ଜଙ୍ଗଲରେ ନିଆଁ : ଜଳିଗଲା ବହୁ ମୂଲ୍ୟବାନ ଗଛ

ଢେଙ୍କାନାଳ ପାଣିଓହଳା ପାହାଡ଼ରେ ଅଗ୍ନିକାଣ୍ଡ । ଜଳିଗଲା ଶାଳ, ଶାଗୁଆନ ଓ ଶିଶୁ ଭଳି ବହୁ ମୂଲ୍ୟବାନ ଗଛ । ପ୍ରାୟ ଦେଢ଼ ଘଂଟାର ଅକ୍ଲାନ୍ତ ପରିଶ୍ରମ ପରେ ଜଙ୍ଗଲ ନିଆଁ ଆୟତ୍ତ ହେଲା । ଢେଙ୍କାନାଳ ଆଇଆଇଏମସି କେନ୍ଦ୍ର ତଥା ରାଜନଅର ପଛପଟେ ଥିବା ଏହି ପାହାଡ଼ରେ ହଠାତ ଅଗ୍ନିକାଣ୍ଡ ଘଟିଥିଲା । ଏନେଇ ଅଗ୍ନିଶମ ବିଭାଗ ଓ ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ ଆଇଆଇଏମସି କେନ୍ଦ୍ର ସଂଯୋଜକ ଜିତେନ୍ଦ୍ର ପତି । ତେବେ ଅଗ୍ନିକାଣ୍ଡରେ କୌଣସି ବନ୍ୟଜନ୍ତୁଙ୍କ କ୍ଷୟକ୍ଷତି ହୋଇନଥିବା ଅଗ୍ନିଶମ ସ୍ପଷ୍ଟ କରିଛି । ଢେଙ୍କାନାଳ ସହରର ସୁରକ୍ଷା କବଚ କୁହାଯାଉଥିବା ପାଣିଓହଳା ପାହାଡ଼ରେ ଲାଗିଛି ନିଆଁ । ଏହାକୁ ଢେଙ୍କାନାଳ ସହରର ସୌନ୍ଦର୍ୟ୍ୟର ଗନ୍ତାଘର ବୋଲି ମଧ୍ୟ କୁହାଯାଏ । ଢେଙ୍କାନାଳ ସହରବାସୀଙ୍କ ପାଇଁ ପ୍ରକୃତିର ବରଦାନ ହେଉଛି ପାଣିଓହଳା । ଘଞ୍ଚଜଙ୍ଗଲ ପରିବେଷ୍ଟିତ ଏହି ପାହାଡ଼ ପ୍ରବଳ ଗ୍ରୀଷ୍ମପ୍ରବାହ ସମୟରେ ତାପମାତ୍ରାକୁ ନିୟନ୍ତ୍ରଣ କରିଥାଏ । ତେବେ ଏହି ଜଙ୍ଗଲରେ ନିଆଁ ଲାଗିବା କିଛି ନୂଆ ନୁହେଁ ପୂର୍ବରୁ ମଧ୍ୟ ଅନେକ ଥର ଏହି ଜଙ୍ଗଲରେ ନିଆଁ ଲାଗିଛି ।