ଅତୃପ୍ତ ଆତ୍ମାଙ୍କ ମହାସାଗର
ଏଇ କେତେଦିନ ତଳେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ୍ ଗଡ଼କରୀ ରାଜନୀତିରେ ରହିଥିବା ନେତାମାନଙ୍କ ସମ୍ପର୍କରେ କହିଛନ୍ତି ଯେ "ରାଜନୀତି ହେଉଛି ଅତୃପ୍ତ ଆତ୍ମାମାନଙ୍କ ମହାସାଗର ।' ଏ ପ୍ରକାରର ଏକ ମନ୍ତବ୍ୟ ପଛରେ ଯୁକ୍ତିଯୁକ୍ତ କାରଣ ମଧ୍ୟ ସେ ଦେଖାଇଛନ୍ତି । ରାଜନୀତିରେ ପ୍ରବେଶ କରୁଥିବା ପ୍ରତ୍ୟେକ ବ୍ୟକ୍ତି ଅନେକ କିଛି ଆଶା କରିଛନ୍ତି । ଆଉ ଆଶା ଅନୁସାରେ ଯାହା ବି ମିଳେ, ସେଇଥିରେ କେବେ ସନ୍ତୁଷ୍ଟ ହୁଅନ୍ତି ନାହିଁ । ମନ୍ତ୍ରୀ ପଦ ପାଇଲା ପରେ ବି ଏତେ ସନ୍ତୁଷ୍ଟ ହୁଅନ୍ତି ନାହିଁ । ସବୁବେଳେ ଆହୁରି ଅଧିକ ପାଇବାର ଇଚ୍ଛା ସମସ୍ତଙ୍କ ମନ ଭିତରେ ରହିଥାଏ । ଯିଏ ଯେତିକିରେ ଅଛନ୍ତି ତା'ଠାରୁ ଅଧିକ ପାଇବା ପାଇଁ ସମସ୍ତେ ଅଣନିଶ୍ୱାସୀ ହୋଇ ଧାଉଁଛନ୍ତି । ଜୀବନ ହେଉଛି ବୁଝାମଣା, ବାଧ୍ୟବାଧକତା, ଏକ ସୀମା ଏବଂ ବିରୋଧାଭାସର ଖେଳ । ସତକଥା । କେବଳ ରାଜନୀତି ନୁହେଁ ପ୍ରତ୍ୟେକ ବ୍ୟକ୍ତିଙ୍କର ଅନେକ ସମସ୍ୟା ରହିଛି । ସମସ୍ୟା କାହାର ପିଛା ଛାଡୁନାହିଁ । ତେଣୁ ଯିଏ ଯେତିକିରେ ଅଛି ସେତିକିରେ ସନ୍ତୁଷ୍ଟ ହେବା ଉଚିତ୍ । ଏଭଳି ଏକ ଆଦର୍ଶ ରାଜନୀତି କରୁଥବା ଲୋକଙ୍କ ନିକଟରେ ଦେଖିବାକୁ ମିଳେ ନାହିଁ ।
ଯେକୌଣସି ଜଣେ ଦଳୀୟ କର୍ମୀ କୌଣସି ଏକ ନିର୍ବାଚିତ ପ୍ରତିନିଧି ହେବାକୁ ଚାହାଁନ୍ତି । ତୃଣମୂଳ ସ୍ତରରେ ୱାର୍ଡ୍ମେମ୍ବର୍ ହେଲେ ସରପଞ୍ଚ ହେବାକୁ ସ୍ୱପ୍ନ ଦେଖେ । ଏମ୍ଏଲ୍ଏ ହେଲେ ମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖେ । ତା'ପରେ ଦିନେ ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖେ । ଏହିପରି ସ୍ୱପ୍ନର ଅନ୍ତ ନାହିଁ । ଯାହା ବି ମିଳେ ସେଥିରେ ପରିତୃପ୍ତି ନାହିଁ ।
