ବିଜୁଙ୍କ ପ୍ରତିମୂର୍ତ୍ତି ଜଳିବା ଘଟଣା, ବିଜେଡିର ପ୍ରତିବାଦ
ନବରଙ୍ଗପୁର : ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଜାଳିବା ଘଟଣାକୁ ନେଇ ନବରଙ୍ଗପୁର ଜିଲ୍ଲା ବିଜେଡିର ପ୍ରତିବାଦ ପ୍ରଦର୍ଶନ କରାଯାଇଛି । ବଲାଙ୍ଗୀର ଜିଲ୍ଲା ପଟଣାଗଡ଼ ରେ ଦୁର୍ବୁର୍ତ୍ତ ଦ୍ୱାରା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଜାଳିବା ଘଟଣାକୁ ନେଇ ନବରଙ୍ଗପୁର ଜିଲ୍ଲା ବିଜେଡି ତରଫରୁ ଦୃଢ଼ ପ୍ରତିବାଦ ଓ ନିନ୍ଦା କରାଯାଇଛି । ବିଜୁବାବୁ କେବଳ ଓଡିଶାର ନୁହଁ ସାରା ବିଶ୍ୱର ଜଣେ ଖ୍ୟାତନାମା ବ୍ୟକ୍ତିତ୍ୱ ଥିବା ବେଳେ ତାଙ୍କ ପ୍ରତିମୂର୍ତ୍ତିକୁ ଜାଳି ତାଙ୍କୁ ଅପମାନ ଦେବା କେବଳ ଓଡିଶା ନୁହଁ ସାରା ବିଶ୍ୱ ପାଇଁ ଅପମାନ ବୋଲି ଜିଲ୍ଲା ବିଜେଡି ତରଫରୁ କୁହାଯାଇଛି । ଏନେଇ ବିଜେଡି ନେତା ପ୍ରଦୀପ ମାଝୀ ଓ ପୂର୍ବତନ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀଙ୍କ ନେତୃତ୍ୱରେ ବିଜେଡି କର୍ମୀ ମାନେ ନବରଙ୍ଗପୁର ସହର ମାଝୀଗୁଡା ଛକ ନିକଟ ରେ ଥିବା ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ତଳେ ପ୍ରତିବାଦ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆଗାମୀ ତିନି ଦିନ ମଧ୍ୟରେ ଦୋଷୀଙ୍କୁ ଗିରଫ କରାନଗଲେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି ବିଜେଡି କର୍ମୀ ।