ଅଜଣା ଜଗତର ଡାକ (୨୪)


ଦେଖିବାରୁ ଜଣାଗଲା ଯେ ସେମାନେ ଦୁଇଟି ପରିବାର । ନିଜ ନିଜ ଛୁଆଙ୍କ ସହ ମହିଳାମାନେ ଠିଆ ହୋଇଥିଲେ । କିଶୋରୀଟିର ପାଖରେ କେହି ଛୁଆ ନଥିଲେ । ଗୋଟାଏ ଘର ମଞ୍ଚାରେ ଜଣେ ପୁରୁଷ ତଳକୁ ଗୋଡ ଲମ୍ବାଇ ବସିଥିଲା । ମଞ୍ଚାର ତଳଟା ବାଉଁଶକୁ ଫାଳକରି ତିଆରି କରାଯାଇଥିଲା । ଘର ବାଉଁଶରେ ମୋଟ ପାତିଆକୁ ଛକି କରି ଉପରେ ପତ୍ର ଛାଉଣୀ ଥିଲା । ବାନ୍ଧିବା ପାଇଁ ବେତ ରଶି ବ୍ୟବହାର କରାଯାଇଥିଲା । ବେତ ବ୍ୟବହାର ଶୋମ୍ପେନମାନେ କେମିତି ଶିଖିଛନ୍ତି କେଜାଣି? ଜଙ୍ଗଲରେ ରହିରହି ସେମାନେ ଜଙ୍ଗଲଜାତ ପଦାର୍ଥର ବ୍ୟବହାର ବୋଧହୁଏ ଧୀରେ ଶିଖିନେଇଛନ୍ତି । 
ଏ ଭିତରେ ନାଲି କୁକୁରଟିଏ ଉପରୁ ତଳକୁ ଓହ୍ଲାଇ ଆସି ପରିବାର ଆଗରେ ଠିଆ ହୋଇଗଲା । ତଳେ ଗୋଟାଏ ଜାଗାରେ ଆଲୁମିନିୟମ ହାଣ୍ଡିଟିଏ ପଡିଥିଲା । ସେଥିରେ ବୋଧେ ରୋଷେଇ ହୁଏ । ଏ ହାଣ୍ଡି ଏଏଜେଭିଏସ( ସରକାରୀ ସଂସ୍ଥା) ତରଫରୁ ଯୋଗାଇ ଦିଆଯାଇଥିବ । ଶୋମ୍ପେନମାନଙ୍କ ଭଳି ଆଦିମ ଅଧିବାସୀଙ୍କୁ କିଛି ସରକାରୀ ଅନୁଦାନ ମିଳୁଛି । ଏହି ଶୋମ୍ପେନମାନେ ଶାନ୍ତଭାବରେ ଆଗନ୍ତୁକମାନଙ୍କୁ ଲକ୍ଷ୍ୟ କରୁଥିଲେ । ମହିଳାମାନେ ସମସ୍ତେ ଏବେ ପାଖାପାଖି ହୋଇ ଠିଆହୋଇଥିଲେ ଆଉ ଛୁଆମାନେ ମହିଳାମାନଙ୍କ ସାଙ୍ଗରେ ଥିଲେ । ଏଇଟା ମଣିଷ ସମାଜରେ ଲକ୍ଷ୍ୟ କରିବାର କଥା । ମହିଳାମାନେ କ’ଣ ପାଇଁ ସବୁବେଳେ ଗୋଠ ହୋଇ ରୁହନ୍ତି କେଜାଣି? କିଛି କାରଣ ନଥିବ, କିନ୍ତୁ ସବୁଠି ସେମାନେ ଗୋଠ ହୋଇଯାଉଥିବେ । 
