ସୁଲତାଙ୍କୁ ଦେବାଶିଷଙ୍କ ସମାଲୋଚନା "ଶୃଙ୍ଖଳା ଭାଙ୍ଗୁଛନ୍ତି ଜୁନିୟର'
କଟକ : ସୋସିଆଲ ମିଡ଼ିଆରେ ଯାହାକୁ ଚାହିଁଲେ ତାଙ୍କୁ କହିଲେ । ଦେବାଶିଷ ସାମନ୍ତରାୟ ହୁଅନ୍ତୁ କି ମୁନ୍ନା ଖାଁ କାହାକୁ ବି ଛାଡ଼ିଲେନି । ଯାହାକୁ ନେଇ ଆଜି ଦେବାଶିଷ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଜୁନିୟର ହୋଇ ଦଳୀୟ ଶୃଙ୍ଖଳା ଭାଙ୍ଗୁଛନ୍ତି ବୋଲି ରୋକଠୋକ ଶୁଣାଇଛନ୍ତି ।
ୱାକଫ ବିଲ ସମର୍ଥନରେ ବିବେକ ଅନୁସାରେ ଭୋଟ ଦେବାକୁ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ କହୁଥିବାର ଏକ ଭିଡ଼ିଓ ଓ ଲେଖା ଦଳୀୟ ସାଂସଦ ସୁଲତା ଦେଓ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ପରେ ଏହାକୁ ନେଇ ବିବାଦ ଥମୁନାହିଁ । ଆଜି ଏନେଇ ବିଜେଡ଼ିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ବିଷୋଦଗାର କରିଛନ୍ତି । ଶ୍ରୀସାମନ୍ତରାୟ କହିଛନ୍ତି, ସୁଲତା ଦଳୀୟ ଶୃଙ୍ଖଳା ଭଙ୍ଗ କରିଛନ୍ତି । ମୁଖିଆ କହିଲା ପରେ ଆମର ଆଉ କାହାର କିଛି କହିବାର ଅଧିକାର ନାହିଁ । ସୁଲତା ଜାଣନ୍ତି, ମୁଁ କେବେଠାରୁ ଦଳରେ ଅଛି ଓ ସେ କେବେ ଆସିଲେ, ଫରକ ଅଛି । ଜୁନିୟର ହୋଇ ଦଳୀୟ ଶୃଙ୍ଖଳା ଭଙ୍ଗ କରିଛନ୍ତି । ଏନେଇ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ସେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ବିବେକ ଅନୁସାରେ ଭୋଟ ଦେବାକୁ ନବୀନ କହୁଥିବାରୁ ଏକ ଭିଡ଼ିଓ ଓ ଲେଖା ଦଳୀୟ ସାଂସଦ ସୁଲତା ଦେଓ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ପରେ ବିଜେଡ଼ିର ଦୋମୁହାଁ ନୀତି ପଦାରେ ପଡ଼ିଛି । ଅବଶ୍ୟ ନବୀନ ବିବେକାନୁମୋଦିତ କଥାଟା ଅତି ଚତୁରତାର ସହ କହିଥିଲେ । ଯାହାକୁ ନେଇ ଆଲୋଚନା ହୋଇନଥିଲା । ସୁଲତା କେବଳ ନବୀନଙ୍କ ପୋଲ୍ ଖୋଲି ନାହାନ୍ତି, ସସ୍ମିତଙ୍କୁ ସମର୍ଥନ କରିବା ସହ ବିଜେଡ଼ି ସାଂସଦ ମୁନା ଖାଁ ଓ ଦେବାଶିଷ ସାମନ୍ତରାୟଙ୍କୁ ଟାର୍ଗେଟ କରିଥିଲେ । ଶହ ଶହ ମୁସଲମାନକୁ ସାଙ୍ଗରେ ଧରି ନବୀନ ନିବାସ ଯାଇ ମୁନା କହିଥିବା ଅଭିଯୋଗକୁ ଏକ ପ୍ରାୟୋଜିତ ଷଡଯନ୍ତ୍ର ବୋଲି କହିଥିଲେ । ତେବେ ସୁଲତାଙ୍କ ସୋସିଆଲ ମିଡ଼ିଆ ପୋଷ୍ଟ ଉପରେ ଚିହିଁକି ଉଠିଛନ୍ତି ମୁସଲିମ ଭୋଟର । ନବୀନ ପଟ୍ଟନାୟକ ପଛରୁ ଛୁରା ଭୁଷିଛନ୍ତି ବୋଲି ଅଭିଯୋଗ କରିଛନ୍ତି । ନୀତିଶ ଓ ନାଇଡ଼ୁଙ୍କ ଭଳି ପ୍ରତାରଣା କରିଛନ୍ତି ବୋଲି କହିଛନ୍ତି । ଆଗାମୀ ଦିନରେ ଏହାର ଜବାବ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି । ପ୍ରକାଶ ଥାଉକି, ୱକଫ ବିଲକୁ ବିରୋଧ କରିବାକୁ ନବୀନ ସଂସଦୀୟ ଦଳ ବୈଠକରେ ନିଦେ୍ର୍ଦଶ ଦେଇଥିଲେ । ସେହି ଅନୁସାରେ ରାଜ୍ୟ ସଭାରେ ମୁନା ଖାଁ ବିଲକୁ ବିରୋଧ କରିଥିଲେ । ହେଲେ ଦଳ ପକ୍ଷରୁ କୌଣସି ହ୍ୱିପ ଜାରି କରାଯାଇନଥିଲା । ସେହିଦିନ ସସ୍ମିତ ଅଚାନକ ଏକ ପୋଷ୍ଟ କରି ବିବେକ ଅନୁସାରେ ଭୋଟ ଦେବା କଥା କହିଥିଲେ ଏବଂ ୱକଫ ବିଲ ସପକ୍ଷରେ ଭୋଟ ଦେଇଥିଲେ । ଯାହାକୁ ବିରୋଧ କରି ବିଜେଡ଼ି ଦୁଇ ଫାଳ ହୋଇଯାଇଛି ।