ସାମ୍ପ୍ରତିକ ସମାଜ ଓ ମାତୃଶକ୍ତି 

ଇଂ.ସଚ୍ଚିଦାନନ୍ଦ ନନ୍ଦ : ଭାରତରେ ବିଭିନ୍ନ ଅବସରରେ ମାତୃପୂଜା କରାଯାଇଥାଏ  । ଦୂର୍ଗା, ଲକ୍ଷ୍ମୀ, ସରସ୍ୱତୀ, ଭୁବନେଶ୍ୱରୀ, କାଳୀ, ଜଗଦ୍ଧାତ୍ରୀ, ଅମ୍ବିକା, ଗାୟତ୍ରୀ, ପାର୍ବତୀ ପ୍ରଭୃତି ନାମରେ ବହୁ ଆଡ଼ମ୍ବରରେ ପୂଜା ଆରାଧନା କରାଯାଉଛି  । ସେଭଳି କେତେକ ଈଶ୍ୱରକୋଟୀ ମହିଳା, ଯଥା ରାଧା ସାବିତ୍ରୀ, ସତୀସୀତା, ଦ୍ରୌପଦୀ, କୁନ୍ତୀ, ଦମୟନ୍ତୀ, ମନେ୍ଦାଦରୀ ପ୍ରଭୃତିଙ୍କୁ ମଧ୍ୟ ପୂଜା ଓ ସମ୍ମାନ ଅର୍ପଣ କରାଯାଇଥାଏ  । ଅନ୍ୟ କେତେକ ତପସ୍ୱନୀ ଯଥା ଅନସୂୟା, ମଦାଳସା, ମୈତ୍ରେୟୀ, କାତ୍ୟାୟନୀ, ଅରୁନ୍ଧତୀ ପ୍ରଭୃତି ବହୁ ଶ୍ରଦ୍ଧାଳୁଙ୍କ ହୃଦୟରେ ସ୍ଥାନ ପାତି ବସିଛନ୍ତି  । କେତେକ ପୀଠରେ ଅଧିଶ୍ୱରୀ ଭାବେ ଭଗବତୀ, ବୈଷ୍ଣୋଦେବୀ, ବିମଳା, ତାରିଣୀ, ଚଣ୍ଡୀ, ଚର୍ଚ୍ଚିକା, ସମଲେଶ୍ୱରୀ, ମଙ୍ଗଳା ବିରଜା, ଦକ୍ଷିଣକାଳୀ, ଶ୍ୟାମାକାଳୀ, ଭବତାରିଣୀ ମାଆ ପ୍ରଭୃତି ସ୍ୱମହିମାରେ ମହିମାନ୍ୱିତ ହୋଇ ପ୍ରତ୍ୟହ ପୂଜା ପାଇ ଆସୁଛନ୍ତି  । ପ୍ରଚଳିତ ସମୟରେ ଶ୍ରୀମା, ଆନନ୍ଦମୟୀ ମା', ଅମୃତମୟୀ ଦେବୀ, ଆମ୍ମା ଭଗବାନ, ରାସେଶ୍ୱରୀଦେବୀ, ଋତମ୍ବରାଦେବୀ, ଡଃ ନିରୁମା ପ୍ରଭୃତି କୋଟି କୋଟି ଶ୍ରଦ୍ଧାଳୁଙ୍କ ପୂଜ୍ୟା ହୋଇପାରିଛନ୍ତି  । ତାଙ୍କ ପ୍ରଦର୍ଶିତ ମାର୍ଗରେ ପରିଚାଳିତ ହୋଇ କୋଟି କୋଟି ହୃଦୟ ପରିବର୍ତ୍ତନ ଘଟିଛି ଓ ଘଟୁଛି ମଧ୍ୟ  । ଅତୀତର ଲୀଳାବତୀ ଓ ଖନ୍ନା ଏବେ ମଧ୍ୟ ନମସ୍ୟ  । ସମସ୍ତ ଆଧ୍ୟାତ୍ମିକ ପଥପ୍ରଦର୍ଶକମାନେ ସମାନ ସ୍ୱରରେ ସେହି ଏକ କଥା କହି ଆସିଛନ୍ତି ଯେ ଭଗବାନ ଭଗବତୀ କେବଳ ତାଙ୍କ ବିଗ୍ରହ ବା ମୂର୍ତ୍ତିରେ ନାହାନ୍ତି ସେ ପ୍ରତ୍ୟେକଙ୍କ ହୃଦୟରେ ବିଦ୍ୟମାନ ଥାଆନ୍ତି  । ପ୍ରତ୍ୟେକଟି ଶିଶୁ ଜନ୍ମ ହେଲାବେଳେ ସେହି ଦିବ୍ୟ ସତ୍ତାକୁ ନିଜ ଭିତରେ ଧରି ଜନ୍ମ ହୋଇଥାଏ  । ଗୀତାରେ ମଧ୍ୟ କୁହାଯାଇଛି ଯେ ଭଗବାନ ତାଙ୍କ ଅଂଶ ଆତ୍ମା ରୂପେ ସମସ୍ତ ଜୀବଙ୍କ ଠାରେ ବିଦ୍ୟମାନ  ।
ଶାସ୍ତ୍ରଗୁଡ଼ିକ ମଧ୍ୟ ସମାନ ଭାବେ କହି ଆସୁଛନ୍ତି ଯେ ମାତୃଦେବୋ ଭବ  । ଯଦିଓ ମାତାପିତା ଉଭୟ ଦେବତା ସମାନ ତାଙ୍କ ମଧ୍ୟରୁ ମାତାଙ୍କ ସ୍ଥାନ ପିତାଙ୍କ ପୂର୍ବରୁ  । ଏଥିରେ ତିଳେ ହେଲେ ଭୁଲ ନାହିଁ  । ଐଶ୍ୱରୀୟ କ୍ଷେତ୍ରରେ ମଧ୍ୟ ସୀତାରାମ, ରାଧାକୃଷ୍ଣ, ଉମାଶଙ୍କର, ଲକ୍ଷ୍ମୀ ନାରାୟଣ, ଗିରିଜା ଶଙ୍କର, ଭବାନୀ ଶଙ୍କର ଇତ୍ୟାଦି ମାତାଙ୍କୁ ଭଗବାନଙ୍କ ପୂର୍ବରୁ ଆବାହନ କରାଯାଇଛି  । ପୁରାଣ ଉପାଖ୍ୟାନ ମାନଙ୍କରେ ମଧ୍ୟ ବର୍ଣ୍ଣିତ ଅଛି, ସୀତାଙ୍କୁ ହରାଇ ଶ୍ରୀରାମ କି ମର୍ମ ବେଦନା ନପାଇଲେ, ଲକ୍ଷ୍ମୀଙ୍କୁ ହରାଇ ଜଗନ୍ନାଥ ଓ ବଳଭଦ୍ର କି ଦୁରାବସ୍ଥାରେ ନ ପଡ଼ିଲେ, ସତୀଙ୍କୁ ହରାଇ ଶିବ ପାଗଳ ପ୍ରାୟ ସଂସାର ସାରା ଘୁରି ବୁଲିଥିଲେ  । ଆମ ସାମାଜିକ ଜୀବନରେ ମଧ୍ୟ ଅନୁରୂପ ଅବସ୍ଥା  । ଘରଣୀ ବିନା ଗୃହସ୍ଥ ମୁହୂର୍ତ୍ତେ ଚଳି ପାରନ୍ତା ନାହିଁ, ପିଲାମାନଙ୍କ ଯତ୍ନ ନେଇ ପାରନ୍ତା ନାହିଁ, ଧନ ଉପାର୍ଜନ କରାଯାଇପାରେ କିନ୍ତୁ ତାର ଉପଯୁକ୍ତ ବ୍ୟବହାର ହୋଇ ପାରନ୍ତା ନାହିଁ  । କୁହାଯାଇଛି "ଗୃହିଣୀ ଗୃହମୃତ୍ୟତେ', ଘର କହିଲେ ଗୃହିଣୀ ହିଁ ପ୍ରଥମେ ଆସିବେ  । ଦେଖାଯାଉଛି, ଘରକୁ ବୋହୂଟିଏ ଆସିଗଲାପରେ, ବହୁ ବର୍ଷ ପୂର୍ବରୁ ଯେଉଁମାନଙ୍କ ସହ ସମ୍ପର୍କ ତିକ୍ତ ହୋଇଯାଇଥିଲା, ସେଥିରେ ମଧୁରତା ଧୀରେ ଧୀରେ ଫେରୁଛି ଏବଂ ବନ୍ଧୁତା ଦୃଢ଼ତର ହେଉଛି  । କେଉଁଠି କେଉଁଠି କାଁ ଭାଁ ଏହାର ବ୍ୟତିକ୍ରମ ଥାଇପାରେ କିନ୍ତୁ ତାହା ଏକ ନୀତି ଭାବେ ଗଣ୍ୟ ହୁଏନାହିଁ  ।  ବର୍ତ୍ତମାନ ସମାଜରେ ଦେଖାଯାଉଛି ଲୋକମାନେ ମୂର୍ତ୍ତି ମାଆକୁ ପୂଜୁଛନ୍ତି କିନ୍ତୁ ନିଜ ମାଆକୁ ହେଳା କରୁଛନ୍ତି  । ମନ୍ଦିରରେ ମୂର୍ତ୍ତିମାଆକୁ ଭୋଗରାଗ ଚଢ଼ାଉଛନ୍ତି, ଘରର ବୋହୂମାନେ କେବଳ ଉପଭୋଗର ପାତ୍ରୀ ହୋଇ ରହିଯାଉଛନ୍ତି  । ସାଙ୍ଗସାଥୀ, ସହପାଠୀ ମାନଙ୍କ ସହ ସମ୍ପର୍କ ସିନେମା ପ୍ରଭାବରେ କର୍ଦ୍ଦମାକ୍ତ  । ସଂସ୍କୃତିରେ ଏ ଘୋର ଅବକ୍ଷୟର କାରଣ ସମସ୍ତଙ୍କୁ ଅଳ୍ପେ ବହୁତେ ଜଣା  । ବର୍ତ୍ତମାନର ଆବଶ୍ୟକତା, ଏହାର ନିରାକରଣ  । ସାମାଜିକ ଚରିତ୍ରର ଏ ଘୋର ଅଧୋପତନ ଆମ ସମାଜ ପ୍ରତି ମହା ବିପଦର ସୂଚନା  । ସମାଜରେ ଥିବା ଜ୍ଞାନୀ ଗୁଣୀ, ସାତ୍ତ୍ୱିକଭାବ ସମ୍ପନ୍ନ ବ୍ୟକ୍ତି, ଆଧ୍ୟାତ୍ମିକ ଜୀବନ ଯାପନ କରୁଥିବା ବ୍ୟକ୍ତି ଧର୍ମଭାବାପନ୍ନ ବ୍ୟକ୍ତି ମାନଙ୍କ ପ୍ରଭାବ କିିଛି କାମ ନ ଦେଲା ପରି ଜଣାଯାଉଛି  । କେହି କାହାକୁ କର୍ଣ୍ଣପାତ କରୁନାହାନ୍ତି  । ଗୁରୁ ସଦ୍ଗୁରୁ ମାନଙ୍କ ପ୍ରବଚନ ପାଇଁ କେତେ କେତେ ଚ୍ୟାନେଲ ଟିଭିରେ ପ୍ରସାର ନ କରୁଛନ୍ତି ଏବଂ ସେଠାରେ କି ଲୋକ ସମାଗମ ନ ହେଉଛନ୍ତି ? କିନ୍ତୁ କାହାରି ଉପରେ କିଛି ପ୍ରଭାବ ପଡ଼ୁନାହିଁ  । ଯଦି ପଡ଼ୁଛି ତେବେ ଅସାମାଜିକ ପଦକ୍ଷେପ, ବିଶେଷକରି ମହିଳାମାନଙ୍କ ପ୍ରତି ଦିନକୁ ଦିନ ବଢ଼ିବାରେ ଲାଗୁଛି କିପରି ? ଅପକର୍ମର ଦଣ୍ଡ ବିଧାନ କରାଯାଇ ମଧ୍ୟ ତାହାକୁ ନିୟନ୍ତ୍ରଣ କରାଯାଇ ପାରୁନି  । ଶେଷକୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି କହିଲେ, କେବଳ ଭଗବାନ ଏ ଦେଶକୁ ରକ୍ଷା କଲେ କରିବେ ସିନା  । ଅନ୍ୟ ଜଣେ ବିଚାରପତି କହିଲେ ଦେଶର ପିଲାମାନେ ବାଲ୍ୟକାଳରୁ ଭାଗବତ୍ ଓ ଗୀତା ପ୍ରଭୃତି ପାଠ କଲେ ସୁଫଳ ମିଳିବ  । ଏ କଥା ବହୁ ପୂର୍ବରୁ ଭାରତର ଉଚ୍ଚଶିକ୍ଷିତ ଧାର୍ମିକ ପଣ୍ଡିତ ତଥା ସାମାଜସଂସ୍କାରକ ଗଣ ଉପଦେଶ ଦେଇଥିଲେ  । ତାହା ସଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରି ନାହିଁ  । ହୋଇଥିଲେ ନିଶ୍ଚିତ ଭାବେ ସୁଫଳ ମିଳିଥାନ୍ତା  । ଏ କ୍ଷେତ୍ରରେ ମାତୃଜାତି ହାତରେ ହିଁ ସମାଧାନ  । ମାତୃଜାତି ଯେତେବେଳେ ଜାଗ୍ରତ ହେବ ସେତେବେଳେ ଯାଇ ସୁଫଳ ମିଳିବ  । ଦ୍ରୌପଦୀ ତାତି ନଥିଲେ ମହାଭାରତ ଯୁଦ୍ଧର ପରିଣାମ ଭିନ୍ନ ହୋଇଥାନ୍ତା  । ଦମୟନ୍ତୀ ଅଗ୍ନିଶର୍ମା ନ ହୋଇଥିଲେ ଅରଣ୍ୟର ସେ ଆସୁରିକ ଲୋକଗୁଡ଼ିକ ଧ୍ୱଂସ ହୋଇନଥାନ୍ତେ  । ଦେବୀ ସତ୍ୟଭାମା ସେଭଳି ତୀବ୍ରପ୍ରତିକ୍ରିୟା ଦେଖାଇ ନଥିଲେ ନରକାସୁର ନିପାତ ହୋଇନଥାନ୍ତା  ।
    ସମ୍ବାଦପତ୍ର ମାନଙ୍କରେ ବାହାରୁଛି ମହିଳାମାନେ ଏକତ୍ର ହୋଇ ଗାଁରୁ ମଦଭାଟି ଉଠାଇ ଦେଇପାରୁଛନ୍ତି  । ଥାନା ଘେରାଉ କରି ନ୍ୟାୟ ହାସଲ କରିପାରୁଛନ୍ତି  । ଦୁର୍ଗା ଗୋଟିଏ ମଳିତ ଶକ୍ତିର ପ୍ରତୀକ  । ମାତୃଜାତିର ମିଳିତ ହୋବାର ସମୟ ଆସି ପହଞ୍ଚô ଗଲାଣି  । ତାଙ୍କ ପଶ୍ଚାତ୍ ଭାଗରେ ପୁରୁଷମାନଙ୍କର ସମର୍ଥନ ମଧ୍ୟ ଥିବା ଆବଶ୍ୟକ  । ଯଦି ପୋଥି ପୁରାଣର ଉପଦେଶ ସତ୍ତ୍ୱେ ମହିଳାମାନଙ୍କୁ ସମ୍ମାନ ମିଳି ନପାରିଲା