ଅସୀମ ଭଲକରି ଲକ୍ଷ୍ୟ କରିବାରୁ ଜାଣିପାରିଲେ ଯେ ପୁରୁଷ ଲୋକଟିର କାନ ଫଳିରେ ଏକ ବଡ କଣା ହୋଇଛି । ବେଶ ସୁସ୍ଥ ସବଳ ଲୋକଟି । ବୟସ ଏଇ ତିରିଶି ଭିତରେ ହେବ । ଶରୀରରେ ମାଂସପେଶୀ ଭଲ ଅଛି । ତା’ ମୁହଁ ସାମାନ୍ୟ ଲମ୍ବା ଆଉ ଠିଆହେବା ଠାଣି ଅସୀମଙ୍କୁ ଏକ ଯୋଦ୍ଧାର ଠିଆହେବା ଠାଣି ଭଳି ଲାଗୁଥିଲା । କିନ୍ତୁ ଲୋକଟାର ମୁହଁ ଶାନ୍ତ ଥିଲା । ଅସୀମ ଭାବିଲେ କାନରେ କଣା କରିବାର କଥା କେମିତି ଏମାନେ ଜାଣିଥିବେ କେଜାଣି? ଜଙ୍ଗଲରେ କାନ କଣା କରିବାର ଆବଶ୍ୟକତା ବା କ’ଣ ଥିବ? ଏମାନେ ଏହା କ’ଣ ନିକୋବରୀଙ୍କ ଠାରୁ ଶିଖିଥିବେ? କିନ୍ତୁ ନିକୋବରୀମାନେ ତ କାହିଁ କାନରେ ବଡ କଣା କରି କିଛି କାଠର ଛୋଟ ଖଣ୍ଡ ପିନ୍ଧିଥିଲା ଭଳି ସେ ତ ଦେଖିନାହାନ୍ତି । ତେବେ ଏମାନେ କାଠକୁ ଗହଣା କରି କ’ଣ ପାଇଁ ପିନ୍ଧୁଛନ୍ତି? ଧୀରେ ସେ ମହିଳାମାନେ ଏକ ଧାଡିରେ ଠିଆହୋଇ ଏମାନଙ୍କୁ ଦେଖିବାକୁ ଲାଗିଲେ । ଯେମିତି ତିନିଜଣ ହାଇସ୍କୁଲ ଛାତ୍ରୀ ରୋଲକଲ ପାଇଁ ଏକ ଲାଇନରେ ଠିଆ ହୋଇଯାଇଛନ୍ତି ସେମିତି ଲାଗୁଥିଲା ।  ଅସୀମ ଏମାନଙ୍କୁ ଦେଖି ସାମାନ୍ୟ ହସିଲେ । ସେ ମହିଳାମାନେ ମଧ୍ୟ ହସିଲେ ଆଉ ପୁରୁଷ ଲୋକଟି ସେମାନଙ୍କ ସହ ଯୋଗଦେଲା । ଅସୀମଙ୍କୁ ଲାଗେ ହସ ସମସ୍ତେ ବୁଝିପାରନ୍ତି । ଏକ ଖୁସିର ମାଧ୍ୟମ ଠିକ ଭାବରେ ବିନିଯୋଗ କଲେ ବନ୍ଧୁତ୍ୱ ସୃଷ୍ଟି ହୁଏ । ମଣିଷର ଭାବ ବିନିମୟ ତ ଠାର, ଦେହର ଭାବରେ ବି ହୋଇପାରେ । ମୁଖର ସବୁଠାରୁ ଶ୍ରେଷ୍ଠ ଭାବ ହେଉଛି ହସଟିଏ । ମହିଳାଟି ସୁନ୍ଦର ଭାବେ ହସୁଥିଲା । ତା’ ଚମ ମସୃଣ ଲାଗୁଥିଲା । ଆଖିରେ ଥିଲା ଔଜଲ୍ୟ, ଓଠ ପୂର୍ଣ ଥିଲା ଆଉ ଦାନ୍ତ ଅନ୍ୟମାନଙ୍କ ଭଳି ଏତେ କଳା ହୋଇନଥିଲା । ଅପେକ୍ଷାକୃତ କମ ବୟସର ହେବ । ନାକ ନିକୋବରୀଙ୍କ ପରି ଏତେ ଚେପଟା ଲାଗୁନଥିଲା ଆଉ ଓଠ ମଧ୍ୟ ଏତେ ମୋଟା ନୁହେଁ । ସେ ସାମାନ୍ୟ ଲାଜରେ ଯେମିତି ନିଜର ମୁହଁକୁ ପୋଛିନେଲା । ହସ ଆଉ ଲାଜ, ସତରେ କ’ଣ ସବୁ ସମାଜରେ ଅଛି କି? ମନର ଭାବକୁ ମୁହଁ ପ୍ରକାଶ କରିଦିଏ । 
ଟିକିଏ ବୟସ ଅଧିକ ଲାଗୁଥିବା ମହିଳାଟି ନିଜ କୁଡିଆ ପାଖରେ ଯାଇ ଠିଆ ହୋଇଗଲା । ଭିତରେ ବୋଧେ ତା’ର ସ୍ୱାମୀ ବସିଥିଲା । ପୁରୁଷ ଲୋକଟି ନିଜ ଗୋଡ ତଳକୁ କରି ଝୁଲାଇ ଦେଇଥିଲା । କୁଡିଆଟି ଦୁଇପଟେ ଚାରି ଚାରି ଖୁଣ୍ଟି କରି ମୋଟ ଆଠଟା ମୋଟା ଖୁଣ୍ଟି ଉପରେ ଠିଆ ହୋଇଥିଲା । ପଛରେ ଏକ ଖୁଣ୍ଟି ଥିଲା । ମଞ୍ଚକୁ ମଝିରେ ଭାରା ଦେବା ପାଇଁ କିଛି ଖୁଣ୍ଟି ନଥିଲା । ଏକ ଲମ୍ବା କାଠ ପ୍ଲାଟଫର୍ମକୁ ଚଢିବା ପାଇଁ ରଖାଯାଇଥିଲା । ସେଥିରେ କାହିଁ ଖୋପ ହୋଇନଥିଲା । କୁଟୀରର ଆଗରେ କିଛି ଅଂଶରେ ପତ୍ର ଛାଉଣି ହୋଇଥିଲା ଆଉ ଭିତରକୁ ଯିବା ପାଇଁ ଏକ ଖୋଲା ଦୁଆର ଭଳି କାଠ ବାନ୍ଧି ଚଉକାଠ କରାଯାଇଥିଲା । ସ୍ତ୍ରୀ ଲୋକଟି ଟିକିଏ ହସି ବସିଥିବା ପୁରୁଷ ପାଖକୁ ବୁଲିପଡିଲା । ମଞ୍ଚାର ଉଚ୍ଚତା ସ୍ତ୍ରୀ ଲୋକଟିର ଛାତି ଯାଏ ହେବ । ପୁରୁଷ ଲୋକଟି ଟିକିଏ ହସିଲା । ସେମାନଙ୍କର ଜଙ୍ଗଲ ଭିତରେ ଏକ ହସଖୁସିର ପରିବାର । ସ୍ତ୍ରୀ ଲୋକଟିର ସୁଗଠିତ ଶରୀର, କିନ୍ତୁ ଗୋଡରେ କିଛି କାଛୁ ଥିବା ଜଣାଯାଉଥିଲା । ହାତରେ କଳା କଳା ହୋଇ କ’ଣ ଲାଗିଥିଲା ।  