ନିର୍ବାଚନ ସଂସ୍କାର ଓ ସଂଘୀୟ ବ୍ୟବସ୍ଥା
ଗୋପାଳ ମହାପାତ୍ର : ୧୯୭୪ ମସିହାରେ ଯେତେବେଳେ ସ୍ୱର୍ଗତ ଇନ୍ଦିରା ଗାନ୍ଧିଙ୍କ ଶାସନକୁ ବିରୋଧ କରି ସ୍ୱର୍ଗତ ଜୟପ୍ରକାଶ ନାରାୟଣ ସଂପୁର୍ଣ୍ଣକ୍ରାନ୍ତି ଆନେ୍ଦାଳନ ଆରମ୍ଭ କରିଥିଲେ ସେଇ ଆନେ୍ଦାଳନର ଏକ ପ୍ରମୁଖ ବିଷୟ ଥିଲା ନିର୍ବାଚନକୁ ସୁଧାରିବା । ଜୟ ପ୍ରକାଶ ନାରାୟଣ ଚାହୁଁଥିଲେ ଯେ ଭାରତରେ ନିର୍ବାଚନ କ୍ରମାଗତ ଭାବେ ମହଙ୍ଗା ହେବାରେ ଲାଗିଛି ଏଣୁ ବ୍ୟବସ୍ଥାକୁ ସୁଧାରିପାରିଲେ ନିର୍ବାଚନୀ ବ୍ୟୟ କମିବ ଫଳତଃ ଜଣେ ସାଧାରଣ ନାଗରିକ ମଧ୍ୟ ରାଜନୈତିକ ପ୍ରକ୍ରିୟାରେ ସକ୍ରିୟ ହୋଇ ଭାଗ ନେଇ ପାରିବ । ଜୟପ୍ରକାଶ ନାରାୟଣ ଭାବୁଥିଲେ ଯେ ଭାରତର ଭ୍ରଷ୍ଟାଚାରର ଜଡ଼ ହେଉଛି ନିର୍ବାଚନ ପ୍ରକ୍ରିୟା । ଏଣୁ ଏହାକୁ ସୁଧାରିପାରିଲେ ଭ୍ରଷ୍ଟାଚାର ସମାପ୍ତ ହୋଇଯିବ । ଜୟପ୍ରକାଶ ବା ଜେପିଙ୍କ ସେଇ ଆନେ୍ଦାଳନରେ ସେ ସମୟରେ ଦେଶରେ କଂଗ୍ରେସ ବିରୋଧୀ ଦଳ ମାନେ ସାମିଲ ହୋଇଥିଲେ । ପରେ ଜନସଂଘ (ବର୍ତ୍ତମାନର ବିଜେପି) ମଧ୍ୟ ଆନେ୍ଦାଳନରେ ସାମିଲ ହୋଇଥିଲା । ଜେପିଙ୍କ ଆନେ୍ଦାଳନ ମୂଳ ଋପରେ ଛାତ୍ର ଆନେ୍ଦାଳନର ବିରାଟ ସ୍ୱରୂପ ଥିଲା ଓ ଗୁଜୁରାଟରୁଏହି ଆନେ୍ଦାଳନର ଆରମ୍ଭ ହୋଇଥିଲା । ଗୁଜୁରାଟରେ ଲୋକଙ୍କ ସମସ୍ୟାକୁ ନେଇ ଛାତ୍ରମାନେ ଆନେ୍ଦାଳନ ଆରମ୍ଭ କରିଥିଲେ । ପରେ ଏହି ଆନେ୍ଦାଳନ ବିହାରକୁ ବ୍ୟାପିଲା ଓ ପରବର୍ତ୍ତୀ ସମୟରେ ବ୍ୟାପକ ହୋଇଥିଲା ।
ଜୟପ୍ରକାଶ ନାରାୟଣ ସେ ସମୟରେ ଇନ୍ଦିରାଗାନ୍ଧିଙ୍କ ଶାସନରେ ଭ୍ରଷ୍ଟା·ର ବୃଦ୍ଧିକୁ ଏକ ପ୍ରସଙ୍ଗ କରିଥିଲେ ଓ ଆନେ୍ଦାଳନର ନେତୃତ୍ୱ ନେଇଥିଲେ । ଜୟପ୍ରକାଶ (ଜେପି) ଦଳବିହୀନ ଗଣତନ୍ତ୍ରର ବିମର୍ଷ ଆରମ୍ଭ କରି ଦେଇଥିଲେ ଏବଂ ଦେଶରେ ରାଜନୀତିଗତ ଶୁଦ୍ଧିକରଣ ଚାହୁଁଥିଲେ । ଜେପି ମଧ୍ୟ ସଂସ୍ଥାଗତ ପରିବର୍ତ୍ତନ ଚାହୁଁଥିଲେ । କିନ୍ତୁ ସେଇ ୧୯୭୪ରେ ଏମିତି ଏକ ଘଟଣା ଘଟିଲା ଯେଉଁଥିପାଇଁ ଭାରତରେ ନିର୍ବାଚନ ପ୍ରକ୍ରିୟା ପାଇଁ ସଂଶୟର ବାତାବରଣ ସୃଷ୍ଟି କରିଥିଲା । ଦିଲ୍ଲୀର ଲୋକସଭା ଆସନରେ ୧୯୭୧ରେ ହୋଇଥିବା ନିର୍ବାଚନରେ ଜନସଂଘର ପ୍ରାର୍ଥୀ କଂଗ୍ରେସର ପ୍ରାର୍ଥୀଙ୍କଠାରୁ ନିର୍ବାଚନରେ ହାରିଯାଇଥିଲେ । ୧୯୭୧ର ନିର୍ବାଚନରେ ଦିଲ୍ଲୀର ସବୁ ଲୋକସଭା ଆସନରେ କଂଗ୍ରେସର ପ୍ରାର୍ଥୀ ବିଜୟୀ ହୋଇଥିଲେ । କିନ୍ତୁ ଜନସଂଘର ପ୍ରାର୍ଥୀ ନିର୍ବାଚନକୁ ନେଇ ଦିଲ୍ଲୀ ହାଇକୋର୍ଟରେ ମାମଲା ଦାଏର କରିଥିଲେ । ଜନସଂଘ ପ୍ରାର୍ଥୀ ଦିଲ୍ଲୀ ହାଇକୋର୍ଟରେ କରିଥିବା ମାମଲାରେ ଦର୍ଶାଇଥିଲେ ଯେ କଂଗ୍ରେସ ପ୍ରାର୍ଥୀ ଧାର୍ଯ୍ୟ ସୀମା ଠାରୁ ଅଧିକ ଅର୍ଥ ଖର୍ଚ୍ଚ କରିଥିଲେ । ଜନସଂଘର ପ୍ରାର୍ଥୀଙ୍କ ମାମଲାକୁ ବିଚାରକରି ଦିଲ୍ଲୀ ହାଇକୋର୍ଟ ସେଇ ନିର୍ବାଚନ ଅବୈଧ ବୋଲି ରାୟ ଦେଇଥିଲେ । ଏହାପରେ ଶ୍ରୀମତି ଗାନ୍ଧି ନିର୍ବାଚନ ଆଇନ୍ ଜନପ୍ରତିନିଧିତ୍ୱ ଅଧିନିୟମ ୧୯୫୧ରେ ଏକ ସଂଶୋଧନ ପ୍ରସ୍ତାବ ସଂସଦରେ ଗୃହୀତ କରାଇ ନେଇଥିଲେ । ଏହି ସଂଶୋଧନ ପ୍ରସ୍ତାବ ଅନୁସାରେ ନିର୍ବାଚନରେ ପ୍ରାର୍ଥୀଙ୍କ ପାଇଁ ତାଙ୍କ ରାଜନୈତିକ ଦଳଦ୍ୱାରା କରାଯାଇଥିବା ବ୍ୟୟ ଯେତେ ବି ହେଉନା କାହିଁକି ନିର୍ବାଚନୀ ଖର୍ଚ୍ଚରେ ସାମିଲ କରାଯିବ ନାହିଁ । ସଂଶୋଧନରେ ଏକଥା ବି ପ୍ରାବଧାନ ରଖାଗଲା ଯେ ପ୍ରାର୍ଥୀର କୌଣସି ବନ୍ଧୁ ବା ହିତୈଷୀ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନରେ ଯେତେ ବି ଖର୍ଚ୍ଚ କଲେ ମଧ୍ୟ ତାକୁ ବି ନର୍ବାଚନୀ ଖର୍ଚ୍ଚରେ ସାମିଲ କରାଯିବ ନାହିଁ । ଏହି ସଂଶୋଧନ ପରେ ନିର୍ବାଚନ କମିଶନଙ୍କ ଦ୍ୱାରା ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଯେଉଁ ଖର୍ଚ୍ଚର ସୀମା ଧାର୍ଯ୍ୟ କରାଯାଇଥିଲା ତାର କିଛି ମୂଲ୍ୟ ରହିଲା ନାହିଁ । ଏଣୁ ନିର୍ବାଚନୀ ଖର୍ଚ୍ଚ ବଢ଼ିବାରେ ଲାଗିଲା ଓ ନିର୍ବାଚନରେ ଧନର ପ୍ରଭାବ ବଢ଼ିଲା ।
