ବୁଦ୍ଧ ପୂର୍ଣ୍ଣିମା

ବୈଶାଖ ପୂର୍ଣ୍ଣିମାକୁ ବୁଦ୍ଧ ପୂର୍ଣ୍ଣିମା ମଧ୍ୟ କୁହାଯାଇଥାଏ । ଏହି ଦିନରେ ଭଗବାନ ଗୌତମ ବୁଦ୍ଧ ଜନ୍ମ ନେଇଥିଲେ ଏବଂ ନିର୍ବାଣ ପ୍ରାପ୍ତି କରିଥିଲେ । ଏହି ଦିନ ହିଁ ସେ ବୁଦ୍ଧତ୍ୱ ପ୍ରାପ୍ତି କରିଥିଲେ । ସାରା ବିଶ୍ୱରେ ଏବେ ୫୦ କୋଟିରୁ ଅଧିକ ବୌଦ୍ଧ ଧର୍ମାବଲମ୍ବୀ ରହିଛନ୍ତି । ବୌଦ୍ଧ ଧର୍ମାବଲମ୍ବୀମାନେ ବେଶ୍ ଧୁମ୍ଧାମରେ ଏହି ପର୍ବ ପାଳନ କରିଥାନ୍ତି । ସନାତନ ହିନ୍ଦୁ ଧର୍ମରେ ଭଗବାନ ବୁଦ୍ଧଙ୍କୁ ବିଷ୍ଣୁଙ୍କ ନବମ ଅବତାର ଭାବେ ମାନ୍ୟତା ମିଳିଛି । ଏଣୁ ହିନ୍ଦୁଙ୍କ ପାଇଁ ଏହି ଦିନର ବିଶେଷ ମହତ୍ତ୍ୱ ରଖିଥାଏ । ବିହାର ବୌଦ୍ଧଗୟା ଠାରେ ଉଭୟ ହିନ୍ଦୁ ଏବଂ ବୌଦ୍ଧ ଧର୍ମାବଲମ୍ବୀମାନେ ସମ୍ପୂର୍ଣ୍ଣ ଭକ୍ତି ଭାବେ ଭଗବାନ ବୁଦ୍ଧଙ୍କ ପୂଜା କରିଥାନ୍ତି । ବୁଦ୍ଧ ପୂର୍ଣ୍ଣିମା ଉପଲକ୍ଷେ ହଜାର ହଜାର ଶ୍ରଦ୍ଧାଳୁ ହରିଦ୍ୱାରରେ ସ୍ନାନ କରି ପୁଣ୍ୟ ଅର୍ଜନ କରିବାର ପରମ୍ପରା ମଧ୍ୟ ରହିଛି । ଗୃହତ୍ୟାଗ ପରେ ସିଦ୍ଧାର୍ଥ ଲଗାତାର ସାତ ବର୍ଷ ପର୍ଯ୍ୟନ୍ତ ବଣରେ ବୁଲିଥିଲେ । କଠୋର ତପସ୍ୟା କରିବା ପରେ ବୈଶାଖ ପୂର୍ଣ୍ଣିମା ଦିନ ହିଁ ସେ ବୁଦ୍ଧତ୍ୱର ଜ୍ଞାନ ଲାଭ କରିଥିଲେ । ବୁଦ୍ଧଙ୍କ ଜନ୍ମ କପିଳାବସ୍ତୁ ନିକଟବର୍ତ୍ତୀ ଲୁମ୍ବିନୀ ଠାରେ ହୋଇଥିଲା । ସେ ଶାକ୍ୟ ବଂଶର ରାଜା ଶୁଦେ୍ଧାଦ୍ଧନ ଏବଂ ରାଣୀ ମହାମାୟା ଦେବୀଙ୍କ ପୁତ୍ର ଥିଲେ । ମାଉସୀ ଗୌତମୀଙ୍କ ଦ୍ୱାରା ଲାଳିତପାଳିତ ହୋଇଥିବାରୁ ତାଙ୍କ ନାଁ ଗୌତମ ରହିଥିଲା । ବୁଦ୍ଧଦେବ ଅନେକ ଗୁରୁଙ୍କ ଠାରୁ ଶିକ୍ଷା ଗ୍ରହଣ କରିଥିଲେ ମଧ୍ୟ ଗୁରୁ ବିଶ୍ୱାମିତ୍ରଙ୍କ ଠାରୁ ସେ ବେଦ, ଉପନିଷଦ ଏବଂ ଶସ୍ତ୍ର ବିଦ୍ୟା ଶିକ୍ଷା କରିଥିଲେ । ସେ ଯଶୋଧାରାଙ୍କୁ ବିବାହ କରିଥିଲେ ତାଙ୍କର ରାହୁଳ ନାମରେ ଏକ ପୁତ୍ର ଥିଲା । ଦୁହେଁ ପରବର୍ତ୍ତୀ ସମୟରେ ବୌଦ୍ଧ ଭିକ୍ଷୁ ପାଲଟିଯାଇଥିଲେ । ଭିନ୍ନ ଭିନ୍ନ ଦେଶରେ ଥିବା ବୌଦ୍ଧ ଧର୍ମାବଲମ୍ବୀମାନେ ଭିନ୍ନ ପରମ୍ପରା ଏବଂ ରୀତିନୀତି ଅନୁଯାୟୀ ବୁଦ୍ଧ ପୂର୍ଣ୍ଣିମା ପାଳିଥାନ୍ତି ।
ଡକ୍ଟର ତପନ କୁମାର ପାଳ
ମୋ : ୯୯୩୭୬୫୮୩୬୨