ଶ୍ରୀଜଗନ୍ନାଥଙ୍କ ଚନ୍ଦନ ବେଶ

ଶ୍ରୀଜଗନ୍ନାଥଙ୍କ ଚନ୍ଦନ ବେଶ

ବୈଶାଖ ପୂର୍ଣ୍ଣିମା ପବିତ୍ର ଚନ୍ଦନ ପୂର୍ଣ୍ଣିମା ନାମରେ ପରିଚିତ । ଏହି ତିଥିରେ ଶ୍ରୀଜଗନ୍ନାଥଙ୍କ ଯାତ୍ରା ପରମ୍ପରା ସହ ନିବିଡ଼ ସମ୍ପର୍କ ରହିଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୪୨ ଦିନିଆ ଚନ୍ଦନ ଯାତ୍ରା ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଥାଏ । ଚନ୍ଦନ ଯାତ୍ରା ଯଥା କ୍ରମେ ଦୁଇ ଭାଗରେ ଅନୁଷ୍ଠିତ ହୋଇଥାଏ । ପ୍ରଥମେ ବାହାର ଚନ୍ଦନ ଏବଂ ପରେ ଭିତର ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ । ପ୍ରଥମ ୨୧ ଦିନ ଅନୁଷ୍ଠିତ ହେଉଥିବା ବାହାର ଚନ୍ଦନ ଯାତ୍ରାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିବସ ହେଉଛି ଚନ୍ଦନ ପୂର୍ଣ୍ଣିମା । ଏହି ଦିନ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଲକ୍ଷ୍ମୀ, ସରସ୍ୱତୀ ଓ ପାଞ୍ଚ ପାଣ୍ଡବଙ୍କୁ ପାଲିଙ୍କିରେ ବସାଇ ପବିତ୍ର ନରେନ୍ଦ୍ର ପୁଷ୍କରିଣୀକୁ ନିଆଯାଇଥାଏ । ସେଠାରେ ଦିଅଁମାନେ ଚାପ ଖେଳିଥାନ୍ତି । ଏହି ପବିତ୍ର ତିଥିରେ ଦିଅଁମାନଙ୍କ ଠାରେ ଚନ୍ଦନର ପ୍ରଲେପ ଲଗା ଯାଇଥାଏ । ଗରମରୁ ରକ୍ଷା ନିମନ୍ତେ ଏହି ପରମ୍ପରା ଅନୁଷ୍ଠିତ ହୋଇଥାଏ । ବୈଶାଖ ପୂର୍ଣ୍ଣିମା ଦିନ ଠାକୁରଙ୍କ କନ୍ଦର୍ପରଥ ବେଶରେ ସଜ୍ଜିତ କରାଯାଇଥାଏ । ଏହି ବେଶରେ ଗୋପାଙ୍ଗନାମାନଙ୍କ ଦ୍ୱାରା ରଥାକୃତି ପରିବେଷ୍ଟିତ ବେଶରେ ମଦନମୋହନଙ୍କୁ ସଜାଇ ଦିଆଯାଏ । ଶ୍ରୀଜଗନ୍ନାଥଙ୍କ ଅତି ଉଚ୍ଚ ଯାତ୍ରା ପରମ୍ପରା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଚନ୍ଦନ ଯାତ୍ରା ଦେଖିବା ଲାଗି ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ । ଅକଳନୀୟ ଅୟସର ଦେବତା ଶ୍ରୀଜଗନ୍ନାଥ, ଆଉ ତାଙ୍କ ସୁକୁମାର ପଣ ଫୁଟିଉଠେ ବିଭିନ୍ନ ପ୍ରକାର । ଖାଦ୍ୟପେୟ, ବେଶଭୂଷା ଓ ଯାନିଯାତ୍ରା ମାନଙ୍କରେ । ଗ୍ରୀଷ୍ମ ଦିନେ ସମ୍ପୂର୍ଣ୍ଣ ୪୨ ଦିନ ପାଇଁ ସେ ସଜ୍ଜିତ ହୁଅନ୍ତି ଚନ୍ଦନ ବେଶରେ । ବୈଶାଖ ଶୁକ୍ଳ ତୃତୀୟା ତିଥିରେ ଆରମ୍ଭ ହୋଇ ଚନ୍ଦନ ବେଶ ପର୍ବ ଚାଲେ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ଅର୍ଥାତ୍ ସ୍ନାନ ପୂର୍ଣ୍ଣିମାର ପୂର୍ବଦିନ ଯାଏଁ । ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଥିବା ବିଶେଷ ବେଶମାନଙ୍କ ମଧ୍ୟରେ ଚନ୍ଦନବେଶ ମଧ୍ୟ ଅନ୍ୟତମ ପ୍ରଧାନ ବେଶ ରୂପେ ଗୃହୀତ । ଗ୍ରୀଷ୍ମର ଉତ୍ତାପକୁ ପ୍ରତିରୋଧ କରିବା ପାଇଁ ଚନ୍ଦନ ବେଶ ଅଭିପ୍ରେତ । ଏଣୁ ଆରାମଦାୟକ ସୁବାସିତ ଦ୍ରବ୍ୟ (ଯଥା - ସୁଗନ୍ଧ ଫୁଲ ଏବଂ ଚନ୍ଦନ) ଏଇ ବେଶରେ ପ୍ରାଧାନ୍ୟ ଲାଭ କରେ । ଏହି ରୀତି ସମୟରେ ଦିଅଁମାନଙ୍କ ପାଇଁ ଚାମର ଆଲଟ ମଧ୍ୟ ହୁଏ । କାରଣ ଗ୍ରୀଷ୍ମର ପ୍ରକୋପ ହ୍ରାସ କରିବା ପାଇଁ ଚାମରର ଭୂମିକା ମଧ୍ୟ ରହିଛି । ତେବେ ଏ ସମୟର ସମସ୍ତ ଉପଚାର ନିର୍ଦ୍ଦିଷ୍ଟ ରୀତି ଅନୁଯାୟୀ ହିଁ ସମ୍ପନ୍ନ ହୁଏ ।
ସକାଳ ଧୂପର ପରବର୍ତ୍ତୀ ଧୂପ ଅର୍ଥାତ୍ ଛତ୍ର ଭୋଗ ଅର୍ପଣ ପରେ ପରେ ଜୟ ବିଜୟ ଦ୍ୱାର ବନ୍ଦ କରି ଦିଆଯାଏ । ତା ପରେ ସିଂହାସନ ଆଗରେ ପଡ଼େ ଗୋଟିଏ କାଠଘଡ଼ା ଏବଂ ତା ଉପରୁ ତିନି ଜଣ ସେବାୟତ ଦିଅଁମାନଙ୍କୁ ଚାମରରେ ବିଞ୍ଚନ୍ତି । କିଛି ସମୟ ପରେ ଚାମର ଆଲଟ ବନ୍ଦ ହୁଏ । ସେତିକି ବେଳକୁ ଆଡ଼ମ୍ବର ସହକାରେ ଚନ୍ଦନ, କର୍ପୂର, କେଶରୀ ପ୍ରଭୃତି ଆସିଥାଏ । ମନ୍ଦିରର ଘୋଟୁଆରୀ ସେବାୟତମାନେ ମୁକ୍ତି ମଣ୍ଡପର ସାମାନ୍ୟ ଦୂରରେ ଥିବା ଚନ୍ଦନ ଘରେ ଏ ରୀତି ପାଇଁ ମୁଣ୍ଡା ମୁଣ୍ଡା ଚନ୍ଦନ ଘୋରିଥାଆନ୍ତି । ଚନ୍ଦନ, କର୍ପୂର, କେଶର, ଚୁଆ ପ୍ରଭୃତିର ସମ୍ମିଶ୍ରଣ ଦିଅଁମାନଙ୍କ ଶ୍ରୀ ଅଙ୍ଗରେ ଲେପନ କରାଯାଏ । ମନ୍ଦିରର ପୁଷ୍ପାଳକମାନେ ଏହା ଲାଗି କରନ୍ତି । ସେହି ପୁଷ୍ପାଳକମାନେ ହିଁ ଅନେକ ପୁଷ୍ପ ନିର୍ମିତ ଅଳଙ୍କାରରେ ମଧ୍ୟ ବିଭୂଷିତ କରାନ୍ତି