ଜଳବାୟୁ ପରିବର୍ତ୍ତନ ଓ ଓଡ଼ିଶା


ଅଲେଖ ଚନ୍ଦ୍ର ସାମଲ : ଜଳବାୟୁ ପରିବର୍ତ୍ତନର ହଟସ୍ପଟ ପାଲଟିଛି ଓଡ଼ିଶା । ଏଥିପାଇଁ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ, ବାତ୍ୟା, ବର୍ଷା ଅଭାବ ସହ ବେଳେ ବେଳେ ଅତ୍ୟଧିକ ବର୍ଷାର ବିପତ୍ତିକୁ ସାମ୍ନା କରିବାକୁ ପଡ଼ୁଛି । ପାଣିପାଗର ଏଭଳି ଚରମ ରୂପ ସ୍ୱାସ୍ଥ୍ୟ ଓ କୃଷିକୁ ଗୁରୁତର ଭାବେ ପ୍ରଭାବିତ କରୁଛି । ପାଗରେ ଅଚାନକ ପରିବର୍ତ୍ତନ ଯୋଗୁ ବୃଦ୍ଧ, ଶିଶୁ ଓ ରୋଗାକ୍ରାନ୍ତ ଲୋକଙ୍କ ଶରୀର ତାହାକୁ ସହିପାରୁନି । ଅନିୟମିତ ବର୍ଷା ଯୋଗୁ ଫସଲ ପରିଚାଳନା ଯୋଜନା ବିଗିଡ଼ି ଯାଉଛି । ବୁଣାବୁଣିରୁ ଅମଳ ପର୍ଯ୍ୟନ୍ତ ସବୁର ସମୟ ଏପାଖସେପାଖ ହେଉଛି । ବିଶେଷଜ୍ଞ ଚେତାଇ ଦେଇଛନ୍ତି ପାଣିପାଗର ଏ ବିଚିତ୍ର ଧାରା ଆଗକୁ ଆହୁରି ବଢ଼ିବ । ବର୍ଷା ହେବ, ହେଲେ ମାଟି ବତୁରିବ ନାହିଁ । ଏପଟେ ବନ୍ୟା, ହେଲେ ସେପଟେ ମରୁଡ଼ି ପଡ଼ିବ । ବର୍ଷା ସଙ୍କଟରୁ ଶୁଖିଯିବ ଜଳ ଉତ୍ସ । ଖସିଯିବ ଭୂତଳ ଜଳ ସ୍ତର । ଆଗକୁ ଘନେଇବ ପାନୀୟ ଜଳ ସଙ୍କଟ । ଏସବୁର ସିଧା ପ୍ରଭାବ ପଡ଼ିବ ମଣିଷ ସ୍ୱାସ୍ଥ୍ୟ ଉପରେ । ହଠାତ୍ ଅସୁସ୍ଥତା ଗ୍ରାସିଯିବ ଜନଜୀବନକୁ । ରକ୍ତଚାପ, ହୃଦରୋଗ ରୋଗ ଆଶଙ୍କା ବଢ଼ିବ ।  ଲମ୍ବା ଅବଧି ବର୍ଷା ଦେଖିବାକୁ ମିଳୁନି । ମୌସୁମିର ଅଧିକାଂଶ ଦିନ ଏତେ ଏତେ ତତଲା ରହୁଛି ଯେ, ଜାଣି ହେଉନି ଏଇଟା ବର୍ଷା ନା ଗ୍ରୀଷ୍ମ । ମାତ୍ର ଲଗାତାର ଦୁଇ ତିନି ଧରି ଲାଗି ରହୁଥିବା ଝରି ବର୍ଷା ଆଉ ହେଉନାହିଁ । ମୂଷଳଧାରା ବର୍ଷା ବି କୁଆଡ଼େ ହଜିଗଲାଣି । କଲମ୍ବିଆ ବିଶ୍ୱବିଦ୍ୟାଳୟର ଇଣ୍ଟରନ୍ୟାସନାଲ ରିସର୍ଚ୍ଚ ଇନଷ୍ଟିଚୁ୍ୟଟ ଫର କ୍ଲାଇମେଟ ଆଣ୍ଡ ସୋସାଇଟିଙ୍କ ବିଶ୍ଲେଷଣକୁ ଆଧାର କରି ତଥ୍ୟ ଅନୁଯାୟୀ  ଏ ବର୍ଷା ଲା-ନିନା ଯୋଗୁ ଦେଶରେ ଶୀତ ପ୍ରକୋପ ଅଧିକ ରହିବ । ମାତ୍ର ଓଡ଼ିଶାରେ ଏହାର ପ୍ରଭାବ କମ ପଡ଼ିବ । ନଭେମ୍ବର, ଡିସେମ୍ବର ଓ ଜାନୁଆରୀରେ ଦେଶର ବିଭିନ୍ନ ସ୍ଥାନରେ ଥଣ୍ଡା ଅଧିକ ହେବ । ଓଡ଼ିଶାରେ ଏଥର ଶୀତଋତୁରେ ଅଧିକାଂଶ ଦିନ ପାଗ ମେଘୁଆ ରହିବ । ତେଣୁ ଗରମ ଅଧିକ ରହିବ । 
ଜଳବାୟୁ ଓ ପରିବେଶ ବିଜ୍ଞାନୀଙ୍କ କହିବାନୁଯାୟୀ ଜଳବାୟୁ ପରିବର୍ତ୍ତନ ଓ ଗ୍ଲୋବାଲ ୱାର୍ମିଂ ପ୍ରଭାବରେ କ୍ରମଶଃ ତାପମାତ୍ରା ବୃଦ୍ଧି ପାଇବା ସହ ବର୍ଷା ଅନିୟମିତ ହେଉଛି । ୨୦୦୦ ମସିହା ପୂର୍ବରୁ ବର୍ଷା ଦିନେ ଝରି ବର୍ଷା ଦୁଇ କି ତିନି ଦିନ ଧରି ଝିପିଝିପି ହେଉଥିଲା । ଏଥିରେ ବାୟୁମଣ୍ଡଳ ଥଣ୍ଡା ପଡ଼ୁଥିଲା । ଆଉ ସେଭଳି ଝରି ବର୍ଷା ନାହିଁ । ଚଳିତ ବର୍ଷ ନା ମୂଷଳ ଧାରା ବର୍ଷା ହୋଇଛି ନା ଝରି ବର୍ଷା । ପୂର୍ବରୁ ପ୍ରାୟତଃ ଘୂର୍ଣ୍ଣିବଳୟ / ଲଘୁଚାପ ଉପକୂଳ ଠାରୁ ଦୂରରେ ସମୁଦ୍ର ଭିତରେ ସୃଷ୍ଟି ହେଉଥିଲା । ଏହା ଅଧିକ ଦିନ ଧରି ଭଲ ବର୍ଷା ହେଉଥିଲା । ମାତ୍ର ଏବେ ପ୍ରାୟତଃ ଘୂର୍ଣ୍ଣିବଳୟ ଲଘୁଚାପ ଉପକୂଳରେ ସୃଷ୍ଟି ହେଉଛି । ଗ୍ଲୋବାଲ ୱାର୍ମିଂ ପ୍ରଭାବରେ ସମୁଦ୍ର ଜଳପତ୍ତନ ଉତ୍ତପ୍ତ ରହୁଥିବାରୁ ଏହା ଶୀଘ୍ର ଘନୀଭୂତ ହେଉଛି । ଏହା ସ୍ଥଳଭାଗକୁ ଶୀଘ୍ର ଆସିବା ଯୋଗୁ ବର୍ଷା ଯେତିକି ହେବା କଥା ହେଉନି । ଉପକୂଳ ଠାରୁ ଆଭ୍ୟନ୍ତରୀଣ ଅଞ୍ଚଳରେ ବେଶି ବର୍ଷା କରାଉଛି । ବର୍ତ୍ତମାନ ବାୟୁମଣ୍ଡଳରେ ଯେତିିକି ଜଳୀୟବାଷ୍ପ ରହୁଛି, ସେହି ଅନୁପାତରେ ବର୍ଷା ହେଉନି । ବର୍ଷ ଯେତେବେଳେ ହେଉଛି ଅସରାଏ ଲେଖାଏଁ । କେବେ ୫ରୁ ୧୦ ମିମି କିମ୍ବା ଅତି ବେଶିରେ ୪୦ରୁ ୬୦ ମିଲିମିଟର । କିଛି ସମୟ ବର୍ଷା କାଟିବା ପରେ ପୁଣି ପାଗ ବଦଳିଯାଉଛି । ତେଣୁ ଗରମ ଅଧିକ ରହୁଛି । ବର୍ଷର ଅନିୟମିତତାରେ ଫସଲ ଉତ୍ପାଦନ କମିବ । ବିଭିନ୍ନ ମହାମାରୀକୁ ସହ ମ୍ୟାଲେରିଆ, ଡେଙ୍ଗୁ ରୋଗ ବି ବଢ଼ିବ । ବାୟୁମଣ୍ଡଳରେ ପ୍ରଦୂଷଣ ସ୍ତର ବି ବଢ଼ି ଚାଲିବ ।  ମୋଟ ହିସାବ ଅନୁସାରେ ରାଜ୍ୟରେ ବର୍ଷା ନିଅଣ୍ଟିଆ ସ୍ଥିତି ନାହିଁ । ଅନେକ ଲଘୁଚାପ ଆସୁଛି, ଢ଼େର ବର୍ଷୁଛି, ତଥାପି ମାଟି ବତର ନାହିଁ ଅଧିକାଂଶ ଅଞ୍ଚଳରେ ।
ଗତ ଦେଢ଼ ଦଶନ୍ଧି ଭିତରେ ମହାନଦୀରେ ଆଉ ବଡ଼ ବନ୍ୟା ଆସିନାହଁ । ବର୍ଷ ତମାମ ରାଜ୍ୟରେ ନଦୀଗୁଡ଼ିକ ଶୁଖିଲା ରହୁଛି । ଜଳ ଉତ୍ସ ଯେମିତି ମରି ଚାଲିଛି । ବିଶେଷଜ୍ଞ ଆଶଙ୍କା କଲେଣି, ବର୍ଷାର ଅନିୟମିତତା ଏହାର ଏକ ପ୍ରମୁଖ କାରଣ । ଭୂତଳ ଜଳ ବି ଖସିବାରେ ଲାଗିଛି । ଯଦି ଏ ଧାରା ଲାଗି ରହେ, ଆଗକୁ ମହାବିପତ୍ତି ମାଡ଼ି ଆସିବ । ନିକଟରେ ପ୍ରକାଶିତ ଏକ ଗବେଷଣା ରିପୋର୍ଟରେ ବିଶେଷଜ୍ଞମାନେ ଭିତରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଜଳ ଉତ୍ସ ଅଭାବରୁ ଆଗକୁ ମହେଞ୍ଜୋଦରୋ ଓ ହରପା ସଭ୍ୟତା ଭଳି ଆମ ଅଞ୍ଚଳ ଲୋପ ପାଇଯିବନି ତ?