରରେ ଥିବା ଆବର୍ଜନା ପରିଷ୍କାର ନକରି କେବଳ ଜପ ଧ୍ୟାନ ଦ୍ୱାରା କେହି ଲକ୍ଷ୍ୟରେ ପହଞ୍ଚô ପାରିବେ ନାହିଁ । ଭଗବତ୍ ଗୀତାରେ ଅଛି "ତ୍ୟାଗ ଦ୍ୱାରା ଅମରତ୍ୱ ଲାଭ ହୋଇପାରେ ।' କର୍ମ କରିବା ଆମ୍ଭ ମାନଙ୍କର କର୍ତ୍ତବ୍ୟ ଏବଂ ଶାସ୍ତ୍ରାନୁଯାୟୀ ଆମ୍ଭେମାନେ କର୍ତ୍ତବ୍ୟ ସମ୍ପାଦନ କରିଯିବା ଉଚିତ । ଈଶ୍ୱର ଈପସିତ ବସ୍ତୁ ତାଙ୍କୁ ନ ଦେବା ଲାଗି ଗୁରୁଙ୍କ ଉପଦେଶକୁ ଆଡ଼େଇ ଦେଇ ବଳୀ ରାଜା ଭଗବାନଙ୍କ ପାଇଁ ସର୍ବସ୍ୱ ତ୍ୟାଗ କରି ଦେଇଥିଲେ । ଭଗବାନଙ୍କ ଇଛା ପୂର୍ଣ୍ଣ କରିବାକୁ, ଅକୁଣ୍ଠ ଚିତ୍ତରେ ଯେକୌଣସି ଜିନିଷ ତ୍ୟାଗ କରିବାକୁ ସଦା ପ୍ରସ୍ତୁତ ଥିବା ବଳୀରାଜାଙ୍କ ଭଳି ହୁଅ । ଯେକୌଣସି କର୍ମ ପୂର୍ଣ୍ଣପ୍ରାଣରେ ହେବା ଉଚିତ ଆଂଶିକ ବା ବିଭକ୍ତ ମନସହ ହେବା ଉଚିତ ନୁହେଁ । ଏ ଦୃଷ୍ଟିରୁ ବଳୀ ଗୋଟିଏ ମହତ୍ ଦୃଷ୍ଟାନ୍ତ ଦେଖାଇ ଯାଇଛନ୍ତି । ପ୍ରହ୍ଲାଦ ଓ ବଳୀ ଅସୁର ବଂଶରେ ଜାତ ହୋଇ ସୁଦ୍ଧା ସେମାନେ ତାଙ୍କ ବଂଶ ସଂସ୍କାର ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲେ ଏବଂ ଈଶ୍ୱରଙ୍କଠାରେ ସମ୍ପୂର୍ଣ୍ଣ ଲଗ୍ନ ହୋଇଥିଲେ ।
ମୋ: ୯୩୩୭୨୪୨୯୫୫