ହାଇୱାକୁ ପିଟିଲା ବାଇକ; ୨ ମୃତ,୧ ଗୁରୁତର
ଆନନ୍ଦପୁର: ଘସିପୁରା ଥାନା ଅନ୍ତର୍ଗତ ଶୈଲଙ୍ଗଛକ୨୦ନମ୍ବର ଜାତୀୟ ରାଜପଥ ଉପରେ ମର୍ମନ୍ତୁତ ଦୁର୍ଘଟଣା ଘଟିଛି । ହାଇୱାକୁ ପଛରୁ ବାଇକ ପିଟିବାରୁ ଦୁଇଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ସୂଚନା ଅନୁଯାୟୀ ଘସିପୁରା ଥାନା ଅନ୍ତର୍ଗତ ନାଦୁଆଁ ଗ୍ରାମର ସିପୁନ ଖଟୁଆ (୧୮), ଶୁଭମ ଦେହୁରୀ (୧୭)ଏବଂ ଦୀପକ ଦେହୁରୀ (୧୭)କୌଣସି କାର୍ଯ୍ୟରେ ବାଇକରେ ଯାଉଥିବା ବେଳେ ଶୈଲଙ୍ଗ ବିଜି ମୋଟର୍ସ ସମ୍ମୁଖରେ ଏକ ହାଇୱା ପଛକୁ ଧକ୍କା ଦେଇଥିଲେ ।ସ୍ଥାନୀୟ ଲୋକେ ସେମାନଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ତେବେ ସେଠାରେ ଡାକ୍ତର ସିପୁନ ଖଟୁଆ ଏବଂ ଶୁଭମ ଦେହୁରୀଙ୍କୁ ମୃତ ଘୋଷଣା କରିଥିବାବେଳେ ଗୁରୁତର ଦୀପକକୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଛନ୍ତି । ତେବେ ଏକାଥରେ ଗ୍ରାମରେ ଦୁଇ ଦୁଇ ଜଣ ଯୁବକଙ୍କ ଅକାଳ ମୃତୁ୍ୟ ଯୋଗୁଁ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଘଟଣା ସ୍ଥଳରେ ପୁଲିସ ପହଁଚି ହାଇୱାକୁ ଅଟକ ରଖିଥିବା ବେଳେ ଘଟଣାର ଛାନଭିନ ଆରମ୍ଭ କରିଛି ।