ଭବିଷ୍ୟତହୀନ ବିଶ୍ୱ
ମାୟାଧର ନାୟକ : ଆଗକୁ ଘନେଇ ଆସୁଛି ବଡ଼ÿ ଦୁର୍ଦ୍ଦିନଦାୟକ ମହାବିଭୀଷିକା – ତା’ର ଶାଗୁଣାଡେଣାର ଛାଇବିସ୍ତାରି ଥରହର କରିଦେବ ଏ ଦୁନିଆକୁ । ଆଗକୁ ଯେତେ ଯୁଦ୍ଧ ହେବାର ଅଛି – ସେସବୁ ଭଡାଟିଆ ସୈନ୍ୟବାହିନୀକୁ ନେଇ ତମାମ୍ ଦୁନିଆକୁ ବଧିର କରିଦେବାକୁ ଯାଉଛି - ଅନବରତ ଯୁଦ୍ଧଦୁନ୍ଦୁଭିରେ । ମାତ୍ର ସର୍ବାଧିକ ଶୋଚନୀୟ ଭବିଷ୍ୟତ ଭୋଗିବାକୁ ଯାଉଛି ବିଶ୍ୱ । ଭଡ଼ାଟିଆ ସୈନ୍ୟବାହିନୀର ବର୍ବରଆକ୍ରମଣରେ ଶତ୍ରୁ ମରିବ କି ମିତ୍ର ମରିବ – ତା’ର ମୀମାଂସା ହେବ ପରେ – ହେଲେ ମଣିଷ ହିଁ ମରିବ, ମଣିଷ ହିଁ ବଳିପଡିବ, ମଣିଷ ହିଁ ମଡ଼ା ପାଲଟିବ – ଏ ତ ହେବ, ଏଥି ସହିତ ସଂସାର ସାରା ସୃଷ୍ଟି ହେବ ଦାରୁଣତମ ଦୁଷ୍କାଳ । ସେ ଦୁଷ୍କାଳ ହେଉଛି - ଅଦୂର ଭବିଷ୍ୟତରେ ସବୁଦେଶରୁ ହଜିଯିବ ଜାତୀୟସଂଗୀତ, ପୁନଃପତିତ ହେବ – ଜାତୀୟପତାକାମାନ । ମଣିଷ ମାରିବା ପରେ – ଏ ଭଡ଼ାଟିଆବାହିନୀ କ୍ରମେ ଉଚ୍ଛେଦ କରିଚାଲିବ ପୃଥିବୀର ପ୍ରତ୍ୟେକ ଦେଶର ଇତିହାସଲବ୍ଧ ଆଜନ୍ମ ଜାତୀୟତାଗତ ଦୀର୍ଘଐତିହ୍ୟଧାରାକୁ । ପ୍ରତ୍ୟେକ ଦେଶରେ ପୁଣି ଘନାଇଆସିବ – ମହାପରାଧୀନତାର କରାଳ କାଳରାତ୍ରୀ । ଏହା ବିଶ୍ୱଭବିଷ୍ୟବାଣୀର ଚୂଡାନ୍ତତମ ଷଡଯନ୍ତ୍ରର ସୁରାକ...ହୁସିଆର... ଜାଗତିଆର୍ ରହନ୍ତୁ - ଆଜିଠୁ ବିଶ୍ୱଜନଗଣ !
