ସଦଗୁରୁଙ୍କ ଦୀକ୍ଷା ଗ୍ରହଣ


ମଣିଷ ଇଷ୍ଟପ୍ରାଣ ହେଲେ ତା'ର ଚଳନ-ଚରିତ୍ର ସୁନିୟନ୍ତ୍ରିତ ହୁଏ, ତାର ବୁଦ୍ଧିବୃତ୍ତି, ଦକ୍ଷତା, ଯୋଗ୍ୟତା, ସେବାବୁଦ୍ଧି, କର୍ମକ୍ଷମତା ପୁଷ୍ଟ ହୋଇଉଠେ । ଏତେକରେ ସେ ଲୋକର ପ୍ରୟୋଜନପୂରଣୀ ସ୍ୱଭାବ ସମ୍ପନ୍ନ ହୋଇଉଠେ, ସେଥିରେ ତା'ର ଅର୍ଥନୈତିକ ସମସ୍ୟାର ସମାଧାନ ହେବା ହିଁ ତ ଉଚିତ । ତା'ଛଡ଼ା ମଣିଷ ହିଁ ମଣିଷର ସବୁଠାରୁ ବଡ଼ ସମ୍ପଦ, ସେ ଦିଗକୁ ଯାଜନ ମୁଖର, ସେବାପ୍ରାଣ, ଇଷ୍ଟାନୁରାଗୀ ଯେ, ଯା'ର ଚଳନା ସୁସମଞ୍ଜସ, ବ୍ୟବହାର ହୃଦ୍ୟ ଓ ମନୋଜ୍ଞ, ତା'ର ଲୋକ-ସମ୍ପଦ ତ ବଢ଼ିଯିବା ହିଁ ସ୍ୱାଭାବିକ । ତା'ର ଦରିଦ୍ର ରହିବାର ତ କାରଣ ଖୋଜି ପାଇ ହୁଏନା । କାରଣ, ଅର୍ଥନୈତିକ ଉନ୍ନତିର ବୁନିୟାଦ ଯେ ଦକ୍ଷତା, ଯୋଗ୍ୟତା, କ୍ଷିପ୍ରତା, ଚରିତ୍ର, ନିରଳସ-ସେବାବୁଦ୍ଧି, ସୁସଙ୍ଗତ ଚଳନ ତା'ର କୌଣସିଟାର ହିଁ ଅଭାବ ରହେନା ସେଥିରେ । ଅବଶ୍ୟ ସେମାନେ ହୁଏତ ପ୍ରୟୋଜନାତିରିକ୍ତ କନଜୁ୍ୟମ (ବ୍ୟବହାର) ନ ବି କରିପାରନ୍ତି । ତେବେ ଅର୍ଥ ପ୍ରତି ତା'ର ଲୋଭ ନଥିବାରୁ ଅର୍ଥକରୀ ପ୍ରୟାସ ଦିଗରେ ଝୁଙ୍କ ଦେଲା, ଯା'ର ଫଳ ନଗଦାନଗଦି ପାଇବାର ନୁହେଁ, ଅଥଚ ସେଇଟା କି ନା ଭବିଷ୍ୟତରେ ଦିନେ ହୁଏତ ପରିବେଶ ସୁଦ୍ଧା ତାକୁ ପ୍ରଭୂତ ସମୃଦ୍ଧ କରି ତୋଳିବ । ଏପରିବି ହୁଏତ ହୋଇପାରେ ଯେ, ତା'ର ଫଳ ସେ ନିଜ ଜୀବନରେ ପାଇଲାନି, ଉପକୃତ ହେଲେ ଭବିଷ୍ୟତ ବଂଶଧରଗଣ । ଏ ଅବସ୍ଥାରେ ତାକୁ କ'ଣ କହିବାକୁ ହେବ ଯେ ସେ ଅର୍ଥନୈତିକ ଜୀବନରେ ଅକୃତକାର୍ଯ୍ୟ ହେଲା?
