ରାଜନୀତିର ବ୍ୟବସାୟୀକରଣ


ନିର୍ବାଚନ ଘମାସନ ଜୋରଦାର । ଟିକେଟ ବଣ୍ଟା ସରିଲାଣି । ତେବେ ଏହା ପୂର୍ବରୁ ଯାହାସବୁ ଘଟଣାବଳୀ ଘଟି ଯାଇଛି ତା ଉପରେ ଆମେ କିଛି ଆଲୋକପାତ କରୁଛୁ । ବାସ୍ତବକଥା ହେଉଛି ଲୋକସଭା ଏବଂ ବିଧାନସଭାର ନିର୍ବାଚନ ତାରିଖ ଘୋଷଣା ହେବା ପରେ ପରେ ପ୍ରତିଦିନର ମୁଖ୍ୟ ଖବର ଭାବରେ ଦେଖାଦେଇଥିଲା ଯେ, ନେତାମାନଙ୍କର ଦଳରୁ ଇସ୍ତଫା, ଦଳ ଛାଡ଼ି ଅନ୍ୟ ଦଳରେ ଯୋଗଦାନ, ନିଜ ଦଳ ବିରୁଦ୍ଧରେ ବିଷୋଦଗାର କରିବା ଆଦି ଘଟଣା । ଏଭଳି ସବୁ ଘଟଣା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଦେଖାଯାଉନାହିଁ । କାରଣ ଯେଉଁମାନେ ବର୍ତ୍ତମାନ ଦୀର୍ଘ ବର୍ଷ ଧରି ଗୋଟିଏ ଦଳରେ ରହି କ୍ଷମତା ଉପଭୋଗ କରି ବିପୁଳ ପରିମାଣର ଧନ ଅର୍ଜନ କରିଛନ୍ତି, ସେମାନଙ୍କୁ ସେହି ଦଳର ପ୍ରାର୍ଥୀ କରାନଯିବା ମୁହୂର୍ତ୍ତରେ ହିଁ ସେମାନେ ଦଳର ଶତ୍ରୁ ପାଲଟି ଯାଉଛନ୍ତି । ଏ ପ୍ରକାରର ନେତାଙ୍କ ପାଇଁ ରାଜନୀତି ହେଉଛି ଏକ ବୃତ୍ତି ବା ବ୍ୟବସାୟ । ନିର୍ବାଚନରେ କିଛି ଅର୍ଥ ଖର୍ଚ୍ଚ କରିବେ, ତାହା ସେମାନଙ୍କ ପାଇଁ ବିନିଯୋଗ । ଥରେ ନିର୍ବାଚନରେ ଜିତିଗଲେ ୫ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଅନୈତିକ ଉପାୟରେ ଅର୍ଥ ଉପାର୍ଜନ କରିବେ । ଏହି କାରଣରୁ ଦଳୀୟ ଟିକେଟ୍ ନ ମିଳିବାର ସୂଚନା ପାଇବା ମାତ୍ରକେ କିିଛି ନେତା ଦଳ ତ୍ୟାଗ କରି ଯେଉଁ ଦଳ ବିରୁଦ୍ଧରେ ଜୀବନବ୍ୟାପୀ ଗର୍ଜନ କରୁଥିଲେ, ସେହି ଦଳରେ ଯୋଗ ଦେଉଛନ୍ତି । ଏ ପ୍ରକାରର ଏକ ଘଟଣା ଲୋକଲୋଚନରେ ନିନ୍ଦିତ ହେବ ବୋଲି ଭାବି ଗୋଟିଏ ଦଳ ଛାଡ଼ି ଡେଇ ଯାଇଥିବା ଆର ଦଳର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବେ ବୋଲି ଏକ ନିର୍ଲ୍ଲଜ ଅଭିବ୍ୟକ୍ତି କରୁଛନ୍ତି ।