ଅସୀମ ନିଜ ଭିତରର ଚିତ୍ରକୁ ଟିକିଏ ଆଡେଇଲେ । ଜଙ୍ଗଲୀ ମଣିଷର ପରିବାରର ଚିତ୍ରରେ ଜଙ୍ଗଲୀ ପୁରୁଷର ପାଖରେ ଏକ ମହିଳା ଅଛି । କେତେଟା ଛୁଆ ମଧ୍ୟ ଠିଆ ହୋଇଛନ୍ତି । ନାରୀ ପୁରୁଷ ଭିତର ଶାରିରୀକ ପ୍ରଭେଦ ଦିଶୁଛି, ମଣିଷ ମଣିଷ ଭିତରେ ବୟସର ପ୍ରଭେଦ ଦିଶୁଛି । ତେଣୁ ଏକ ପରିବାର ଅର୍ଥ କେତେଜଣ ମଣିଷର ସମାହାର ଯାହାଙ୍କ ଭିତରେ ବୟସର ପ୍ରଭେଦ ଥିବ ଆଉ ଶରୀରର ପ୍ରଭେଦ ଥିବ ଏବଂ ସେମାନେ ଏକ ଯାଗାରେ ଏକାଠି ହୋଇ ଠିଆହୋଇଯାଇଥିବେ । ରାତିରେ ଏକ ଯାଗାରେ ଶୋଉଥିବେ । ଏତିକି ପରିବାରକୁ ବୁଝାଇବାକୁ ଯଥେଷ୍ଟ କି ନାହିଁ ସେ ଭାବିଲେନି । ଏକ ଉତ୍ତର ପାଇଁ ବହୁ ଉଦାହରଣର ଆବଶ୍ୟକତା ଅଛି । ଯାହାହେଉ ଏବେର ଚିତ୍ର ହିସାବରେ ତୁଳନା କଲେ ଶୋମ୍ପେନମାନେ ଜଙ୍ଗଲୀ ମଣିଷ ଲାଗୁଛନ୍ତି । ଚିତ୍ର କିଛି ମିଶିଯାଉଛି । ତାଙ୍କ ମୁହଁ ଟିକେ ଉଜ୍ଜ୍ୱଳ ହୋଇଉଠିଲା । ସେ ଆହୁରି ସବୁ ତୁଳନା କରିଚାଲିଲେ । ତଳେ ମାଟିରେ ରୋଷେଇର ପ୍ରବନ୍ଧ ଥିଲା । କିଛି ଏଣୁ ତେଣୁ ବାସନ ପଡିଥିଲା । କିଛି ଜଳା କାଠ ପାଉଁଶ ପାଖରେ ଥିଲା । କିଛି ବଡ ବେତ ଡାଲା ଏକ କାଠରେ ପାଖରେ ଝୁଲୁଥିଲା । ବୋଧହୁଏ ଗୋଟାଏ ଯାଗାରୁ ଆଉ ଏକ ଜାଗା ଯିବା ପାଇଁ ଏମାନେ ଭାରାକାରି ଜିନିଷ ବୋହି ନିଅନ୍ତି ।  ଏ ଭିତରେ ପୁରୁଷ ଲୋକଟି ତଳେ ଆସି ବସିପଡିଲା ଆଉ ଛୁଆଟି ମହିଳାର କୋଳରୁ ପୁରୁଷ ଲୋକର କୋଳକୁ ଚାଲିଗଲା । ଲୋକଟିର ହାତ ବେଶ ଟାଣ ଜଣା ପଡୁଥିଲା ଆଉ ହାତରେ ଶିରା ସବୁ ଫୁଟି ଉଠିଥିଲା । ତା’ ହାତର ଆଙ୍ଗୁଠି ଗଣ୍ଠିଗଣ୍ଠିଆ ଆଉ ଟିକିଏ ଟିକିଏ ତେଢା ଥିଲା । ବୋଧହୁଏ ଶିକାର କରିକରି ଆଙ୍ଗୁଠି ଟିକିଏ ବଙ୍କିଯାଇଥିବ । ଏ ଭିତରେ ଆଉ ଏକ ଛୁଆ ମାର ସ୍ତନ ଟାଣିବାକୁ ଲାଗିଲା । ଏ ଛୁଆଟି ଚାଲୁଥିଲା, ବୟସ ପଖାପାଖେ ଦେଢ ବର୍ଷ ବା ଊଦ୍ଧ୍ୱର୍ ହୋଇପାରେ । ମହିଳାଟି