ରୂପଂ ଦେହି ଜୟମ୍ ଦେହି ୟଶୋ ଦେହି 

ସୌର ଚନ୍ଦ୍ର ମହାପାତ୍ର : ଆଦିଶକ୍ତି ଜଗଦମ୍ବୀଙ୍କ ପରମକୃପା ଲାଭ କରିବା ନିମନ୍ତେ ଶାରଦୀୟ ନବରାତ୍ରୀର ଦୁର୍ଗାଷ୍ଟମୀ ଏବଂ ମହାନବମୀ ପୂଜା ବିଶେଷ ମହତ୍ତ୍ୱ ରଖିଥାଏ । ଏହି ଦୁଇଦିନ କରାଯାଉଥିବା ପୂଜା କଲ୍ୟାଣକାରୀ ଶୁଭ ଏବଂ ମନୋବା‚ôତ ଫଳଦାନକାରୀ ହୋଇଥାଏ । ଏହି ଦୁଇ ଦିନ ଦୁର୍ଗା ପୂଜା ଦ୍ୱାରା ଭକ୍ତର ଜୀବନରୁ ସମସ୍ତ କ୍ଲେଶ ଦୂର ହୋଇଥାଏ । ମାତାଙ୍କ ଉପାସନା ଦ୍ୱାରା ଗୃହସ୍ଥ ମନୁଷ୍ୟର ଜୀବନରେ ଧନ, ଐଶ୍ୱର୍ଯ୍ୟ, ପତ୍ନୀ, ପୁତ୍ର-ପୌତ୍ର ଏବଂ ସ୍ୱାସ୍ଥ୍ୟ ଆଦି ସମ୍ପତ୍ତି ଆସିଥାଏ । କେବଳ ସେତିକି ନୁହେଁ ଅଷ୍ଟମୀ ଏବଂ ନବମୀ ପୂଜାର ପୁଣ୍ୟ ବଳରେ ମନୁଷ୍ୟର ଜୀବନରୁ ରୋଗ, ମହାମାରୀ, ବନ୍ୟା, ଦୁର୍ଭିକ୍ଷ, ଶତ୍ରୁ ଭୟ ଭଳି ବିପଦ ଦୂର ହୋଇଥାଏ । ସେଥିପାଇଁ ଏହି ଦୁଇ ଦିନ ମା'ଦୁର୍ଗାଙ୍କ ଶ୍ରଦ୍ଧାର ସହକାରେ ଆରାଧନା କରିବା ଉଚିତ । ଏହି ପୂଜା କେବେ ନିଷ୍ଫଳ ହୁଏନାହିଁ । ଏହି ପୂଜା ସାଧକଙ୍କୁ ସମସ୍ତ ସିଦ୍ଧି ପ୍ରଦାନ କରିଥାଏ । ନବରାତ୍ରୀ ଶବ୍ଦ, ନଅଟି ଅହୋରାତ୍ରର ବୋଧ କରାଇଥାଏ । ଏହି ସମୟରେ ଦେବୀ ଶକ୍ତିଙ୍କ ନଅଟି ସ୍ୱରୂପକୁ ଆରାଧନା କରାଯାଇଥାଏ । ରାତ୍ରୀ ଶବ୍ଦର ଅର୍ଥ ସିଦ୍ଧିକୁ ବୁଝାଇଥାଏ । ଉପାସନା ଏବଂ ସିଦ୍ଧି ନିମନ୍ତେ ଦିନ ଠାରୁ ରାତ୍ରୀ ସମୟର ଅଧିକ ମହତ୍ୱ ରହିଛି । ସେଥିପାଇଁ ଅଧିକାଂଶ ପର୍ବପର୍ବାଣି ରାତ୍ରୀରେ ହିଁ ପାଳନ କରାଯାଇଥାଏ । ଏହି ପର୍ବରେ ବିଶେଷ ସିଦ୍ଧି ହାସଲ ହେଉଥିବାରୁ ନବରାତ୍ରୀର ଅନେକ ମହତ୍ୱ ରହିଛି । ମାତା ଶକ୍ତିଙ୍କୁ ଏହି ପବିତ୍ର ପୁଣ୍ୟମୟ ଅବସରରେ ଧ୍ୟାନ କରିବା ଉଚିତ ।  ଆମ ଶରୀରରେ ନଅଟି ଦ୍ୱାର ରହିଛି ବୋଲି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି । ଏହା ଭିତରେ ରହିଥିବା ଜୀବନୀ ଶକ୍ତିର ନାମ ଦୁର୍ଗା । ମନୁଷ୍ୟ ଶରୀରରେ ଥିବା ମୁଖ୍ୟ ଇନ୍ଦ୍ରିୟଗୁଡ଼ିକୁ ଅନୁଶାସନ, ସ୍ୱଚ୍ଛତା ଏବଂ ପାରସ୍ପରିକ ସାମଞ୍ଜସ୍ୟ ଆଣିବା ନିମନ୍ତେ ନବରାତ୍ର ପର୍ବ ଉତ୍ତମ ଅବସର ଆଣିଥାଏ । 
