ସୁନୀତାଙ୍କ ପ୍ରତ୍ୟାବର୍ତ୍ତନ

ଉମେଶ ଚନ୍ଦ୍ର ପାତ୍ର : ଦୀର୍ଘ ନଅ ମାସରୁ ଅଧିକ ସମୟ ଧରି ମହାକାଶରେ ଅଟକି ରହିଥିବା ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନିତା ୱିଲିୟମସ୍ ଓ ବୁଚ୍ ୱିଲମୋର ଫେରିଛନ୍ତି । ତେବେ ମହାକାଶରେ ଲମ୍ବା ସମୟ ବିତାଇବା ପରେ ସୁନିତା ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ପୃଥିବୀରେ ମଧ୍ୟ ତାଙ୍କୁ ଅନେକ ଶାରୀରିକ ଓ ମାନସିକ ସମସ୍ୟା ସାମ୍ନା କରିବାକୁ ପଡ଼ିବ । ସୂକ୍ଷ୍ମ ମାଧ୍ୟାକର୍ଷଣ ପରିବେଶରେ ଦୀର୍ଘ ସମୟ ରହିବା ଦ୍ୱାରା ମାଂସପେଶୀ ଓ ହାଡ଼ ଉପରେ ଏହାର ପ୍ରଭାବ ପଡ଼େ । ପିଠିର ତଳ ଅଂଶ, ଗୋଡ଼ ଓ ମାଂସପେଶୀରେ ଶକ୍ତି ଓ ଘନତ୍ୱ କମିଯାଏ ଯାହାଦ୍ୱାରା ଫ୍ୟାକଚର ଆଶଙ୍କା ବଢ଼େ । ତେଣୁ ସୁନିତା ଠିଆ ହେବା ଚାଲିବାରେ ସନ୍ତୁଳନ ରକ୍ଷା କରିବାରେ ସମସ୍ୟାକୁ ସାମ୍ନା କରିପାରିନ୍ତି । ମହାକାଶରେ ହୃତପିଣ୍ଡକୁ ଅଧିକ ପରିଶ୍ରମ କରିବାକୁ ପଡ଼େ ନାହିଁ ଏହାଦ୍ୱାରା ମାଂସପେଶୀର କ୍ଷତି ହୋଇପାରେ । ସୂକ୍ଷ୍ମ ମାଧ୍ୟାକର୍ଷଣରେ ହୃତପିଣ୍ଡ ନିଜର ଆକାର ବଦଳାଇ ପାରେ ତେଣୁ ପୃଥିବୀକୁ ଫେରିବା ପରେ ମହାକାଶଚାରୀ ସୁନିତାଙ୍କ ହୃଦ ସମ୍ବନ୍ଧୀୟ ସମସ୍ୟା ହୋଇପାରେ । ସେହିପରି ମହାକାଶରେ ଲମ୍ବା ସମୟ ରହିବା ଦ୍ୱାରା ଦୃଷ୍ଟି ଶକ୍ତି ପ୍ରଭାବିତ ହୋଇପାରେ କାରଣ ମୁଣ୍ଡରେ ଚାପ ବଢ଼ିବା ଯୋଗୁଁ ଅପ୍ଟିକ ନର୍ଭ ଉପରେ ପ୍ରଭାବ ପଡ଼େ । କିଛି ମହାକାଶଚାରୀଙ୍କୁ ଧୂଅାଁଳିଆ ଦିଶେ । ଦୀର୍ଘ ସମୟ ଧରି ଏକୁଟିଆ ରହିବା ଯୋଗୁଁ ମାନସିକ ଚାପ, ଚିନ୍ତା ଓ ଅବସାଦର ଶିକାର ମଧ୍ୟ ସେମାନେ ହୋଇପାରନ୍ତି । ମହାକାଶରେ ଉଚ୍ଚଶକ୍ତି ସମ୍ପନ୍ନ ବିକିରଣର ସାମ୍ନା କରିବାକୁ ପଡ଼େ ଯାହା ପୃଥିବୀରେ ପ୍ରତିଦିନ ଛାତିର ଗୋଟିଏ ଏକ୍ସରେ ସହ ସମାନ ଅର୍ଥାତ୍ ନଅ ମାସରେ ସୁନିତା ପ୍ରାୟ ଦୁଇଶହ ସତୁରି ଏକ୍ସେରେ ସମାନ ବିକିରଣ ସାମ୍ନା କରିଛନ୍ତି । ଦୀର୍ଘ ସମୟ ବିକିରଣ ସଂସ୍ପର୍ଶରେ ରହିବା ଯୋଗୁଁ ପ୍ରତିରକ୍ଷା ପ୍ରଣାଳୀ ଦୁର୍ବଳ ହୁଏ । ଫଳରେ ଶରୀରରେ ସଂକ୍ରମଣର ଶିକାର ଆଶଙ୍କା ବଢ଼ିଥାଏ । ଶରୀରରେ ଘାଆ ହେଲେ ଶୁଖିବାକୁ ବହୁତ ସମୟ ଲାଗେ । ଏଥି ସହିତ ହୃତପିଣ୍ଡ ଓ କର୍କଟ ଆଶଙ୍କା ମଧ୍ୟ ବଢ଼େ । ପାଚନ ପ୍ରକ୍ରିୟା ଓ ଲିଭର ମଧ୍ୟ ପ୍ରଭାବିତ ହୋଇଥାଏ । ଯାହାଫଳରେ କିଛି ଦିନ ଧରି ସେ ଭୋକ ତାଙ୍କର ନହୋଇପାରେ । ମହାକାଶରେ ଶରୀରର ତରଳ ପଦାର୍ଥ ସ୍ଥାନାନ୍ତରିତ ହେବା ଦ୍ୱାରା ସନ୍ତୁଳନ ଓ ରକ୍ତ ପ୍ରବାହ ଉପରେ ପ୍ରଭାବ ପଡ଼େ । ମହାକାଯାତ୍ରୀଙ୍କୁ ପୃଥିବୀରେ ମୁଣ୍ଡ ବୁଲାଇବା, ରକ୍ତଚାପ କମ ବେଶୀ ଏବଂ ଠିଆ ହେବାରେ ସମସ୍ୟା ହୋଇପାରେ । ତେବେ ପରବର୍ତ୍ତୀ ସମୟରେ ସେ ସାମୟିକ ଉପଶମ ପାଇପାରନ୍ତି ।  ଆମ ମହାକାଶ ବା ଅନ୍ତରୀକ୍ଷକୁ ନେଇ ଅନେକ କଥା ସବୁ ଶୁଣିବାକୁ ମିଳେ । କିଛି ଦିନ ତଳେ ଚନ୍ଦ୍ର ପୃଷ୍ଠରେ ଜାଗା କିଣାକୁ ନେଇ ଅନେକ ରୋଚକ ଘଟଣା ସବୁ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଦିନକୁ ଦିନ ସୂଚନା ପ୍ରଯୁକ୍ତିର ଅନେକ ବିକାଶ ଓ ପ୍ରଗତି ହୋଇଥିବା ସତ୍ତ୍ୱେ ମହାକାଶକୁ ନେଇ ଅନେକ କୌତୁହଳ, ଉତ୍ସୁକତା ଅନେକଙ୍କ ଭିତରେ ଥାଏ । ଯେପରି ମହାକାଶଟି ବାସ୍ତବରେ କିପରି? ସେ ସ୍ଥାନ ଆମ ପାଇଁ କେଉଁଭଳି ରହଣଯୋଗ୍ୟ, ସେଠାରେ ଅନ୍ୟ କେଉଁମାନଙ୍କୁ ଜଣେ ଦେଖିବାକୁ ପାଇବ? ସେଠାରେ ଅନ୍ୟ ଦେଖିବା ଜିନିଷ କ'ଣ କ'ଣ ସବୁ ରହିଛି? କିଛି ଏହିପରି । ତେବେ ମୂଳ କଥା ହେଉଛି ବାସ୍ତବରେ ମହାକାଶଚାରୀମାନେ ମହାକାଶକୁ ବିଭିନ୍ନ ପ୍ରକାର ଗବେଷଣା ପାଇଁ ଯାଇଥାନ୍ତି । ମହାକାଶଚାରୀମାନେ ପୃଥିବୀ ପୃଷ୍ଠରୁ ବହୁ ଦୂରରେ ଭିନ୍ନ ଏକ ପରିବେଶରେ ରହିଥାନ୍ତି । ଏହି ସମୟରେ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଅଧିକ ପ୍ରଭାବ ପଡ଼ିଥାଏ । ତେବେ ମହାକାଶରେ ସ୍ୱାସ୍ଥ୍ୟ ବିଗିଡିଗଲେ, କେମିତି ଚିକିତ୍ସା କରାଯାଏ ସେଠାରେ କ'ଣ ଡାକ୍ତର ଥାଆନ୍ତି, ଏହା ଜାଣିବାକୁ ସମସ୍ତେ ଆଗ୍ରହ ପ୍ରକାଶ କରନ୍ତି । ବାସ୍ତବ କଥା ହେଉଛି ମହାକାଶ, ବାତାବରଣ ପୃଥିବୀ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏହାବାଦ ମହାକାଶରେ ବିକିରଣ ସ୍ତର ଅଧିକ ଥିବାରୁ ଏଠାରେ କର୍କଟ ହେବାର ଆଶଙ୍କା ଅଧିକ ରହିଥାଏ । ସେହିପରି ମହାକାଶରେ ଖାଦ୍ୟପେୟ ଶୈଳୀ ପୃଥିବୀ ପୃଷ୍ଠ ଠାରୁ ଭିନ୍ନ ହୋଇଥିବାରୁ ପାଚନଜନିତ ସମସ୍ୟା ଦେଖାଯାଇଥାଏ ।
ପୃଥିବୀ ପୃଷ୍ଠରୁ ମହାକାଶରେ ମହାକାଶଚାରୀଙ୍କୁ ଏକାକୀ ରହିବାକୁ ପଡ଼ିଥାଏ । ଏକାକୀପଣରୁ ମାନସିକ ଚିନ୍ତା ବୃଦ୍ଧି ପାଇଥାଏ । ସେହିପରି ମହାକାଶଚାରୀ ଯାତ୍ରା ସାରି ଫେରିବା ପରେ ପ୍ରାୟତଃ ରକ୍ତହୀନତାର ଶିକାର ହୋଇଥାନ୍ତି । ଯଦିଓ ମହାକାଶରେ ଆମ ପୃଥିବୀ ପୃଷ୍ଠ ପରି ଡାକ୍ତର ନଥାନ୍ତି, ହେଲେ ଏଠାରେ ମହାକାଶଚାରୀଙ୍କ ଚିକିତ୍ସା ପାଇଁ ବଭିନ୍ନ ପ୍ରକାର ଚିକିତ୍ସା ଉପକରଣ ମହଜୁଦ ରହିଥାଏ । ଯଦ୍ୱାରା ଜଣେ ନିଜର ଛୋଟମୋଟ ରୋଗର ନିରାକରଣ କରିପାରିବେ ।   ଯାତ୍ରା ସମୟରେ ସେମାନଙ୍କୁ କିଛି ଔଷଧ ଏବଂ ଭିଟାମିନ ବଟିକା ମଧ୍ୟ ଦିଆଯାଇଥାଏ । ବେଳବେଳେ ଡାକ୍ତରଙ୍କୁ ମହାକାଶକୁ ଯାତ୍ରୀ ରୂପେ ପଠାଯାଇଥାଏ । ଉଦାହରଣ ସ୍ୱରୂପ ନାସାର କିଛି ମିଶନରେ ଡାକ୍ତର ମହାକାଶକୁ ଯାତ୍ରା କରିଥିବା ଦେଖିବାକୁ ମିଳିଥିଲା । ତେବେ ମହାକାଶର ବାସ୍ତବ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ଆମେ ଯାହା ସୂଚୀତ କଲୁ ତାହା ତଥ୍ୟଭିତ୍ତିକ ଓ ମହାକାଶ ସମ୍ବନ୍ଧୀୟ ସୂଚନାରୁ ସଂଗୃହୀତ ତଥ୍ୟରୁ ଜାଣିବାକୁ ପାଇଥିଲୁ । ତେବେ ସୋସିଆଲ ମିଡ଼ିଆରେ କିନ୍ତୁ ଏହି ଚିକିତ୍ସା ବ୍ୟବସ୍ଥା ନେଇ ଅନେକ ଗୁଜବ ଓ ମିଥ୍ୟା ତଥ୍ୟ ପ୍ରଚାର ପ୍ରସାର ହୋଇଥାଏ । ସେଗୁଡ଼ିକୁ ବିଶ୍ୱାସ କରିବା ଉଚିତ ନୁହେଁ । 
ଋ-ଜ୍ଞବସକ୍ଷ :ୟକ୍ସଙ୍କଜ୍ଞରଗ୍ଦଷମଷବଦ୍ଭୟକ୍ସବ୧୨୩କ୍ଟ୍ରବଗ୍ଧକ୍ସବଅଶଜ୍ଞବସକ୍ଷ.ମକ୍ଟଜ୍ଞ