ଦୈନନ୍ଦିନ ଜୀବନରେ ଯୋଗ
ଯୋଗ ଏମିତି ଏକ ସୁଅଭ୍ୟାସ ବା ସାଧନା, ଘୋର ସମରକ୍ଷେତ୍ରରେ ମଧ୍ୟ କାମରେ ଲାଗିଥାଏ । ତା ନହୋଇଥିଲେ କୁରୁକ୍ଷେତ୍ର ଯୁଦ୍ଧରେ ଭଗବାନ ଶ୍ରୀକୃଷ୍ଣ ଶିଷ୍ୟ ଅର୍ଜ୍ଜୁନଙ୍କୁ ଯୋଗର ୧୮ ଅଧ୍ୟାୟ ବୁଝାଇ ନଥାନ୍ତେ । ଯେଉଁ ଯୋଗ ଯୁଦ୍ଧ କ୍ଷେତ୍ରରେ ଆବଶ୍ୟକ ହେଉଛି, ଦୈନନ୍ଦିନ ଜୀବନରେ ତାର ଆବଶ୍ୟକତା ନାହିଁ କେମିତି? ଅନେକ ଲୋକ ଯୋଗ ଉପରେ ବଡ଼ ବଡ଼ ଶୁଷ୍କ ଭାଷଣ ଦିଅନ୍ତି, ଅନେକ ଲୋକ ଯୋଗ ବିଷୟରେ ପଢ଼ନ୍ତି, ଶୁଣନ୍ତି, ସାଧନା ବି କରନ୍ତି । କିନ୍ତୁ ଏପରି କେତେକ ଲୋକ ଅଛନ୍ତି, ଯୋଗକୁ ଜୀବନଯାପନର କଳା ମନେକରି ଦୈନନ୍ଦିନ ଜୀବନରେ ପ୍ରତ୍ୟେକ ମୁହୂର୍ତ୍ତରେ ହିଁ ତାର ପ୍ରୟୋଗ କରନ୍ତି । ସତ କହିଲେ, ଏହିମାନେ ହିଁ ପ୍ରକୃତ ଯୋଗୀ । ଯୋଗ ଏମିତି ଏକ ବିଦ୍ୟା ଦୈନନ୍ଦିନ ଜୀବନରେ ପ୍ରତିଟି ମୁହୂର୍ତ୍ତରେ ହିଁ ତାର ଆବଶ୍ୟକତା ଅଛି ।
ଶ୍ରୀମଦ୍ ଭଗବଦ ଗୀତାର ଯୋଗ ତ ଏଇଠାରୁ ଆରମ୍ଭ ହୋଇଛି । ସାଂସାରିକ ଜୀବନ ବିତାଉଥିବା ମୋହଗ୍ରସ୍ତ ଅର୍ଜ୍ଜୁନ ଯେତେବେଳେ ଯୋଗେଶ୍ୱର ଶ୍ରୀକୃଷ୍ଣଙ୍କୁ କହିଲେ - "କାର୍ପଣ୍ୟ ଦୋଷୋପହତ ସ୍ୱଭାବଃ, ପୃଚ୍ଛାମି ତ୍ୱାଂ ଧର୍ମ ସଂମୂଢ଼ଚେତାଃ । ଯେଚ୍ଛେୟଃ ସ୍ୟାନ୍ନିଶ୍ଚିତଂ ବ୍ରୁହିତନ୍ନେ, ଶିଷ୍ୟସ୍ତେହଂ ଶାଧି ମାଂ ତ୍ୱାଂ ପ୍ରପନ୍ନମ୍ । ।' ଅର୍ଥାତ୍ ହେ ପ୍ରଭୁ! ମୋ ହୃଦୟ ଦୁର୍ବଳତାରେ ବଶୀଭୂତ ହୋଇଯାଇଛି । ମୋ ମନ କର୍ତ୍ତବ୍ୟ ବିଷୟରେ ଭ୍ରାନ୍ତ ହୋଇଯାଇଛି । ମୁଁ ଆପଣଙ୍କୁ ପଚାରୁଛି, ମୋ ପକ୍ଷରେ କ'ଣ ଶ୍ରେୟ, ତାହା ନିଶ୍ଚିତ ରୂପେ ବୁଝାଇ ଦିଅନ୍ତୁ । ଭଗବାନ ସେତେବେଳେ ତାଙ୍କୁ କହିଲେ - "ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ । ଅହଂ ତ୍ୱା ସର୍ବପାପୋଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚଃ । ।' ଅର୍ଥାତ୍ ହେ ଅର୍ଜ୍ଜୁନ! ସମସ୍ତ ଦେହଧର୍ମ ତ୍ୟାଗ କରି ତୁମେ କେବଳ ମୋର ଶରଣ ନିଅ । ମୁଁ ତୁମକୁ ସବୁ ପାପରୁ ମୁକ୍ତ କରିଦେବି । ତୁମେ ଶୋକ କରନାହିଁ । ମୋର ଶରଣ ନିଅ, ଅର୍ଥାତ୍ ନିଜକୁ ଦେହ, ପ୍ରାଣ, ମନ ନ ଭାବି ଆତ୍ମା ବୋଲି ଭାବି ତାହାରି ଶରଣ ନିଅ । ଭଗବାନ କଥା ଅର୍ଜ୍ଜୁନ ବୁଝିଗଲେ । ସେ ନିଜ ଜୀବନରଥର ସଞ୍ଚାଳନ ଦାୟିତ୍ୱ ଭଗବାନଙ୍କ ଉପରେ ନ୍ୟସ୍ତ କରିଦେଲେ । ନିଜ ଭିତରେ ଥିବା କାମ, କ୍ରୋଧ, ଲୋଭ ଆଦି ମନ୍ଦଗୁଣ ସହିତ, ଅବିଦ୍ୟା ସହିତ ସଂଘର୍ଷ କରିବାକୁ ଲାଗିଲେ । ଏହିଭଳି ସଂଘର୍ଷ କରି ସେ ଜଣେ ମହାନ ଯୋଦ୍ଧା ବା ଯୋଗୀରେ ପରିଣତ ହେଲେ ।
ଏଥରୁ ଆମର ଅନେକ କିଛି ଶିକ୍ଷା କରିବାର ଅଛି । ନିଜର ସ୍ୱରୂପ ଭୁଲିଯାଇଥିବା ବ୍ୟକ୍ତି ହିଁ ନିଜକୁ ଦୁର୍ବଳ ମନେକରି ଭୟଭୀତ ହୋଇଥାଏ । ଜଣେ ଯେତେବେଳେ ନିଜର ସ୍ୱରୂପକୁ ଜାଣିଯାଏ, ନିଜର ପ୍ରଯତ୍ନ ଓ ପୁରୁଷାର୍ଥ ଉପରେ ବିଶ୍ୱାସ ରଖି କାର୍ଯ୍ୟ କରିଯାଏ, ସେ ଦିନେ ନିଶ୍ଚିତ ରୂପେ ସଫଳ ହୁଏ । ଆମ ଭିତରେ ଯେତେ ଦୋଷ ଦୁର୍ବଳତା ମନ୍ଦ ଗୁଣ ଥିଲେ ବି ଆମେ ଯଦି ପ୍ରଯତ୍ନ କରିବା ତେବେ ଅର୍ଜ୍ଜୁନଙ୍କ ପରି ଯୋଗୀଟିଏ ହୋଇପାରିବା । ଏଥିରେ ସନେ୍ଦହର ଅବକାଶ ନାହିଁ । ତେବେ ଖାଲି ପ୍ରଯତ୍ନ ପୁରୁଷାର୍ଥରେ କାମ ହୁଏନା, ପରମ ଗୁରୁ ଭଗବାନଙ୍କ କୃପା ଆମ ଉପରେ ଥିବା ଆବଶ୍ୟକ । ଏ ସମ୍ପର୍କରେ କଠୋପନିଷଦ କହନ୍ତି - "ନୟମାତ୍ମା ପ୍ରବଚନେନ ଲଭ୍ୟୋ, ନ ମେଧୟା ନ ବହୁନା ଶ୍ରୁତେନ । ଯମେବୈଷ ବୃଣୁତେ ତେନ ଲଭ୍ୟ, ସ୍ତସୈ୍ୟଷ ଆତ୍ମା ବିବୃଣୁତେ ତନୁଂ ସ୍ୱାମ୍ ।' ଆଧ୍ୟାତ୍ମିକ ପ୍ରବଚନ ଦ୍ୱାରା, ତୀକ୍ଷଣ ବୁଦ୍ଧିଦ୍ୱାରା, ବହୁଶାସ୍ତ୍ର ଅଧ୍ୟୟନ ଦ୍ୱାରା କାହାରିକୁ ଏଇ ଆତ୍ମ ପ୍ରାପ୍ତି ହୁଅନ୍ତି ନାହିଁ । ଈଶ୍ୱର ଯାହାଙ୍କ ପ୍ରତି କୃପା କରନ୍ତି, ସେହି ବ୍ୟକ୍ତି ହିଁ ପରମାତ୍ମାଙ୍କୁ ଲାଭ କରିପାରନ୍ତି । ଈଶ୍ୱରଙ୍କ କୃପା ସେହି ବ୍ୟକ୍ତିକୁ ମିଳେ, ଯିଏ ନିଜର ଦିନଚର୍ଯ୍ୟାରେ ନିୟମବଦ୍ଧ ହୁଏ । ଈଶ୍ୱରୀୟ ନିୟମରେ ଜୀବନ ନିର୍ବାହ କରେ । ପ୍ରତ୍ୟେକ କାର୍ଯ୍ୟରେ ସିଦ୍ଧିଲାଭ କରିବାକୁ ପୁରୁଷାର୍ଥ କରେ ।
ନାରାୟଣ ଚନ୍ଦ୍ର ବିଶ୍ୱାଳ,ମୋ : ୯୪୩୮୨୭୬୭୬୦