ବ୍ୟୟ କରିବାର ପ୍ରବୃତ୍ତି ବଢିଛି

ଗୋପାଳ ମହାପାତ୍ର :
ଗ୍ଲୋବାଲ ଫାଇନାନ୍ସ ମାଗାଜିନରେ ସଦ୍ୟ ପ୍ରକାଶିତ ବିଶ୍ୱର ୧୯୦ ଦେଶରେ ଗରିବ ଲୋକଙ୍କ ଉପରେ ପର୍ଯ୍ୟବେଶିତ ରିପୋର୍ଟରେ ଭାରତର ସ୍ଥାନ ୬୨ରେ ରହିଛି । ଅର୍ଥାତ ବିଶ୍ୱର ୬୨ ନମ୍ବରର ଗରିବ ଦେଶ ହେଉଛି ଭାରତ । ଏହି ଆକଳନ ପ୍ରତିବ୍ୟକ୍ତିର ଜିଡିପି-ପିପିପି (କ୍ରୟ ଶକ୍ତି କ୍ଷମତା) ଆଧାରରେ କରାଯାଇଛି । ରିପୋର୍ଟରେ ଉଲ୍ଲେଖ କରାଯାଇଛି ଭାରତର ପ୍ରତି ବ୍ୟକ୍ତିଙ୍କ ଜିଡିପି-ପିପିପି ୧୦୧୨୩ ଡଲାର । ବିଶ୍ୱର ସବୁଠାରୁ ଗରୀବ ଦେଶ ଦକ୍ଷିଣ ସୁଦାନରେ ପ୍ରତି ବ୍ୟକ୍ତିର ବାର୍ଷିକ ଜିଡିପି-ପିପିପି ୪୫୫ ଡଲାର । ଏହାର ବିପରିତ ବିଶ୍ୱର ସବୁଠାରୁ ଧନୀ ଦେଶ ଲକଜମବର୍ଗରେ ପ୍ରତି ବ୍ୟକ୍ତିର ବାର୍ଷିକ ଜିଡିପି-ପିପିପି ୧୪୩୭୪୩ ଡଲାର । କିନ୍ତୁ ଏସବୁ ତଥ୍ୟରୁ ଭାରତର ବାସ୍ତବିକ ଅର୍ଥବ୍ୟବସ୍ଥା ଏବଂ ଆମର ଆର୍ଥିକ ଶକ୍ତିକୁ ବୁଝିବା ମୁସ୍କିଲ୍ । କାରଣ ବିରୋଧଭାଷ ହେଉଛି ଭାରତ ବିଶ୍ୱର ୫ମ ବୃହତ୍ ଆର୍ଥôକ ବ୍ୟବସ୍ଥା ଏବଂ ସରକାର କ୍ରମାଗତ ଭାବେ କହୁଛନ୍ତି ଯେ ୨୦୨୯ ସୁଦ୍ଧା ଭାରତ ବିଶ୍ୱର ୩ୟ ବୃହତ ଅର୍ଥ ବ୍ୟବସ୍ଥାରେ ପରିଣତ ହେବ । ଏଣୁ ଯଦି ଭାରତର ଅର୍ଥବ୍ୟବସ୍ଥାକୁ ନେଇ ଭିନ୍ନ ଭିନ୍ନ ଲୋକ/ ସଂସ୍ଥା ଭିନ୍ନ ଭିନ୍ନ କଥା କହନ୍ତି ତେବେ ଏହା ମଧ୍ୟ ସତ୍ୟ ହୋଇପାରେ । ଏକଥା ବିଶ୍ୱାସ କରାଯିବାର କାରଣ ହେଉଛି ଭାରତୀୟ ଅର୍ଥ ବ୍ୟବସ୍ଥା ଭାରତର ସମାଜ ବ୍ୟବସ୍ଥା ଭଳି ଏତେ ଅଧିକ ବିବିଧତାରେ ଭରପୁର ଯେ ସମଗ୍ରତାରେ ଏ ପ୍ରସଙ୍ଗରେ କିଏ ଠିକ୍ କହୁଛି କିଏ ଭୁଲ କହୁଛି ସେକଥା ଜାଣିବା ମଧ୍ୟ ସହଜ ନୁହେଁ । ଗୋଟିଏ ପଟେ ଭାରତର ୧୦ ପ୍ରତିଶତ ଲୋକ ଧନକୁବେର ଭାବେ ଜଣାଶୁଣା । ଅନ୍ୟପଟେ ୬୫ ପ୍ରତିଶତ ଲୋକ ବିଶ୍ୱର