ଏବେ ରାଜ୍ୟପାହ୍ୟାକୁ ଅପେକ୍ଷା


ଜାମ୍ମୁ-କାଶ୍ମୀରର ରାଜ୍ୟମାନ୍ୟତା ହ୍ରାସ ଏବଂ ସମ୍ବିଧାନର ୩୭୦ଧାରା ଉଚ୍ଛେଦ ପରେ କେନ୍ଦ୍ରଶାସିତ ଅଂଚଳର ଅର୍ଥନୈତିକ ବିକାଶ ଦ୍ୱିଗୁଣିତ କରିବା ଲାଗି କେନ୍ଦ୍ର ସରକାର ଏକ ଧାରଣା ସୃଷ୍ଟି କରିଥିଲେ । ଏହି ଧାରଣାକୁ ସତ୍ୟରେ ପରିଣତ କରିବା ପାଇଁ ରାଜ୍ୟରେ ପର୍ଯ୍ୟଟନ ଠାରୁ ଆରମ୍ଭ କରି ରାସ୍ତାଘାଟ, ରେଳ ବିକାଶ ପାଇଁ ହଜାର ହଜାର କୋଟି ଟଙ୍କାର ଅନୁଦାନ ଘୋଷଣା କରି ଏଭଳି ଧାରଣାକୁ ସତ୍ୟରେ ପରିଣତ କରିଛନ୍ତି । କେନ୍ଦ୍ର ସରକାର ରାଜ୍ୟର ବିକାଶ ପାଇଁ ହଜାର ହଜାର କୋଟି ଟଙ୍କାର ଅନୁଦାନ ଦେବା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର  ପର୍ଯ୍ୟଟନ କ୍ଷେତ୍ରକୁ  ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି,  ଯାହାକି କେବଳ ଜାମ୍ମୁ-କାଶ୍ମୀରର ଆର୍ଥୀକ ବିକାଶ କରିବ ନାହିଁ, ଏହା କ୍ଷୁଦ୍ର ବ୍ୟବସାୟୀଙ୍କୁ ଜୀବନ-ଜୀବିକାରେ ସହାୟତା କରିବା ସହ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସହାୟକ  ହେବ । କେବଳ ଏତିକି ନୁହେଁ, କେନ୍ଦ୍ର ସରକାର ମଧ୍ୟ କେନ୍ଦ୍ରଶାସିତ ଅଂଚଳର ଭିତିଭୂମି ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି, ଯାହାକି ଅତ୍ୟନ୍ତ ଆବଶ୍ୟକତା କରେ । କେନ୍ଦ୍ର ସରକାର ୪୦ ହଜାର କୋଟି ବିନିଯୋଗରେ ରାଜ୍ୟର ରାସ୍ତାଘାଟ ବିକାଶ ପାଇଁ ଅଭିଯାନ ଆରମ୍ଭ କରିଛନ୍ତି । ସେଥିମଧ୍ୟରେ ଚାରୋଟି ଜାତୀୟ ରାଜପଥ ପ୍ରକଳ୍ପ ରହିଛି ।  ଗତ ସୋମବାର ଦିନ ପ୍ରଧାନମନ୍ତ୍ରୀ କାଶ୍ମୀରରେ ସୋନମାର୍ଗ ସୁଡଙ୍ଗ ଉଦଘାଟନ କରିଛନ୍ତି, ଯେଉଁ ସୁଡଙ୍ଗ ଉପତ୍ୟକାକୁ ଲଦାଖ  ସହ ସିଧାସଳଖ ଯୋଡିବ । ନିକଟରେ ପ୍ରଧାନମନ୍ତ୍ରୀ ମଧ୍ୟ କେନ୍ଦ୍ରଶାସିତ ଅଂଚଳରେ ରେଳପଥର ବିକାଶ ପାଇଁ ଦେଶର ସର୍ବବୃହତ ରେଳ ସୁଡଙ୍ଗକୁ ଉଦଘାଟନ କରିଥିଲେ ।  ଉଲ୍ଲେଖଯୋଗ୍ୟ ଯେ, ଭାରତର ଭୂସ୍ୱର୍ଗ ଭାବେ ପରିଚିତ ଜାମ୍ମୁ-କାଶ୍ମୀର ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ଯୋଗୁଁ ଏବେ ଶ୍ରୀହୀନ ହୋଇ ପଡିଛି । ଏହାର ପୂର୍ବ ଗୌରବ ଫେରାଇ ଆଣିବା ଏବଂ କାଶ୍ମୀରକୁ ଚଳଚିତ୍ର ସୁଟିଂର ମୁଖ୍ୟସ୍ଥଳରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ତାଙ୍କ ଦ୍ୱିତୀୟ ପାଳି ସରକାରରେ ଦେଇଥିବା ପ୍ରତିଶ୍ରୃତି ପୁରୁଣ କରିବାକୁ ଯେ, ବଚନବଦ୍ଧ ଏହା ବିଭିନ୍ନ କାର୍ଯ୍ୟକ୍ରମ ସଂକେତ ପ୍ରଦାନ କରେ ।  ଜାମ୍ମୁ-କାଶ୍ମୀରକୁ ତୁରନ୍ତ ରାଜ୍ୟମାନ୍ୟତା ପ୍ରଦାନ ଲାଗି ମୁଖ୍ୟମନ୍ତ୍ରୀ ଅବଦୁଲା ବାରମ୍ବାର ଦାବି କରିଆସିଛନ୍ତି, ଯାହାକି ସ୍ୱାଭାବିକ ମଧ୍ୟ । ସେନମାର୍ଗ ସୁଡଙ୍ଗ ଲୋକାର୍ପଣ ଉସôବରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଅବଦୁଲା ରାଜ୍ୟାପାହ୍ୟ ପୁନଃ ପ୍ରତିଷ୍ଠା ଦାବି ଓହରାଇବା ସଙ୍ଗେ ସଙ୍ଗେ କହିଥିଲେ ଯେ, ଜାମ୍ମୁ-କାଶ୍ମୀରକୁ କେବେ ପୂର୍ଣ୍ଣ ରାଜ୍ୟପାହ୍ୟା ନେଇ ଜନସାଧାରଣ ପ୍ରଶ୍ନ କରୁଛନ୍ତି । ତେବେ ମୋର ମନ କହୁଛି ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ଜାମ୍ମୁ-କାଶ୍ମୀରବାସୀଙ୍କ ପାଇଁ ତାଙ୍କର ପ୍ରତିଶ୍ରୃତି ପୁରଣ କରିବେ ଏବଂ ପୁଣିଥରେ ଉପତ୍ୟାକା ରାଜ୍ୟପାହ୍ୟା ପାଇବ ବୋଲି ଅବଦୁଲା କହିଛନ୍ତି ।  ତେବେ ଏନେଇ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ, ଉଦେ୍ଦଶ୍ୟ ଉପରେ ତାଙ୍କର କୌଣସି ସନେ୍ଦହ ନାହିଁ ।  କହିବା ଅଯଥାର୍ଥ ହେବ ନାହିଁ ଯେ, ଗଲା ୩ତାରିଖ ଦିନ ପ୍ରଧାନମନ୍ତ୍ରୀ ଜାମ୍ମୁ-କାଶ୍ମୀରରେ ରାଜ୍ୟପାହ୍ୟା ପୁନଃ ପ୍ରତିଷ୍ଠା ପାଇଁ ନିଜ ଆଡୁ ସଂକଳ୍ପ ଘୋଷଣା କରିଥିଲେ । ତେବେ ଅଦାଲତକୁ ଯିବା ପୂର୍ବରୁ କେନ୍ଦ୍ର ସରକାର ତୁରନ୍ତ ରାଜ୍ୟପାହ୍ୟା ପ୍ରଦାନ କରିବା ନେଇ ପ୍ରଥମ ଅଗ୍ରାଧିକାର ଦେବେ ମୁଖ୍ୟମନ୍ତ୍ରୀ ଆଶାପୋଷଣ କରିଛନ୍ତି । ଏହା ସତ୍ୟ ଯେ, ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ବିଧାନସଭା ନିର୍ବାଚନ ହୋଇଥିବାବେଳେ ଏବେ କେତେକ ରାଜନୈତିକ ଦଳ ଅଦାଲତଙ୍କ ଦ୍ୱାରସ୍ଥ ହେବା ଲାଗି ପ୍ରସ୍ତୁତ ହେଉଥିବା କୁହାଯାଏ । କିନ୍ତୁ ପ୍ରଧାନମନ୍ତ୍ରୀ କେବେ ରାଜ୍ୟପାହ୍ୟା ପ୍ରଦାନ କରାଯିବ, ସେ ନେଇ କୌଣସି ସମୟ ସୀମା ଦେଇନାହାଁନ୍ତି । ଏବେ ଦିଲ୍ଲୀ ଏବଂ ଭ୍ୟାଲି ମଧ୍ୟରେ ଦୂରତା ନିଶ୍ଚିହ୍ନ ହେବାକୁ ଯାଉଛି । ସବୁ କଥାର ଏକ ସମୟ ଅଛି । ତେବେ ଠିକ୍ ଘଟଣା ଠିକ୍ ସମୟରେ ହେବ । ତେବେ ଏବେ କେବଳ ରାଜ୍ୟପାହ୍ୟା ପୁନଃ ପ୍ରତିଷ୍ଠାକୁ ଅପେକ୍ଷା ।
ସୌଭାଗ୍ୟ ରଂଜନ ମହାନ୍ତି,ମୋ:୯୪୩୭୯୯୪୩୭୯