ପ୍ରଧାନମନ୍ତ୍ରୀ ମୋଦିଙ୍କ ମସ୍କୋ ଗସ୍ତ


ତୃତୀୟ ଥର ପାଇଁ ନିର୍ବାଚନରେ ବିଜୟୀ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପ୍ରଥମ ବିଦେଶ ଗସ୍ତ ରୁଷିଆରୁ ଆରମ୍ଭ କରିଛନ୍ତି । ଜୁଲାଇ ୮-୯ ଦୁଇ ଦିନ ପାଇଁ ପ୍ରଧାନମନ୍ତ୍ରୀ ରୁଷିଆ ଗସ୍ତ କରି ଦ୍ୱିପାକ୍ଷିକ ସଂପର୍କକୁ ସୁଦୃଢ଼ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଭାରତରୁ ପ୍ରଥମେ ରୁଷିଆକୁ ଯାଇ ମସ୍କୋରେ ପହଞ୍ଚିଲା ପରେ ତାଙ୍କୁ ଲାଲ୍ କାର୍ପେଟର ସ୍ୱାଗତ କରାଯାଇଥିଲା । ରୁଷିଆ ରାଜନୀତିରେ ରାଷ୍ଟ୍ରପତିଙ୍କ ପରେ ପ୍ରଧାନମନ୍ତ୍ରୀଙ୍କ ସ୍ଥାନ ହୋଇଥିବା ହେତୁ ସେଠାକାର ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ଡେଭିସ୍ ମୋଣ୍ଟୁରୋଭ ମସ୍କୋ ବିମାନଘାଟୀଠାରେ ମୋଦିଙ୍କୁ ସ୍ୱାଗତ କରିଥିଲେ । ଏଠାରେ ଉଲ୍ଲେଖ କରିବାର ବିଷୟ ହେଲା ଯେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ୍ଙ୍କଠାରୁ ମସ୍କୋରେ ମୋଦିଜୀଙ୍କ ଗସ୍ତକୁ ଗୁରୁତ୍ୱ ଦିଆଯିବା । ଜିନପିଙ୍ଗଙ୍କ ମସ୍କୋ ଗସ୍ତ କାଳରେ ମୋଣ୍ଟୁରୋଭଙ୍କ ସହାୟକ ମନ୍ତ୍ରୀ ଜିନ୍ପିଙ୍ଗଙ୍କୁ ସ୍ୱାଗତ କରିଥିବା ବେଳେ ରୁଷିଆ ରାଜନୀତିରେ ଦୁଇ ନମ୍ବର ନେତା ମୋଣ୍ଟୁରୋଭ ମୋଦିଙ୍କୁ ସ୍ୱାଗତ କରିବା ବଡ଼ ବିଷୟ ଥିଲା । 
ଦୁଇ ଦେଶ ମଧ୍ୟରେ ୨୫ ବର୍ଷ ଧରି ଚାଲି ଆସିଥିବା ବାର୍ଷିକ ଦ୍ୱିପାକ୍ଷିକ ବୈଠକରେ ୨୦୨୩ ବୈଠକ ପାଇଁ ମୋଦି ମସ୍କୋ ଯାତ୍ରା କରିଥିଲେ । କ୍ରେମଲିନଠାରେ ଦୁଇ ନେତାଙ୍କ ମଧ୍ୟରେ ଖୋଲା ଆଲୋଚନା ହୋଇଥିଲା । ପୁତିନଙ୍କ ଫାର୍ମ ହାଉସ୍ରେ ନିଜେ ପୁତିନ ଗାଡି ଚଳାଇ ମୋଦିଙ୍କୁ ନେବା ଏବଂ ସେଠାରେ ଦୁଇ ନେତା ପାଞ୍ଚ ଘଣ୍ଟା ଧରି ବହୁ ବିଷୟ ଆଲୋଚନା କରିବା ଥିଲା ବଡ଼ ବିଷୟ । ଏହି ଆଲୋଚନା କାଳରେ ବିଶ୍ୱଶାନ୍ତିଠାରୁ ଆରମ୍ଭ କରି ଦ୍ୱିପାକ୍ଷିକ ବାଣିଜ୍ୟ ସମେତ ବହୁବିଧ ବିଷୟ ଆସିଥିଲା । ମୋଦି ପୁଣିଥରେ ୟୁକ୍ରେନ ମାମଲାରେ ନିଜର ସ୍ପଷ୍ଟମତ ପୁତିନଙ୍କ ନିକଟରେ ରଖିଥିଲେ । ଭାରତ ଦୁଇ ରାଷ୍ଟ୍ର ମଧ୍ୟରେ ଶାନ୍ତି ଚାହେଁ ଏବଂ ଯୁଦ୍ଧ, ଗୁଳିଗୋଳା ମଧ୍ୟରେ ଶାନ୍ତିର ଆଲୋଚନା ହେବା ସମ୍ଭବପର ନୁହେଁ ବୋଲି ସ୍ପଷ୍ଟ କରିଥିଲେ ।
 ମୋଦିଙ୍କ ଗସ୍ତ କାଳରେ ଦୁଇ ରାଷ୍ଟ୍ର ମଧ୍ୟରେ ବାଣିଜ୍ୟ, ଗବେଷଣା, ଜଳବାୟୁକୁ କେନ୍ଦ୍ରକରି ପ୍ରାୟ ୯ଟି ବୁଝାମଣା ସ୍ୱାକ୍ଷରିତ ହୋଇଥିଲା । ୨୦୨୪ ରୁ୨୦୨୯ ପର୍ଯ୍ୟନ୍ତ ଦୁଇ ଦେଶ ରୁଷିଆର ସୁଦୂର ପୂର୍ବର ମେରୁ ଅଞ୍ଚଳରେ ଅଧିକ ପୁଞ୍ଜି ନିବେଶ କରିବେ । ଭାରତରେ ରୁଷିଆର କମ୍ପାନୀ ଅଧିକ ପୁଞ୍ଜି ନିବେଶ କରିବା ଉଦେ୍ଦଶ୍ୟରେ ଇନ୍ଭେଷ୍ଟ ଇଣ୍ଡିଆ ଏବଂ ରୁଷିଆର ପୁଞ୍ଜିନିବେଶ କାର୍ଯ୍ୟ ଦେଖୁଥିବା ଜେଏସ୍ସି ମଧ୍ୟରେ ବୁଝାମଣା ହୋଇଥିଲା । ଦ୍ୱିପାକ୍ଷିକ ବାଣିଜ୍ୟ, ପୁଞ୍ଜିନିବେଶ, ଦୁଇ ଦେଶର ବ୍ୟବସାୟୀଙ୍କ ମଧ୍ୟରେ ସିଧାସଳଖ ଆଲୋଚନା, ବାଣିଜ୍ୟ ପ୍ରୋସôାହନ କାର୍ଯ୍ୟକ୍ରମ, ବାଣିଜ୍ୟ ପ୍ରତିନିଧିଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ଭାରତ ଟ୍ରେଡ ପ୍ରୋସôାହନ କାଉନସିଲ ଏବଂ ରୁଷିଆର ବିଜିନେସ୍ ରୁଷିଆ ମଧ୍ୟରେ ବୁଝାମଣା ହୋଇଥିଲା । ରୁଷିଆର ପରିବେଶ, ଜଙ୍ଗଲ, ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏବଂ ଆର୍ଥିକ ବିକାଶ ମନ୍ତ୍ରଣାଳୟ ସହ ଜଳବାୟୁ ପରିବର୍ତ୍ତନ, ପରିବେଶ ସୁରକ୍ଷା ସଂକ୍ରାନ୍ତରେ ବୁଝାମଣା ହୋଇ ଏକ ମିଳିତ କାର୍ଯ୍ୟ ଗୋଷ୍ଠୀ କାର୍ଯ୍ୟକରିବା ଲାଗି ସ୍ଥିର ହୋଇଥିଲା । କମ୍ ମୂଲ୍ୟରେ ଟେକ୍ନୋଲୋଜୀ ବିକଶିତ କରିବା ପାଇଁ ଦୁଇ ପକ୍ଷ ଗବେଷଣା ନିମିତ୍ତ ସୂଚନା ଆଦାନ-ପ୍ରଦାନ ପାଇଁ ରାଜି ହୋଇଥିଲେ । ଉତ୍ତର ମେରୁର ବରଫାବୃତ୍ତ ଅଞ୍ଚଳରେ ଅଧିକ ଗବେଷଣା ଏବଂ ଗମନାଗମନ ପାଇଁ ଭାରତର ନେସ୍ନାଲ ସେଣ୍ଟର ଫର୍ ପୋଲାର ଏଣ୍ଡ୍ ଓସେନ ରିସର୍ଚ୍ଚ ଏବଂ ରୁଷିଆର ଆର୍କଟିକ ଆଣ୍ଡ୍ ଆଣ୍ଟର୍କଟିକ୍ ରିସର୍ଚ୍ଚ ଇନ୍ଷ୍ଟିଚୁ୍ୟଟ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା ।
 ବାଣିଜ୍ୟ କ୍ଷେତ୍ରରେ ଦେଖାଦେଉଥିବା ଅଣ-ଫୌଜଦାରୀ ବିବାଦଗୁଡ଼ିକର ସମାଧାନ ଉଦେ୍ଦଶ୍ୟରେ ଇଣ୍ଡିଆନ୍ ଇଣ୍ଟରନେସ୍ନାଲ ଆର୍ବିଟ୍ରେସନ ସେଣ୍ଟର, ଚାମ୍ବର ଅଫ୍ କମର୍ସରେ ଥିବା ଦି ଇଣ୍ଟରନେସ୍ନାଲ କମର୍ସିଆଲ ଆର୍ବିଟ୍ରେସନ କୋର୍ଟର ରୁଷିଆର ଶିଳ୍ପ ମନ୍ତ୍ରଣାଳୟ ସହ ବୁଝାମଣା ହୋଇଥିଲା । ଏହାଛଡା ଭାରତର ସର୍ଭେ ଅଫ୍ ଇଣ୍ଡିଆ-ରୁଷିଆର ଫେଡ଼େରାଲ ସର୍ଭିସ ଫର ଷ୍ଟେଟ୍ ରେଜିଷ୍ଟ୍ରେସନ, ପ୍ରସାର ଭାରତୀ ସହ ରୁଷିଆର ଟି.ଭି ଚ୍ୟାନେଲରେ  ‘ରୁଷିଆ ଟୁଡେ’ ଚଳାଉଥିବା ଟି.ଭି-ନଭୋସ୍ତି ମଧ୍ୟରେ ବୁଝାମଣା ହୋଇଥିଲା । ଔଷଧ ପାଇଁ ଭାରତର ଫାର୍ମା କୋପୋଇଆ  କମିଶନ ଏବଂ ରୁଷିଆର ସାଇଣ୍ଟିଫିକ୍ ସେଣ୍ଟର ଫର ଏକ୍ସପୋର୍ଟ ଇଭାଲୁଏସନ ଅଫ୍ ମେଡ଼ିସିନାଲ ପ୍ରଡକ୍ଟ ସହ ବୁଝାମଣା ହୋଇଥିଲା ।
ଏକଥା ସତ ଯେ ୨୦୧୯ରେ ମୋଦି ଶେଷଥର ପାଇଁ ରୁଷିଆର ପୂର୍ବାଞ୍ଚଳରେ ଥିବା ଭ୍ଲାଡିଭୋସ୍ତକ ସହରକୁ ଅଧିକ ଆଲୋଚନା ପାଇଁ ଯାଇଥିଲେ । ଫେବୃଆରୀ ୨୦୨୨ରେ ୟୁକ୍ରେନ୍ ସହ ରୁଷିଆର ଯୁଦ୍ଧ ହେବା ପରଠାରୁ ପରବର୍ତ୍ତୀ ଦୁଇ ବର୍ଷ ପାଇଁ ଦ୍ୱିପାକ୍ଷିକ ବାର୍ଷିକ ଆଲୋଚନା ହୋଇପାରି ନଥିଲା । ଏବେ ଆଲୋଚନାରେ ଆଗାମୀ ଦିନରେ ଭାରତରେ ଅଧିକ ୬ଟି ଆଣବିକ ରିଆକ୍ଟର ସ୍ଥାପନ ପାଇଁ ରୁଷିଆ ରାଜି ହୋଇଥିବା ଜଣାପଡ଼ିଛି । ରୋସାଟୋମ୍ ପାଭିଲିଅନଠାରେ ଅନୁଷ୍ଠିତ ପ୍ରଦର୍ଶନୀ ବୁଲି ଦେଖିବାକୁ ମୋଦି ଯାଇଥିଲେ ।
