ଲଘୁଚାପ କ୍ଷତିପୂରଣରୁ ଧର୍ମଶାଳା ବାଦ୍ :ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ ସତୀଶ 

 ଯାଜପୁର: ଲଘୁଚାପ ବର୍ଷାରେ କେତେ ଫସଲ ନଷ୍ଟ ହୋଇଛି, ତାହାର ସମୀକ୍ଷା ସରକାରଙ୍କ ପକ୍ଷରୁ କରାଯାଇଥିଲା । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସରକାରଙ୍କ ମନ୍ତ୍ରୀ ବିଭିନ୍ନ ଅଞ୍ଚଳ ଗସ୍ତକରି କ୍ଷେତ ଅନୁଧ୍ୟାନ କରି ସମୀକ୍ଷା କରିଥିଲେ । ଏହିକ୍ରମେ ଯାଜପୁର ଜିଲ୍ଲାକୁ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗସ୍ତ କରିବା ସହ ସମୀକ୍ଷା ବୈଠକରେ ସାମିଲ ହୋଇ ବିଭିନ୍ନ ବ୍ଲକ ଅଞ୍ଚଳର କ୍ଷୟକ୍ଷତି ସମ୍ପର୍କରେ ଅବଗତ ହୋଇଥିଲେ । ତେବେ ସମୀକ୍ଷା ବୈଠକରେ ଉପସ୍ଥାପିତ ତଥ୍ୟରୁ ଧର୍ମଶାଳା ବାଦ୍ ପଡ଼ିଥିଲା । ଲଘୁଚାପ ବର୍ଷା ବେଳକୁ ଧର୍ମଶାଳା ବ୍ଲକରେ ୯ହଜାର ୨୦୦ହେକ୍ଟର ଜମିରେ ଧାନ ଫସଲ ଥିଲା । ଯାହା ବିଲରେ ପଚି ଯାଇ ନଷ୍ଟ ହୋଇଗଲା । ହେଲେ କୃଷି ବିଭାଗ ଏବଂ ରାଜସ୍ୱ ବିଭାଗ ବେପରୁଆ ମନୋଭାବ ପାଇଁ ଏଥିନେଇ ଆକଳନ ହୋଇପାରିଲାନାହିଁ । ଯେଉଁଥିପାଇଁ ମନ୍ତ୍ରୀଙ୍କ ସମୀକ୍ଷାରେ ଧର୍ମଶାଳା ବ୍ଲକର ନାମ ରହିଲା ନାହିଁ ବୋଲି ଯୁବ ନେତା ସତୀଶ ବିଶ୍ୱାଳ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ମନ୍ତ୍ରୀ କରିଥିବା ସମୀକ୍ଷାରେ ବଡଚଣା ବ୍ଲକର ଧାନଚାଷ ହୋଇଥିବା ୧୩ ହଜାର ୯୬୦ ହେକ୍ଟର ଜମିରୁ ୩ ହଜାର୭୮୦ ହେକ୍ଟର, ବିଂଝାରପୁରର ୧୧ ହଜାର ୬୦୦ହେକ୍ଟର ଜମିରୁ ୩ ହଜାର ୮୭୫ହେକ୍ଟର, ଦଶରଥପୁରର ୧୨ହଜାର ୫୩୦ ହେକ୍ଟରରୁ ୨୯୮୭ ହେକ୍ଟର ଜମିରେ ଧାନ ଫସଲ ନଷ୍ଟ ହୋଇଥିବାର ପ୍ରକାଶ କରାଯାଇଥିଲା । ଧର୍ମଶାଳା ବ୍ଲକରେ ୧୧ହଜାର ୩୦୦ହେକ୍ଟର ଜମିରେ ଧାନଫସଲ କରାଯାଇଥିଲା । ସେଥିମଧ୍ୟରୁ ଶାରଦଧାନ ୨୧୦୦ ହେକ୍ଟର ଜମିରୁ ଧାନ ଅମଳ ହୋଇଥିଲା । ଅବଶିଷ୍ଟ ୧୧ହଜାର ୩୦୦ହେକ୍ଟର ଜମିରେ ହୋଇଥିବା ଖରିଫ ଧାନ ଲଘୁଚାପ ବର୍ଷା ବେଳକୁ ଧାନ ଅମଳ ହୋଇନଥିଲା । ଯାହା ସଂପୂର୍ଣ୍ଣ ନଷ୍ଟ ହୋଇଛି । ହେଲେ ଧର୍ମଶାଳା ବ୍ଲକରେ କୌଣସି କ୍ଷତି ହୋଇ ଥିବାର ସରକାରଙ୍କ ତରଫରୁ ପ୍ରକାଶ କରାଯାଇ ନାହିଁ । ଏଥିନେଇ ଶତାଧିକ ଚାଷୀ ଘୋର ଉଦବେଗ ପ୍ରକାଶ କରିବା ପରେ ସତୀଶ ମୁଖ୍ୟମନ୍ତ୍ରୀ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସତୀଶ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ଯେ, ଦାୟୀତ୍ୱରେ ଅବହେଳା କରିଥିବା ବିଭାଗୀୟ ଅଧିକାରୀଙ୍କ ଯୋଗୁ ଚାଷୀଙ୍କ କ୍ଷୟକ୍ଷତି ଆକଳନ ହୋଇପାରିଲାନି ।
କେବଳ ଜଳସେଚନ ସୁବିଧା ନଥିବାରୁଏହି ଅଂଚଳର ଚାଷଜମିରେ ଖରାଦିନେ କୌଣସି ପ୍ରକାର ଚାଷ କରାଯାଇ ପାରୁନାହିଁ । ଏଠାରେ କୁହାଁରିଆ ନାଳରେ ଗୋଟିଏ ଆଡିବନ୍ଧ କରାଯାଇ ଅଯଥା ଚାଲି ଯାଉଥିବା ପାଣିକୁ ଅଟକାଇ ଜମିକୁ ଯାଇପାରିଲେ ଖରାଦିନେ ବିଭିନ୍ନ ପ୍ରକାର ଫସଲ ହୋଇପାରିବ । ନଚେତ ଏଠାରେ ଉଠାଜଳ ସେଚନ ପ୍ରକଳ୍ପ କରାଯାଉ । ଧର୍ମଶାଳାରେ ବିଗତ ୩୦ ବର୍ଷ ଭିତରେ ଅଧିକ ଇଂଚେ ଜମିକୁ ଅଧିକ ଜଳସେଚନ କରାଯାଇନାହିଁ । ଖରାଦିନେ ପାଣି ନଥିବାରୁ ଫସଲ ହେଉ ନଥିବା ବେଳେ ବର୍ଷାଦିନେ ଅଧିକ ବର୍ଷାପାଣି ନିଷ୍କାସନ ବ୍ୟବସ୍ଥା ନଥିବାରୁ ଫସଲ ନଷ୍ଟ ହେଉଥିବାରୁ ଧର୍ମଶାଳା ଅଂଚଳର ଚାଷୀଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢିବାରେ ଲାଗିଛି । ପ୍ରକାଶଥାଉ କି, ଧର୍ମଶାଳାର ଅଭୟପୁର ପଂଚାୟତରେ ୧୭୦ହେକ୍ଟର, ଅଂଜିରା ୪୦ହେକ୍ଟର, ଅଂଟିଆ ୧୧୦, ଅରାବଳ ୩୦୫, ଅରେଇକଣା ୩୩୦, ଆରୁହା ୩୯୦, ବଡକଇଂଚି ୩୧୦, ଭବାନୀପୁର ୧୫୦, ବୃନ୍ଦାଦେଇପୁର ୨୪୦, ଚହଟା ୬୦, ଚକ୍ରଧରପୁର ୨୩୫, ଚୋରମୁହାଁ ୧୧୦, ଦେଓଦା ୨୧୦, ଏଣ୍ଡଳବା ୪୧୦, ଗଙ୍ଗାଧରପୁର ୨୭୦, ହରିଦାସପୁର ୩୮୦, ଯାରକା ୧୧୦, ଜେନାପୁର ୨୬୦ ,କବାଟବନ୍ଧ ୨୧୦, କଦମପାଳ ୫୦, କମାଗଡ ୨୭୦, କଂଟିଗଡିଆ ୪୧୦, କ୍ଷେତ୍ରପାଳ୨୧୦, କୋତପୁର ୪୨୦ , କୁମାରୀ ୮୦, ମଧୁପୁରଗଡ ୩୪୦, ମଧୁସୁଦନପୁର୧୫୦, ମହିସରା ୪୦୦, ମଙ୍ଗଳପୁର ୨୯୦, ମର୍ଜିତାପୁର ୧୮୦, ମିର୍ଜାପୁର ୪୫୦, ନେଉଳପୁର ୨୧୦, ପାଖର ୩୦୦, ପାଟପୁର ୩୩୦, ପଟୁଣିଆ ୩୭୦,ପୁରୁଣାବଉଳମାଳ ୨୭୦, ରାଇଛନ୍ଦା ୨୯୦, ରେଖିଦେଇପୁର ୧୪୦, ସାହାଣିଢିହ୨୭୦, ସମ୍ପାରୁ ୩୪୦, ସୁନ୍ଦରିଆ ୫୧୦, ତାଳଜଙ୍ଗ ୧୦୦, ଥାନୁଆଳ ୧୯୦, ଉତରପ୍ରତାପରେ ୨୨୦ ଏକର ଜମିରେ ଚଳିତ ବର୍ଷ ଧାନ ଚାଷ କରାଯାଇଥିଲା ।