ପୁରୀରେ ସାହିଯାତ ଓ ଶ୍ରୀରାମନବମୀ

ପୁରୀରେ ସାହିଯାତ ଓ ଶ୍ରୀରାମନବମୀ


ପ୍ରତିବର୍ଷ ଶ୍ରୀରାମ ନବମୀ ଦିନ ଶ୍ରୀମନ୍ଦିର ସମେତ ପୁରୀର ବିଭିନ୍ନ ମଠବାଡ଼ି, ସିଂହଦ୍ୱାରସ୍ଥ ଶ୍ରୀରାମଦୟା ପରିଷଦ, ମାର୍କେଟ ଛକର ଶ୍ରୀ ସତ୍ୟନାରାୟଣ ପୂଜା କମିଟି, ରେଳଷ୍ଟେସନ ନିକଟସ୍ଥ ଶ୍ରୀରାମ ମନ୍ଦିର ଆଦି ଦେବସ୍ଥାନ ଓ ଅନୁଷ୍ଠାନ ତରଫରୁ ଭଗବାନ ଶ୍ରୀରାମଚନ୍ଦ୍ରଙ୍କର ଜନ୍ମୋତ୍ସବ, ଯଜ୍ଞ, ପୂର୍ଣ୍ଣାହୁତି ଓ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ମହାସମାରୋହରେ ପାଳିତ ହେବା ସହିତ ଶ୍ରୀରାମନବମୀ ଦିନଠାରୁ ୧୧ ଦିନ ବ୍ୟାପୀ  ପ୍ରସିଦ୍ଧ ‘ସାହିଯାତ’ ବା ଲୋକସଂସ୍କୃତିର ଉତ୍ସବ ଆରମ୍ଭ ହୋଇଥାଏ । ଏହା ଶ୍ରୀଜଗନ୍ନାଥଙ୍କ ସହ ସଂପୃକ୍ତ  ଏବଂ ଲୋକକଳା ଓ ସମର କଳାର ମିଳିତ ପ୍ରଦର୍ଶନଯାହାକି ଅନ୍ୟତ୍ର ବିରଳ । 
ସାହିଯାତର ପ୍ରମୁଖ ଲୀଳା ଗୁଡ଼ିକ ହେଉଛି ଶ୍ରୀରାମଜନ୍ମ ,ଯଜ୍ଞରକ୍ଷା, ସୀତା ବିବାହ, ହରଧନୁଭଙ୍ଗ, ପରଶୁରାମ ଲୀଳା, ବନବାସ, ମାୟାମୃଗ, ଲଙ୍କାପୋଡିÿ ହନୁମାନ, ସେତୁବନ୍ଧ, ରାବଣ ବଧ  ଓ ଶେଷରେ ରାମାଭିଷେକ ।ସାହିଯାତ୍ରାର ଲୀଳାଗୁଡ଼ିକ ଶ୍ରୀଜଗନ୍ନାଥଙ୍କ ଲୀଳାକ୍ଷେତ୍ର  ଶ୍ରୀକ୍ଷେତ୍ର ନନ୍ଦିଗ୍ରାମ ରୂପେ ପରିଚିତ  ଶ୍ରୀଜଗନ୍ନାଥଙ୍କ ଉଦ୍ୟାନ ‘ଜଗନ୍ନାଥ ବଲ୍ଲଭ’ରେ ଅନୁଷ୍ଠିତ ହୋଇଥାଏ । ଏଥି ମଧ୍ୟରୁ କେବଳ ଗୋଟିଏ ଲୀଳା  ରାବଣଦ୍ୱାରା ‘ସେତୁବନ୍ଧ ପ୍ରତିଷ୍ଠା’ ଗୌଡ଼ବାଡ଼ ସାହିର  ଯମ୍ବେଶ୍ୱର ମନ୍ଦିର ଠାରେ ହୋଇଥାଏ ।
ଶ୍ରୀକ୍ଷେତ୍ର ସାହିଯାତର ଅନ୍ୟତମ ଆକର୍ଷଣ ହେଉଛି ବିରାଟକାୟ ନାଗାମେଢ-ମା’ଦୁର୍ଗାଙ୍କର ବୀରତ୍ୱର ମୂର୍ତ୍ତିମନ୍ତ୍ର ପ୍ରତୀକ । ଇତିହାସ କହେ  ନାଗା ସମ୍ପ୍ରଦାୟ (ନାଗା ସାଧୁ) ଆଦି ଶଙ୍କରଙ୍କ ଦ୍ୱାରା  ସୃଷ୍ଟ ଦଶନାମୀ ସମ୍ପ୍ରଦାୟର ଏକ ପ୍ରମୁଖ ଅଙ୍ଗ । ଏହି ସମ୍ପ୍ରଦାୟ ତକ୍ରାଳୀନ ଭାରତରେ ହିନ୍ଦୁମଠ, ମନ୍ଦିର ଓ ଏହାର ପୃଷ୍ଠପୋଷକମାନଙ୍କର ରକ୍ଷାପାଇଁ ଉଦ୍ଦିଷ୍ଟ ଥିଲା । ସେଥିପାଇଁ ଶଙ୍କରାଚାର୍ଯ୍ୟ ଭାରତର ମୁଖ୍ୟ ତୀର୍ଥକ୍ଷେତ୍ର ମାନଙ୍କରେ ଆଖଡ଼ାମାନ ପ୍ରତିଷ୍ଠା କରି ନାଗାବୀରମାନଙ୍କୁ ନାଗାସାଧୁ ଆଖ୍ୟା ଦେଇ ଆକ୍ରମଣକାରୀ ଶତ୍ରୁ ବିଶେଷ ଭାବେ ମୁସଲମାନ ଓ ମୋଗଲମାନଙ୍କୁ ପ୍ରତିହତ କରିବାର ଦାୟିତ୍ୱ ଦେଇଥିଲେ । ଏମାନଙ୍କୁ କୁହାଯାଉଥିଲା “ନାଗାବାଗା ସାଧୁ’ । ଏମାନଙ୍କ ମୂଳମନ୍ତ୍ର ଥିଲା - ‘ନା ଆଗକୁ କେହି ନାହିଁ, ନାଁ ପଛକୁ । ମାରିବୁ ନ ହେଲେ ମରିବୁ । ମାତ୍ର ଧର୍ମରକ୍ଷା କରିବୁ ।’ ସେହି ନାଗା ବୀରତ୍ୱର ପ୍ରତୀକ ସ୍ୱରୂପ ପୁରୀରେ ନାଗା ବିଗ୍ରହ ନିର୍ମାଣ ସହିତ ସହିତ ନାଗା ଉପାସନା ବା ନାଗାପୂଜା ଏବଂ ନାଗାମେଢର ପ୍ରଚଳନ ଆରମ୍ଭ ହୋଇଥିଲା ।
ନାଗା ନୃତ୍ୟ ବୀରତ୍ୱ, ଦମ୍ଭ ଓ ଗାମ୍ଭୀର୍ଯ୍ୟର ପ୍ରତୀକ  ସେହି ସ୍ମୃତି ଏବଂ ପରମ୍ପରା କ୍ରମେ ଶ୍ରୀଜଗନ୍ନାଥଙ୍କ ସୁରକ୍ଷା ପାଇଁ ବହୁ କାଳରୁ ପୁରୀ ରଥଯାତ୍ରା ସମୟରେ ପ୍ରତିବର୍ଷ ବହୁ ସଂଖ୍ୟାରେ ନାଗାସାଧୁମାନେ ପୁରୀ ଆସି ମହାପ୍ରଭୁଙ୍କ ରଥଯାତ୍ରାରେ ଅଂଶ ଗ୍ରହଣ କରୁଥିଲେ ଏବଂ ବାହୁଡା ପରେ ପରେ ଫେରି ଯାଉଥିଲେ । ନବକଳେବର ୧୯୫୦ ରଥଯାତ୍ରା ସମୟରେ କୋ÷÷ଣସି କାରଣରୁ ନାଗାସାଧୁ ଓ ପୋଲିସଙ୍କ ମଧ୍ୟରେ ସଂଘର୍ଷ ଘଟି ୨୦୦ ସାଧୁ ଏବଂ ୧୪ ଜଣ ପୋଲିସ ଆହତ ହୋଇଥିଲେ । ଏଥିରେ ଅତି କମରେ ୧୨ ଜଣ ସାଧୁଙ୍କ ମୃତ୍ୟୁ ହୋଇଥିଲେହେଁ ଶବଗୁଡିକୁ ତୁରନ୍ତ ବାଲି ଭିତରେ ପୋତି ଘଟଣାକୁ ଚପାଇ ଦିଆଯାଇଥିଲା । ଏହାର ୪ ବର୍ଷ ପରେ ୧୯୫୪ ରଥଯାତ୍ରା ସମୟରେ ବଡଦାଣ୍ଡର ଗୋଟିଏ କଣରେ ବଳଭଦ୍ରଙ୍କ ରଥ ଚକ ଦବିଯିବାରୁ ରଥଟଣା ବନ୍ଦ ରହିଥିଲା । ପରଦିନ ରଥଟଣା ହେବା ପୂର୍ବରୁ ବହୁସଂଖ୍ୟାରେ ସଶସ୍ତ୍ର  ନାଗାସାଧୁ ଜବରଦସ୍ତି ବଳଭଦ୍ରଙ୍କ ରଥ ଉପରକୁ ଚଢି ସେଠାରେ ଥିବା ପୋଲିସ ଓ ସେବାୟତଙ୍କୁ ଆକ୍ରମଣ କରିଥିଲେ । ଏହି ସଂଘର୍ଷରେ ୧୯୦ ଜଣ ନାଗାସାଧୁ ,ସେବକ ଓ ଅଳ୍ପ କେତେଜଣ ପୋଲିସ ଆହତ ହୋଇଥିଲେ । ସେହିଦିନ(୧୯୫୪)ଠାରୁ ନାଗା ମାନେ ଆଉ ପୁରୀ ଆସୁ ନାହାନ୍ତି ଯଦିଓ ପ୍ରତିବର୍ଷ ଦେଶର ବିଭିନ୍ନ ତୀର୍ଥସ୍ଥାନ ଏବଂ ନଦୀମାନଙ୍କରେ ପବିତ୍ର ସ୍ନାନ ଯୋଗ / ବୁଡ ଓ କୁମ୍ଭମେଳା ଆଦି ସମୟରେ   ନାଗା ସାଧୁମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ଆସି ଯୋଗ ଦେଉଛନ୍ତି । ସେମାନଙ୍କ ସାହିସ୍ନାନ ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଅଛି । 
ସାହିଯାତର ଆଉ ଏକ ଆକର୍ଷଣ ମେଢ଼ ପରମ୍ପରା । ଏହା ଦୁଇ ପ୍ରକାର ମୁଖାଯୁକ୍ତ ଓ ମୁଖାହୀନ । ଉଭୟେ ଦେବଦେବୀଙ୍କ ଚିତ୍ର ଓ ଶରୀର ବିଭିନ୍ନ ଅଳଙ୍କାର ଶୋଭିତ । ମେଢ଼ ପଛପାଖେ ଟାହିଆ ଓ କିରୀଟି ଥାଏ । ମେଢ଼ ନୃତ୍ୟ ମାଧୁର୍ଯ୍ୟଯୁକ୍ତ ନୃତ୍ୟ । ପୁରୁଷମାନେ ସ୍ତ୍ରୀ ବା ଠାକୁରାଣୀ ବେଶ ହୋଇଥା’ନ୍ତି । ସାହିଯାତ୍ରାରେ ସାଧାରଣତଃ ଦୁର୍ଗା ମେଢ଼, ମଙ୍ଗଳା ମେଢ଼, କାଳୀ ମେଢ଼, ଗାୟତ୍ରୀ ମେଢ଼ ,  ଶିବ ମେଢ଼, ନୃସିଂହ ମେଢ଼, ଗଣେଶ ମେଢ଼ ଇତ୍ୟାଦି ରହିଥାଆନ୍ତି । ଏଥିରେ ସମରକଳା ସହିତ ବାଘ ଓ ଭାଲୁ ନୃତ୍ୟ ଏବଂ ରାମଲୀଳାର ଚରିତ୍ର ମାନଙ୍କ ଅଭିନୟ ସହିତ ପୁରୀର ଲୋକକଳା ପ୍ରଦର୍ଶିତ ହୋଇଥାଏ । ବାଙ୍କ, ଛଡ଼ି, ପଟା, ପିରାମିଡ଼୍ ଇତ୍ୟାଦି ଖେଳ ସହିତ ବିଭିନ୍ନ ସୁଆଙ୍ଗ, ବ୍ୟଙ୍ଗଗୀତ, ଢଗ ଢମାଳି ଓ ବଚନିକା ମଧ୍ୟ ପଟୁଆରରେ ପ୍ରଦର୍ଶିତ ହୋଇଥାଏ । ଏବେ ଏବେ ମହିଳାମାନେ ମଧ୍ୟ କେତେକ ମେଢ ବନ୍ଧାଉଛନ୍ତି ।
 କୋଭିଡ କଟକଣା ଓ ଅନ୍ୟ କେତେକ କାରଣରୁ ବିଗତ କିଛିବର୍ଷ ହେଲା ସାହିଯାତ ବସ୍ତୁତଃ ରସହୀନ ରହିଥିଲେହେଁ ଚଳିତ ବର୍ଷ ସାହି ବାସିନ୍ଦାଙ୍କ ଅପୂର୍ବ ଉତ୍ସାହ ,ଜାଗା ଆଖେଡା ଭେଣ୍ଡିଆମାନଙ୍କର ତତ୍ପରତା  ଏବଂ ପ୍ରଶାସନର ଅକୁଣ୍ଠ ସାହାଯ୍ୟ ସହଯୋଗରେ ପୁରୀର ଏହି ସାଂସ୍କୃତିକ ଉତ୍ସବ ମହା ସମାରୋହରେ ପାଳିତ ହେବାର ଆଶା  କରାଯାଉଛି  ।  
ପୁରୀ,ମୋ: ୮୦୧୮୮୭୫୩୩୫