ସବୁଠାରୁ ଗରିବ ଲୋକଙ୍କ ସହ ସମାନ । ଦେଶରେ ଏତେ ସଂଖ୍ୟକ ଗରିବ ଲୋକ ଥିବାରୁ ହିଁ କେନ୍ଦ୍ର ସରକାର ଦେଶର ୮୦ କୋଟି ଲୋକଙ୍କୁ ପ୍ରତି ମାସରେ ୫ କେଜି ଗହମ/ ଚାଉଳ ଦେଉଛନ୍ତି । ଅନ୍ୟ ଏକ ବିରୋଧଭାଷ ବାବଦରେ ମଧ୍ୟ ବିଚାର କରାଯିବା ଆବଶ୍ୟକ । ବର୍ତ୍ତମାନ ସାରା ଦେଶର ବାର୍ଷିକ ଉପଭୋକ୍ତା କ୍ରୟଶକ୍ତି ୧.୫ ଟ୍ରିଲିୟନ ଆମେରିକା ଡଲାର । ଏହି ଉପଭୋକ୍ତା କ୍ରୟଶକ୍ତି ୨୦୩୦ ସୁଦ୍ଧା ବୃଦ୍ଧିପାଇ ୬ ଟ୍ରିଲିୟନ ଆମେରିକୀୟ ଡଲାର ହେବ ବୋଲି ଆକଳନ କରାଯାଉଛି । ଭାରତରେ ଏତେ ଅଧିକ ଆର୍ଥିକ କ୍ୟାଟୋଗୋରିର ଲୋକ ରହୁଛନ୍ତି ଯେ ଯଦି ଆପଣଙ୍କ ପାଖରେ ଭାରତୀୟ ସମାଜର ବିବିଧତାରେ ଭରପୁର ପୃଠଭୂମିକୁ ଦେଖିବର ଦୃଷ୍ଟିକୋଣ ନଥିବ ତେବେ ଭାରତକୁ ଆର୍ଥିକ ଭିନ୍ନତାକୁ ବୁଝିବା ସମ୍ଭବ ନୁହେଁ । ୨୦୨୩ରେ ଭାରତକୁ ସବୁଠାରୁ ଅଧିକ ବେରୋଜଗାରୀଙ୍କ ଦେଶ ବୋଲି କୁହାଯାଇଥିଲା । ଅନ୍ୟପକ୍ଷରେ ଉପଭୋକ୍ତା ବ୍ୟୟ ବା ଖର୍ଚ୍ଚର ତଥ୍ୟ ସୂଚାଇ ଦିଏ ଯେ ୨୦୨୩ରେ ଉପଭୋକ୍ତାମାନେ ୫.୪ ଟ୍ରିଲିୟନରୁ ଅଧିକ ଟଙ୍କା ବ୍ୟୟ କରିଛନ୍ତି । ଏହି ସମୟରେ ଉପଭୋକ୍ତାମାନେ ବିସ୍କୁଟ, ସାବୁନ, ଶାମ୍ପୋ, ଟୁଥପେଷ୍ଟ, ଜାମ ଭଳି ଜିନିଷ ଅଧିକ ଭାବେ କ୍ରୟ କରିଛନ୍ତି । ୨୦୧୯ରେ ଉପଭୋକ୍ତାମାନେ ଏସବୁ ଜିନିଷ ଯେତକିିି କ୍ରୟ କରିଥିଲେ ୨୦୨୩ରେ ତାଠାରୁ ୪୫ ପ୍ରତିଶତ ଅଧିକ ଏଭଳି ଜିନିଷ କ୍ରୟ କରିଛନ୍ତି ।
ବିଶ୍ୱ ଆର୍ଥିକ ମଞ୍ଚର ଏକ ରିପୋର୍ଟ ଅନୁସାରେ ଭାରତରେ ମଧ୍ୟମ ବର୍ଗର ଲୋକଙ୍କ ସଂଖ୍ୟା ବଢିଛି ଏବଂ ଏମାନଙ୍କ କ୍ରୟଶକ୍ତି ମଧ୍ୟ ବଢିଛି । ଲୋକଙ୍କ କ୍ରୟଶକ୍ତି ବଢିବା କାରଣରୁ ୨୦୨୧ରେ ଭାରତର ଯେଉଁ ଉପଭୋକ୍ତା ବଜାର ୧.