ପ୍ରାଧାନମନ୍ତ୍ରୀ ମସ୍କୋଠାରେ ପ୍ରବାସୀ ଭାରତୀୟଙ୍କ ସହ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ‘ଜୟ ଜଗନ୍ନାଥ’ ଉଦ୍ଘୋଷ କରିବା ସହ ଓଡ଼ିଶାର ଭୁରି ଭୁରି ପ୍ରଶଂସା କରିଥିଲେ । ନିଜେ କାନ୍ଧରେ ପକାଇଥିବା ଓଡ଼ିଶାର ଉତ୍ତରୀୟକୁ ସେ ଉପସ୍ଥିତ ଲୋକଙ୍କୁ ଦେଖାଇବା ସହ ଜଗନ୍ନାଥଙ୍କ ରଥଯାତ୍ରା ସଂପର୍କରେ ଉଲ୍ଲେଖ କରିଥିଲେ । ଭାରତ-ରୁଷିଆ ମଧ୍ୟରେ ସୁଦୃଢ଼ ସମ୍ପର୍କ ବିଷୟ ଉଲ୍ଲେଖ କରି ଏବେ ସହଯୋଗ କିପରି ବହୁତ କ୍ଷେତ୍ରକୁ ବ୍ୟାପିଯାଇଛି ତାହା ଉଲ୍ଲେଖ କରିଥିଲେ । ଭାରତର ନିରନ୍ତର ପ୍ରଗତି ଏବଂ ଆଗାମୀ ଦିନରେ ଲୋକସେବା ପାଇଁ ନିଜର ସଂକଳ୍ପ ବିଷୟରେ ସେ ପ୍ରକାଶ କରିଥିଲେ । ଏବେ ଦୁଇ ଦେଶ ମଧ୍ୟରେ ୬୫ ମିଲିଅନ ଡଲାରର ବାଣିଜ୍ୟ ହେଉଥିଲେ ହେଁ ରୁଷିଆ ସପକ୍ଷରେ ବାଣିଜ୍ୟ ରହିଛି । ତା’ର କାରଣ ହେଲା ଭାରତ ପେଟ୍ରୋଲ ଓ ଗ୍ୟାସ ସର୍ବାଧିକ ପରିମାଣର ରୁଷିଆରୁ କ୍ରୟ କରୁଛି ସତ, କିନ୍ତୁ ଯୋଗାଯୋଗଜନିତ ଅସୁବିଧା ଯୋଗୁଁ ଭାରତରୁ  ଅନ୍ୟାନ୍ୟ ବସ୍ତୁ ରୁଷିଆକୁ ପଠାଇବା ସହଜ ହେଉନାହିଁ । ଯାହାର ସୁବିଧା ସଡ଼କ ଯୋଗାଯୋଗ ଥିବା ଚୀନ ଅଧିକ ନେଉଛି । ତେଣୁ ଆଗାମୀ ଦିନରେ ବାଣିଜି୍ୟକ ସନ୍ତୁଳନ ରକ୍ଷା ପାଇଁ ଭାରତ ଚାହୁଁଥିବା କଥା ଭାରତର ବିଦେଶମନ୍ତ୍ରୀ ଏସ୍ ଜୟଶଙ୍କର ସ୍ୱୀକାର କରିଛନ୍ତି । ଏହି ଲକ୍ଷ୍ୟରେ ଦୁଇ ଦେଶ ଆଗାମୀ ଦିନରେ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାର ସମ୍ଭାବନା ରହିଛି । ମସ୍କୋ ଗସ୍ତ କାଳରେ ସେଠାରେ ଥିବା ଅଜଣା ସୈନ୍ୟଙ୍କ ସ୍ମାରକୀଠାରେ ମୋଦି ମାଲ୍ୟାର୍ପଣ କରିଥିଲେ ।
ମୋଦିଙ୍କ ଗସ୍ତକୁ ମସ୍କୋ କର୍ତ୍ତୃପକ୍ଷ କିପରି ଗୁରୁତ୍ୱ ଦେଉଥିଲେ ତାହା ଜଣାଇବାକୁ କ୍ରେମଲିନର ପ୍ରବକ୍ତା ଦିମିତ୍ରି ପୋସ୍କୋଭ ରୁଷିଆର ଏକ ଟି.ଭି. ଚ୍ୟାନେଲକୁ କହିଥିଲେ ଯେ ମୋଦିଙ୍କ ଗସ୍ତକୁ ପାଶ୍ଚାତ୍ୟରାଷ୍ଟ୍ର ଈର୍ଷାପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି । ସେମାନେ ନିକଟରୁ ଏସବୁକୁ ନିରୀକ୍ଷଣ କରିବାର ମାନେ ହେଲା ଯେ ସେମାନେ ଏହାକୁ ଅଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ତେବେ ଦୁଇ ରାଷ୍ଟ୍ର ମଧ୍ୟରେ ରଣନୀତିକ ସହଯୋଗ ଚାଲିଥିବା ହେତୁ ଆଲୋଚନା ବ୍ୟାପକ, ବହୁବିଧ ବିଷୟକୁ ନେଇ ହୋଇଥିଲା । ୨୦୨୨ ଯୁଦ୍ଧ ପରଠାରୁ ପ୍ରଧାନମନ୍ତ୍ରୀ ରୁଷିଆର ରାଷ୍ଟ୍ରପତି ପୁତିନ ଏବଂ ୟୁକ୍ରେନର ରାଷ୍ଟ୍ରପତିଙ୍କ ସହ ଟେଲିଫୋନ୍ ଯୋଗେ ବାରମ୍ବାର କଥା ହୋଇଛନ୍ତି । ଏପରିକି ଭାରତୀୟ ଛାତ୍ରମାନଙ୍କୁ ୟୁକ୍ରେନରୁ ବାହାର କରିବା ପାଇଁ ସେ ଦୁଇ ଦେଶର ଶାସନମୁଖ୍ୟଙ୍କ ସାହାଯ୍ୟ ନେଇଥିଲେ ।
 ମୋଦିଙ୍କ ରୁଷିଆ ଗସ୍ତ ଯୋଗୁଁ ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ଏରିକ ଗାର୍ସେଟ୍ଟିଙ୍କ ଗାତ୍ରଦାହ ପ୍ରବଳ ବଢ଼ିଛି । ଭାରତ-ଆମେରିକା ପ୍ରତିରକ୍ଷା ସହଯୋଗ ସଂକ୍ରାନ୍ତରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ରୁଷିଆ ଗସ୍ତକୁ କେନ୍ଦ୍ରକରି ସେ କହିଛନ୍ତି ଯେ ରୁଷିଆ-ୟୁକ୍ରେନ ଯୁଦ୍ଧସହ ଭାରତ-ଚୀନ ସୀମାନ୍ତର ଉତ୍ତେଜନା କଥା ତୁଳନା କରିଥିଲେ । ସେ କହିଥିଲେ ଯେ ମୋତେ ଜଣାଅଛି ଭାରତ ରଣନୀତିକ ସ୍ୱାୟତ୍ତତା ଚାହିଁଲେ ମଧ୍ୟ ସଂଘର୍ଷ ସମୟରେ କୌଣସି ରଣନୀତିକ ସ୍ୱାୟତ୍ତତା ରହିନଥାଏ । ଭାରତ ରୁଷିଆ ଓ ଆମେରିକା ମଧ୍ୟରୁ ଜଣକୁ ଦୀର୍ଘ ସମୟ ପାଇଁ ପ୍ରତିରକ୍ଷା ଉପକରଣ ଦୃଷ୍ଟିରୁ ବାଛିବା ଉଚିତ । ୨୦୦୮ରେ ଆମେରିକାର ପ୍ରତିରକ୍ଷା ସାମଗ୍ରୀ ଭାରତକୁ ଯୋଗାଣ ଶୂନ୍ୟ ଥିଲାବେଳେ ୨୦୨୩ ବେଳକୁ ୨୫ ବିଲିଅନରେ ପହଞ୍ଚିଛି । ବ୍ଲ ୁମବର୍ଗ ରିପୋର୍ଟ ଅନୁଯାୟୀ ଆମେରିକା ବିଦେଶ ମହାସଚିବ କୁର୍ଟ କ୍ୟାମ୍ପବେଲ ଭାରତର ବିଦେଶ ସଚିବ ବିନୟ କ୍ୱାତ୍ରାଙ୍କୁ ଫୋନ କରି ନାଟୋ ବୈଠକବେଳେ ମୋଦିଙ୍କ ମସ୍କୋ ଗସ୍ତ ଗୋଳମାଳିଆ ବୋଲି କହିଛନ୍ତି ।
