କାମ୍ବଲିଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ଗାଭାସ୍କର : ପ୍ରତି ମାସରେ ଦେବେ ୩୦ ହଜାର
ନୂଆଦିଲ୍ଲୀ : ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି ପୁଣି ଚର୍ଚ୍ଚାରେ । ନିକଟରେ ନିଜର ଦୁର୍ବଳ ସ୍ୱାସ୍ଥ୍ୟାବସ୍ଥା ଓ ଆର୍ଥିକ ସଙ୍କଟ ସ୍ଥିତି ପାଇଁ କାମ୍ବଲି ଚର୍ଚ୍ଚାକୁ ଆସିଥିଲେ । କାମ୍ବଲି ଭାରତ ପାଇଁ ୧୦୪ଟି ଦିନିକିଆ ଓ ୧୭ଟି ଟେଷ୍ଟ ଖେଳିଛନ୍ତି । କିନ୍ତୁ ସମୟକ୍ରମେ ସେ ଏକାଧିକ ରୋଗରେ ପୀଡିତ ହେବା ସହ ଘର ଚଳାଇବାକୁ ତାଙ୍କ ପାଖରେ ଟଙ୍କା ମଧ୍ୟ ନଥିବା ଖବର ସାମ୍ନାକୁ ଆସିଥିଲା ।
୨୦୨୪ ମସିହା ଡିସେମ୍ବର ୨୧ରେ କାମ୍ବଲିଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଥାଣେର ଆକୃତି ହସ୍ପିଟାଲରେ ଭର୍ତ୍ତି କାଯାଇଥିଲା । ସେଠାରେ ଚିକିସôିତ ହେବା ପରେ ସେ ଡିସ୍ଚାର୍ଜ ହୋଇଥିଲେ । ତଥାପି ତାଙ୍କ ସ୍ୱାସ୍ଥ୍ୟ ସଂପୂର୍ଣ୍ଣ ଠିକ ହୋଇନାହିଁ । ଏବେ ବି ସେ ବହୁବିଧ ରୋଗରେ ପୀଡିତ । ଦୁର୍ବଳ ସ୍ୱାସ୍ଥ୍ୟାବସ୍ଥା ସହ କାମ୍ବଲି ଆର୍ଥିକ ସଙ୍କଟ ଦେଇ ମଧ୍ୟ ଗତି କରୁଛନ୍ତି । କାମ୍ବଲିଙ୍କୁ ଏପରି ଅବସ୍ଥାରେ ଦେଖି ଏବେ ତାଙ୍କୁ ସହାୟତା କରିବାକୁ ଆଗେଇ ଆସିଛନ୍ତି ପୂର୍ବତନ କ୍ରିକେଟର ତଥା ଷ୍ଟାର ଭାଷ୍ୟକାର ସୁନୀଲ ଗାଭାସ୍କର ।
୨୦୨୪ ଡିସେମ୍ବର ମାସରେ ମୁମ୍ବାଇର ଶିବାଜୀ ପାର୍କରେ ମହାନ କ୍ରିକେଟ କୋଚ୍ ରମାକାନ୍ତ ଆଚେର୍କରଙ୍କ ଗୋଟିଏ ସ୍ମାରକୀ ଉଦ୍ଘାଟନ କରାଯାଇଥିଲା । ଏହି ସମୟରେ ଗାଭାସ୍କର ସର୍ବସମ୍ମୁଖରେ କାମ୍ବଲିଙ୍କୁ ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏବେ ଗାଭାସ୍କର ତାଙ୍କ କଥା ରଖିଛନ୍ତି । ଏଣିକି କାମ୍ବଲି ପ୍ରତି ମାସରେ ଗାଭାସ୍କରଙ୍କ ଠାରୁ ଆର୍ଥିକ ସହାୟତା ପାଇବେ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଗାଭାସ୍କରଙ୍କ ଚାମ୍ପସ୍ ଫାଉଣ୍ଡେସନ ପକ୍ଷରୁ କାମ୍ବଲିଙ୍କୁ ପ୍ରତି ମାସରେ ଘର ଚଳାଇବା ପାଇଁ ୩୦ ହଜାର ଟଙ୍କା ଲେଖାଏ ଦିଆଯିବ । ସେହିପରି ତାଙ୍କ ମେଡିକାଲ ଖର୍ଚ୍ଚ ବାବଦରେ ମଧ୍ୟ ଫାଉଣ୍ଡେସନ ବାର୍ଷିକ ୩୦ ହଜାର ଟଙ୍କାର ସହାୟତା କରିବ ।