ସଂକଟର ବିକଟ ବିଡ଼ମ୍ବନା


ଆସିଗଲା ସୁପର ଏଲ୍ନିନୋ । ପ୍ରାକୃତିକ ପାଣିପାଗ ପ୍ରକ୍ରିୟା – ‘ଏଲ୍ନିନୋ’ ପ୍ରଶାନ୍ତ ମହାସାଗରରେ ଆରମ୍ଭ ହୋଇଯାଇଛି । ଏହି ଏଲ୍ନିନୋ ବିଶ୍ୱତାପମାତ୍ରାକୁ ଆହୁରି ବଢାଇଦେବ ବୋଲି ଆମେରିକାର ବୈଜ୍ଞାନିକମାନେ ସତର୍କବାଣୀ ଶୁଣାଇଲେଣି । ଏହାଫଳରେ ୨୦୨୪ ପୃଥିବୀ ଇତିହାସରେ ସବୁଠୁ ଅଧିକ ଉତ୍ତପ୍ତବର୍ଷ ହୋଇପାରେ । ପୃଥିବୀର ପାଣିପାଗକୁ ବିଗିଡେଇଦେବ । ୨୦୨୩ରେ ଜୁନ୍ ମାସରେ ଆକାଶରୁ ଅଗ୍ନି ବର୍ଷିଥିଲା । ଏହା ଚରମସ୍ତରରେ ପହଂଚି ୨୦୨୪ରେ ସାରାବିଶ୍ୱରେ ବହୁ ଅଘଟଣ ଘଟୁଛି ଓ ଆଗକୁ ଘଟିବ । କେଉଁଠି ବନ୍ୟା ତ କେଉଁଠି ମରୁଡି, ପୁଣି କେଉଁଠି ମାତ୍ରାଧିକ ବର୍ଷା ମଧ୍ୟ ହେବ । ଏଲ୍ନିନୋ ଓ ଲାନିନା ପ୍ରଭାବରେ ବିଷୁବମଣ୍ଡଳୀୟ ପ୍ରଶାନ୍ତ ମହାସାଗରରେ ସମୁଦ୍ରଜଳରେ ଭିନ୍ନତା ଦେଖାଯିବ ।
ଚୀନ୍ ପୃଥିବୀକୁ ୩୨୮୦୮ ଫୁଟ୍ ଖୋଳି ଡିଜେଲ୍, ପେଟ୍ରୋଲ୍, ଖଣିର ସନ୍ଧାନ କରୁଛି  । ରୁଷିଆ ପୃଥିବୀକୁ ଖୋଳି ବେଶିଦୂର ଯାଇପାରିନି । ଏମାନେ ସିନା ତେଲ, ଖଣିଜପଦାର୍ଥ ସନ୍ଧାନରେ ମେଦିନୀ ମାତାର ବକ୍ଷ ବିଦାରି ଅନ୍ତନାଡି ପର୍ଯ୍ୟନ୍ତ ଯାଇଛନ୍ତି – ଏଣେ ଚନ୍ଦ୍ରରେ ଗାତ ଖୋଳି ଜବରଦଖଲ କରିବାକୁ ଆମେରିକା ଲକ୍ଷ୍ୟ ରଖିଛି  । ଏମାନଙ୍କର ସଂପତ୍ତିଲୋଭ ଆକାଶଛୁଆଁ  । ଏଣେ ଭାରତ ଆମେରିକା, ଚୀନ୍, ରୁଷରୁ ଆମ ଭୋକିଲା – ମାଗଣାଖିଆଙ୍କୁ ଖାଦ୍ୟ-ଧନ ବାଂଟିବାପାଇଁ କରଜ ଆଣୁଛି  । ମିଛଟାରେ ପବନରେ ଖଣ୍ଡା ବୁଲାଉଛି  । ମୋବାଇଲ ମାଲିକମାନେ ପବନ ବିକି ସମସ୍ତଙ୍କ ପକେଟ୍ କଣା କରିସାରିଲେଣି । 
ଏବେ ଭାରତ, ୟୁରୋପୀୟ ଦେଶମାନଙ୍କରେ ଭୀଷଣ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି  । ସାଧାରଣ ଜୀବନଯାତ୍ରା ବ୍ୟାହତ  । ପ୍ରବଳ ଗରମ ଓ ‘ଲୁ’ ପ୍ରବାହ ଯୋଗୁଁ ଅନେକ ଲୋକଙ୍କ ପ୍ରାଣବାୟୁ ଉଡିଯାଉଛି  । ବିଶ୍ୱ ନିଜର ଭବିଷ୍ୟତହୀନତାକୁ ଭେଟିବାକୁ ଯାଉଛି – ସାମ୍ନାରେ ସେଇ ମହାସନ୍ଧିକ୍ଷଣର ସୂତ୍ରପାତ ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇସାରିଲାଣି ।
ବେଳକୁବେଳ ବଢୁଛି ପ୍ରକୃତିକୁ ବିକୃତିରେ ପରିଣତ କରିଚାଲିଥିବାର ମହାଦାନବିକ ପ୍ରବୃତ୍ତି । ଏ ପ୍ରବୃତ୍ତି ପଛରେ ରହିଛି ମଣିଷକୁ ପ୍ରକୃତିର ପରିସରରୁ ବିସ୍ଥାପିତ କରି ଆମୂଳଚୂଳ କୃତ୍ରିମତାର ଏକପ୍ରକାର ସଇତାନୀ ସୌଦାଗରୀ ବଜାରର ଗରାଖ ରୂପେ ଥଇଥାନ କରିବାର ମାରାତ୍ମକ ଅଭିସନ୍ଧି ! ମାରାତ୍ମକ ଏହି କାରଣରୁ ଯେ ଧନତନ୍ତ୍ରୀ ମୁନାଫାଖୋର୍ ଧୂର୍ତ୍ତଗୋଷ୍ଠୀ ନିଜ କରରେ କବଳିତ କରିରଖିବାକୁ ଚାହୁଁଛନ୍ତି ବିଶ୍ୱଭାଗ୍ୟଡୋରି - ମାତ୍ର ଏହି ଅଭିସନ୍ଧି ପରିପୂରଣ-ପଥର ପ୍ରଧାନ ଅନ୍ତରାୟ ହୋଇପାରେ ମଣିଷତ୍ୱକୁ ମୂଲ୍ୟ ଦେଉଥିବା ବ୍ୟକ୍ତିତ୍ୱର ସ୍ୱର । ଏ ସ୍ୱରକୁ ଏଇ ଧୂର୍ତ୍ତ ଧନତନ୍ତ୍ରୀ ଗୋଷ୍ଠୀର ପ୍ରାଣେ ଡର  । ଏହି କାରଣରୁ ବଡ଼ÿ ଗୋପନୀୟ ଭାବରେ କେବଠୁ ଆରମ୍ଭ ହୋଇସାରିଲାଣି ଏକପ୍ରକାର ଅଦୃଶ୍ୟ ଗଣହତ୍ୟାର ଜଘନ୍ୟ ଯୋଜନାବଦ୍ଧ ଷଡ଼ଯନ୍ତ୍ର । ତାହା ହେଉଛି - ମଣିଷମାନଙ୍କ ଭିତରୁ ମାରିଦିଅ ମଣିଷତ୍ୱକୁ ପ୍ରଥମେ, ତା’ପରେ ଯାଇ ତାଂକୁ ଗରାଖ କରିରଖ ନିଜ କୃତ୍ରିମ ବଜାରୀକରଣର ବ୍ୟବସ୍ଥାଚକ୍ରବ୍ୟୂହ ଭିତରେ ଏକ ଏକ ଅସହାୟ ଅସ୍ତିତ୍ୱ ରୂପେ । ଏମିତି ଗରାଖ ହେଉ ହେଉ ଗୋଲାମ ହେଇଯିବେ ଏମାନେ - ଏଇ ହତଭାଗା ମଣିଷର ଦଳ ! ତା’ପରେ ଏମାନଙ୍କୁ ବ୍ୟବହାର କରାଯାଇପାରେ ଯନ୍ତ୍ରବତ୍ । ବ୍ୟକ୍ତିତ୍ୱର ସ୍ୱର ସଂସାରରେ ଯେଉଁଠି ଯେଉଁଠି ଶୁଭେ, ଏହି ମହାଦାନବିକ ଧୂର୍ତ୍ତ ଧନତନ୍ତ୍ରୀ ଗୋଷ୍ଠୀ ସେହି ସ୍ୱରକୁ ନିଷ୍ପ୍ରାଣ କରିଦେବାର ନୃଶଂସ ଘାତକବାହିନୀ ଯେ ବେଶ୍ ଲୋଭନୀୟ ସୁପାରିରେ ଯୋଗାଡ଼ କରିବାକୁ ଜୋରସୋର୍ କୂଟଚକ୍ରାନ୍ତ ଚଳାଉଥିବେ - ଏହା ନିଃସନେ୍ଦହ । ବ୍ୟକ୍ତିତ୍ୱର ସ୍ୱର ବୈପ୍ଳବିକତାର ବୈତାଳିକ ବହ୍ନିଜ୍ୱାଳାମୟ ପୁକାର୍ ... ଏ ପୁକାରକୁ ମୂଳରୁ ମାରିନଦେଲେ ଧନତନ୍ତ୍ରୀ ବିଶ୍ୱକୁ ବଜାର କରିବା ସହଜ ନୁହେଁ - ସୁତରାଂ ମଣିଷ ଓ ମଣିଷତ୍ୱକୁ ମାର, ବିପ୍ଳବ ଓ ବିବେକିତାକୁ ମାର, ହୃଦୟ ଓ ମସ୍ତିଷ୍କକୁ ମାର - ଏହା ହିଁ ଧନତନ୍ତ୍ରର ଫିସାଦୀ ଫୁସ୍ଫୁସ୍ ... ମନ୍ତ୍ରଣାମହଲରେ ।  ସବୁ ରାଷ୍ଟ୍ରୀୟ ନେତୃତ୍ୱକୁ ଏହି ଗୋଷ୍ଠୀ ନିଜ ନିଜର ଅର୍ଥଦାସ କରିବାରେ ଶତକଡ଼ା ୯୫ ଭାଗ ସଫଳକାମ ହୋଇସାରିଲେଣି । ଦେଶପ୍ରଦେଶବିଦେଶର ରାଜନୀତି ଆଜି ଏହି ମହାବିକୃତରୁଚିସଂପନ୍ନ, ମନୁଷ୍ୟତାଭ୍ରଷ୍ଟ ମାରାତ୍ମକ ଅଭିସନ୍ଧିକାରୀ ଧନତନ୍ତ୍ରୀ ଗୋଷ୍ଠୀକର୍ତୃକ ପରିଚାଳିତ ବଜାରୀ-ଅର୍ଥନୀତିର ବିକ୍ରୀତ ବାମନ ! ଦେଶର ନେତା ଆଜି କଂପାନୀବାଲାର କିଣାକିଙ୍କର । ଯେଉଁ ଭୋଟର୍ ଭୋଟ୍ ଦେଇ ନେତା ଗଢନ୍ତି, ସେଇ ନେତା ପରେ ସାଜନ୍ତି କୁତା - ଏ ଧନବନ୍ତ ସୌଦାଗରୀ ବଜାରଦଖଲକାରୀ ମାଲିକଶ୍ରେଣୀର । ବିଶ୍ୱାସଘାତକତାର ବିଷବୀଜ ଆଜି ଏଦେଶ-ସେଦେଶ-ବିଶ୍ୱସାରା ଫଳାଇବାକୁ ଯାଉଛି ଅମଣିଷତ୍ୱର ଅନ୍ଧକାର ଅରଣ୍ୟ ! ମଣିଷକୁ ମାରିଦିଆଯିବ । ମସ୍ତିଷ୍କକୁ ମାରିଦିଆଯିବ । ହୃଦୟକୁ ମାରିଦିଆଯିବ । ପ୍ରକୃତିକୁ ମାରିଦିଆଯିବ ।  