ଗଣତନ୍ତ୍ର ଓ ଭାରତୀୟ ଜ୍ଞାନ ପରମ୍ପରା

ଭାରତୀୟ ଜ୍ଞାନ ପରମ୍ପରା ସାର୍ବଭୌମ ଏବଂ ଚିରନ୍ତନ ଅଟେ । ଆମେ ସବୁବେଳେ କେବଳ ଭାରତ ନୁହେଁ ପରନ୍ତୁ ସମ୍ପୂର୍ଣ୍ଣ ଜଗତର କଥା ଚିନ୍ତା କରିଥାଏ । ଆମର ବୈଚାରିକ ଶକ୍ତିର ପ୍ରେରଣା ମାନବ କଲ୍ୟାଣର ଚିନ୍ତାରେ ପ୍ରେରିତ ହୋଇଥାଏ । ଭାରତୀୟ ମନୀଷୀମାନେ କେବଳ ମନୁଷ୍ୟ ଉପରେ ଗବେଷଣା କରିଥିଲେ ତା ନୁହେଁ, ସେମାନେ ବନଷ୍ପତି, ନଦୀ, ପାହାଡ଼, ଜଳାଶୟ, ଜଳଚର ଓ ସ୍ଥଳଚର ଜୀବଙ୍କ ଉପରେ ମଧ୍ୟ ଗଭୀର ଗବେଷଣା କରିଥିଲେ ଏବଂ ଏସବୁର ସଂରକ୍ଷଣ ସମ୍ବର୍ଦ୍ଧନ ତଥା ପୋଷଣ ଉପରେ ମଧ୍ୟ ଚିନ୍ତା କରିଥିଲେ । ଆମର ଚିନ୍ତନ ପରମ୍ପରାର ବ୍ୟାପକତା ସାରା ବିଶ୍ୱକୁ ଏକ ସମାନ ଭାବି ସମଗ୍ରତାରେ ବିଚାର କରୁଥିଲା । ଆମର ପ୍ରାଚୀନ ଗ୍ରନ୍ଥ ଭାରତର ଅମୂଲ୍ୟ ଜ୍ଞାନ ପରମ୍ପରା ଆଧାରଭୂତ ସ୍ତମ୍ଭ । ଋଷିମୁନିମାନଙ୍କ ଠାରୁ ଓ ବେଦରୁ ଆମକୁ ଲୋକ କଲ୍ୟାଣ ଉଦେ୍ଦଶ୍ୟରେ ଶିକ୍ଷା ଗ୍ରହଣ କରିବା ପାଇଁ ପ୍ରେରଣା ମିଳିଥାଏ । ଶିକ୍ଷା ସ୍ୱହିତ ପାଇଁ ନୁହେଁ ବରଂ ସର୍ବହିତ ପାଇଁ ଉଦ୍ଦିଷ୍ଟ । ଶିକ୍ଷା ପ୍ରାପ୍ତ କରି ସମାଜକୁ ଆଲୋକିତ କରିବା ପାଇଁ ଋଷିମୁନିମାନେ ପ୍ରେରଣା ଦେଇଥାନ୍ତି । ଆମ ଋଷିମୁନିମାନେ ସୂକ୍ଷ୍ମତା ନୁହେଁ ବରଂ ସମଗ୍ରତାର ଦୃଷ୍ଟିରେ ସମସ୍ତଙ୍କୁ ଆପଣେଇ ଥାନ୍ତି । ସଂକୀର୍ଣ୍ଣ ଭାବଠାରୁ ଆମ ଜ୍ଞାନ ପରମ୍ପରା ବହୁ ଦୂରରେ । ଏବେ କିନ୍ତୁ ସଂକୀର୍ଣ୍ଣଭାବ ବିଶ୍ୱଶାନ୍ତି ପାଇଁ ବିପଦ ସାଜିଛି । ପ୍ରାଚୀନ ସଭ୍ୟତାକୁ ନେଇ ସଙ୍ଘର୍ଷ ଦେଖାଦେଇଛି । ଏସବୁର ସମାଧାନର ବାଟ ଭାରତୀୟ ଚିନ୍ତନର ସମଗ୍ରତାରେ ନିହତ । ଆମ ଅଦ୍ୱୈତ ଜ୍ଞାନ ପରମ୍ପରା କହେ ଯେ ସମ୍ପୂର୍ଣ୍ଣ ଜଗତ ବ୍ରହ୍ମଙ୍କର ହିଁ ପ୍ରକୃତି ଅଟେ । ଏକମାତ୍ର ଚୈତନ ନିତ୍ୟ ଏବଂ ମୂଳସତ୍ତା ଯାହା ଅଖଣ୍ଡ ଅନନ୍ତ ନିର୍ଗୁଣ ଏବଂ ସତ୍ୟ ତଥା ଆନନ୍ଦ ଯୁକ୍ତ ଅଟେ । ପ୍ରତ୍ୟେକ ତତ୍ତ୍ୱ ଏବଂ ପ୍ରତ୍ୟେକ ବସ୍ତୁର କଣ କଣରେ ବ୍ରହ୍ମ ବ୍ୟାପ୍ତ ଏବଂ ଶେଷରେ ବିନାଶ ହୋଇ ସବୁ ପରମବ୍ରହ୍ମରେ ବିଲୀନ ହୋଇଥାନ୍ତି । ଏବକାର ଯୁବବର୍ଗଙ୍କୁ ଜ୍ଞାନ ଏବଂ ସମୃଦ୍ଧି ପରମ୍ପରା ସହ ପରିଚିତ କରାଇବା ଉଦେ୍ଦଶ୍ୟରେ ଏବେ ଏକ ଯୋଜନା ଆରମ୍ଭ ହୋଇଛି । ଭାରତ ଏଭଳି ଏକ ଅନୁପମ ବା ସୁନ୍ଦର ଦେଶ ଯେଉଁ ଦେଶ ଉପରେ ଅନେକବାର ଆକ୍ରମଣ ହୋଇଛି । ବିଦେଶୀ ସଭ୍ୟତାର ଅତିକ୍ରମଣ ସତ୍ତ୍ୱେ ଭାରତୀୟ ପରମ୍ପରା ତାର ମୌଳିକତା ଏବଂ ସାର୍ବଭୌମିକତାକୁ ହରାଇ ନଥିଲା । ନିଜର ପ୍ରାଚୀନ ଜ୍ଞାନ ଏବଂ ସଂସ୍କୃତିକୁ ବଜାୟ ରଖିବା ଯେ କୌରସି  ଜାଗାରୁ ରାଷ୍ଟ୍ରର କର୍ତ୍ତବ୍ୟ ଅଟେ । କଳା, ସଙ୍ଗୀତ, ସାହିତ୍ୟ, ନ୍ୟାୟ. ଦର୍ଶନ, ସ୍ଥାପତ୍ୟ, ଯୋଗ, ବିଜ୍ଞାନ, ଧାତୁ ବିଜ୍ଞାନ, ଜ୍ୟୋତିଷ, ଭୂଗୋଳ, ଗଣିତ, ଚିକିତ୍ସା, ରସାୟନ ଶାସ୍ତ୍ର ଏବଂ କୃଷି ଆଦି ପ୍ରତ୍ୟେକ କ୍ଷେତ୍ରରେ ଭାରତୀୟ ଚିନ୍ତନ ଏବଂ ଗବେଷଣା ଉପଲବ୍ଧ ଅଟେ ।
ହଜାର ହଜାର ବର୍ଷ ପୂର୍ବରୁ ପ୍ରଶ୍ନୋତ୍ତର ଏବଂ ଶାସ୍ତ୍ରାର୍ଥର ବିଚାର ପରମ୍ପରା ଭାରତରେ ରହିଆସିଛି । ଭାରତୀୟ ଗଣତାନ୍ତ୍ରିକ (ଲୋକତାନ୍ତ୍ରିକ) ସିଦ୍ଧାନ୍ତରେ ଶାସକ ଏବଂ ଶାସିତ ବା ପ୍ରଜାଙ୍କୁ ପିତା  ପୁତ୍ର ଭାବେ ଦେଖା ଯାଇଥାଏ । ଆମର