ତାହେଲେ ସେମାନେ କ'ଣ ଚିରଦିନ ପୀଡ଼ିତ ଦଳିତ ହୋଇ ରହିଥିବେ ? ଦିନେ ନା ଦିନେ ସେମାନଙ୍କୁ ଦୂର୍ଗା, କାଳୀ, ବଗଳାମୁଖୀ, ଉଗ୍ରତାରା ସାଜି ବାହାରେ ତଥା ଭିତରେ ଥିବା ଶୁମ୍ଭ, ନିଶ୍ଚୁମ୍ଭ, ରକ୍ତବୀର୍ଯ୍ୟ ଓ ମହିଷାସୁର ମାନଙ୍କୁ ଉପଯୁକ୍ତ ଶିକ୍ଷା ଦେବାକୁ ପଡ଼ିବ  । ସର୍ବପ୍ରଥମେ ନିଜ ସନ୍ତାନ ମାନଙ୍କୁ ସତ୍ ଉପାୟରେ ଅର୍ଜିତ ଭାତ ଖୁଆଇବାକୁ ପଡ଼ିବ  । ଅନ୍ୟପକ୍ଷରେ ମାତୃଜାତିକୁ ମର୍ଯ୍ୟାଦା ଦେଇ କିଏ କେଉଁଭଳି ଉପକୃତ ହୋଇଛି ସେଗୁଡ଼ିକର ଦୃଷ୍ଟାନ୍ତ ମଧ୍ୟ ସମାଜକୁ ସୁଉଚ୍ଚ ଆଦର୍ଶ ଶିକ୍ଷା ଦେଇପାରିବ  । ସେଗୁଡ଼ିକର ପ୍ରକାଶନ ନିତାନ୍ତ ଆବଶ୍ୟକ  । ମାତୃଜାତି ନିଜର ଦୈବୀ ଗୁଣର ପରାକାଷ୍ଠା ପ୍ରତିପାଦିତ କରି ନିଜର ଜନ୍ମଗତ ଅଧିକାର, ପାରିବାରିକ ସମ୍ମାନ, ସାମାଜିକ ସମ୍ମାନ ହାସଲ କରିବାରେ ଯତ୍ନବାନ ହେବା ଦରକାର  । ସେମାନେ ତାଙ୍କ ପଦମର୍ଯ୍ୟାଦା କ୍ଷୁଣ୍ଣ ହେବାକୁ ଆଦୌ ସହ୍ୟ କରିବା ଉଚିତ ନୁହେଁ  । ଆଜି ସମୟ ଆସିଛି ବରଂ ବିଳମ୍ବ ହୋଇଗଲାଣି - ମହିଳା, ପୁରୁଷ ଉଭୟେ ଦେବୀ ମାଆଙ୍କୁ ଗଭୀର ନିଷ୍ଠାର ସହ ପ୍ରାର୍ଥନା କରନ୍ତୁ ଯେପରି ଆମ ଦ୍ୱାରା କୌଣସି ମାଆଙ୍କୁ କୌଣସି ପ୍ରକାର ଆଘାତ ନ ଲାଗୁ  । ଏହି ପରିପ୍ରେକ୍ଷୀରେ ଏହା ହିଁ ହୋଇପାରେ ସର୍ବଶ୍ରେଷ୍ଠ ଦେବୀ ପୂଜା  । ଏହି ଅହିଂସା ଠାରୁ ବଡ଼ ଧର୍ମ ଆଉ କ'ଣ ହୋଇପାରେ ? ଶାସ୍ତ୍ରଉକ୍ତି - ""ନାରୀ ଯେଉଁଠାରେ ପୂଜା ପାଏ ସେଠାରେ ସମସ୍ତ ଦେବଦେବୀ ବିଦ୍ୟମାନ ଥାଆନ୍ତି ଏବଂ ତାରି ମାଧ୍ୟମରେ ସର୍ବ ଦେବଦେବୀ ପୂଜା ପାଇଥାଆନ୍ତି  ।'' 
ଅଲିଶା ବଜାର, କଟକ, ଦୂରଭାଷ : ୯୩୩୭୨୪୨୯୫୫