ଟ୍ରମ୍ପ୍ଙ୍କୁ ଚୀନର ଧମକ


ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ୍ଙ୍କୁ ନେଇ ବିଶ୍ୱ ବର୍ତ୍ତମାନ ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଗତି କରୁଛି । ଡ଼ୋନାଲ୍ଡ ଟ୍ରମ୍ପ୍ ଦ୍ୱିତୀୟ ଥର ରାଷ୍ଟ୍ରପତି ହେବା ପରେ ସମ୍ବବତଃ କୌଣସି ନା କୌଣସି ଏକ ପ୍ରସଙ୍ଗ ନେଇ କିଛି ରାଷ୍ଟ୍ର ଉପରେ ପ୍ରତିଶୋଧ ପରାୟଣ ହୋଇ ପଡ଼ିଛନ୍ତି । ସେଥିପାଇଁ ସେ ଶପଥ ନେବା ପରେ ପରେ ବିଭିନ୍ନ ରାଷ୍ଟ୍ର ଉପରେ ୧୦ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ୍ ଲାଗୁ କରିଛନ୍ତି । ଏହା ଫଳରେ ବିଦେଶରୁ ଆମେରିକାକୁ ରପ୍ତାନୀ ହେଉଥିବା ପଦାର୍ଥ ଆମେରିକାରେ ମହଙ୍ଗା ହେବ ଏବଂ ବିଶ୍ୱ ବଜାରରେ ଡ଼ଲାର୍ ମୂଲ୍ୟରେ ବୃଦ୍ଧି ଘଟି ବିଶ୍ୱ ବଜାରକୁ ଆମେରିକା ନିୟନ୍ତ୍ରଣ କରିବ । ଭାରତ, ଆମେରିକାର ସହିତ ବନ୍ଧୁତାର ହାତ ବଢ଼ାଇଥିବା ବେଳେ ଭାରତ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲାଗୁ କରିବା ନେଇ ଟ୍ରମ୍ପ୍ ଘୋଷଣା କରିଛନ୍ତି । ସେହିଭଳି ଆମେରିକାରେ ଅବୈଧ ଭାବରେ ରହୁଥିବା ଭାରତୀୟମାନଙ୍କୁ ଅତି ଅପମାନଜନକ ଭାବରେ ପରିବହନ ବିମାନରେ ପଠାଇ ଦେଇଛନ୍ତି । କେବଳ ସେତିକି ନୁହେଁ ଋଷ୍-ୟକ୍ରେନ୍ ଯୁଦ୍ଧ ବନ୍ଦ କରିବାକୁ ଯାଇ ଗୁଇନ୍ଦା ସୂଚନା ସେୟାର୍ କରିବା ପାଇଁ ଜେଲେନ୍ସ୍କିଙ୍କୁ ମନା କରି ଦେଇଛନ୍ତି । ଏହି ଯୁଦ୍ଧ ପାଇଁ ଋଷ୍ ବିରୁଦ୍ଧରେ ଲଢ଼ିବାକୁ ଆମେରିକା ୟୁକ୍ରେନ୍କୁ ବିପୁଳ ପରିମାଣର ସହାୟତା ଦେଇଥିଲା । ଆମେରିକାର ଏହି ସହାୟତାକୁ ବର୍ତ୍ତମାନ ଟ୍ରମ୍ପ୍ ଋଣରେ ପରିଣତ କରି ଦିଆଯିବ ବୋଲି ସଫାସଫା କହିଲେଣି । ଏହାର ଅର୍ଥ ହେଲା ୟୁକ୍ରେନ୍କୁ ଦିଆଯାଇଥିବା ସହାୟତାର ସୁଧମୂଳ ସହିତ ଫେରସ୍ତ କରାଯିବ । ଆମେରିକା ଯେତେବେଳେ ୟୁକ୍ରେନ୍କୁ ସହାୟତା ଦେଉଥିଲା ସେତେବେଳେ ଏକଥା କହିନଥିଲା । 