ବର୍ତ୍ତମାନ ସମୟରେ ସଚରାଚର ଯାହା ଦେଖାଯାଉଛି ରାଜନୀତିର ପରିସର ଭିତରକୁ ଆସୁଥିବା ବ୍ୟକ୍ତିମାନେ ସେବା ମନୋବୃତ୍ତି ଆଉ ରଖୁନାହାଁନ୍ତି । କେବଳ ନିଜର ସ୍ୱାର୍ଥ ଓ ନେତା ମନୋବୃତ୍ତି ନେଇ ରାଜନୀତିରେ ପ୍ରବେଶ କରୁଛନ୍ତି । ଏହା କିନ୍ତୁ ବାସ୍ତବ ଘଟଣା ଏବଂ ରାଜନୀତିକ ନେତାମାନେ ହିଁ ନିଜର ଏଭଳି ସ୍ୱପ୍ନ ସାକାର କରିବା ପାଇଁ ବିଭିନ୍ନ ପ୍ରକାରର ବିବାଦରେ ହସ୍ତକ୍ଷେପ କରୁଛନ୍ତି । ବର୍ତ୍ତମାନ ଗ୍ରାମାଞ୍ଚଳ ଗୁଡ଼ିକରେ ଏପରିକି ସହରାଞ୍ଚଳରେ ଘଟୁଥିବା ଅଧିକାଂଶ ବିବାଦରେ ରାଜନେତାମାନଙ୍କର ହସ୍ତକ୍ଷେପ ରହୁଛି । ଏଭଳି ହେବାର ଏକମାତ୍ର କାରଣ ହେଲା ନିଜର ଅସୀମ ଇଚ୍ଛାକୁ ଏକ ସୀମାବଦ୍ଧ ଦୁନିଆ ଭିତରେ ପୂରଣ କରିବାର ଆଶା ରଖୁଛନ୍ତି । ବାସ୍ତବ ଦୃଷ୍ଟିରୁ ଦେଖିବାକୁ ଗଲେ ବର୍ତ୍ତମାନର ରାଜନେତାମାନେ କେଉଁଥିରେ ବି ସନ୍ତୁଷ୍ଟ ନାହାଁନ୍ତି । ଏ ପ୍ରକାରର ଏକ ପରିବେଶକୁ ନିର୍ମଳ କରିବାର ଆବଶ୍ୟକତା ଅଛି ।
ସ୍ୱାଧୀନତା ସଂଗ୍ରାମ ସମୟରେ ରାଜନେତାମାନେ ନିସ୍ୱାର୍ଥପର ଭାବରେ ରାଜନୀତି ଭିତରକୁ ଆସିଥିଲେ । ଏକ ମହତ ଲକ୍ଷ୍ୟ ନେଇ ତାକୁ ପୂରଣ କରିବା ଦିଗରେ ବ୍ରତୀ ଥିଲେ । ବର୍ତ୍ତମାନ ସମୟରେ ଗୋଟିଏ ଦଳରେ ରହି ଲକ୍ଷ୍ୟ ପୂରଣ ନ ହେଲେ ଆଉ ଗୋଟିଏ ଦଳକୁ ଡ଼େଇଁଯିବା ଏକ ସାଧାରଣ ଘଟଣାରେ ପରିଣତ ହୋଇଗଲାଣି । ଏଭଳି ହେବାର ମୂଳ କାରଣ ହେଉଛି ରାଜନେତାମାନେ କେଉଁଠି ତୃପ୍ତି ଲାଭ କରିପାରୁନାହାଁନ୍ତ । କେନ୍ଦ୍ରମନ୍ତ୍ରୀ ଗଡ଼କରୀ ଦେଇଥିବା ମନ୍ତବ୍ୟ ସମ୍ପୂର୍ଣ୍ଣରୂପେ ବାସ୍ତବଧର୍ମୀ ମନ୍ତବ୍ୟ । ରାଜନୀତି କ୍ଷେତ୍ରରେ ଉଦେ୍ଦଶ୍ୟପୂରଣ ହେଲେ ବି ତାହା ଠାରୁ ଆହୁରି ଅଧିକ ଆଶା ସମସ୍ତଙ୍କର ରହୁଛି । ଏହା ହିଁ ଦେଶର ଦୁର୍ଗତି ପାଇଁ ଦାୟୀ । ନିଜର ସ୍ୱାର୍ଥ ପାଇଁ ରାଜନେତାମାନେ ସବୁକିଛି ନୀତି ଆଦର୍ଶକୁ ଜଳାଳି ଦେଇପାରୁଛନ୍ତି । ବର୍ଷକ ଭିତରେ ଦୁଇ, ତିନିଟି ଦଳକୁ ଡ଼େଇଁ ପାରୁଛନ୍ତି । ଏଭଳି ଘଟଣା ସବୁ ରାଜନୀତି କ୍ଷେତ୍ରରେ ଅତ୍ୟ" ଅଶୋଭନୀୟ । କିନ୍ତୁ ସମସ୍ୟାଟି ହେଲା ଲୋକମାନଙ୍କୁ ଶିକ୍ଷା ଦେଉଥିବା ରାଜନେତାମାନଙ୍କୁ ଶିଖେଇବ କିଏ?