ଭଦ୍ରକ ଅଶାନ୍ତ ଘଟଣା୨୭ ଗିରଫ, ଖୋଲିଲା ଦୋକାନ
ସାମାଜିକ ଗଣମାଧ୍ୟମରେ ବିବାଦୀୟ ପୋଷ୍ଟକୁ ନେଇ ଶୁକ୍ରବାର ସନ୍ଧ୍ୟାରେ ଧାମନଗର ଓ ଭଦ୍ରକରେ ସୃଷ୍ଟି ହୋଇଥିବା ବିବାଦ ଏବେ ନିୟନ୍ତ୍ରଣକୁ ଆସିଛି । ଏହି ଗଣ୍ଡଗୋଳରେ ସଂପୃକ୍ତଙ୍କ ମଧ୍ୟରୁ ଆଜି ସୁଦ୍ଧା ଧାମନଗର ଓ ଭଦ୍ରକ ପୁରୁଣାବଜାର ପୁଲିସ ୨୭ ଜଣଙ୍କୁ ଗିରଫ କରିଥିବା ପୋଲିସ ସୂଚନା ଦେଇଛନ୍ତି ।
ଭଦ୍ରକ ପୁରୁଣା ବଜାର ସହିତ ଧାମନଗର ସହରାଞ୍ଚଳ ଓ ଦୋବଲ ବଜାରରେ ଧାରା ୧୬୩ ବଳବତ୍ତର ରହିଥିବା ବେଳେ କଟକଣାରେ କିଛିଟା କୋହଳ କରାଯାଇଛି । ୪ ଦିନ ଧରି ସମ୍ପୃକ୍ତ ଅଞ୍ଚଳରେ ଦୋକାନ ବଜାର ବନ୍ଦ ରହିବା ପରେ ସୋମବାର ଖୋଲା ରହିଛି । ତେବେ ସକାଳ ୬ ରୁ ସନ୍ଧ୍ୟା ୮ ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ ଏବଂ ଦୋକାନରେ ଦୁଇରୁ ଅଧିକ ଲୋକ ରହିପାରିବେ ନାହିଁ ବୋଲି ସୂଚନା ମିଳିଛି । ଏଥିସହିତ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ ସେବା ଜାରି ରହିଛି । ସ୍ଥିତି ନିୟନ୍ତ୍ରଣାଧୀନ ଥିବାରୁ ପ୍ରଶାସନ ଆଶ୍ୱସ୍ତି ହୋଇଥିବା ବେଳେ କୌଣସି ଗୁଜବକୁ ବିଶ୍ୱାସ ନକରିବା ପାଇଁ ନିବେଦନ କରିଛନ୍ତି । ଅନ୍ୟପକ୍ଷରେ ୪୮ ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ ଯୋଗୁଁ ସାଧାରଣ ଲୋକ ହଇରାଣ ହରକତ ହେଉଛନ୍ତି । ବିଶେଷ କରି ଅନଲାଇନ ପେମେଂଟ, ଜନସେବା କେନ୍ଦ୍ର, ସୁଭଦ୍ରା ପାଇଁ ଆବେଦନ କରୁଥିବା ମହିଳା ଇଣ୍ଟରନେଟ ସେବା ବନ୍ଦ ଯୋଗୁଁ ଏହି ସବୁ କାର୍ଯ୍ୟ ସମ୍ପାଦନ ହେଉନାହିଁ । ସେହିପରି ସାମ୍ବାଦିକମାନେ ଖବର ପରିବେଷଣରେ ମଧ୍ୟ ସମସ୍ୟାରେ ପଡିଛନ୍ତି । ଅନ୍ୟପକ୍ଷରେ ଯୁବ ଗୋଷ୍ଠୀ ମଧ୍ୟ ଫେସବୁକ, ଇନଷ୍ଟାଗ୍ରାମ, ଟୁଇଟର ଓ ୱାଟ୍ସଆପ ପ୍ରମୁଖ ଖୋଲୁ ପାରୁନଥିରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଏନେଇ ଡିଆଇଜି ସତ୍ୟଜିତ ନାୟକ କହିଛନ୍ତିଯେ, ପୁରୁଣା ବଜାର ଥାନା ପୁଲିସ୍ ୧୦ ଜଣ ଓ ଧାମନଗର ପୁଲିସ ୧୭ ଜଣ ଅଭିଯୁକ୍ତଙ୍କୁ ଆଜି ସୁଦ୍ଧା ଗିରଫ କରିଛି । ଏହି ଗିରଫ ସଂଖ୍ୟା ଆଗାମୀ ଦିନରେ ବଢିବ ବୋଲି ମଧ୍ୟ କହିଛନ୍ତି । ତେବେ ଆଜିଠାରୁ ଏସବୁ ଅଞ୍ଚଳରେ ଦୋକାନ ବଜାର ସକାଳ ୬ ରୁ ସନ୍ଧ୍ୟା ୮ ପର୍ଯ୍ୟନ୍ତ ଖୋଲା ରହିବ । ଦୋକାନରେ ୨ରୁ ଅଧିକ ଲୋକ ରହିପାରିବେ ନାହିଁ ଏବଂ ଏସବୁ ଅଞ୍ଚଳରେ ଧାରା ୧୬୩ ବଳବତ୍ତର ରହିଥିବା ପର୍ଯ୍ୟନ୍ତ ସାପ୍ତାହିକ ହାଟ ବନ୍ଦ ରହିବ ବୋଲି ଡିଆଇଜି ଶ୍ରୀ ନାୟକ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଡୁପାଲି, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବାସୁଦେବ ସ୍ୱାଇଁ, ଏସଡିପିଓ ତ୍ରିଲୋଚନ ସେଠୀ, ଥାନାଧିକାରୀ ଫନିନ୍ଦ୍ର ନାଏକ ଓ ତହସିଲଦାର ଦୀପକ ଦାସ ଉପସ୍ଥିତ ଥିଲେ । ଆଜିବି ଧାମନଗର ଓ ପୁରୁଣା ବଜାରରେ ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି । ଉଭୟ ସମ୍ପ୍ରଦାୟର ଲୋକଙ୍କୁ ସଚେତନ କରା ଯିବା ସହ ଭାଇଚାରା ବଜାଇ ରଖିବା ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।