ଟିକିଏ ନଇଁ ପଡିଲା ଆଉ ଛୁଆଟିର ମୁହଁଯାଏ ତା’ ସ୍ତନ ଝୁଲିଆସିଲା । ଛୁଆଟି ମାର ସ୍ତନକୁ ଧରି ଦୁଧ ଚୋଷିବାରେ ଲାଗିଗଲା । ତା’ର ନିରୀହ ଆଖି ଦୁନିଆ ଉପରେ ଘୁରିବୁଲୁଥିଲା । ମା’ ତା’ ବାଳ ସାଉଁଳେଇ ଦେଉଥିଲା । ମା’ ଆଉ ଛୁଆର ସ୍ନେହ ସବୁଠି ଏକା , ଟିକିଏ ବି ଅଲଗା ନୁହେଁ । ଛୁଆଟି ବେଶ କିଛି ସମୟ ଠିଆହୋଇ ମାର ଦୁଧ ପିଇବାକୁ ଲାଗିଲା ଆଉ ମା’ ସେମିତି ଅଣ୍ଟାରୁ ତଳକୁ ବଙ୍କି ଯାଇଥିଲା । ତା’ ହାତ ମଞ୍ଚା ଉପରକୁ ଯାଇଥିବା ବାଡି ଉପରେ ଭରା ଦେଇଥିଲା ।  ଅନ୍ୟ ପୁରୁଷଟି ନିଜ ହାତରେ ଏକ ବର୍ଚ୍ଛା ଧରି ଠିଆହେଲା । ବେଶ ଲମ୍ବା ବର୍ଚ୍ଛା । ସାତ ଆଠ ଫୁଟ ବା କିଛି ବେଶି ହୋଇପାରେ । ବୋଧହୁଏ ଲମ୍ବା ବେତ ବା ବାଉଁଶର, ବା କାଠର ହୋଇପାରେ । ବେଶି ବାଉଁଶ ଭଳିଆ ଲାଗୁଥିଲା । ବେତ ଏତେ ସିଧା ହୋଇପାରିବନି । ବର୍ଚ୍ଛାର ଅଗରେ ଲମ୍ବା ଲୁହା ଫାଳିକିଆ ପାତ ଲାଗିଥିଲା ଯାହା ହ୍ୟାଣ୍ଡେଲରେ ବେତ ରଶିଦ୍ୱାରା ଜୋରରେ ବନ୍ଧା ହୋଇଥିଲା । ନାଲି କକୁର ଶୋମ୍ପେନ ଲୋକଟି ଠିଆ ହୋଇଥିବା ଦେଖି ପାଖକୁ ଲାଗିଆସିଲା । ଶୋମ୍ପେନ ଶିକାରକୁ ଯିବାବେଳେ ସାଙ୍ଗରେ କୁକୁର ନେଇଯାଏ । ସବୁ କୁକୁରଙ୍କୁ ଶିକାର କରିବାକୁ ଭଲ ଲାଗେ । ତା’ ସ୍ତ୍ରୀ ନିଜ କୁଡିଆ ତଳେ ବସିଥିଲା । ଆଉ ଏକ କୁକୁର ଆସି ତା’କୁ ଗେଲ ହେଲା । ସ୍ତ୍ରୀ ଲୋକଟି ତା’କୁ ଆଉଁଷି ଦେଲା ଆଉ କୁକୁରଟି ମାଟିରେ ପେଟେଇ ଗୋଡ ହଲାଇବାକୁ ଲାଗିଗଲା । ଅସୀମ ଲୋକଟିର ଏମିତି ଠିଆହେବା ଭଙ୍ଗୀରେ ନିଜ ଭିତରେ ବିଶ୍ୱାସକୁ ଦୃଢ ହେବା ଦେଖୁଥିଲେ । ଜଙ୍ଗଲୀ ମଣିଷ ବର୍ଚ୍ଛା ଧରି ଦୌଡେ । ଶୋମ୍ପେନ ଲୋକଟା