ଏଣେ ଚୀନ୍ର କିଛି ସାମଗ୍ରୀ ଉପରେ ଆମେରିକା ୧୦ ଶତାଂଶ ଟାରିଫ୍ ଲାଗୁ କରିଥିଲା । ଏବେ ତାକୁ ୨୦ ଶତାଂଶକୁ ବୃଦ୍ଧି କରିବା ପାଇଁ କହିଲାଣି । ଏହା ଫଳରେ ଆମେରିକା ଓ ଚୀନ୍ ମଧ୍ୟରେ ସମ୍ପର୍କ ତିକ୍ତ ହୋଇପଡ଼ିଛି । କେବଳ ତିକ୍ତ ନୁହେଁ, ତିକ୍ତତାର ଚରମ ସୀମାରେ ପହଞ୍ଚିଯାଇଛି । ଚୀନ୍ରୁ ଆମଦାନୀ ହେଉଥିବା ପଦାର୍ଥ ଉପରେ ଶୁଳ୍କ ବଢ଼ାଇବା ପ୍ରସଙ୍ଗରେ ଆମେରିକାସ୍ଥିତ ଚୀନ୍ ଦୂତାବାସ ପକ୍ଷରୁ ଧମକପୂର୍ଣ୍ଣ ଉତ୍ତର ଯାଇଛି । ଚୀନ୍ ଦୂତାବାସ ପକ୍ଷରୁ କହି ଦିଆଯାଇଛି ଯେ ଯଦି ଆମେରିକା ଯୁଦ୍ଧ ଚାହୁଁଛି ତେବେ ଚୀନ୍ ସେଥିପାଇଁ ପ୍ରସ୍ତୁତ । ଏହି ଯୁଦ୍ଧ ଅର୍ଥନୀତିକ କିମ୍ବା ବାଣିଜି୍ୟକ କିମ୍ବା ଅନ୍ୟ କୌଣସି ଯୁଦ୍ଧ ହେଉ, ଶେଷ ପର୍ଯ୍ୟନ୍ତ ଚୀନ୍ ଲଢ଼ିବାକୁ ପ୍ରସ୍ତୁତ । ଆମେରିକାରେ ଥାଇ ଚୀନ୍ ଦୂତାବାସ ଆମେରିକାକୁ ଏ ପ୍ରକାରର ଉତ୍ତର ଦେବା ଯଥେଷ୍ଟ ଗୁରୁତ୍ୱ ବହନ କରୁଛି ଏବଂ ଋଷ-ୟୁକ୍ରେନ୍ ଯୁଦ୍ଧ ବନ୍ଦ କରିବାକୁ ଚେଷ୍ଟା କରୁଥିବା ଆମେରିକା ବର୍ତ୍ତମାନ ଚୀନ୍ ଭଳି ଏକ ରାଷ୍ଟ୍ରରେ ଯୁଦ୍ଧ ଜନ୍ତାରେ ଫସିଯିବାକୁ ଯାଉଛି । କୌଣସିବି ପରିସ୍ଥିତିରେ ଚୀନ୍ କୌଣସି ଧମକରେ ନଇଁଯିବ ନାହିଁ ବୋଲି ଆମେରିକାକୁ ଜଣାଇ ଦିଆଯାଇଛି । 
ଆଉ ଗୋଟିଏ ପକ୍ଷରେ ପାକିସ୍ତାନ୍ ପ୍ରଧାନମନ୍ତ୍ରୀ ସାହାବାଜ୍ ସରିଫ୍ ଆତଙ୍କବାଦୀ ମହମ୍ମଦ ସରିଫୁଲ୍ଲାଙ୍କୁ ଗିରଫ କରିବାରେ ପାକିସ୍ତାନ୍ ଆମେରିକାକୁ ସହଯୋଗ କରିଥିଲା । ଏହି ପ୍ରସଙ୍ଗକୁ ଟ୍ରମ୍ପ୍ ଆମେରିକା କଂଗ୍ରେସ୍ରେ ଅଭିଭାଷଣରେ ଉଲ୍ଲେଖ କରିଥିବାରୁ ପାକିସ୍ତାନ୍ ଟ୍ରମ୍ପ୍ଙ୍କୁ ଧନ୍ୟବାଦ ଜଣାଇଛି । ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ରାଷ୍ଟ୍ର ମଧ୍ୟରେ ପାକିସ୍ତାନ୍ ଗୋଟିଏ । ଏ କ୍ଷେତ୍ରରେ ପାକିସ୍ତାନ୍ ଦୀର୍ଘ ଦଶନ୍ଧୀ ଧରି ଆମେରିକାର ସହାୟତା ପାଇ ଆସୁଥିଲା । ହେଲେ ଭାରତ ଏହି କଥା ଦର୍ଶାଇବା ବେଳେ ପାକିସ୍ତାନ୍ ଏହାକୁ ଅସ୍ୱୀକାର କରୁଥିଲା । ତେବେ ଭାରତର ସଂସଦ ଆକ୍ରମଣ ଘଟଣାରେ କସାବ୍କୁ ଜୀବନ୍ତ ଧରିବା ପରେ ଆମେରିକା ପାକିସ୍ତାନ୍ର ମତିଗତିକୁ ଦେଖି ନୀତିରେ ପରିବର୍ତ୍ତନ ଆଣିଥିଲା । ବର୍ତ୍ତମ୍ାନ ଡ଼ୋନାଲ୍ଡ ଟ୍ରମ୍ପ୍ କେଉଁ ଦିଗକୁ ଗତି କରୁଛନ୍ତି ତାହା ଜାଣିବା ମୁସ୍କିଲ୍ । ଆଉ ଆଶଙ୍କା ଯେ ତାଙ୍କର ଶାନ୍ତି ପ୍ରତିଷ୍ଠା ଉଦ୍ୟମ ଯୁଦ୍ଧରେ ପରିଣତ ହୋଇଯିବ ନାହିଁ ତ?