ପ୍ରଶସ୍ତ ନୁହଁ ଜୀବନ ମାର୍ଗ
ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର 'ଅମୃତ ବିନ୍ଦୁ ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ପ୍ରଶସ୍ତ ନୁହଁ ଜୀବନ ମାର୍ଗ ସାରମର୍ମ । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ଥରେ ଭାବି ଦେଖନ୍ତୁ ଜୀବନର ପ୍ରାୟତଃ ପରିସ୍ଥିତିରେ ଆପଣ ଏକୁଟିଆ, ନିହାତି ଏକୁଟିଆ । ଆପଣ କହିପାରନ୍ତି "ମୋ ପାଖରେ ଏଇ ଅଛି, ସିଏ ଅଛି, ଅମୁକ ଅଛି, ସମୁକ ଅଛି ।'' ଭାବିବାରେ ମନା ନାହିଁ । ହେଲେ ଟିକେ ନିରୋଳାରେ ବି ଭାବିଲେ ଜାଣିପାରିବେ ଯେ ଆପଣ କେତେ ଏକୁଟିଆ! ଏକୁଟିଆ ବେଳାରେ ଯେଉଁ ଭାବନା ଆପଣଙ୍କ ମନରେ ଉକୁଟିବ, ସେଇ ଭାବନା ହିଁ ସତ୍ୟ ବୋଲି ଜାଣନ୍ତୁ ।
ଜୀବନର ସବୁ ମାର୍ଗ ପ୍ରଶସ୍ତ ନୁହଁ କି ସରଳ ନୁହଁ । ଅଙ୍କାବଙ୍କା, ଅସଂଖ୍ୟ ମୋଡ । ଜୀବନରେ ପ୍ରାୟ ବହୁ ବାଧାବିଘ୍ନ ଦେଇ ଗତି କରିବାକୁ ପଡିଥାଏ । ସବୁବେଳେ ସମସ୍ତେ ସାଙ୍ଗରେ ନଥାନ୍ତି । ଯଦି ବି ଥାଆନ୍ତି, କିଛିଲୋକ କିଛି ବାଟ ଯାଏଁ । ଆଉ ତମାମ୍ ବାଟରେ ନିଜେ ହିଁ ନିଜ ସାଥିରେ ଚାଲିବାକୁ ପଡ ।
ଏଇଠି ନିଜେ ହିଁ ନିଜକୁ ଏବଂ ନିଜକୁ ଅନେକ କିଛି ଆବିଷ୍କାର କରିବାକୁ ପଡ । ଏହି ଆବିଷ୍କାର ଭିତର ଦେଇ ହିଁ ମଣିଷ ଅନେକ କିଛି ପାଇଥାଏ ।
ପଥ ଯେତେବେଳେ ଦୁର୍ଗମ ଲାଗେ ମଣିଷ ସାହସ ଆପେ ସଞ୍ଚାର ହେଇଯାଏ । ସାହସ ଯୋଡି ହେଇଗଲେ ଅଦୃଶ୍ୟ ବଳୟରୁ ଆପେ ଶକ୍ତି ଖଞ୍ଜି ହେଇଯାଏ ।
ଦର୍ଶନ, ପୁରାଣ ଶାସ୍ତ୍ର କହନ୍ତି "ତୁମେ ତୁମର, କେବଳ ତୁମର ହିଁ ।'' ଅର୍ଥାତ୍ ତୁମେ ତୁମର ଭଲ, ମନ୍ଦ ପାଇଁ ଉତ୍ତରଦାୟୀ ।
କଥାରେ ଅଛି-ନିଜେ ନ ମଲେ ସ୍ୱର୍ଗ କୋଉଠି ଦେଖି ହେବ? ମରିବାର ଅର୍ଥ ଏଇଠି ଆଖି ମୁଜିଦେବା ନୁହଁ ବା ପ୍ରାଣ ଛାଡିଦେବା ନୁହଁ । ପାଇବା ପାଇଁ ଶ୍ରମକୁ ଏଇଠାରେ ଦର୍ଶାଯାଇଛି । ଏକଥା ମଧ୍ୟ ସତ ଯେ, ମଣିଷ ଯେତେବେଳେ ଏକୁଟିଆ ହୋଇପଡ? ସେତେବେଳେ ନାନାଦି ଚିନ୍ତା, ଚେତନା ତାକୁ କବଳିିତ କରିପକାଏ । ହେଲେ ଏହି ସମୟରେ ମଣିଷ ନିଜର ଦଶା ଏବଂ ଦିଶା ନିର୍ଦ୍ଧାରଣ ବି କରିପାରେ । ଏହାପରେ ଆରମ୍ଭ ହୁଏ ଆଉ ଏକ ଜୀବନର ଅୟମାରମ୍ଭ ପର୍ବ । ଅସଜଡା ହୋଇପଡିଥିବା ଜୀବନ ପୁର୍ନାବର ସଜାଡି ହେବାକୁ ଲାଗେ । ଜୀବନକୁ ଦେଖିବାର ତରିକା ବା ଦୃଷ୍ଟିଭଙ୍ଗୀ ବଦଳିଯାଏ । ସଂକୀର୍ଣ୍ଣତା ମଣିଷକୁ ଆଉ ପୂର୍ବ ଭଳି ବଶ କରିପାରେ ନାହିଁ । ଜୀବନର ସାରମର୍ମକୁ ବୁଝିଗଲେ ଜୀବନ ଆଉ ବୋଝ ବୋଲି ଜଣା ପଡେନି ।
ପଢିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ 'ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।