ବିଜେଡ଼ିରେ ଛକାପଞ୍ଝା: ଅଡୁଆ ବଢ଼ିବ ନା ଛିଡ଼ିବ

ବିଜେଡ଼ିରେ ଛକାପଞ୍ଝା: ଅଡୁଆ ବଢ଼ିବ ନା ଛିଡ଼ିବ

 ବିଜେଡ଼ିରେ କାହାର ରହିବ ଦବଦବା  । ଜିଲ୍ଲା ସଭାପତି ଓ ରାଜ୍ୟ ପରିଷଦରେ କେଉଁ ଗୋଷ୍ଠୀର ନେତାଙ୍କୁ ଗୁରୁତ୍ୱ ମିଳିବ  । ମେଳି କରିଥିବା ନେତାଙ୍କୁ କୋଣଠେସା କରାଯିବ ନା ତାଙ୍କୁ ଗୁରୁ ଦାୟିତ୍ୱ ଦିଆଯିବ  । ଛାତ୍ର ଓ ଯୁବ ସଭାପତି ମଙ୍ଗ କିଏ ଧରିବେ ? ଏମିତି ଅନେକ ଚର୍ଚ୍ଚା ବିଜେଡ଼ି ଅଳିନ୍ଦରେ ମାହୋଲକୁ ସରଗରମ କରିଦେଇଛି  । ଅପରପକ୍ଷରେ ପାଣ୍ଡିଆନଙ୍କ ପ୍ରସଙ୍ଗରେ ତାଙ୍କର ଅନୁଗାମୀମାନେ ମୌଖିକ ସର୍ଭେ ଆରମ୍ଭ କରିଛନ୍ତି  । ସାମ୍ବାଦିକ, ବୁଦ୍ଧିଜୀବୀ, ରାଜନୀତିକ ସମୀକ୍ଷକ, ତୃଣମୂଳସ୍ତରର ନେତାଙ୍କ ମନର କଥା ଜାଣିବାକୁ ବିଜେଡ଼ି ପ୍ରୟାସ କରୁଛି  । 
୨୦୨୪ ଜୁଲାଇରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡ଼ିର ରାଜ୍ୟସ୍ତରୀୟ କମିଟିକୁ ଭାଙ୍ଗି ଦେଇଥିଲେ  । ୨୦୨୫ ଜାନୁଆରୀରେ ଛାମୁଆ ସଂଗଠନ ବି ଭଙ୍ଗ କରାଯାଇଥିଲା  । ବର୍ତ୍ତମାନ ବିଜେଡ଼ି ଜିଲ୍ଲା ସଭାପତି ଚୟନ ସହ ରାଜ୍ୟ ପରିଷଦ ସଦସ୍ୟ ଚୟନ କରୁଛି  । ଏଥର ଦଳ ନୂଆ ଢାଞ୍ଚାରେ କମିଟି ଗଢ଼ିବ ବୋଲି ଚର୍ଚ୍ଚା ହେଉଛି  । ପାଣ୍ଡିଆନ୍ ଓ ବବିଙ୍କ ଉପରେ ଅନେକ ନେତା ଅସନ୍ତୁଷ୍ଟ ଥିବାରୁ ବିବାଦ ଏଡ଼ାଇବାକୁ ନବୀନ ନୂଆ ରଣନୀତି କରିଛନ୍ତି  । ନେତାମାନଙ୍କୁ ଏକାଠି ବସି ନେତା ଚୟନ କରିବାକୁ ଦାୟିତ୍ୱ ଦିଆଯାଇଛି  । ପ୍ରଣବ ପ୍ରକାଶ ଦାସ, ଦେବୀ ପ୍ରସାଦ ମିଶ୍ର, ଅରୁଣ ସାହୁ, ପ୍ରତାପ ଜେନା, ସଞ୍ଜୟ ଦାସବର୍ମା, ପ୍ରତାପ ଦେବ ଓ ଅତନୁ ସବ୍ୟସାଚୀ ନାୟକ ଏକାଠି ବସି କାହାକୁ ଜିଲ୍ଲା ସଭାପତି କରାଯିବ, କେଉଁମାନଙ୍କୁ ରାଜ୍ୟ ପରିଷଦ ସଦସ୍ୟ କରାଯିବ ସେନେଇ ତାଲିକା ପ୍ରସ୍ତୁତ କରୁଛନ୍ତି  । 
ସେପଟେ ଅନେକ ଦିନ ପରେ ବିଜେଡ଼ିରେ ବିଦ୍ରୋହର ବିଗୁଲ୍ ବାଜିଛି  । ଯୁବନେତାମାନେ ମେଳି କରିଛନ୍ତି  । ବରିଷ୍ଠ ନେତାମାନେ ବି ନବୀନଙ୍କ ନାଲିଆଖିକୁ ଡରିନାହାନ୍ତି  । ରୋକଠୋକ୍ ନବୀନଙ୍କୁ ଜବାବ ବି ଦେଇଛନ୍ତି  । ସିଧାସିଧା ପାଣ୍ଡିଆନଙ୍କୁ ନିଶାନା ସାଧିଛନ୍ତି  । ୨୦୦୨ ପରେ ଦଳରେ ଏଭଳି ବିଚିତ୍ର ସ୍ଥିତି ସୃଷ୍ଟିହୋଇଛି  । ୨୦୧୨ ମଧ୍ୟରାତ୍ର ଷଡ଼ଯନ୍ତ୍ରର ଝଡ଼ ମାତ୍ର ଦୁଇଦିନରେ ଥମି ଯାଇଥିଲା  । ଦୁଇ ତିନି ଜଣ ନେତାଙ୍କୁ ଛାଡ଼ିଦେଲେ ସବୁ ନେତା ନବୀନଙ୍କ ସହ ଥିଲେ  । କିନ୍ତୁ ପାଣ୍ଡିଆନଙ୍କ ପ୍ରସଙ୍ଗ ବିଜେଡ଼ିରେ ଫାଟ ସୃଷ୍ଟି କରିଛି  । ଅନେକ ବରିଷ୍ଠ ନେତା ମୁହଁ ଖୋଲିନଥିଲେବି ଆଉ ପାଣ୍ଡିଆନଙ୍କ ମାମଲତିକୁ ପସନ୍ଦ କରୁନାହାନ୍ତି  । ଏଭଳି ସ୍ଥିତିରେ ମେଳି ବାନ୍ଧିଥିବା ନେତାଙ୍କୁ ଯଦି ଦଳ କୋଣଠେସା କରେ, ତେବେ ଆଗାମୀ ଦିନରେ ବିଦ୍ରୋହ ବଢ଼ିବାର ବି ସମ୍ଭାବନା ରହିଛି  । ଦଳରେ ପଦପଦବୀ ନମିଳିଲେ ସେମାନେ ଅନ୍ୟ ଦଳକୁ ମୁହାଁଇବାର ବି ଆଶଙ୍କା ରହିଛି  । କମ୍ବଳ ସାରା ବାଳ ନ୍ୟାୟରେ ନବୀନ କେତେ ବାଛିବେ ତାହା ବି ଏକ ଚ୍ୟାଲେଞ୍ଜ ସୃଷ୍ଟି କରିବା ସ୍ୱାଭାବିକ  । 
ପୂର୍ବରୁ ବିଜେଡ଼ିରେ କେଉଁ ନେତା କେଉଁ ଦାୟିତ୍ୱରେ ରହିବେ ସବୁ କଥା ବବି ଦାସ ହିଁ ବୁଝୁଥିଲେ  । ପାଣ୍ଡିଆନଙ୍କ ନିଦେ୍ର୍ଦଶରେ ଆଉ କିଛି ହାତଗଣତି ନେତା ନବୀନ ନିବାସରେ ଚୂଡ଼ାନ୍ତ କରି ପ୍ରେସ୍ ବିବୃତ୍ତି ଜାରି କରୁଥିଲେ  । କିନ୍ତୁ ୱାକଫ ଝଡ଼ ପରେ ନବୀନ ଓ ପାଣ୍ଡିଆନ୍ ଉଭୟ ଚାପରେ ରହିଥିବା ସ୍ପଷ୍ଟ ହୋଇଯାଇଛି  । ଯେଉଁଥିପାଇଁ ନବୀନ ନିବାସ ବଦଳରେ ଶଙ୍ଖ ଭବନରେ ହିଁ ସବୁ ନିଷ୍ପତ୍ତି କରିବାକୁ ବାଧ୍ୟ ହୋଇଛନ୍ତି କହିଲେ ଭୁଲ୍ ହେବନାହିଁ  ।  ୱାକଫ ଝଡ଼ ବିଜେଡ଼ି ପାଇଁ ଯେତିକି ଅଶୁଭ ସଂକେତ ଦେଇଛି ସେତିକି ଶୁଭଙ୍କର ହେବବୋଲି  ରାଜନୀତିକ ସମୀକ୍ଷକମାନେ ମତବ୍ୟକ୍ତ କରୁଛନ୍ତି  । ଦଳର ନେତା ଓ କର୍ମୀଙ୍କ ଅସନ୍ତୋଷ ଦେଖିବା ପରେ ବିଜେଡ଼ି ଆଉ ପାଣ୍ଡିଆନ୍ମୟ ହେବନାହିଁ  । ସବୁ ନେତାଙ୍କୁ ସାଙ୍ଗରେ ଧରି, ସମସ୍ତଙ୍କ ସହ ବିଚାରବିମର୍ଷ କରି ଦଳ ନିଷ୍ପତ୍ତି ନେବାକୁ ବାଧ୍ୟ ହେବ  । ସେହିପରି ମିଳିଥିବା ସୂଚନା ଅନୁଯାୟୀ, ପାଣ୍ଡିଆନଙ୍କ ଅନୁଗାମୀମାନେ ସର୍ଭେ ଆରମ୍ଭ କରିଛନ୍ତି  । କିଛି ସାମ୍ବାଦିକ, ବୁଦ୍ଧିଜୀବୀଙ୍କ ସହ ସାକ୍ଷାତ ଆଲୋଚନା କରି ସେମାନେ ମତାମତ ନେଇଛନ୍ତି  । ତୃଣମୂଳସ୍ତରର ନେତାଙ୍କ ସହ ବି ଆଲୋଚନା କରିଥିବା ଜାଣିବାକୁ ମିଳିଛି  । ଆଗାମୀ ଦିନରେ ଦଳ ଓ କର୍ମୀମାନେ ପାଣ୍ଡିଆନଙ୍କୁ କିଭଳି ନଜରରେ ଦେଖୁଛନ୍ତି, ତାଙ୍କର ଉପସ୍ଥିତି ବିଜେଡ଼ି ପାଇଁ ଲାଭଦାୟକ ନା କ୍ଷତିକାରକ ଆଦି ପ୍ରସଙ୍ଗରେ ବିଶଦ ଆଲୋଚନା କରୁଛନ୍ତି  । ଏହା ପରେ ପାଣ୍ଡିଆନ୍ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବେ ବୋଲି ଚର୍ଚ୍ଚା ହେଉଛି  ।