    ବିପୁଳ ସୃଷ୍ଟିର, ବୃହତ୍ ସଂଗଠନର ଦାୟ ଓ ଦାୟିତ୍ୱ ଯେଉଁମାନେ ବହନ କରନ୍ତି, ଅନେକ ଦୁଃଖର ନିଅାଁରେ ପୋଡ଼ିଯାଇ, ଅନେକଙ୍କ ପାଇଁ ପ୍ରାୟଶ୍ଚିତ କରି, ଅନେକଙ୍କ କ୍ଷମତାର ବିପଦ ବହନ କରି ସେମାନଙ୍କୁ ଆଗେଇବାକୁ ହୁଏ । ସେମାନଙ୍କର ପୁରା ଗତି ଓ ପରିଣତିଟା ଲକ୍ଷ୍ୟ ନକରି ମଝିର କୌଣସି ଗୋଟେ ଅବସ୍ଥାକୁ ଦେଖି ଗୋଟେ ରାୟ ଦେବା ସବୁବେଳେ ବୁଦ୍ଧିମାନର କାମ ନୁହେଁ । ଆଜି ଆମ ମାନଙ୍କର ଋତ୍ୱିକମାନଙ୍କୁ ଯେଉଁ ମାନଙ୍କୁ ହୁଏତ ଦେଖୁଛ - କେତେ ଅର୍ଥନୈତିକ କୃଚ୍ଛତା, ସେମାନଙ୍କର ନିରଳସ ସେବା ଫଳରେ ହୁଏତ ଦେଖିବ ଦିନେ ସମଗ୍ର ଜାତି କେତେ ଦୂର ସମୃଦ୍ଧ ହୋଇ ଉଠିଛି - ଯେ ଏମାନେ କିଛି ହିଁ ପାଇଲେନି, କିଛିହିଁ ପାଇଲେନି, କିଛିହିଁ କରିଲେନି? ବ୍ୟକ୍ତିଗତ ଭାବେ ଦୁଇଚାରି ଜଣଙ୍କ ସମ୍ବନ୍ଧରେ ସେ କଥା ଖଟାଇଲେ ବି, ଏମାନଙ୍କ ମଧ୍ୟରୁ ବେଶୀ ଭାଗ ସମ୍ବନ୍ଧରେ ସେ କଥା ଖାଟେନା । ମୁଁ କହିବି, ଗୋଟେ ମରଣୋନ୍ମୁଖ ଜାତିକୁ ବଞ୍ଚାଇବା ପାଇଁ ମଣିଷ କରିବା ପାଇଁ ଏମାନେ ପ୍ରତ୍ୟେକ ଯଦି ଲକ୍ଷେ କଷ୍ଟଦାରିଦ୍ର୍ୟ ବରଣ କରି ନିଅନ୍ତିକି, ତାହାହିଁ ସେମାନଙ୍କର ପରମ ଐଶ୍ୱର୍ଯ୍ୟ । ଆଉ ଏମାନେ ଯଦି ମଣିଷ ପଛରେ (ଆନ୍ତରିକ ଭାବେ) ଖଟନ୍ତି, ତେବେ ଏମାନଙ୍କର ଦୁଃଖ ଘୁଞ୍ଚôବାକୁ ଡେରି ଲାଗିବନି - ଏମାନେ ତା' ଚାହାନ୍ତୁ ବା ଚାହାନ୍ତୁ । ମଣିଷର ଐଶ୍ୱର୍ଯ୍ୟର ଗୋଟେ କଣାବି ସେମାନଙ୍କୁ ପ୍ରଚୁର କରି ହେବ । ତେବେ ମଣିଷ ଯଦି ମୁହେଁ ମୁହେଁ ଇଷ୍ଟପ୍ରାଣ ହୁଏ, ଅଥଚ ବାସ୍ତବରେ ସେପରି ନହୁଏ, ତା'ହେଲେ ବି ସେ ଅର୍ଥନୈତିକ ଜୀବନରେ କୃତୀ ହେବନି, ଏକଥା କହିପାରେନା । ପୁଣି ଚୋରା କାରବାର କରି ବା ଫାଙ୍କିବାଜିର ଭିତର ଦେଇ କେହି ଯଦି ବେଶ ଦୁଇପଇସା କମାଏ ତା'ହେଲେ ହିଁ ଯେ ସେ ଖୁବ ଗୋଟେ ଯୋଗ୍ୟ ହୋଇଉଠିଲା, ଏକଥା ବି ମୁଁ କହିବାକୁ ଚାହେଁନା । ମୋର କଥା ହେଲା, ମଣିଷର ଇଷ୍ଟପ୍ରାଣତା ସଙ୍ଗେ ଜଡ଼ିତ ଅଛି ତା'ର ସୁନିୟନ୍ତ୍ରିତ ଯୋଗ୍ୟତା ଏବଂ ଏହା ସଙ୍ଗେ ଜଡ଼ିତ ଅଛି ତା'ର ଅର୍ଥନୈତିକ ଅବସ୍ଥା । (ଆଲୋଚନା - ପ୍ରସଙ୍ଗ, ୧ମ ଖଣ୍ଡ ତା୦୭/୧୨/୪୧)
ଗୁରୁଙ୍କଠାରୁ ଜ୍ଞାନ ଲାଭ କରିବାକୁ ହେଲେ ତାଙ୍କ ପ୍ରତି ଶ୍ରଦ୍ଧାନ୍ୱିତ ହେବା ଦରକାର । ଜ୍ଞାନ ଠାରୁ ପବିତ୍ର ଜିନିଷ ଆଉ କିଛି ନାହିଁ ଏବଂ ଶ୍ରଦ୍ଧା ବିନା ଜ୍ଞାନଲାଭ ହୋଇପାରେ ନାହିଁ । ଗୀତାରେ କୁହାଯାଇଛି - "ଶ୍ରଦ୍ଧାବାନ୍ ଲଭତେ ଜ୍ଞାନଂ ତତ୍ପରୋ ସଂଯତେନ୍ଦ୍ରିୟଃ । ଜ୍ଞାନଂ ଲବ୍ଧା ପରାଂ ଶାନ୍ତିମଚିରେଣାଧିଚ୍ଛତି ।' ସୁତରାଂ ସୁଖ ପଛରେ ନ ଗୋଡ଼ାଇ ମଣିଷକୁ ସଦଗୁରୁଙ୍କ ଦୀକ୍ଷା ଗ୍ରହଣ କରି ତନ୍ନିଷ୍ଠ ଚଳନରେ ଚାଲିବାକୁ ହେବ । ତା'ହେଲେ ଯାଇ ଜ୍ଞାନ, ଅର୍ଥ, ଧର୍ମ, ସୁଖ, ଶାନ୍ତି, ଆନନ୍ଦ ସବୁକିଛି ଲାଭ ହୋଇପାରିବ । 
ଡା.ଉମେଶ ଚନ୍ଦ୍ର ପାତ୍ର,ମୋ : ୯୪୩୭୦୫୧୯୫୭