୫ ଟି୍ରଲିୟନ ଡଲାର ଥିଲା ୨୦୩୦ରେ ଏହ ୬ ଟି୍ରଲିୟନ ଡଲାରରେ ପହଞ୍ଚିବ ବୋଲି ଆକଳନ କରାଯାଇଛି । କିନ୍ତୁ ଅଧିକାଂଶ ଭାରତୀୟ ନିଜର ଆର୍ଥôକ ସ୍ଥିତିକୁ ନେଇ ଚିନ୍ତାରେ ଥିବାରୁ ଦେଖିବାକୁ ମିଳେ । ଭାରତର ଲୋକେ ଘରୋଇ ଉପଯୋଗ ପାଇଁ ବିଶ୍ୱର ଅନ୍ୟ ଦେଶର ଲୋକଙ୍କ ଅପେକ୍ଷା ଅଧିକ ସୁନା କିଣିଥାନ୍ତି । ଭାରତରେ ବିବାହ ଅବସରରେ ସୁନାର ବ୍ୟବହାର ବଢିବାରେ ଲାଗିଛି । ମଜାଦାର କଥା ହେଉଛି ବିବାହ ଭଳି ଉତ୍ସବରେ ଲୋକେ ଖୁସିରେ ମନଇଛା ଖର୍ଚ୍ଚ କରିଥାନ୍ତି । ୨୦୧୧ ରୁ ୨୦୨୨ ମଧ୍ୟରେ ଭାରତୀୟ ମାନଙ୍କର ଜୀବନ ଜିଇଁବାର ପ୍ରକ୍ରିୟା ବଦଳିଛି ଓ ସଞ୍ଚୟ ପରିବର୍ତ୍ତେ ବ୍ୟୟ ମୁଖ୍ୟ ପ୍ରବୃତ୍ତିରେ ପରିଣତ ହେଉଛି । ଏବେ ଲୋକେ ଅଧିକ ବ୍ୟୟ କରି ନୁ୍ୟନତମ ସୁଖୀ ଜୀବନ ଜିଇବା ପାଇଁ ଚାହୁଁଛନ୍ତି । ଯେଉଁମାନଙ୍କ ପାଖରେ ଏଥିପାଇଁ ଅର୍ଥ ନାହିଁ ସେମାନେ ଋଣ କରି ବ୍ୟୟ କରୁଛନ୍ତି । ୨୦୨୨-୨୩ରେ ୫୪ ପ୍ରତିଶତ କ୍ରେଡିଟକାର୍ଡ଼ରେ ନିଆଯାଇଥିବା ଋଣ ବଢିଛି । ଏକଥା ସତ୍ୟ ଯେ ଅଧିକାଂଶ ଭାରତୀୟ ଗୃହ ଋଣ ନେଇଛନ୍ତି । ଗୋଟିଏ ବର୍ଷରେ ଏହି ୧୧.୮୮ ଲକ୍ଷ କୋଟି ଟଙ୍କାର ଗୃହଋଣ  ବିଭିନ୍ନ ବ୍ୟାଙ୍କମାନେ ଦେଇଛନ୍ତି । ଏଥିରୁ ସ୍ପଷ୍ଟ ଯେ ଭାରତୀୟ ଲୋକଙ୍କର ଋଣ ନେବାର ପ୍ରବୃତ୍ତି ମଧ୍ୟ ବଢିଛି । ଏସବୁ ତଥ୍ୟରୁ ସ୍ପଷ୍ଟ ଯେ ଯଦିଓ ଭାରତରେ ଗରିବ ଲୋକଙ୍କ ସଂଖ୍ୟା ଅଧିକ ବୋଲି କୁହାଯାଉଛି କିନ୍ତୁ ତଥ୍ୟ ମଧ୍ୟ ରହିଛି ଯେ ବିଶ୍ୱର ଅନ୍ୟ ଦେଶର ଲୋକମାନଙ୍କ ଅପେକ୍ଷା ଭାରତୀୟମାନଙ୍କର ଖର୍ଚ୍ଚ ମଧ୍ୟ ଅଧିକ । ସମୟ ଥିଲା ଯେତେବେଳେ ଭାରତ ଲୋକେ ସଞ୍ଚୟକୁ ଅଧିକ ଗୁରୁତ୍ୱ ଦେଉଥିଲେ କିନ୍ତୁ ବିଗତ ୫ ବଷୟର ତଥ୍ୟ ଅନୁସାରେ ଲୋକଙ୍କର ସଞ୍ଚୟ କରିବାର ପ୍ରବୃତ୍ତି କମିଛି । ଫିକ୍ସିଡ, ଡିପୋଜିଟ, ଶେୟାର ବଜାର, ମୁ୍ୟଚୁଆଲ ଫଣ୍ଡ ଆଦିରେ ଟଙ୍କା ଖଟାଇବାର ପ୍ରବୃତ୍ତି ଲୋକଙ୍କ କମିଛି ।