ନିଜ ଭୁଲ୍ ବୁଝିଲେ ମୋଇଜୁ


କିଛିମାସ ତଳେ ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୋଇଜୁ ଭାରତ ବିରୋଧୀ ମନ୍ତବ୍ୟ ଦେଇ ବିନା କାରଣରେ ଭାରତ ସହିତ ଶତ୍ରୁତା ଆଚରଣ ଭଳି ବ୍ୟବହାର ପ୍ରଦର୍ଶନ କରିଲେ । ବାସ୍ତବରେ ଏହା ଥିଲା ଭାରତ ଓ ମାଳଦ୍ୱୀପ ମଧ୍ୟରେ ଶତ୍ରୁଭାବ ସୃଷ୍ଟି କରିବା ପାଇଁ ଚୀନ୍ର ଏକ ଚାଲ୍ । 
ମାଳଦ୍ୱୀପକୁ ଭାରତରୁ ହିଁ ସର୍ବାଧିକ ପର୍ଯ୍ୟଟକ ଯାଇଥାନ୍ତି ଏବଂ ମାଳଦ୍ୱୀପର ମୁଖ୍ୟ ଆୟର ସ୍ରୋତ ହେଉଛି ପର୍ଯ୍ୟଟନ କ୍ଷେତ୍ର । ଭାରତ ମହାସାଗରରେ କ୍ଷୁଦ୍ର ଦ୍ୱୀପ ରାଷ୍ଟ୍ର ଗୁଡ଼ିକରେ ଜାହାଜ ଚଳାଚଳ ଏବଂ ପରିବହନ ଦୃଷ୍ଟିରୁ ବନ୍ଦର ଏବଂ ବିମାନବନ୍ଦର ରହିଥିବାରୁ କ୍ଷୁଦ୍ର ହେଲେ ମଧ୍ୟ ଏହି ଦ୍ୱୀପ ଗୁଡ଼ିକ ସମଗ୍ର ବିଶ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ । ବିମାନ ଗୁଡ଼ିକ ଦୀର୍ଘପଥ ଉଡ଼ାଣ କରିବା ସମୟରେ ବିସ୍ତୀର୍ଣ୍ଣ ମହାସାଗର ବକ୍ଷରେ ଇନ୍ଧନ ନେବା ପାଇଁ ବିମାନ ଘାଟି ଆବଶ୍ୟକ କରନ୍ତି । ସେଦୃଷ୍ଟିରୁ ମାଳଦ୍ୱୀପର ଗୁରୁତ୍ୱ ଯଥେଷ୍ଟ ଅଧିକ । ଏହି ଗୁରୁତ୍ୱକୁ ଉପଲବ୍ଧି କରି ଏଠାରେ ସାମରିକ ଘାଟି ପ୍ରତିଷ୍ଠା କରିବା ପାଇଁ ଚୀନ୍ ଦୀର୍ଘ ଦିନରୁ ଉଦ୍ୟମ କରି ଆସୁଥିଲା । କିନ୍ତୁ ଏହାର ସ୍ୱାର୍ଥ ପୂରଣ ନ ହେବାରୁ ଧୀରେ ଧୀରେ ମାଳଦ୍ୱୀପ ଠାରୁ ଦୂରେଇ ଯିବାକୁ ବସିଲା । ଏହାର ଫଳସ୍ୱରୂପ ମାଳଦ୍ୱୀପକୁ ପର୍ଯ୍ୟଟକଙ୍କ ସଂଖ୍ୟା କମିଯିବାରୁ ଅର୍ଥନୀତି ଗୁରୁତର ଭାବରେ ବାଧାପ୍ରାପ୍ତ ହେଲା । ଏହା ସତ୍ତ୍ୱେ ରାଷ୍ଟ୍ରପତି ମୋଇଜୁ ଚୀନ୍ର ଷଡ଼ଯନ୍ତ୍ରକୁ ବୁଝିନପାରି ଭାରତକୁ ଧମକ ଦେବା ଭଳି ଶବ୍ଦ ବ୍ୟବହାର କରିଲେ । ପରେ ସେ ସ୍ପଷ୍ଟ ଭାବରେ କହିଲେ ଯେ "ଆମ ଦେଶ କ୍ଷୁଦ୍ର ହୋଇପାରେ କିନ୍ତୁ କାହାରି ଆଗରେ ମୁଣ୍ଡ ନୁଆଁଇବ ନାହିଁ ।' 
ଏଣେ ଚୀନ୍ ଲୋକ ଦେଖାଣିଆ ଭାବରେ ମାଳଦ୍ୱୀପକୁ ପର୍ଯ୍ୟଟନ ଉଦେ୍ଦଶ୍ୟରେ ଅଧିକ ସଂଖ୍ୟାରେ ଆସିବା ପାଇଁ ତାର ନାଗରିକମାନଙ୍କୁ କହିଥିଲା । କିନ୍ତୁ ଚୀନ୍ ଠାରୁ ମାଳଦ୍ୱୀପର ଦୂରତାକୁ ଦେଖିଲେ ଏତେ ଦୂରର ପର୍ଯ୍ୟଟନସ୍ଥଳୀକୁ ଆସିବା ପାଇଁ ଚୀନ୍ ନାଗରିକମାନେ ଆଦୌ ଆଗ୍ରହୀ ନଥିଲେ । ଶେଷରେ ପରିସ୍ଥିତି ଏଭଳି ହେଲା ଯେ ମାଳଦ୍ୱୀପରେ ମୋଇଜୁଙ୍କ ବିରୁଦ୍ଧରେ ଶେଷକୁ ପରିସ୍ଥିତି ଅଣାୟତ୍ତ ହେବାରୁ ଏବେ ପୁଣିଥରେ ବନ୍ଧୁତାର ହାତ ବଢ଼ାଇ ଗତ ସପ୍ତାହରେ ନୂଆଦିଲ୍ଲୀ ଠାରେ ଆସି ପହଞ୍ଚିଲେ । ଏହି ଘଟଣା ଭାରତ ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ ଚୀନ୍ ପାଇଁ ତା' ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ । କାରଣ ମାଳଦ୍ୱୀପର ବନ୍ଦରକୁ ସାମିରକ ଘାଟିରେ ପରିଣତ କରି ଚୀନ୍ ଭାରତକୁ ଚାରି ଦିଗରୁ ଘେରିବାକୁ ଚେଷ୍ଟା କରୁଥିଲା । ଦକ୍ଷିଣ-ପୂର୍ବରେ ଶ୍ରୀଲଙ୍କା ଏବଂ ପଶ୍ଚିମରେ ମାଳଦ୍ୱୀପ ଚୀନ୍ର ନିୟନ୍ତ୍ରଣ ଭିତରକୁ ଆସିଗଲେ ଭାରତକୁ ମିସାଇଲ୍ ଆକ୍ରମଣର ଭୟ ଦେଖାଇବା ପାଇଁ ଚୀନ୍ ଚାହୁଁଥିଲା । ବର୍ତ୍ତମାନର ବନ୍ଧୁ ଭାବରେ ମାଳଦ୍ୱୀପ ରାଷ୍ଟ୍ରପତି ମୋଇଜୁଙ୍କର ଗତ ସପ୍ତାହରେ ୫ ଦିନିଆ ଦିଲ୍ଲୀ ଗସ୍ତ କେବଳ ଭାରତ ନୁହେଁ ସମଗ୍ର ବିଶ୍ୱ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ।
ମାଳଦ୍ୱୀପର ଅର୍ଥବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡିବା ପରେ ଏବେ ରାଷ୍ଟ୍ରପତି ମୋଇଜୁ ନିଜର ଭୁଲ୍ ବୁଝି ପାରିଛନ୍ତି ଏବଂ ନିଶ୍ଚିତ ଭାବେ ଅନୁଭବ କରିଛନ୍ତି ଯେ ଭାରତ ବିନା ମାଳଦ୍ୱୀପର ଅର୍ଥବ୍ୟବସ୍ଥା ଆଗକୁ ବଢ଼ିପାରିବ ନାହିଁ । ଏହା ହିଁ ସବୁଠାରୁ ବଡ଼ କଥା । ଭାରତୀୟ ସେନା ମାଳଦ୍ୱୀପରେ ରହିଥିବା ବେଳେ ସେମାନଙ୍କୁ ଦେଶ ଛାଡ଼ି ଚାଲିଯିବା ପାଇଁ ମୋଇଜୁ ନିଦେ୍ର୍ଦଶ ଦେଇଥିଲେ । ରାଷ୍ଟ୍ରପତି ହେବା ପରେ ତାଙ୍କର ପ୍ରଥମ ଗସ୍ତ ଚୀନ୍ ହିଁ ଥିଲା । ଏପରିକି ଚୀନ୍କୁ ପସନ୍ଦର ବନ୍ଧୁ ରାଷ୍ଟ୍ର ଭାବେ ଘୋଷଣା ମଧ୍ୟ କରିଥିଲେ । ତାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ଭାରତ ପ୍ରତି କଟୁ ମନ୍ତବ୍ୟ ଦେଇଥିଲେ । ଏଭଳି ଘଟଣା ସବୁ ଦୁଇ ଦେଶ ମଧ୍ୟରେ ତିକ୍ତତା କରାଇଥିଲା । ତେବେ ଦୁଇ ରାଷ୍ଟ୍ର ପୂର୍ବ ତିକ୍ତତାକୁ ଭୁଲି ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଭିତରେ ବୈଦେଶିକ ତଥା କୁଟନୀତିକ ସମ୍ପର୍କ ରକ୍ଷା କରିବେ ବୋଲି ଆଶା କରାଯାଏ ।