ପ୍ରତିମୁହୂର୍ତରେ ବଦଳୁଛି ପ୍ରକୃତିର ନିୟମ । ଜଳବାୟୁ ପରିବର୍ତନରେ ଆସିଛି ବ୍ୟାପକ ଅସ୍ୱାଭାବିକତା । ବହୁପୂର୍ବରୁ ଜଳବାୟୁ ପରିବର୍ତନର ପ୍ରଭାବ ପୃଥିବୀ ଉପରେ ପଡିଆସିଛି । ଲଗାତର ଗ୍ରୀଷ୍ମପ୍ରବାହ, ଆକାଶରୁ ନିଆଁବର୍ଷା, ଭୟଙ୍କର ମରୁଡି, ପ୍ରବଳ ଝଡତୋଫାନବାତ୍ୟା, ଭୂସ୍ଖଳନ, ଭୂମିକମ୍ପ, ସମୁଦ୍ରଜଳପତନ ବୃଦ୍ଧି ପ୍ରଭୃତି ଜଳବାୟୁ ପରିବର୍ତନରେ ସମଗ୍ର ବିଶ୍ୱ ଥରହର । ଏହାର କୁପରିଣାମ ଭୋଗୁଛନ୍ତି ସାରାବିଶ୍ୱର ଜୀବଜଗତ । ପୃଥିବୀର ଉତାପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ମନୁଷ୍ୟକୃତ କାର୍ଯ୍ୟ ଇନ୍ଧନ ଦହନ, ଗାଡ଼ିମଟରରୁ ନିର୍ଗତ କାର୍ବନଡାଇଅକ୍ସାଇଡ୍ ଦ୍ୱାରା ଏବଂ ଶକ୍ତିଉତ୍ପାଦନ ପାଇଁ ଇନ୍ଧନ ଜଳାଉ । ୧୮୫୦ ମସିହାରେ ଶିଳ୍ପବିପ୍ଳବରେ କୋଇଲାରୁ ଶକ୍ତିଉତ୍ପାଦନ ହୋଇଥିଲା । ଅଧିକ କୋଇଲା ଜାଳିବାଫଳରେ ବାୟୁମଣ୍ଡଳ ପ୍ରଦୂଷିତହୋଇ ଜୀବଜଗତ ଉପରେ ନକାରାତ୍ମକ ପ୍ରଭାବ ପଡ଼େ । ଏହାଦ୍ୱାରା ମଧ୍ୟ ପାଣିପାଗର ପରିବର୍ତନ ଘଟେ । ପାଣିପାଗର ଅସମାନତା ଦେଖାଯାଏ । ଗ୍ରୀଷ୍ମପ୍ରବାହ ବୃଦ୍ଧିଦ୍ୱାରା ସ୍ୱାସ୍ଥ୍ୟସମସ୍ୟା ବଢୁଛି । ମୃତ୍ୟୁର ତାଣ୍ଡବ ସୃଷ୍ଟି ହେଉଛି । ଜଳବାୟୁ ପରିବର୍ତ୍ତନରେ ପରିବେଶ ପ୍ରଦୂଷଣ ଯୋଗୁ ସଂକ୍ରାମକ ଓ ଅଣସଂକ୍ରାମକ ରୋଗ ବ୍ୟାପକ ଭାବେ ହୋଇ ଚର୍ମକର୍କଟରୋଗ ବ୍ୟାପୁଛି । ପରିବର୍ତ୍ତିତ ଜଳବାୟୁରେ କୃଷି ଭୀଷଣ ଭାବେ ପ୍ରଭାବିତ । ଗଜାମରୁଡି, ରୋଗପୋକ ଯୋଗୁଁ ଖାଦ୍ୟଶସ୍ୟ ଅମଳ କମିଯାଉଛି । ମୃତ୍ତିକାର ତାପମାତ୍ରା ବୃଦ୍ଧିରେ ବିହନ ଗଜାହେବା କ୍ଷମତା ହରାଏ । ଜଳବାୟୁ ପରିବର୍ତ୍ତନ ପ୍ରାକୃତିକ ପରିବେଶକୁ ବିଗାଡ଼ିଦେଇଛି । କେଉଁଠି ଅତ୍ୟଧିକ ବର୍ଷା ଆଉ କେଉଁଠି ଅସହ୍ୟ ଗରମ ଅନୁଭବ ହେଉଛି । ଛ’ଋତୁ ମଧ୍ୟରୁ ଏବେ କେବଳ ବର୍ଷା, ଶୀତ, ଗ୍ରୀଷ୍ମ ଋତୁ ଜଣାପଡୁଛି । ଅନୁପାତ ମଧ୍ୟ ଠିକ୍ ରହୁନି । ଏହାର ପ୍ରଭାବ ଜନସମାଜ, ବୃକ୍ଷଲତା, ଜୀବଜନ୍ତୁ, ଶୈବାଳ, ସାମୁଦ୍ରିକ ପ୍ରାଣୀ ଉପରେ ପଡୁଛି ।
ଆକାଶରେ ବରଫ ତରଳୁଛି । କଳାବରଫଯୋଗୁ ତରଳୁଛି ଗ୍ଲାସିୟର । ଜଳମଗ୍ନ ହୋଇଯିବ ବଡ଼ବଡ଼ ସହର । ପ୍ରାକୃତିକ ପରିବେଶ ବଦଳିଯିବ । ଜଙ୍ଗଲରେ ଲାଗିବ ନିଆଁ । ନିଭୁନିଭୁ ବହୁଦିନ ଲାଗିବ । ପ୍ରତିବର୍ଷ ହେକ୍ଟର ହେକ୍ଟର ଜଙ୍ଗଲ ପୋଡ଼ି ଛାରଖାର ହୋଇଯାଉଛି । ବେଳେବେଳେ ଚାଷପାଇଁ ମଣିଷ ବି ଜଙ୍ଗଲରେ - ଧାନ କଟାହେଲାପରେ ଧାନବିଲରେ ନିଆଁ ଲଗେଇଦିଅନ୍ତି । ଏହାଦ୍ୱାରା ପ୍ରବଳଭାବରେ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି । ଜଙ୍ଗଲପୋଡି ମଣିଷପାଇଁ ହାନିକାରକ । ବ୍ରାଜିଲର ଆମାଜନ ଜଙ୍ଗଲରୁ ପୃଥିବୀର ୨୦ ପରସେଂଟ୍ ଅମ୍ଳଜାନ ମିଳିଥାଏ । ଆମାଜନ୍ ଜଙ୍ଗଲରେ ନିଆଁଲାଗି ଏହାର ବ୍ୟାପକ କୁପ୍ରଭାବ ବିଶ୍ୱଉପରେ ପଡିଛି । ଏହାର ବିଷାକ୍ତ ଗ୍ୟାସଦ୍ୱାରା ହୃଦ୍ରୋଗ, କ୍ୟାନ୍ସର୍ ଭଳି ମାରାତ୍ମକ ରୋଗର ଶିକାର ହେଉଛନ୍ତି । ୧୯୧୯ରେ ଆମାଜନ୍ ଜଙ୍ଗଲରେ ମାସମାସଧରି ନିଆଁ ଲାଗିରହିବାଫଳରେ ଚାରିଆଡ଼େ ଧୂଆଁମୟ ହୋଇଯାଇଥିଲା । କେବଳ ଆମାଜନ୍ ଜଙ୍ଗଲ ନୁହେଁ - ପୃଥିବୀର ଅନେକ ଜଙ୍ଗଲରେ ପ୍ରତିବର୍ଷ ନିଆଁଲାଗି ବ୍ୟାପକ କ୍ଷୟକ୍ଷତି ହେଉଛି ।