ପ୍ରାଚୀନ ଲୋକତାନ୍ତ୍ରିତ ଅବଧାରଣାରେ କର୍ତ୍ତବ୍ୟ ପାଳନ ହିଁ ଧର୍ମ ଅଟେ । ଶାସକର ଦାୟିତ୍ୱ ପ୍ରଜାଧର୍ମ ପାଳନ କରିବା । ସମାବେଶିତା, ସ୍ୱୀକାର୍ଯ୍ୟତା, ସମାନତା ଏବଂ ସ୍ୱତନ୍ତ୍ରତା ଆମର ଲୋକତାନ୍ତ୍ରିକ ବ୍ୟବସ୍ଥାର ଆଧାର ଅଟେ । ଆମ ଶାସନ ବ୍ୟବସ୍ଥାରେ ଜନ ସହଯୋଗକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ । ଋଗ୍ବେଦ ଏବଂ ଅଥର୍ବ ବେଦରେ ସଭା ସମିତି ଏବଂ ସଂସଦର କଥା ଉଲ୍ଲେଖ ରହିଛି । “ଏକ ସଦ୍ବିପ୍ରା ବହୁଧା ବଦନ୍ତି” ର ଦର୍ଶନ ଭାରତର ଋଷିମୁନିମାନେ ଋଗ୍ବେଦରେ ଉଲ୍ଲେଖ କରିଛନ୍ତି । ପ୍ରସିଦ୍ଧ ଗ୍ରନ୍ଥ ଅଷ୍ଟାଧ୍ୟାୟୀରେ ଲୋକତାନ୍ତ୍ରିକ ସଂସ୍ଥାମାନଙ୍କ ବାବଦରେ ବ୍ୟାପକ ଚର୍ଚ୍ଚା କରାଯାଇଛି । ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀର ମହାନ ଅର୍ଥଶାସ୍ତ୍ରବିଦ୍ ତଥା ବିଚାରକ କୌଟିଲ୍ୟ ଲେଖିଛନ୍ତି ଯେ ଲୋକଙ୍କ କଲ୍ୟାଣ ହିଁ ଶାସକଙ୍କୁ ଆନନ୍ଦ ଦେଇପାରିଥାଏ ।
ସ୍ପଷ୍ଟଭାବେ କହିବାକୁ ଗଲେ ଭାରତରେ ଲୋକତାନ୍ତ୍ରିକ ସିଦ୍ଧାନ୍ତର ସ୍ଥାୟୀଭାବ ହିଁ ଜନସେବା । କଳିଙ୍ଗ ଯୁଦ୍ଧ ପରେ ସମ୍ରାଟ ଅଶୋକ ତାଙ୍କ ଶାସନ ବ୍ୟବସ୍ଥାକୁ ପୁନଃ ବ୍ୟବସ୍ଥିତ କରି ଯେଉଁ ପ୍ରଣାଳୀର ସ୍ଥାପନା କରିଥିଲେ ସେଥିରେ ପ୍ରତି ୫ ବର୍ଷରେ ମନ୍ତ୍ରୀ ସ୍ତରୀୟ ନିର୍ବାଚନର ବ୍ୟବସ୍ଥା ଥିଲା । ଭାରତୀୟ ଲୋକତନ୍ତ୍ରକୁ ପାଶ୍ଚାତ୍ୟ ଦୃଷ୍ଟିରେ ଦେଖିବା ପରିବର୍ତ୍ତେ ଆମେ ଆମ ପ୍ରାଚୀନ ଋଷିମୁନିମାନଙ୍କ ଦୃଷ୍ଟିରେ ଦେଖିବା ଆବଶ୍ୟକ । ଆମ ଦେଶରେ ଅନେକ ଉଦାହରଣ ରହିଛି ଯେ ଶାସକମାନେ ପ୍ରଜାମାନଙ୍କ କଲ୍ୟାଣ ପାଇଁ ନିଜର ବ୍ୟକ୍ତିଗତ ସୁଖକୁ ମଧ୍ୟ ଜଳାଞ୍ଜଳି ଦେଇଛନ୍ତି । ମହାଭାରତ ଯୁଦ୍ଧ ପରେ ଶରଶଯ୍ୟାରେ ଥିବା ପିତାମହ ଭୀଷ୍ମ ରାଜାଙ୍କଠାରେ ୩୬ ଗୁଚଣର ଆବଶ୍ୟକତା ବାବଦରେ ଯୁଧିଷ୍ଠିରଙ୍କୁ କହିଥିଲେ ଯାହା ସଦୈବ ଅନୁକରଣୀୟ । ଉତ୍ତର ବୈଦିକ ଯୁଗର ଶାସନ ପ୍ରଣାଳିର ଉଦାହରଣ ଅଣ ରାଜତନ୍ତ୍ରୀୟ ଗଣତାନ୍ତ୍ରିକ ରାଜ୍ୟରେ ମିଳିଥାଏ । ଗଣର ଅର୍ଥ ସଂଖ୍ୟା ଯାହାର ଉଦେ୍ଦଶ୍ୟ ବର୍ତ୍ତମାନ କାଳର ଗଣରାଜ୍ୟ । ଏକ ବ୍ୟକ୍ତିଠାରେ ରହିଥିବା ଅଧିକାରର ବିପରୀତ ଅନେକ ଲୋକଙ୍କ ଦ୍ୱାରା ଶାସିତ ରାଜ୍ୟ । ବର୍ତ୍ତମାନର ଭୋଟ ଗଣତି ଭଳି ଗଣଙ୍କ ମଧ୍ୟରେ ମାନବ ପ୍ରଥା ପ୍ରଚଳିତ ଥିଲା ଯେଉଁଥିରୁ ସ୍ପଷ୍ଟ ଯେ ପ୍ରାଚୀନ ଭାରତରେ କୌଣସି ନା କୌଣସି ରୁପରେ ସଂସଦର ଅସ୍ତିତ୍ୱ ଥିଲା ।
ଭାରତ ଏବେ ବିଶ୍ୱର ସର୍ବବୃହତମ ଗଣତନ୍ତ୍ରରେ ପରିଣତ ହୋଇଛି । ଗଣତାନ୍ତ୍ରିକ ବ୍ୟବସ୍ଥା ଦେଶକୁ ଆଗକୁ ବଢିବାର ସୁଯୋଗ ଦେଇଛି । ଆମର ବ୍ୟବସ୍ଥା ନିର୍ବାଚିତ ପ୍ରତିନିଧିମାନେ ଚଳାଉଛନ୍ତି । ଭାରତର ଭବିଷ୍ୟତ ମଧ୍ୟ ଏମାନଙ୍କ ଦୃଷ୍ଟିଭଙ୍ଗୀ ଏବଂ କାର୍ଯ୍ୟ ଉପରେ ନିର୍ଭର କରେ । ସାଧାରଣ ଜନତା ସେମାନଙ୍କ ବହୁମୂଲ୍ୟ ଭୋଟ ମାଧ୍ୟମରେ ନିଜର ପ୍ରତିନିଧିମାନଙ୍କୁ ନିର୍ବାଚିତ କରି ସେମାନଙ୍କୁ ସାମର୍ଥ୍ୟବାନ କରିଥାନ୍ତି ଯାହା ଫଳରେ ସେମାନେ ଜନତାଙ୍କ ସ୍ୱାର୍ଥ ଏବଂ ରାଷ୍ଟ୍ର ଏବଂ ରାଷ୍ଟ୍ର ନିର୍ମାଣ କାର୍ଯ୍ୟ ସୂଚାରୁ ରୂପେ କରିପାରିବେ । ଆମର ନିର୍ବାଚନ ରାଷ୍ଟ୍ରୀୟ ବିକାଶର ରୂପରେଖ ସ୍ଥିର କରିଥାଏ । ରାଜ୍ୟାଭିଷେକର ଦିନକ ପୂର୍ବରୁ ରାଜା ଦଶରଥ ଶ୍ରୀରାମଙ୍କୁ କହିଥିଲେ “ହେ ପୁତ୍ର, କାଲି ତୁମର ରାଜ୍ୟାଭିଷେକ ହେବ, ତୁମକୁ ରାଜମୁକୁଟ ପିନ୍ଧାଯିବ । କିନ୍ତୁ ଏକଥା ମନେ ରଖିବାକୁ ପଡ଼ିବ ଯେ ଯିଏ ରାଜମୁକୁଟ ପିନେ୍ଧ ସେ ନିଜକୁ ନିଜର ରାଜ୍ୟ ଓ ନିଜର ପ୍ରଜାଙ୍କ ନିକଟରେ ସମର୍ପି ଦେଇଥାଏ । ଜଣେ ରାଜା ହେବାର ଅର୍ଥ ସନ୍ୟାସୀ ହୋଇଯିବା ।” ଏକଥା ଆମ ଆଦର୍ଶ ବ୍ୟବସ୍ଥାର ଲୌକିକ ମାର୍ଗଦର୍ଶନ ଅଟେ । ଆମ ଭାରତୀୟ ଗ୍ରନ୍ଥ ଆମର ମାର୍ଗଦର୍ଶକ । ରାଜା ଦଶରଥ ଏକଥା ମଧ୍ୟ କହିଥିଲେ “ଜଣେ ରାଜାଙ୍କର ନିଜର ବୋଲି କିଛି ନଥାଏ ।ସବୁ କିଛି ରାଜ୍ୟର ହୋଇଯାଇଥାଏ । କିନ୍ତୁ ଆବଶ୍ୟକ ପଡ଼ିଲେ ରାଜାଙ୍କୁ ନିଜର ରାଜ୍ୟ ଏବଂ ପ୍ରଜାଙ୍କ ହିତ ପାଇଁ ସ୍ତ୍ରୀ, ସନ୍ତାନ, ମିତ୍ର ଏପରିକି ପ୍ରାଣ ମଧ୍ୟ ତ୍ୟାଗ କରିବାକୁ ପଡ଼ିଥାଏ । ଏଥିପାଇଁ ରାଜା ସଙ୍କୋଚ କରିନଥାନ୍ତି । କାରଣ ରାଜ୍ୟ ହିଁ ତାଙ୍କର ମିତ୍ର ଏବଂ ରାଜ୍ୟ ହିଁ ତାଙ୍କ ପରିବାର ।”
ଭାରତୀୟ ଜ୍ଞାନ ପରମ୍ପରା ଏଭଳି ଅମୂଲ୍ୟ ଯେ ହଜାର ହଜାର ବର୍ଷ ପର୍ଯ୍ୟନ୍ତ ଜ୍ଞାନ, ବିଜ୍ଞାନ ଏବଂ ଗବେଷଣା କ୍ଷେତ୍ରରେ ଆମର ମାର୍ଗ ଦର୍ଶନ କରାଇ ପାରିବ । ଏକ ଆଦର୍ଶ ସମାଜର ରଚନା ବା ଗଠନ କେମିତି ହେବ ଏବଂ ସମାଜର କଲ୍ୟାଣ ଏବଂ ଉନ୍ନତି ପାଇଁ ସରକାରର ନିର୍ବାଚନ କେଉଁ ମାନଦଣ୍ଡ ଉପରେ ହେବା ଉଚିତ ଏହାର ବ୍ୟାପକ ଚର୍ଚ୍ଚା ଆମର ଚିରନ୍ତନ ବିଚାରର ଅଭିନ୍ନ ଅଙ୍ଗ । ଆମର ପ୍ରାଚୀନ ଜ୍ଞାନକୁ ସଂରକ୍ଷିତ କରି ଯୁବବର୍ଗଙ୍କୁ ଜ୍ଞାନରେ ସମୃଦ୍ଧି କରିବାର ଦାୟିତ୍ୱ ମଧ୍ୟ ଆମର ।