ବଜାର୍ ବିକିବ ପାଣି - ଆମର ଶୋଷକୁ, ବଂଧୁଗଣ ! ଶାସନ ବିକିବ ଖଣି - କଂପାନୀବାଲାଙ୍କର ଆସୁରିକ ଆଁ’କୁ, ଜନଗଣ ! ପ୍ରକୃତି ନିକଟରୁ ମଣିଷକୁ ଦୂରାଇଆଣିବାର ଦୁରଭିସନ୍ଧି ଏବେ ଅଶୀଭାଗ ସଫଳ । ଯେଉଁ ଦିନ ବାକିଭାଗ ସାଫଲ୍ୟ ଲାଭ କରିବେ ଷଡ଼ଯନ୍ତ୍ରକାରୀଏ, ସେଦିନ ମହାଭୟଙ୍କର ଭବିଷ୍ୟତ ପାଦ ଦେବାର ମହାଦାରୁଣ ଦିନ ଏ ଦୁନିଆରେ । ବର୍ବର ବନବିନାଶ ପର୍ବ ଏବଂ ଖାତଗାତଖୋଳା ଖଳଖେୟାଲ୍ ବଳବତ୍ତର ରହିଛି  । ତାପମାତ୍ରା ବଢୁଛି ଅକଳ୍ପନୀୟ । ତଳୁ ତାତୁଛି ପୃଥିବୀ, ଉପରୁ ତାତୁଛି ଆକାଶ । କ୍ଷିତ୍ୟୋପଽତେଜମରୁତ୍ବ୍ୟୋମର ମହାପଂଚଭୂତରେ ଅନୁଭୂତ ହେଲାଣି ଭୀଷଣ ଭାରସାମ୍ୟଶୂନ୍ୟତା ! ଦିନେ ପୃଥିବୀର ସବୁ ବରଫପାହାଡ ତରଳିବ । ହିମାଳୟ ପାଲଟିଯିବ ଶତସିନ୍ଧୁ । ଜଳପ୍ଳାବନ ପ୍ରବାହିତ ହେବ ସଂସାରସାରା । ପ୍ରଳୟପ୍ଳାବନ ମଧ୍ୟରେ ନାପତ୍ତା ହୋଇଯିବ ଦିନେ ଭାଗେ ସ୍ଥଳଭାଗର ଏଇ ସୁନ୍ଦର ପୃଥିବୀ । ବୁଡ଼ିଯିବ ବଂଧୁଭରା ବସୁନ୍ଧରା । ନାଦବିଂଦୁରେ ବିଲୀନ ହୋଇଯିବ ବିଶ୍ୱମଂଡଳୀୟ ବୃତ୍ତଟି ଆମର !
ପାତାଳୀ ପୃଥିବୀ - ଏହା ହିଁ ହେଉଛି ଭବିଷ୍ୟହୀନ ବିଶ୍ୱ ! ଆଜହୁଁ ସଂକଳ୍ପବଦ୍ଧ ସଂଗ୍ରାମର ବଜ୍ରମୁଷ୍ଟି ଉତ୍ତୋଳନ ନକଲେ, ଆମର ଆସନ୍ତା କାଲି ବିପନ୍ନ । ଖଣି ରକ୍ଷା କର । ପାହାଡ଼ ରକ୍ଷା କର । ଔଷଧୀୟ ବୃକ୍ଷଲତାଗୁଳ୍ମର ଅରଣ୍ୟାଂଚଳସମୂହକୁ ରକ୍ଷା କର । ରକ୍ଷା କର ମହାପ୍ରକୃତିମାତାକୁ, ହେ ଦେଶବାସୀ,ବିଶ୍ୱବାସୀ - ଏଇ ମଣିଷମରା ଧନତନ୍ତ୍ରୀ ମୁନାଫାଖୋର୍ ଧୂର୍ତ୍ତଗୋଷ୍ଠୀ କବଳରୁ...
