ବିଜେଡ଼ିରେ ଛକାପଞ୍ଝା : ଅଡୁଆ ବଢ଼ିବ ନା ଛିଡ଼ିବ

ଭୁବନେଶ୍ୱର : ବିଜେଡ଼ିରେ କାହାର ରହିବ ଦବଦବା । ଜିଲ୍ଲା ସଭାପତି ଓ ରାଜ୍ୟ ପରିଷଦରେ କେଉଁ ଗୋଷ୍ଠୀର ନେତାଙ୍କୁ ଗୁରୁତ୍ୱ ମିଳିବ । ମେଳି କରିଥିବା ନେତାଙ୍କୁ କୋଣଠେସା କରାଯିବ ନା ତାଙ୍କୁ ଗୁରୁ ଦାୟିତ୍ୱ ଦିଆଯିବ । ଛାତ୍ର ଓ ଯୁବ ସଭାପତି ମଙ୍ଗ କିଏ ଧରିବେ ? ଏମିତି ଅନେକ ଚର୍ଚ୍ଚା ବିଜେଡ଼ି ଅଳିନ୍ଦରେ ମାହୋଲକୁ ସରଗରମ କରିଦେଇଛି ।
୨୦୨୪ ଜୁଲାଇରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡ଼ିର ରାଜ୍ୟସ୍ତରୀୟ କମିଟିକୁ ଭାଙ୍ଗି ଦେଇଥିଲେ । ୨୦୨୫ ଜାନୁଆରୀରେ ଛାମୁଆ ସଂଗଠନ ବି ଭଙ୍ଗ କରାଯାଇଥିଲା । ବର୍ତ୍ତମାନ ବିଜେଡ଼ି ଜିଲ୍ଲା ସଭାପତି ଚୟନ ସହ ରାଜ୍ୟ ପରିଷଦ ସଦସ୍ୟ ଚୟନ କରୁଛି । ଏଥର ଦଳ ନୂଆ ଢାଞ୍ଚାରେ କମିଟି ଗଢ଼ିବ ବୋଲି ଚର୍ଚ୍ଚା ହେଉଛି । ପାଣ୍ଡିଆନ୍ ଓ ବବିଙ୍କ ଉପରେ ଅନେକ ନେତା ଅସନ୍ତୁଷ୍ଟ ଥିବାରୁ ବିବାଦ ଏଡ଼ାଇବାକୁ ନବୀନ ନୂଆ ରଣନୀତି କରିଛନ୍ତି । ନେତାମାନଙ୍କୁ ଏକାଠି ବସି ନେତା ଚୟନ କରିବାକୁ ଦାୟିତ୍ୱ ଦିଆଯାଇଛି । ପ୍ରଣବ ପ୍ରକାଶ ଦାସ, ଦେବୀ ପ୍ରସାଦ ମିଶ୍ର, ଅରୁଣ ସାହୁ, ପ୍ରତାପ ଜେନା, ସଞ୍ଜୟ ଦାସବର୍ମା, ପ୍ରତାପ ଦେବ ଓ ଅତନୁ ସବ୍ୟସାଚୀ ନାୟକ ଏକାଠି ବସି କାହାକୁ ଜିଲ୍ଲା ସଭାପତି କରାଯିବ, କେଉଁମାନଙ୍କୁ ରାଜ୍ୟ ପରିଷଦ ସଦସ୍ୟ କରାଯିବ ସେନେଇ ତାଲିକା ପ୍ରସ୍ତୁତ କରୁଛନ୍ତି ।
ସେପଟେ ଅନେକ ଦିନ ପରେ ବିଜେଡ଼ିରେ ବିଦ୍ରୋହର ବିଗୁଲ୍ ବାଜିଛି । ଯୁବନେତାମାନେ ମେଳି କରିଛନ୍ତି । ବରିଷ୍ଠ ନେତାମାନେ ବି ନବୀନଙ୍କ ନାଲିଆଖିକୁ ଡରିନାହାନ୍ତି । ରୋକଠୋକ୍ ନବୀନଙ୍କୁ ଜବାବ ବି ଦେଇଛନ୍ତି । ସିଧାସିଧା ପାଣ୍ଡିଆନଙ୍କୁ ନିଶାନା ସାଧିଛନ୍ତି । ୨୦୦୨ ପରେ ଦଳରେ ଏଭଳି ବିଚିତ୍ର ସ୍ଥିତି ସୃଷ୍ଟିହୋଇଛି । ୨୦୧୨ ମଧ୍ୟରାତ୍ର ଷଡ଼ଯନ୍ତ୍ରର ଝଡ଼ ମାତ୍ର ଦୁଇଦିନରେ ଥମି ଯାଇଥିଲା । ଦୁଇ ତିନି ଜଣ ନେତାଙ୍କୁ ଛାଡ଼ିଦେଲେ ସବୁ ନେତା ନବୀନଙ୍କ ସହ ଥିଲେ । କିନ୍ତୁ ପାଣ୍ଡିଆନଙ୍କ ପ୍ରସଙ୍ଗ ବିଜେଡ଼ିରେ ଫାଟ ସୃଷ୍ଟି କରିଛି । ଅନେକ ବରିଷ୍ଠ ନେତା ମୁହଁ ଖୋଲିନଥିଲେବି ଆଉ ପାଣ୍ଡିଆନଙ୍କ ମାମଲତିକୁ ପସନ୍ଦ କରୁନାହାନ୍ତି ।
ଏଭଳି ସ୍ଥିତିରେ ମେଳି ବାନ୍ଧିଥିବା ନେତାଙ୍କୁ ଯଦି ଦଳ କୋଣଠେସା କରେ, ତେବେ ଆଗାମୀ ଦିନରେ ବିଦ୍ରୋହ ବଢ଼ିବାର ବି ସମ୍ଭାବନା ରହିଛି । ଦଳରେ ପଦପଦବୀ ନମିଳିଲେ ସେମାନେ ଅନ୍ୟ ଦଳକୁ ମୁହାଁଇବାର ବି ଆଶଙ୍କା ରହିଛି । କମ୍ବଳ ସାରା ବାଳ ନ୍ୟାୟରେ ନବୀନ କେତେ ବାଛିବେ ତାହା ବି ଏକ ଚ୍ୟାଲେଞ୍ଜ ସୃଷ୍ଟି କରିବା ସ୍ୱାଭାବିକ ।
ପୂର୍ବରୁ ବିଜେଡ଼ିରେ କେଉଁ ନେତା କେଉଁ ଦାୟିତ୍ୱରେ ରହିବେ ସବୁ କଥା ବବି ଦାସ ହିଁ ବୁଝୁଥିଲେ । ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ଆଉ କିଛି ହାତଗଣତି ନେତା ନବୀନ ନିବାସରେ ଚୂଡ଼ାନ୍ତ କରି ପ୍ରେସ୍ ବିବୃତ୍ତି ଜାରି କରୁଥିଲେ । କିନ୍ତୁ ୱାକଫ ଝଡ଼ ପରେ ନବୀନ ଓ ପାଣ୍ଡିଆନ୍ ଉଭୟ ଚାପରେ ରହିଥିବା ସ୍ପଷ୍ଟ ହୋଇଯାଇଛି ।