ଦିଅଁମାନଙ୍କୁ । ନିତିଦିନିଆ ତିନି ସାଧାରଣ ଆଭୂଷଣ ଚିତା, ଗୁଣା ଏବଂ ଅଧରମାଳା (ଯେଉଁ ଗୁଡ଼ିକ ଯଥାକ୍ରମେ ଦେବତାମାନଙ୍କର କପାଳ, ନାସା ଓ ମୁଖତଳ ଶୋଭାମୟ କରାନ୍ତି) ଚନ୍ଦନ ବେଶରେ ମଧ୍ୟ ବ୍ୟବହୃତ ହୁଏ । ତେବେ ଏଇ ବେଶରେ ଅନେକ ସ୍ୱତନ୍ତ୍ର ପୁଷ୍ପ ଆଭୂଷଣରେ ମଧ୍ୟ ଉପଯୋଗ ହୁଏ । ପ୍ରଧାନତଃ ସେହି ସ୍ୱତନ୍ତ୍ର ଫୁଲଗୁଡ଼ିକ ହିଁ ଚନ୍ଦନ ବେଶକୁ ଏକ ସ୍ୱାତନ୍ତ୍ର୍ୟ ପ୍ରଦାନ କରନ୍ତି । ମନ୍ଦିରର ସୁନା ଗୋସେଇଁ ସ୍ୱତନ୍ତ୍ର ପୁଷ୍ପ ଆଭୂଷଣରୁ କେତୋଟି ଯୋଗାଇ ଦେଇଥାନ୍ତି । ବିଗ୍ରହ ତ୍ରୟର ମସ୍ତକର ଦୁଇ ପାଶ୍ୱର୍କୁ କୁହାଯାଏ ରାହୁ ରେଖା । ଉଭୟ ପଟରୁ ରାହୁ ରେଖା ବେଷ୍ଟନ କରି ଗୋଟିଏ ଗୋଟିଏ ପୁଷ୍ପ ମାଳି ଦିଅଁମାନଙ୍କ ସମଗ୍ର କଳେବରର ଉଭୟ ପଟେ ଲମ୍ବି ଯାଇଥାଏ । ମାଳି ଚଉସରି (ଅର୍ଥାତ୍ ଚାରିଗୋଟି ସରୁ ସରୁ ମାଳ ଏକତ୍ର ଗ୍ରଥିତ ହୋଇ) ପ୍ରସ୍ତୁତ ହୋଇଥାଏ । ସୁଗନ୍ଧ ଫୁଲ ଗୁନ୍ଥା ଯାଇ ତିଆରି ହୋଇଥିବା ମାଳିଗୁଡ଼ିକ ପ୍ରାୟ ୨୦ ଫୁଟ ଯାଏଁ ଲମ୍ବା ହୋଇଥାଏ । ହାରଗୁଡ଼ିକୁ ପୁରୀ ମନ୍ଦିରରେ ଥିବା ରାଘବ ଦାସ ମଠ ଯୋଗାଇ ଦେଇଥାଏ । 
ଚନ୍ଦନ ବେଶରେ ଅନ୍ୟତମ ପୁଷ୍ପାଳଙ୍କାର ହେଲା ଅଳକା ବା କପାଳ ଉପରେ ଧାଡ଼ି ଧାଡ଼ି ହୋଇ ସଜ୍ଜିତ ହେଉଥିବା ଅଳକାପନ୍ତି । ଏଇ ଅଳକାପନ୍ତି ମଧ୍ୟ ଫୁଲରେ ହିଁ ନିର୍ମିତ ହୁଏ । ମନ୍ଦିରର ଫୁଲଦାସୀମାନେ ଅଳଙ୍କାରଗୁଡ଼ିକ ଗୁନ୍ଥି ପ୍ରସ୍ତୁତ କରିଥାଆନ୍ତି । ଏ ବେଶରେ ଦିଅଁମାନଙ୍କ ମସ୍ତକ ଶୀର୍ଷରେ ଥାଏ ଫୁଲ ନିର୍ମିତ ଚୂଳ । ମୁଖର ଦୁଇ ପାଶ୍ୱର୍ରେ ଫୁଲର ଝୁମ୍ପା ଏବଂ ସୁଦୀର୍ଘ ଶ୍ରୀପୟରମାଳା ତିନୋଟି ମଧ୍ୟ ବ୍ୟବହୃତ ହୁଏ । ଦିପହର ଧୂପ ପରେ ପରେ ଚନ୍ଦନ ବେଶ ଲାଗି ହୁଏ । ଏଇ ବେଶ ଥାଇ ପଣ୍ଡା ପଖାଳ ଓ ବିରିପିଠାରେ ଭୋଗ ପରଷା ଯାଏ । ଯାହାର ନାମ ଯାତ୍ରାଙ୍ଗୀ ଭୋଗ । ଯାତ୍ରାଙ୍ଗୀ ଭୋଗ ଅର୍ପଣ ସରିବା ଯାଏ ଚନ୍ଦନ ବେଶ ବିଗ୍ରହମାନଙ୍କର ରହେ ।

ବିପିନ ବିହାରୀ ରାଉତ