ରାମାୟଣର ତାତ୍ପର୍ଯ୍ୟ


ଦଶରଥ ପଞ୍ଚ କର୍ମେନ୍ଦି୍ରୟ ଓ ପଞ୍ଚ ଜ୍ଞାନେନ୍ଦି୍ରୟକୁ ବୁଝାଯାଏ । ତେଣୁ ପ୍ରତ୍ୟେକ ମନୁଷ୍ୟ ଜଣେ ଜଣେ ଦଶରଥ । ରାଜା ଦଶରଥଙ୍କର ୪ ପୁତ୍ର ଥିଲେ । ଯଥା : ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ । ସେମାନେ ୪ ବେଦର ପ୍ରତୀକ । ଯଥା : ଋକ୍, ଯର୍ଜୁ, ଶାମ, ଅଥର୍ବ । ସନାତନ ଧର୍ମ ଏହି ୪ ବେଦ ସତ୍ୟକୁ ନେଇ ଗଠିତ । ରାମ ଯର୍ଜୁ ବେଦର ପ୍ରତୀକ । ଯର୍ଜୁବେଦରେ ସତ୍ୟ ଓ ଧର୍ମ ଉପରେ ଗୁରୁତ୍ୱ ଦିଆଯାଇଛି । ରାମଙ୍କ ଜୀବନୀ ଏହି ୨ଟି ମୂଲ୍ୟବୋଧ ଉପରେ ପର୍ଯ୍ୟବସିତ । ଲକ୍ଷ୍ମଣଙ୍କ ଜୀବନ ଋକ୍ ବେଦ ଉପରେ ପର୍ଯ୍ୟବସିତ । ଋକ୍ ବେଦ ମନ୍ତ୍ର, ଶାରୀରିକ, କଷ୍ଟ ସହ ସାଧନା ଓ ଯଜ୍ଞକୁ ବୁଝାଏ । ସେ ରାମ ଓ ସୀତାଙ୍କର ସେବାକୁ ଜୀବନର ଯଜ୍ଞ ବୋଲି ଧରିନେଇଥିଲେ ଓ ଶାରୀରିକ କଷ୍ଟ ସାଧନା କରିଥିଲେ । ଭରତ ସାମବେଦର ପ୍ରତୀକ ଥିଲେ । ସେ ରାମଙ୍କର ଗୁଣକୀର୍ତ୍ତନ କରିବା ସହିତ ପାଦୁକା ପୂଜାକରି ରାଜ୍ୟ ଶାସନ କରୁଥିଲେ । ଶତ୍ରୁଘ୍ନ ଅଥର୍ବ ବେଦର ପ୍ରତୀକ ଥିଲେ । ଶତ୍ରୁଘ୍ନ ଶବ୍ଦର ଅର୍ଥ ଯାହାର କେହି ଶତ୍ରୁ ନାହିଁ । ଶତ୍ରୁଘ୍ନଙ୍କୁ କେହି ଆକ୍ରମଣ କରିବାକୁ ସାହସ କରୁନଥିଲେ । ସେ ତାଙ୍କ ଭାଇ ରାମଙ୍କ ରାଜ୍ୟକୁ ଶତ୍ରୁମୁକ୍ତ କରି ରକ୍ଷା କରିଥିଲେ ।
ଦଶରଥ ଓ ତାଙ୍କ ୪ ପୁତ୍ର ଅଯୋଧ୍ୟାରେ ରହୁଥିଲେ । ଅଯୋଧ୍ୟା ଶବ୍ଦର ଅର୍ଥ ଯାହାକୁ କି ଯୁଦ୍ଧରେ ଜିତିବା ଅସମ୍ଭବ । ଦଶରଥଙ୍କର ୩ଟି ସ୍ତ୍ରୀଙ୍କର ନାମ ଥିଲା କୌଶଲ୍ୟା, ସୁମିତ୍ର ଓ କୈକୟୀ । କୌଶଲ୍ୟା ସତ୍ତ୍ୱ ଗୁଣର ପ୍ରତୀକ ଥିଲେ । ସୁମିତ୍ରା ରଜଗୁଣ ଓ କୈକେୟୀ ତମ ଗୁଣର ପ୍ରତୀକ ଥିଲେ । କୌଶଲ୍ୟା ଶାନ୍ତ ସ୍ୱଭାବର ଥିଲେ । ସବୁ କଥାକୁ ଭୁଲ୍ ଠିକ୍ର ନିକିତିରେ ତଉଲିବାର କ୍ଷମତା ତାଙ୍କର ଥିଲା । ସେ ସଚେତନ ରହୁଥିଲେ ଏହାକୁ ସାତ୍ତ୍ୱିକ ଗୁଣ କୁହାଯାଏ । ସୁମିତ୍ରାଙ୍କ ପାଖରେ ଭାବପ୍ରବଣତା, ପାଇବାର ଇଚ୍ଛା ଓ କାମନାର ଗୁଣ ଥିଲା ।  ଯାହାକୁ କି ରାଜସିକ କୁହାଯାଏ । କୈକେୟୀଙ୍କ ନିକଟରେ ଭୟ, ଆଶଙ୍କା, ଅଳସୁଆମି ପ୍ରଭୃତି ଗୁଣ ଥିଲା । ଏଗୁଡ଼ିକ ତାମସିକ ଲକ୍ଷଣର ପରିଚୟ ଦିଏ ।
ବାଲ୍ମୀକିଙ୍କୁ ଆଦିକବି କୁହାଯାଏ । ସେ ଉପରୋକ୍ତ ବର୍ଣ୍ଣିତ ଗୁଣଗୁଡ଼ିକୁ କବିତା ଆକାରରେ ଚିତ୍ରଣ କରିଛନ୍ତି । ବ୍ୟାସଦେବଙ୍କୁ ରାମାୟଣର ଅନ୍ୟ ଏକ ରଚନାକାରୀ ବୋଲି ବିବେଚନା କରାଯାଏ । ସେ ରଚନା କରିଥିବା ରାମାୟଣର ନାମ ଆଧ୍ୟାତ୍ମ୍ୟ ରାମାୟଣ ଯେଉଁଥିରେ ରାମାୟଣର ଆଧ୍ୟାତ୍ମିକତା ଉପରେ ଓ ବାଲ୍ମୀକି ରାମାୟଣ ବିଷୟରେ ଲେଖାଯାିଛି । ତୁଳସୀ ଦାସଙ୍କ ଦ୍ୱାରା ରଚିତ ରାମାୟଣ ସର୍ବଗୃହୀତ । ଭଗବାନ ସତ୍ୟ ସାଇବାବା, ରାମକଥା  ରସବାହିନୀରେ ରାମଙ୍କ ଉପରେ ବୁଝାଇଛନ୍ତି । ଭାରତୀୟ ସଂସ୍କୃତି ଓ ଐତିହ୍ୟର ଆଲୋଚନା ସମୟରେ ତାଙ୍କର ଗ୍ରୀଷ୍ମ ଶିବିରଗୁଡ଼ିକରେ ସେ ରାମଙ୍କ ଉପରେ ଯେଉଁ ଦିବ୍ୟ ସମ୍ଭାଷଣ ପ୍ରଦାନ କରିଛନ୍ତି ତାହା “ଆତ୍ମରାମମ” ଏକ ପୁସ୍ତକ ରୂପେ ପ୍ରକାଶିତ ହୋଇଛି । ଉକ୍ତ ପୁସ୍ତକଗୁଡ଼ିକରୁ ଆମେ ବାଲ୍ମୀକି, ବ୍ୟାସ, ରାମଙ୍କ ଜୀବନୀ ଉପରେ ବର୍ଣ୍ଣନା କରିଥିବା ଆଧ୍ୟାତ୍ମିକତା ଉପରେ ଜାଣିଥାଉ । ରାମ ସୀତାଙ୍କର ବିବାହ ପ୍ରକୃତି ଓ ପୁରୁଷର ମିଳନ । ସୃଷ୍ଟିକର୍ତ୍ତା ଓ ସୃଷ୍ଟିର ମିଳନ । ବିବାହରେ ମଙ୍ଗଳସୂତ୍ର ପ୍ରଦାନ କରାଯାଇ ବରକନ୍ୟାଙ୍କର ବସ୍ତ୍ରରେ ଏକ ଗଣ୍ଠି ପକାଯାଏ ଓ ରାମାୟଣର ପଂକ୍ତି ବୋଲା ଯାଇଥାଏ । ଯଥା : ରାମସ୍ୟ ସୀତା, ରାବଣସ୍ୟ ମନେ୍ଦାଦରୀ, ନଳସ୍ୟ ଦମୟନ୍ତୀ । ଏପରି ବୋଲାଯାଇଥାଏ କାରଣ ଏମାନେ ହେଲେ ଆଦର୍ଶ ପତିପତ୍ନୀ । ଆଦର୍ଶକୁ ଜନସମାଜ ଗ୍ରହଣ କରିଥାଏ । କାରଣ ଆଦର୍ଶ ହିଁ ସତ୍ୟ । ସେହିପରି ଖ୍ରୀଷ୍ଟିଆନମାନଙ୍କର ବାହାଘର ନିମନ୍ତ୍ରଣ ପତ୍ର ଉପରେ ବାଇବେଲର ଏକ ପଂକ୍ତି ଦିଆଯାଇଥାଏ ।
ଯେପରି ଆମେ ଦର୍ପଣ ଆଗରେ ଠିଆହେଲେ ଆମର ପ୍ରତିଛବି ଦେଖିଥାଉ ସେପରି ରାମ (ଭଗବାନ), ପ୍ରକୃତି (ଦର୍ପଣ), ସୀତା (ପ୍ରତିଚ୍ଛବି) ଯଦି ଦର୍ପଣଟିକୁ କାଢ଼ି ଦିଆଯାଏ । ସୀତାଙ୍କ ପ୍ରତିଚ୍ଛବି ରହିବ ନାହିଁ । କେବଳ ରାମ ଦୃଶ୍ୟମାନ ହେବେ । ଯଦି ଦ୍ୱୈତ ଭାବକୁ କାଢ଼ିଦିଆଯାଏ ରାମ ଓ ସୀତା ଭିତରେ ପାର୍ଥକ୍ୟ ରହିବ ନାହିଁ । ରାମ (ଭଗବାନ) ହିଁ ଜ୍ଞାନ । ଜଣେ ପ୍ରଭାବଶାଳୀ ରାଜା ଜନକଙ୍କର କନ୍ୟା ସୀତା ଯିଏ ଦିନେ ହୀରାନୀଳା ମୋତି ମାଣିକ୍ୟରେ ଚାଲୁଥିଲେ ରାମଙ୍କୁ ବିବାହ କରିବା ସଂସାର ତ୍ୟାଗକରି ଭଗବତ୍ପ୍ରାପ୍ତି ଏକାନ୍ତ କାମ୍ୟ ଚିନ୍ତାକରି ରାମଙ୍କ ସହିତ ସନ୍ନ୍ୟାସିନୀ ପରି ଜୀବନ କାଟୁଥିବା ସମୟରେ ସୁନାର ହରିଣୀକୁ ପାଇବାକୁ ଇଚ୍ଛା କରିବା ମାୟା ନୁହେଁ କ’ଣ? ତେଣୁ ଜୀବନରେ ଭଗବାନଙ୍କୁ ପାଇବା ଏକାନ୍ତ କାମ୍ୟ ହେବା ଉଚିତ୍ । ଧନରତ୍ନ ପଛରେ ଧାଇଁଲେ ମାୟା ଗ୍ରାସ କରିବ ଓ ଏହା ଭଗବାନଙ୍କଠାରୁ ଦୂରେଇଦେବ । ଜୀବନ ଦୁଃଖପୂର୍ଣ୍ଣ ହୋଇଯିବ । 
ଅନୀତା ପଟ୍ଟନାୟକ,ମୋ : ୯୬୯୨୯୮୦୦୨