ବିକାଶ ଏକ ପ୍ରକ୍ରିୟା
ଆଜ୍ଞା ନମସ୍କାର,
ଆମ ଓଡ଼ିଆ ସଂସ୍କୃତିରେ ଏକ ବିଶ୍ୱାସ ରହିଛି ଯେ ଜନ୍ମ ହେବାର ଛଅ ଦିନ ପରେ ଷଠି ବୁଢ଼ୀ ଆସି ଶିଶୁର କପାଳରେ ତାର ଭାଗ୍ୟ ଲେଖି ଦେଇଯାଏ । ଏ ବିଶ୍ୱାସ ହେଉଛି ଆମର ଏକ ଧାରଣା । ତେବେ ଶିଶୁଟିଏ ବଡ଼ ହେଲେ କଣ ହେବ, ସେକଥା କାହାକୁ ବା ଗୋଚର?
ଶିଶୁଟିଏ ଧୀରେ ଧୀରେ ବଡ଼ ହୁଏ । ଆସ୍ତେ ଆସ୍ତେ ବୟସ ପାକଳ ହୁଏ । ବୟସ ଉଧେଇଲେ ବୁଦ୍ଧି ଜାଣେ । ସେଇଠୁ ସିଏ ଜୀବନପଥରେ ଅଗ୍ରସର ହୁଏ । ଜୀବନପଥରେ ଅନେକ ପରିସ୍ଥିତି ସହିତ ଭେଟ ପଡ଼ିବାକୁ ହୁଏ । ଆଉ ସବୁ ପରିସ୍ଥିତି ସହିତ ଜୁଝି ଯିଏ ନିଜ ଶ୍ରେଷ୍ଠତା ପ୍ରତିପାଦିତ କରିପାରେ, ସେତିକି ବେଳେ ତାର ମହତ ଗୁଣ ପ୍ରକାଶ ପାଏ ଏବଂ ଭବିଷ୍ୟତରେ ଜଣେ କଣ ହେବ, ତାହାର ସାମାନ୍ୟ ଝଲକ ଦେଖିବାକୁ ମିଳେ । ଏସବୁ ଏକ ଧୀର ମନ୍ଥର ପ୍ରକି୍ରୟା ଏବଂ ଦୀର୍ଘକାଳୀନ ଭିତ୍ତିରେ ଶିଶୁଟିଏର ଅଧ୍ୟୟନ, ଅଧ୍ୟବସାୟ ତାକୁ ବଡ଼ ମଣିଷରେ ପରିଣତ କରେ । ଜନ୍ମରୁ କେହି ଖ୍ୟାତିସମ୍ପନ୍ନ ହୋଇଯାଆନ୍ତି ନାହିଁ କିମ୍ବା ଜନ୍ମରୁ କେହି ମହାପୁରୁଷ ଭାବରେ ନିଜକୁ ସମାଜରେ ପ୍ରତିଷ୍ଠା ଲାଭ କରିପାରିନଥାନ୍ତି । ଏହା ଏକ ଜୀବନବ୍ୟାପୀ ଧାରା ଏବଂ ଏହି ପ୍ରକ୍ରିୟା ପରିବାର, ପାରିପାଶ୍ୱର୍ିକ ସହଯୋଗ ତଥା ବ୍ୟକ୍ତିଗତ ଉଦ୍ୟମ ଏବଂ ଅଧ୍ୟବସାୟ ବଳରେ ହୁଏ ।
ମଞ୍ଜିଟିଏ କେବେ ହେଲେ ବୃକ୍ଷ ହୋଇ ଜନ୍ମ ହୁଏ ନାହିଁ । ମଞ୍ଜିରୁ ଗଜାଟିଏ ବାହାରେ, ଦୁଇ ପତ୍ର ଚାରିପତ୍ର ହୋଇ କ୍ରମେ ବଡ଼ ହୁଏ ଏବଂ ବୃକ୍ଷର ରୂପ ଧାରଣ କରିବା ପାଇଁ ତାକୁ ପଚାଶ, ଶହେ ବର୍ଷ ବି ଲାଗିଯାଏ । ଠିକ୍ ସେହିପରି ମନୁଷ୍ୟ ଶିଶୁ ଶୈଶବରେ ଜନ୍ମ ବେଳେ ମଞ୍ଜିରୁ ଗଜା ଭଳି ଅତ୍ୟନ୍ତ ଛୋଟ ଏବଂ ଅସହାୟ ଥାଏ । ଏହି ଅସହାୟ ଅବସ୍ଥାରୁ ସେ କ୍ରମେ ବିଶାଳ ବ୍ୟକ୍ତିତ୍ୱକୁ ଧୀରେ ଧୀରେ ଗଢ଼େ । ବ୍ୟକ୍ତିର ବ୍ୟକ୍ତିତ୍ୱ କୌଣସି ଦିନକର ଘଟଣା ନୁହେଁ । ଏହାକୁ ତିଆରିବାକୁ ପଡ଼େ । ବିନା ଚେଷ୍ଟାରେ ବ୍ୟକ୍ତିତ୍ୱ ତିଆରି ହୋଇଯାଏ ନାହିଁ ।
ସୃଷ୍ଟିର ବୃହଦକାୟ ପ୍ରାଣୀ ହାତୀଟିଏ ଦିନେ ଶାବକ ହିସାବରେ ଜନ୍ମ ନେଇଥିଲା ଏବଂ କୁନି ଛୁଆଟିଏ ଥିଲା । କ୍ରମେ ଧୀର ମନ୍ଥର ଗତିରେ ରୂପାନ୍ତରିତ ହେଇ ଦିନେ ଏକ ପୂର୍ଣ୍ଣାଙ୍ଗ ଅବସ୍ଥାକୁ ଆସିଲା ।
ଏ ସଂସାରରେ କେହି ଜନ୍ମରୁ ବଡ଼ ହୋଇନଥାନ୍ତି, ସବୁ ବିକାଶ ଏକ ସୁଦୀର୍ଘ ପ୍ରକ୍ରିୟା । ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ "ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।