ନିଦ୍ରାସୁର ନିନ୍ଦାଭୂତ
ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅବତାରଣାରେ ନିଦାସୁର ଓ ନିନ୍ଦାଭୂତଙ୍କ କଥା । ଆପଣ ଏ ଦିହେଁଙ୍କ ଗୁଣ ଆଉ ଖୁଣକୁ ଆଜି ଜାଣନ୍ତୁ ।
ମଣିଷର ଜୈବିକ ଗୁଣ ହେଉଛି ନିଦ୍ରା । ନିଦ୍ରାକୁ କେହି ସମ୍ପୂର୍ଣ୍ଣ ପରିତ୍ୟାଗ କରିପାରିବେ ନାହିଁ । କାରଣ ନିଦ୍ରା ହେଉଛି ଶ୍ରମ ଜନିତ କଷ୍ଟର ଲାଘବ ପାଇଁ ମହୋଷଧି । ଶାରୀରିକ ଶ୍ରମକୁ ନେଇ ଆବଶ୍ୟକ ପରିମାଣରେ ନିଦ୍ରା ନଗଲେ ତାହା ଶରୀରର କ୍ଷତି କରେ । ହେଲେ ଏହାର ଅର୍ଥ ନୁହେଁ ଯେ ଜଣେ ଅତିମାତ୍ରାରେ ନିଦ୍ରାଳୁ ହୋଇଯିବ, କୁମ୍ଭକର୍ଣ୍ଣ ହେଇଯିବ । ମଣିଷକୁ ନିଦ୍ରାସୁର ଘାରି ହେଲେ ଧ୍ୱଂସ କରିଦେବ ।
ମନୁଷ୍ୟକୁ କର୍ମ କରିବା ପାଇଁ ପଡ଼ିବ । ପ୍ରତ୍ୟେକ କର୍ମ ପରେ ତା'ର କ୍ଳାନ୍ତିର ବିନୋଦନ ଆବଶ୍ୟକ । ତେବେ ଆବଶ୍ୟକତା ଠାରୁ ଅଧିକ ନିଦ୍ରା ହେଉଛି ମଣିଷର ଶତ୍ରୁ । ଆପଣ ଯଦି କିଛି ସଫଳ ବ୍ୟକ୍ତିଙ୍କ ଦିନଚର୍ଯ୍ୟାକୁ ଲକ୍ଷ୍ୟ କରିବେ ତେବେ ଜାଣିପାରିବେ ଯେ ସେମାନେ କେତେ ପରିଶ୍ରମୀ ଏବଂ ନିଦ୍ରାବିମୁଖ । ନହେଲେ ସେମାନେ ଜୀବନରେ ସଫଳ କଦାପି ମଧ୍ୟ ହୋଇପାରନ୍ତେ ନାହିଁ ।
ଠିକ୍ ସେହିପରି ନିନ୍ଦାକୁ ମଧ୍ୟ ନିଜ ନିୟନ୍ତ୍ରଣ ଭିତରେ ରଖିବାକୁ ପଡ଼େ । ଏଭଳି ଅନେକ ଲୋକ ରହିଛନ୍ତି ଯେଉଁମାନେ ସ୍ୱଭାବତଃ ପରନିନ୍ଦୁକ । କାହାରି ବିଷୟରେ କିଛି ଏକ କୁତ୍ସାରଟନା ନକରିଲେ ସେମାନଙ୍କୁ ଭଲ ଲାଗେ ନାହିଁ । ତେଣୁ କାରଣ ଥାଉ କି ନଥାଉ କୁତ୍ସାରଟନା ହେଉଛି ଖଳ ପ୍ରକୃତିର ଲୋକମାନଙ୍କର ଏକ ସ୍ୱଭାବ । ଏଥିରୁ କାହାରିକୁ କିଛି ମିଳେ ନାହିଁ, ମାତ୍ର ଏଭଳି କାର୍ଯ୍ୟ କରିବାରେ ଅନେକ ଲୋକ ଆନନ୍ଦିତ ହୁଅନ୍ତି । କେବଳ ଆତ୍ମସନ୍ତୁଷ୍ଟି ପାଇଁ ଲୋକେ ପରନନ୍ଦା ହିଁ କରନ୍ତି । ଏମାନଙ୍କୁ ଆମେ ନିନ୍ଦାଭୂତ ବୋଲି କହିପାରିବା । ପରନିନ୍ଦା ଏବଂ ପରଚର୍ଚ୍ଚା-ଏ ଦୁଇଟି ହେଉଛି ଏ ନିକ୍କମା ଭୂତଙ୍କର ଆତ୍ମ ସନ୍ତୁଷ୍ଟି ମହାମନ୍ତ୍ର । ଅନ୍ୟପକ୍ଷରେ ଯେଉଁ ବ୍ୟକ୍ତିର ନିନ୍ଦା କରାଯାଏ, ତା'ର ଏଥିରେ କିଛି ବି କ୍ଷତି ହୁଏ ନାହିଁ । ସାମାଜିକ ଭାବରେ ନିନ୍ଦିତ କରିବା ପାଇଁ ଭାବୁଥିବା ଲୋକଟି ଶେଷରେ ଦେଖେ ଯେ ଜଣଙ୍କର ଯେତେ ନିନ୍ଦା କରିଲେ ମଧ୍ୟ ସେସବୁର କୌଣସି ପ୍ରଭାବ ସେହି ବ୍ୟକ୍ତି ଉପରେ ପଡ଼େ ନାହିଁ । ପରନିନ୍ଦା, ପରଚର୍ଚ୍ଚା ଏଭଳି ଏକ କାର୍ଯ୍ୟ ଯେଉଁଥିରେ କି ଏସବୁ କରୁଥିବା ବ୍ୟକ୍ତି ହିଁ ଶେଷରେ ଅନ୍ୟମାନଙ୍କ ଦ୍ୱାରା ନିନ୍ଦିତ ହୋଇଥାଏ । କାରଣ ଯାହା ନାମରେ ନିନ୍ଦାରଟନା କରାଯାଏ ସେହି ବ୍ୟକ୍ତିର କିଛି କ୍ଷତି ହୁଏନାହିଁ; ବରଂ ନିନ୍ଦା ରଟନା କରୁଥିବା ବ୍ୟକ୍ତି ଅନ୍ୟମାନଙ୍କ ଆଖିରେ ନିନ୍ଦିତ ହୁଏ ।
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ "ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।