  ମୋଦିଙ୍କୁ ରୁଷିଆର ସର୍ବୋଚ୍ଚ ନାଗରିକ ପୁରସ୍କାର ‘ଅର୍ଡର ଅଫ୍ ଦି ଆଣ୍ଡି୍ରଉ ଦି ଆପୋଷ୍ଟଲ’ ପ୍ରଦାନ କରାଯାଇଥିଲା । ଏହି ପୁରସ୍କାର ପାଇବା ପରେ ମୋଦି ଏହାକୁ ଭାରତର ୧୪୦ କୋଟି ଲୋକଙ୍କ ସମ୍ମାନ ବୋଲି କହିଥିଲେ । ଏହା ଭାରତ-ରୁଷିଆର ସୁଦୃଢ଼ ବନ୍ଧୁତାର ପ୍ରମାଣ ବୋଲି କହିଥିଲେ । ଏହି ପୁରସ୍କାର ୧୬୯୮ରେ ଜାର୍ ପିଟର ଦି’ ଗ୍ରେଟଙ୍କ ଦ୍ୱାରା ସେଣ୍ଟ ଆଣ୍ଡ୍ରିଉଙ୍କ  ଉଦେ୍ଦଶ୍ୟରେ ସ୍ଥାପନା କରିଥିଲେ । ମୋଦିଙ୍କ ମସ୍କୋ ଗସ୍ତ ପୂର୍ବରୁ ଜୁଲାଇ ୫ ତାରିଖ ଦିନ ମସ୍କୋର କ୍ରେମଲିନଠାରେ ହଙ୍ଗେରୀର ପ୍ରଧାନମନ୍ତ୍ରୀ ଭିକ୍ଟର ଅର୍ବାନଙ୍କ ସହ ପୁତିନ ସାକ୍ଷାତ କରିଥିଲେ । ଜୁଲାଇ ୩-୪, ୨୦୨୪ରେ କାଜାଖ ସ୍ଥାନର ଆସ୍ଥାନାଠାରେ ସାଂଘାଇ କୋ-ଅପରେସନ ଅର୍ଗାନାଇଜେସନର ବୈଠକ ପାଇଁ ପୁତିନ ଯାଇଥିବା ବେଳେ ଚୀନ ରାଷ୍ଟ୍ରପତି ଜିନ୍ ପିଙ୍ଗଙ୍କୁ ଭେଟିଥିଲେ । ସେଠାରେ ଆଜରବୈଜାନ, କିର୍ଗିିଜସ୍ଥାନ, ତୁର୍କମେନିସ୍ଥାନ, ବେଲାରୁଷ, ଇରାନ୍, ଭାରତ, କାତାର, ମଙ୍ଗୋଲିଆ, ତାଜିକସ୍ଥାନ, ଉଜ୍ବେକିସ୍ଥାନ, ତୁର୍କୀ ଏବଂ ପାକିସ୍ଥାନର ନେତୃବୃନ୍ଦ ଯୋଗ ଦେଇଥିଲେ । ପୁତିନ ଏସ୍ସିଓ ଏବଂ ବି୍ରକ୍ସ ମାଧ୍ୟମରେ ନିଜ ସଂପର୍କକୁ ସୁଦୃଢ଼ କରିବାରେ ଲାଗିଛନ୍ତି । ମୋଦିଙ୍କ ଗସ୍ତକୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ସମାଲୋଚନା କରିଥିଲେ ମଧ୍ୟ ଆମେରିକାର ଗଣମାଧ୍ୟମ ମୋଦିଙ୍କ ବନ୍ଧୁତା ରକ୍ଷା ଉଦ୍ୟମକୁ ପ୍ରଶଂସା କରିଛନ୍ତି । ନାଟୋ ମେଣ୍ଟର ବୈଠକ ୯ ଜୁଲାଇରେ ଆରମ୍ଭ ହେବା ସମୟରେ ମୋଦିଙ୍କ ଗସ୍ତର ଚର୍ଚ୍ଚା ନିଉୟର୍କରେ ଜୋର ଧରିଥିଲା । ତେବେ ମୋଦି ପାଶ୍ଚାତ୍ୟ ରାଷ୍ଟ୍ରକୁ ନିଜର ସନ୍ତୁଳିତ ବିଦେଶନୀତି ନେଇ ବାର୍ତ୍ତା ଦେବା ସମୟରେ ରୁଷିଆ ଭାରତ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ତାହା ମଧ୍ୟ ଜଣାଇ ଦେଇଛନ୍ତି । ରୁଷିଆର ଗସ୍ତ ଶେଷକରି ଶ୍ରୀ ମୋଦି ଗସ୍ତର ଦି୍ୱତୀୟ ସୋପାନରେ ଅଷ୍ଟି୍ରଆକୁ ଯାଇଥିଲେ ।
ଭାରତୀୟ ସମ୍ବାଦ ସେବା (ଭାସ୍)
ଭୁବନେଶ୍ୱର-୭୫୧୦୦୩