ଗ୍ରୀସ୍ରେ ଜଂଗଲରେ ଲାଗିଛି ନିଆଁ । ଭୟାବହ ଅଗ୍ନିକାଣ୍ଡରେ ଜନଜୀବନ ଅସ୍ତବ୍ୟସ୍ତ । ସମଗ୍ର ଗ୍ରୀସ୍ରେବାଦଲରେ ଘୋଟିଯାଇଛି କଳାଧୂଆଁ । ଏଇଭଳି ଅବସ୍ଥା ଉପୁଜିଲେ ଜଂଗଲ ସବୁ ଖୁବ୍ କମ୍ ସମୟରେ ନିଶ୍ଚିହ୍ନ ହୋଇଯିବ । ଦିନକୁଦିନ ପ୍ରାକୃତିକ-ମନୁଷ୍ୟକୃତ ନିଆଁର ଆଁରେ ଜଂଗଲ ଘର ପଶିଯାଉଛି - ଦିନେ ଏ ଦୁନିଆକୁ ଜାଳିପୋଡ଼ି ପାଉଁଶ କରିଦେବ ।
ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ, ଧ୍ୱନି ପ୍ରଦୂଷଣ । କଳକାରଖାନା, ମଟରଗାଡ଼ି, ଚିମିନୀ ଆଦିରୁ ନିର୍ଗତ ଧୂଆଁ ଦ୍ୱାରା ବାୟୁମଣ୍ଡଳ ପ୍ରଦୂଷିତ ହୁଏ । ଏହାଦ୍ୱାରା ପୃଥିବୀର ତାପମାତ୍ରା ବୃଦ୍ଧିପାଏ । ପାଣିରେ ଅଧିକ ମାତ୍ରାରେ ଲବଣପଦାର୍ଥ ମିଶିଲେ ଜଳ ପ୍ରଦୂଷିତ ହୁଏ । ସମୁଦ୍ରପାଣି ଲୁଣିଆ । ଏବେ ସାରାବିଶ୍ୱରେ ଯେଉଁ କିଣା ବୋତଲପାଣି, ଅନ୍ୟାନ୍ୟ ଠିପିବନ୍ଦ ପାନୀୟ ବୋତଲ ପାନ କରୁଛେ – ବେପାରୀମାନେ ଅଧିକ ସମୟ ଗୋଦାମରେ ରଖି ବିକ୍ରିକରିବାପାଇଁ କେମିକାଲ ଦେଇଦିଅନ୍ତି । ସେସବୁ ପାନୀୟ ପାଟିକୁ ମିଠା, ପେଟକୁ ବିଷ ସମାନ । ଆମେ ଜାଣି ହେଉ ବା ଅଜଣାରେ ହେଉ ବିଶ୍ୱବିଷଭଣ୍ଡାରରୁ ସେଇ ବିଷସବୁ ପିଇବାରେ ଲାଗିଛେ - ଯାହାଦ୍ୱାରା ମଧୁମେହ ରୋଗଠାରୁ ଯାବତ୍ପ୍ରକାର ଦୁରାରୋଗ୍ୟ ବ୍ୟାଧିର ଶିକାର ହେଉଛେ । ଫଳରେ ବିନା ଔଷଧରେ ଦିନ କଟୁନି । ପୁଣି ଔଷଧ ମଧ୍ୟ ଭେଜାଲ୍ ।
ଏବେ ମୌସୁମି ବାଟବଣା ହୋଇଗଲାଣି । ଜଳବାୟୁ ପରିବର୍ତ୍ତନ ଦ୍ୱାରା ଋତୁଚକ୍ରର ମଧ୍ୟ ପରିବର୍ତନ ପ୍ରଭାବିତ । ଗ୍ରୀଷ୍ମଋତୁ ବଢିଯାଉଛି – ବର୍ଷା, ଶୀତଋତୁ କମିଯାଉଛି । ନିଶ୍ୱାସପ୍ରଶ୍ୱାସ ପାଇଁ ଶୁଦ୍ଧବାୟୁ, ଉତମ ପାନୀୟଜଳ, ସୁରକ୍ଷିତ ବାସସ୍ଥାନ ମିଳିବା କଷ୍ଟକର ହୋଇପଡୁଛି । ଅତ୍ୟଧିକ ବର୍ଷା ଓ ବନ୍ୟା, ଅନାବୃଷ୍ଟି, ଝଡତୋଫାନ, ଗ୍ରୀଷ୍ମପ୍ରବାହ ଯୋଗୁଁ ପ୍ରତିବର୍ଷ ଲକ୍ଷଲକ୍ଷ ଜୀବଜନ୍ତୁ ମୃତୁମୁଖରେ ପଡୁଛନ୍ତି ।
ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ସମଗ୍ର ଜଗତ୍ ଉପରେ ନକାରାତ୍ମକ ପ୍ରଭାବ ପଡୁଛି । କେବଳ ମାନବଜାତି ପ୍ରଭାବିତ ହେଉନାହାଁନ୍ତି – ଜୀବଜନ୍ତୁଙ୍କ ଉପରେ ପ୍ରଭାବ ପଡୁଛି । ଅତ୍ୟଧିକ ତାପମାତ୍ରା ଯୋଗୁଁ ଅନେକ କୀଟପତଙ୍ଗ, ପଶୁପକ୍ଷୀ ମରିଯାଉଛନ୍ତି । ପୋଖରୀ, ନଈ, ସମୁଦ୍ରରେ ଜଳଚର, ମାଛମାନେ ମରି ଭାସୁଛନ୍ତି । ଭୌଗୋଳିକ କ୍ଷେତ୍ର ଓ ବିଭିନ୍ନ ପ୍ରଜାତିଙ୍କ ଠାରେ ଆକାର ପରିବର୍ତ୍ତନ ଘଟିବାରେ ଲାଗିଛି । ପାଖାପାଖି ୧୦ଲକ୍ଷ ପ୍ରଜାତି ବିଲୁପ୍ତ ହେବାର ଆଶଙ୍କା ପ୍ରକାଶ ପାଇଲାଣି । ଆଉ କୋଇଲିର ଦେଖାନାହିଁ । କୁହୁକୁହୁ ଗୀତ ଗାଉନି । ଭଦଭଦଳିଆ ପକ୍ଷୀ ବିଲୁପ୍ତିର ପଥେ - ବିରଳ ହେବାକୁ ଯାଉଛି ପ୍ରଜାପତିର ଚିତ୍ରିତ କଳେବର । ‘ଘରଚଟିଆ’ କୁଆଡେ ବୁଲୁଛନ୍ତି – ତାଙ୍କର ଦେଖାନାହିଁ । ସାମୁଦ୍ରିକ କଇଁଛ, ଅତ୍ୟଧିକ ଥଣ୍ଡାରେ ବାସକରୁଥିବା ‘ମେରୁଭାଲୁ’ ଗରମ ସହ୍ୟ କରିନପାରି ମରମର ଅବସ୍ଥାରେ ।
ଜଳବାୟୁ ପରିବର୍ତ୍ତନ ପାଇଁ ଚୀନ୍ ବହୁଳାଂଶରେ ଦାୟୀ । ଚାଇନା କମ୍ୟୁନିଷ୍ଟ ପାର୍ଟି ସମାଜବାଦ ରାସ୍ତାରୁ ହଟି ସଂଶୋଧନବାଦ, ପୁଞ୍ଜିବାଦ ରାସ୍ତାରେ ଜିଦିଆ ସର୍ବୋଚ୍ଚନେତା ଡେଙ୍ଗ-ସିଆଙ୍ଗଫି ୪୦ବର୍ଷ ପୂର୍ବରୁ ସମୁଦ୍ରରେ ନୂଆ ବିରାଟ ପାଚେରି ସୃଷ୍ଟିକରି ମହାଧନୀ ହେବାକୁ କାର୍ଯ୍ୟ କଲେ । ସଂପତ୍ତି ବୃଦ୍ଧିର ନିଶା ଯେ ଭବିଷ୍ୟତରେ ଧ୍ୱଂସଆଡକୁ ଗତି କରିବ – ସେ କଥା ନେତାମାନେ ମନକୁ ହେଜିନଥିଲେ । ସମୁଦ୍ରପତନ ବୃଦ୍ଧି ହେଲେ ସବୁକିଛି ବୁଡ଼ିଯିବ - ଯାହାକି ୨୦୫୦ବେଳକୁ ହେବାକୁ ଯାଉଛି ବୋଲି ବୈଜ୍ଞାନିକମାନେ ସତର୍କ କରାଇଦେଲେଣି । ଚୀନବାସୀ ଝଡତୋଫାନ୍, ବନ୍ୟାରେ ବୁଡିଯିବେ । ଚୀନ୍ର ପଶ୍ଚିମରୁ ଦକ୍ଷିଣ-ପୂର୍ବଆଡକୁ ତୋଫାନ୍ ମାଡିଆସିବ । ଡେଙ୍ଗଙ୍କ ଦୂରଦୃଷ୍ଟିବିହୀନ କାର୍ଯ୍ୟକଳାପ ପାଇଁ ଚାଇନାବାସୀ – ଏପରିକି ବିଶ୍ୱବାସୀଙ୍କୁ ମୂଲ୍ୟ ଦେବାକୁ ପଡୁଛି । ଚାଇନାର ବନ୍ୟାରେ ହଜାରହଜାର ଜନଜୀବନ-ଧନସଂପତି ଛାରଖାର ହୋଇଯାଉଛି । କେବଳ ଚୀନ୍ ନୁହେଁ, ବିଭିନ୍ନ ଦେଶରେ ପ୍ରଳୟଙ୍କାରୀ ବନ୍ୟାର ପ୍ରକୋପ ଦେଖାଦେଉଛି । ଚାଇନାର ‘ନୀଳସାଗର’ ସେ ଦେଶପାଇଁ ଆଗକୁ ବିପଦକୁ ଡାକିଆଣୁଛି । ସଂପ୍ରତି ଜି-ଜିନ୍ପିଙ୍ଗ୍ ଯୁଗରେ ବହୁ ଗଣତାନ୍ତ୍ରିକ ଦେଶ ବିମୁଖ । ଚୀନ ୟୁକ୍ରେନ୍ ଯୁଦ୍ଧରେ ରୁଷ ପକ୍ଷରେ ଅଛି । ବର୍ତ୍ତମାନ ସମଗ୍ରବିଶ୍ୱରେ ଚାଇନା ତା’ର ଉତ୍ପାଦିତ ଦ୍ରବ୍ୟକୁ ଶସ୍ତାରେ ବିକ୍ରି କରୁଛି - ଯାହାଫଳରେ ଅନ୍ୟ କେତେକ ଦେଶ ଚୀନ୍ ବିରୁଦ୍ଧରେ ଯାଇପାରୁନାହାଁନ୍ତି କି ନିଜେ ପ୍ରୟୋଜନୀୟ ସାମଗ୍ରୀ ଉତ୍ପାଦନ କରିପାରୁନାହାଁନ୍ତି । ଫଳରେ ଚାଇନା ସାମଗ୍ରୀ ଉପରେ ନିର୍ଭରଶୀଳ । ବ୍ରିଟିଶ୍ ଭଳି ଚୀନ୍ ନେତୃତ୍ୱ ବର୍ତ୍ତମାନ ବିଭେଦନୀତି ଆପଣାଇ ଶାସନ କରୁଛି । ଆମେରିକାକୁ ପଛରେ ପକାଇ ଚୀନ୍ ଆଗେଇଯାଉଛି । ବିଶ୍ୱଜଳବାୟୁ ସଂସ୍ଥାକୁ କିଂବା କୌଣସି ବିଶ୍ୱସଂସ୍ଥାକୁ ଖାତିରିନାହିଁ । ଏହି ଜି-ଜିନ୍ପିଙ୍ଗ ବିଶ୍ୱଧ୍ୱଂସର ଜଣେ କାଣ୍ଡାରି ଭାବେ ଇତିହାସରେ ନାଁ ରଖିଦେଇଯିବେ । (କ୍ରମଶଃ)
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