ଶିକାର ଦେଖିଲେ ଦୌଡିବ । ଶୋମ୍ପେନମାନଙ୍କ ଘର ପଛରେ କିଛି ସୋଲର ଏକ ଫ୍ଲୋଟର ମଧ୍ୟ ଥିଲା । ସୋଲର ଫ୍ଲୋଟର ବ୍ୟବହାର କରି ମଣିଷ ବେଶ କିଛି ସମୟ ସମୁଦ୍ରରେ ଭାସିପାରେ । ପହଁରି ବେଶି ସମୟ ସମୁଦ୍ର ପାଣିରେ ରହିହେବ ନାହିଁ । ଫ୍ଲୋଟର ସାହାର୍ଯ୍ୟରେ ଯେତେ ସମୟ ହୋଇପାରେ ସେତେ ସମୟ ପାଣିରେ ଭାସି ହେବ । ବୋଧହୁଏ ଶୋମ୍ପେନମାନେ ମାଛ ମାରିବାର ଅତି ପାରଙ୍ଗମ ଥିବେ । ସ୍ୱାଭାବିକ । ସମୁଦ୍ରକୂଳରେ ରହିଲେ ମାଛ ମାରିବାର ଅନେକ କୌଶଳ ଶିଖିହୋଇଯିବ । ତାଛଡା ସେମାନଙ୍କର ନିକୋବରୀ ହଟକୁ ମଧ୍ୟ ଯାତାୟାତ ଅଛି । ନିକୋବରୀମାନେ ସମୁଦ୍ରରେ ପହଁରି ମାଛ ଧରିବାରେ ଅତି କୁଶଳୀ । ତେଣୁ ଶୋମ୍ପେନମାନେ ମଧ୍ୟ ଫ୍ଲୋଟର ବ୍ୟବହାର ସେମାନଙ୍କଠାରୁ ଶିଖିଯାଇଥିବେ । ଅନ୍ୟ ଶୋମ୍ପେନ ପାଖରେ କାଠ ତିଆରି ଏକ ବର୍ଚ୍ଛା ଥିଲା । ଆଗରେ ଲମ୍ବା ମୁନିଆ ଆଉ ସାମାନ୍ୟ ବଙ୍କ କଣ୍ଟା କେତେଟା ଲାଗିଥିଲା । ଏଇଟା ଫାଳିଆ ତେଣ୍ଟା ନୁହେଁ । ଶେଷ ଆଡକୁ ଗୋଲ ହୋଇ ପାଞ୍ଚଛଅଟା ଲମ୍ବା କଣ୍ଟା, ଶେଷ ଆଡକୁ ମାଛ କଣ୍ଟା ଭଳି ଗୋଜିଆ ଆଉ ଟିକେ ମୋଟା ହୋଇଯାଇଛି । ଏମିିଆ ବଙ୍କା କଣ୍ଟ ଥିବା ହେତୁ ଏହା ଶିକାରକୁ ଫୁଟାଇ ଦେଇପାରେ । ମାଛ ଧରିବା ପାଇଁ ଏଇ ପ୍ରକାର ତେଣ୍ଟା ବେଶ ଭଲ ତେଣ୍ଟା ବା ହାର୍ପୁନ । ପାଣିରେ ମାଛ ଜୋରରେ ପହଁରେ । ତେଣୁ ମାଛର କେଉଁ ଅଂଶରେ ଲମ୍ବା କଣ୍ଟାଟିଏ ଫୁଟିଗଲେ ଯଥେଷ୍ଟା । ଫାଳିକିଆ ତେଣ୍ଟା ଜଙ୍ଗଲୀ ଜୀବ ଯଥା ଶୂକର ଶିକାରରେ ବ୍ୟବହୃତ ହେଉଥିବ । (କ୍ରମଶଃ)
                                                      ଭୁବନେଶ୍ୱର