ସଫଳ ନହେଉ ସେ ଜହ୍ଲାଦଚକ୍ରର ଏ ଖଳଖସଡ଼ା : ଭବିଷ୍ୟବିହୀନ ବିଶ୍ୱ  ।
ଗତ ୨୦ବର୍ଷ ହେଲା ମହାସାଗରଗୁଡିକରେ ୫୬ ପ୍ରତିଶତରୁ ଅଧିକ ପାଣିର ରଙ୍ଗ ବଦଳିଯାଇଛି  । ଏଇ ପୃଥିବୀରେ ଜଳ ୩ଭାଗ ସ୍ଥଳ ୧ଭାଗ  । ଏହି ରଙ୍ଗ ବଦଳିବାପାଇଁ ଦାୟୀ ମନୁଷ୍ୟକୃତ ଜଳବାୟୁ ପରିବର୍ତ୍ତନ  । ଏ ରଙ୍ଗକୁ ସାଧାରଣ ଲୋକେ ଆଖିରେ ଦେଖିପାରିବେନାହିଁ । ‘ମାସେଚୁସେଟ୍ସ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି’ ଆମେରିକା ଏବଂ ଅନ୍ୟ ବିଶ୍ୱସଂସ୍ଥାର ଗବେଷଣା ପତ୍ରିକାରେ ପ୍ରକାଶିତ – ଭୂମଧ୍ୟରେଖା ନିକଟବର୍ତ୍ତୀ ମହାସାଗରର ରଙ୍ଗ ସମୟ ସହ ତାଳଦେଇ ଲଗାତର ସବୁଜ ହେବାରେ ଲାଗିଛି  । ମହାସାଗର ଭିତରେ ଏହା ପରିବର୍ତ୍ତନର ସଂକେତକୁ ସୂଚାଉଛି  ।  ବୈଜ୍ଞାନିକମାନେ ଜଳବାୟୁ ପରିବର୍ତ୍ତନ ଉପରେ ଏହାର ପ୍ରତିକ୍ରିୟାକୁ ଜାଣିବାପାଇଁ ସମୁଦ୍ରପାଣିରେ ସବୁଜ ରଙ୍ଗ ଫାଇଟୋପ୍ଲାଙ୍କଟନର ନିରୀକ୍ଷଣ କରନ୍ତି  । ବ୍ରିଟେନ୍ର ନ୍ୟାସନାଲ ଓସନୋଗ୍ରାଫି ସେଂଟର ସାଉଥ ହମ୍ପଟନର ସଂସ୍ଥା ୨୦୦୨ରୁ ୨୦୨୨ ମଧ୍ୟରେ ସମସ୍ତ ସାତମହାସାଗର ଉପରେ ନଜର ରଖି ରଙ୍ଗ ବଦଳୁଥିବା ସମୀକରଣରେ ଜଳବାୟୁ ପରିବର୍ତ୍ତନର ଯୋଗଦାନକୁ ଅନୁଧ୍ୟାନ କରିଥିଲେ  । ଗ୍ରୀନ୍ ହାଉସ୍ ମଡେଲ୍ ୨୦ବର୍ଷରୁ କମ୍ ସମୟରେ ବିଶ୍ୱର ପ୍ରାୟ ୫୦ପ୍ରତିଶତ ମହାସାଗରର ରଙ୍ଗ ପରିବର୍ତ୍ତନନେଇ ସଂକେତ ଦେଇଛି । ବିଶ୍ୱର ସବୁ ସମୁଦ୍ରଜଳ ରଂଗ ପରିବର୍ତ୍ତନ ହୋଇ ଘୋରସଂକଟ ସୃଷ୍ଟି ହେବ  । ଆସନ୍ତା ଦୁଇବର୍ଷ ମଧ୍ୟରେ ସୂର୍ଯ୍ୟ ଚରମସ୍ଥିତିରେ ବିଦ୍ୟମାନ କରିବାକୁ ଯାଉଥିବାରୁ ଆଗକୁ ମାସମାସ ସୌରଝଡ଼ ଲାଗିରହିବାର ଘୋର ଆଶଂକା । ଏହି କାରଣରୁ ଇଂଟରନେଟ୍ ଅଚଳହୋଇ ବିଶ୍ୱ ଅର୍ଥନୀତି ବିପର୍ଯ୍ୟସ୍ତ ହେବ ନିଶ୍ଚିତପକ୍ଷରେ । ଏପରି ଘଟିଲେ ଇଂଟରନେଟ୍ ଦୁନିଆରେ ମଜ୍ଜିରହିଥିବା “ଅଲ୍ୱେଜ୍ ଅନ୍ଲାଇନ୍ ବର୍ଗର ଲୋକେ କ’ଣ କରିବେ” - ଏପରି ଘୋର ଉତ୍ପୀଡ଼କ ପ୍ରଶ୍ନ ଏବଠୁ ଭାଳେଣି ପକାଇଲାଣି ବିଶ୍ୱବ୍ୟାପୀ । ଏହି ସୌରଝଡ଼ ବିଶ୍ୱରେ ପ୍ରଳୟ ସୃଷ୍ଟି କରିପାରେ  । ୧୮୫୯ରେ କ୍ୟାରିଙ୍ଗ୍ଟନ୍ ଇଭେଂଟ୍ ଯୋଗୁ ଟେଲିଗ୍ରାଫ୍ ଲାଇନ୍ଗୁଡିକରୁ ବିଦ୍ୟୁତ୍ ବିଚ୍ଛୁରଣ ହୋଇଥିଲା  । ୧୯୬୯ରେ ସୌରଝଡ଼ କାନାଡ଼ାର କ୍ୟୁବେକ୍ ପାୱାର ଗ୍ରୀଡ୍କୁ ଅଚଳ କରିଦେଇଥିଲା  । ଏବେ ସାରାବିଶ୍ୱର ଅର୍ଥନୈତିକ ସ୍ଥିତିକୁ ଅଦୂର ଭବିଷ୍ୟତର ଏହି ସୌରଝଡ଼ ବେହାଲ କରିଦେବ ବୋଲି ବୈଜ୍ଞାନିକମାନେ ସତର୍କ ଚେତାବନୀ ଶୁଣାଇଦେଲେଣି । ଇଂଟରନେଟ୍ ବନ୍ଦ ହୋଇଗଲେ କମ୍ପ୍ୟୁଟର, ମୋବାଇଲ ବନ୍ଦ ହୋଇଯିବ  । ଏକାନ୍ତ ଅସହାୟତାର ଅଂଧକାରରେ ଆଣ୍ଠେଇ ପଡିବ ତମାମ୍ ଆଧୁନିକ ଜଗତ୍ । ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ  । ଏହା କେବଳ ମୋର ନିଜସ୍ୱ ଆକଳିତ ସତର୍କବାଣୀ ନୁହେଁ – ‘ନାସା’ଠାରୁ ବିଶ୍ୱର ଯେତେ ସବୁ ନାମଜାଦା ମାନମନ୍ଦିରରେ ବୈଜ୍ଞାନିକବର୍ଗ ଗବେଷଣାରତ ଅଛନ୍ତି – ସେମାନେ ହିଁ ଏପରି ଚୂଡାନ୍ତ ଅପ୍ରୀତିକର ଭବିଷ୍ୟବାଣୀ ଶ୍ରୁତିଗୋଚରୀଭୂତ କରାଉଛନ୍ତି  । ଜୀବନସାରା ଶତକଡା ୯୯ଭାଗ ପାପକରି ଶେଷରେ ଭଗବାନଙ୍କୁ ଡାକିଲେ କ’ଣ ଏଭଳି ପ୍ରାକୃତିକ ବିପଦରୁ ରକ୍ଷା ପାଇଯିବା ! ଭଗବାନ ନିଜେ ମ୍ଳେଚ୍ଛ ସଂହାର କରିବାକୁ ବାହାରିଛନ୍ତି - ଏହି ଅବ୍ୟାପାର ଯେପରି ଭବିଷ୍ୟତହୀନ ବିଶ୍ୱ ବିଘଟନ ଦୃଷ୍ଟିରୁ ଶେଷର ହିଁ ଆରମ୍ଭ !
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