ଯେତେବେଳେ କୌଣସି ଗୋଟିଏ ଦଳରୁ ଟିକେଟ୍ ମିଳିବାର ସମ୍ଭାବନା କମି ଯାଉଛି ଏବଂ ପୁନର୍ବାର କ୍ଷମତାକୁ ଆସିବାର ସମ୍ଭାବନା ମଉଳି ଯାଉଛି, ସେତିକିବେଳେ ଜଣେ ନେତା ଆଉ ଗୋଟିଏ ଦଳକୁ ଡେଇଁ ପଡ଼ୁଛନ୍ତି । ନିର୍ବାଚନ ପୂର୍ବରୁ ଏଭଳି ଏକ ଦୃଶ୍ୟ ଅତି ସାଧାରଣ ହୋଇଗଲାଣି । ନିର୍ବାଚନ ପରେ ମଧ୍ୟ ଏଭଳି ନେତାମାନେ ଜନତାଙ୍କଠାରୁ ଭୋଟ୍ ପାଇ ସେମାନଙ୍କ ପ୍ରତି ବିଶ୍ୱାସଘାତକତା କରି ଅନ୍ୟ ଦଳ ଆଗରେ ବିକି୍ର ହୋଇଯାଉଛନ୍ତି । ଏ ପ୍ରକାରର ନେତାମାନଙ୍କୁ ଭୋଟ ଦେଇଥିବା ଜନତା ବିଶ୍ୱାସଘାତକ ବୋଲି ଘୋଷଣା କରିବା ସହ ସେମାନଙ୍କ ଭୋଟର ମୂଲ୍ୟ ଫେରସ୍ତ କରିବାପାଇଁ ଦାବି କରିବା ଉଚିତ । ଏଭଳି ନେତାମାନେ ଅର୍ଥ କିମ୍ବା ଅନ୍ୟ କୌଣସି ପ୍ରଲୋଭନରେ ଭୋଟ ପାଇଛନ୍ତି ବୋଲି କହିପାରିବେ ନାହିଁ କି ଦାବି କରିପାରିବେ ନାହିଁ । କାରଣ ଲୋକଙ୍କୁ ଅର୍ଥ କିମ୍ବା ଦ୍ରବ୍ୟର ପ୍ରଲୋଭନ ଦେଖାଇ ଭୋଟ୍ ହାତେଇବା ନିର୍ବାଚନ ଆଚରଣ ବିଧିର ଉଲ୍ଲଙ୍ଘନ । ତେଣୁ କହିବାକୁ ଗଲେ ରାତାରାତି ରାଜନୀତିକ ପିତୃତ୍ୱ ବଦଳାଉଥିବା ନେତାମାନେ ଲୋକମାନଙ୍କ ନିକଟରେ ଉତ୍ତରଦାୟୀ ଏବଂ ଲୋକମାନଙ୍କ ନିକଟରେ ସେମାନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ବାଧ୍ୟ ।  ଗଣତାନ୍ତ୍ରିକ ପଦ୍ଧତିର ଶାସନ କିଛି ବ୍ୟକ୍ତିଙ୍କର କ୍ଷମତା ସର୍ବସ୍ୱ ଆଧିପତ୍ୟର ଶାସନ ନୁହେଁ । ରାତାରାତି ଦଳ ପରିବର୍ତ୍ତନ କରିବାର ନିଷ୍ପତ୍ତି ନେବା ଏକ ଗଣତାନ୍ତ୍ରିକ ପଦ୍ଧତି ପ୍ରତି ବିଶ୍ୱାସଘାତକତା କହିଲେ ଭୁଲ୍ ହେବ ନାହିଁ । ଦଳୀୟ ପ୍ରାର୍ଥୀ ଭାବରେ ଟିକେଟ୍ ନ ମିଳିଲେ ଦଳ ତ୍ୟାଗ କରିବାର ମନୋବୃତ୍ତି ହେଉଛି ରାଜନୀତିକୁ ଏକ ବୃତ୍ତି ଭାବରେ ଗ୍ରହଣ କରିବାର ମାନସିକତା । ଅସଲ କଥା ହେଉଛି ନେତାମାନେ ହେଉଛନ୍ତି ଆମ ମାନଙ୍କର ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିର୍ବାଚିତ ଲୋକପ୍ରତିନିଧି ସେମାନେ ଆମ ସୁଖ ଦୁଃଖ ସବୁକିଛିକୁ ନିରାକରଣ କରିବାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି । ତେବେ ଟିକେଟ ପ୍ରସଙ୍ଗ ନେଇ ରାଜନୀତିକୁ ବ୍ୟବସାୟ ନକରନ୍ତୁ । ସର୍ବୋପରି ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏହାକୁ ପ୍ରଶ୍ରୟ ଦିଆଯିବା ଉଚିତ୍ ନୁହେଁ ।
ଡା.ବିଚିତ୍ରାନନ୍ଦ ଆଚାର୍ଯ୍ୟ,ମୋ : ୯୪୩୭୨୪୨୩୧୭