ପିଲାଟିଏ ମା' ପାଖରେ ଅଳି କରେ । ବାପା ଅପେକ୍ଷା ମା' ପାଖରେ ସହଜରେ ସେ ନିଜର ସବୁ ସୁବିଧା ଅସୁବିଧା ଜଣାଇ ପାରେ । ଏଇଟା ଦରକାର, ସେଇଟା ମୋର ଦରକାର ବୋଲି ମନଖୋଲି କହିପାରେ । ମା'ମନରେ କୌଣସି ଆବିଳତା ନରଖି ତାକୁ ଆଦର କରେ, ପରାମର୍ଶ ଦିଏ । ନିଜ ସାଧ୍ୟମତେ ସନ୍ତାନକୁ ସବୁ ସୁଖସୁବିଧା ଯୋଗାଇ ଦେବାକୁ ଉଦ୍ୟମ କରେ । ପୁଣି ଆବଶ୍ୟକ ପଡ଼ିଲେ ନିଜ ପଣତକାନିରେ ତାକୁ ଘୋଡେଇ ପକାଇ ଶତ୍ରୁପକ୍ଷ ସାମ୍ନାରେ ନିଜକୁ ରଖେ । ରଣ ହୁଙ୍କାର ଦିଏ ମୋତେ ସାମ୍ନା କର, ମୋ ପିଲାକୁ ନୁହେଁ । ଏପରିକି ମା'ପିଲା ପାଇଁ ମାନ ଅପମାନକୁ ବି ସହିପାରେ ତାର ଅମାପ ଧୈର୍ଯ୍ୟ ଶକ୍ତି ବଳରେ । କିନ୍ତୁ କେହି ଯଦି ତା'ର କିମ୍ବା ଅନ୍ୟର ନାରୀତ୍ୱ ପ୍ରତି ଲୋଲୁପ ଦୃଷ୍ଟି ପକାଏ ସେ ସନ୍ତାନ ହେଲେ ବି କ୍ଷମା ଦେଇପାରେ ନାହିଁ । ଦରକାର ପଡ଼ିଲେ ସେ ହୁଏ ରଣଚଣ୍ଡୀ । ତାକୁ ନିପାତ କରିବାକୁ ବି ପଛାଇ ଯାଏନାହିଁ । ଏହା ହିଁ ତ ମହିଷାସୁର ବଧ ପଛର ମୂଳକଥା । ମହିଷାସୁରର ଅତ୍ୟାଚାରରେ ଜଗତ ତ୍ରାହି ତ୍ରାହି ଡାକୁଥିଲା । ଦେବତା ବି ଏଥିରୁ ବର୍ତ୍ତି ପାରିଲେ ନାହିଁ । ସେମାନଙ୍କୁ ଦାସାନୁଦାସ କରି ଆସ୍ପର୍ଦ୍ଧା ଦେଖାଇ ଚାଲିଥିଲା । ଏହି ଆସ୍ପର୍ଦ୍ଧା ତାର ସୀମା ଅତିକ୍ରମ କଲା । କ୍ଷମତା ତଥା ପରାକ୍ରମ ବଳରେ ସେ ନାରୀ ଭୋଗ ଆଡ଼କୁ ମୁହାଁଇଲା । ଯେଉଁ ଆସ୍ପର୍ଦ୍ଧାକୁ ସହ୍ୟ କରିନଥିଲେ ମା'ଦୁର୍ଗା । ନିଜେ ଓହ୍ଲାଇ ଆସିଲେ ଏହି କଳୁଷରୁ ଜଗତକୁ ଉଦ୍ଧାର କରିବା ପାଇଁ । ନିଜେ ଧାରଣ କଲେ ମୋହିନୀ ରୂପ । ଚଣ୍ଡୀଚାମୁଣ୍ଡାଙ୍କୁ ସଖୀ କରି ବିଚରଣ କଲେ ମହେନ୍ଦ୍ର ପର୍ବତରେ । ମହାମାୟୀଙ୍କ ମହାମାୟାରେ ଯେତେବେଳେ ସଚରାଚର ବଶୀଭୂତ, ସେତେବେଳେ ଛାର ମାତ୍ର ମହିଷାସୁର । ଦର୍ପୀ ମହିଷାସୁର ଖବର ପାଇଲା ଯେ କେହି ଜଣେ ଅତୀବ ସୁନ୍ଦରୀ ନାରୀ ଆତଯାତ ହେଉଛନ୍ତି । ତାଙ୍କୁ ସାଦରେ ନିମନ୍ତ୍ରଣ କରି ଆଣିବା ପାଇଁ ନିଜର ସହଚରମାନଙ୍କୁ ପଠାଇଲା । ସହଚର ଚଣ୍ଡମୁଣ୍ଡ, ଶୁମ୍ଭନିଶୁମ୍ଭଙ୍କୁ ଦେବୀ ସାମାନ୍ୟତମ କୌଶଳ ପ୍ରୟୋଗ କରି ନିପାତ କଲେ । ସେହି ନାରୀ ଯେ ସାମାନ୍ୟ ନୁହେଁ, ଜାଣିପାରି ମଧ୍ୟ ମାୟାଗ୍ରସ୍ତ ମହିଷାସୁର ନିଜକୁ ଅଟକାଇ ପାରିଲାନି । ନିଜେ ଗଲା ଦେବୀଙ୍କ ନିକଟକୁ । ସର୍ବଶକ୍ତିର ସମାହାର ଦେବୀ ଦୁର୍ଗା ନିଜର ମୋହିନୀ ଶକ୍ତି ପ୍ରୟୋଗ କରି ଆହୁରି ମୋହଗ୍ରସ୍ତ କରି ମହିଷାସୁରକୁ ପ୍ରଥମେ ଶକ୍ତିହୀନ କରିଦେଲେ । ଦୁର୍ବଳ ମହିଷାସୁର ଛାତିରେ ମା'ତ୍ରିଶୂଳ ଭେଦ କଲେ । ତାର ବଧ ସହିତ ଜଗତବାସୀ ଆଶ୍ୱସ୍ତ ହେଲେ । ଏହା ଆମକୁ ଚେତାଇ ଦିଏ ଯେ, ଅତିଶୟ କାମନା ଅତି ବଳବାନକୁ ବି ଶକ୍ତିହୀନ ବିବସ କରିପକାଇବାକୁ ଯଥେଷ୍ଟ । ଆଜିର ଭୋଗବାଦୀ ଦୁନିଆରେ ଅତିଶୟ କାମନାବାସନାର ରାଜତ୍ୱ । ଏହାର କବଳରେ ପଡ଼ି ନିଜର ହିତାହିତ ଜ୍ଞାନକୁ ଭୁଲି ଯାଉଛନ୍ତି ଅନେକେ । ଯେଉଁଥି ପାଇଁ ପାଶବିକ କାର୍ଯ୍ୟକଳାପ ବଢ଼ିଚାଲିଛି, ନାରୀ ନିର୍ଯାତିତ ହେଉଛି । ମାତୃଜାତିକୁ ଏଥିରୁ ରକ୍ଷା କରିବା ପାଇଁ ଆସନ୍ତୁ ଆମେ ମହାମାୟା ଦେବୀ ଦୁର୍ଗାଙ୍କୁ ସମର୍ପଣର ଭାବ ନେଇ ଆମନ୍ତ୍ରଣ କରିବା ଏହି ଶାରଦୀୟ ପାର୍ବଣ ଅବସରରେ । ମା'ଙ୍କୁ ଆମେ ସନ୍ତାନଗଣ ପ୍ରାର୍ଥନା କରିବା ସବୁ ସୁଖସୁବିଧା ଦିଅନ୍ତୁ । ମାତ୍ର ଏସବୁ ଠିକ ଭାବେ ଉପଭୋଗ କରିବା ଲାଗି ବିବେକ ବି ଦିଅନ୍ତୁ । ଅନ୍ତରରେ କାମନାବାସନା ଧ୍ୱଂସ ସହ ବିବେକ ଉଦ୍ରେକ ନହେଲେ, ସବୁଥାଇ ମହିଷାସୁର ପାଲଟିବା ହିଁ ସାର ହେବ । ଯାହା ଆଜିର ଦୁନିଆରେ ଦେଖାଯାଉଛି । ଏଣୁ ମାତୃଚରଣରେ ବନ୍ଦନା କରି ଗାଇବା । ମହିଷାସୁର - ନିର୍ଣ୍ଣାଶୀ ଭକ୍ତାନାମ୍ ସୁଖଦେ ନମଃ, ରୂପଂ ଦେହି ଜୟମ୍ ଦେହି ୟଶୋ ଦେହି । ଦ୍ୱିଷୋ ଜହି ।
ମୋ : ୯୪୩୭୦୦୪୪୬୬