ଜୟପ୍ରକାଶ ଏହି ବ୍ୟବସ୍ଥାକୁ ସଂପୂର୍ଣ୍ଣ ରୂପେ ବଦଳାଇବାକୁ ଚାହୁଁଥିଲେ । ଏଣୁ ଆନେ୍ଦାଳନ ବେଳେ ମୁମ୍ବାଇ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ବିଏମ୍ ତାରକୁଣ୍ଡେଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ । ତାରକୁଣ୍ଡେ କମିଟି ନିର୍ବାଚନ ପ୍ରସଙ୍ଗରେ ତର୍ଜମା କରି ଜେପିଙ୍କୁ ଏକ ରିପୋର୍ଟ ଦେଇଥିଲେ । ତାରକୁଣ୍ଡେ କମିଟି ରିପୋର୍ଟରେ ନିର୍ବାଚନକୁ ସୁଧାରିବା ପାଇଁ କେତେକ ପରାମର୍ଶ ଦେବା ସହ ସରକାରଙ୍କ ଦ୍ୱାରା ଏକ ନିର୍ବାଚନ ପାଣ୍ଠି ସ୍ଥାପିତ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଜେପିଙ୍କ ଅନ୍ୟ ସହଯୋଗୀ ମାନେ ମଧ୍ୟ ବିଚାରପତି ତାରକୁଣ୍ଡେଙ୍କ ରିପୋର୍ଟର ଗୁରୁତ୍ୱ ରହିଛି ବୋଲି କହିଥିଲେ । ୧୯୭୭ର ଲୋକସଭା ନିର୍ବାଚନରେ ଇନ୍ଦିରାଗାନ୍ଧିଙ୍କ କଂଗ୍ରେସ ଉତ୍ତର ଭାରତ ଓ ପଶ୍ଚିମ ଭାରତରେ ବିପର୍ଯ୍ୟୟର ସାମନା କରିଥିଲା ଓ ନବଗଠିତ ବିରୋଧି ମେଣ୍ଟ ଦ୍ୱାରା ଗଠିତ ଜନତା ପାର୍ଟିକୁ ଲୋକସଭାରେ ୨୯୮ ଆସନ ମିଳିଥିଲା । ଇନ୍ଦିରାଙ୍କ କଂଗ୍ରେସ ଦଳକୁ ୧୫୩ଟି ଆସନ ମିଳିଥିଲା । ଜନତା ଦଳ ପକ୍ଷରୁ ମୋରାରଜୀ ଦେଖାଇ ପ୍ରଧାନମନ୍ତ୍ରୀ ହୋଇଥିଲେ ଯିଏ ମୂଳତଃ କଂଗ୍ରେସୀ ଥିଲେ । ମୋରାରଜୀ ପ୍ରଧାନମନ୍ତ୍ରୀ ହେବା ପରେ ବିଚାରପତି ତାରକୁଣ୍ଡେ ଦେଇଥିବା ନିର୍ବାଚନ ସମ୍ପର୍କିତ ପରାମର୍ଶକୁ ଗ୍ରହଣ କରିନଥିଲେ ଓ ନିର୍ବାଚନ ବ୍ୟବସ୍ଥାର ସୁଧାର ପାଇଁ ଏକ କମିଶନ ଗଠନ କରିଥିଲେ । ଏହି କମିଶନର ମୁଖ୍ୟ ଥିଲେ ପୁର୍ବତନ ନିର୍ବାଚନ କମିଶନର ଏସ୍.ଏଲ୍. ଶକଧର । ଶକଧର ତାଙ୍କ ରିପୋର୍ଟ ଦେବା ବେଳକୁ ଜନତା ସରକାର ଭାଙ୍ଗି ଯାଇଥିଲା ଓ କିଛି ଦିନ ପାଇଁ ଚୈଧୁରୀ ଚରଣ ସିଂହ ପ୍ରଧାନମନ୍ତ୍ରୀ ହୋଇଥିଲେ । କିନ୍ତୁ ତାଙ୍କ ସରକାର ବେଶିଦିନ ତିଷ୍ଠି ପାରିନଥିଲା । ୧୯୮୦ରେ ପୁନଃ ନିର୍ବାଚନ ହୋଇଥିଲା ଓ ଇନ୍ଦିରା ସ୍ପଷ୍ଟ ବହୁମତ ସହ ଶାସନକୁ ଆସିଥିଲେ ।
କଂଗ୍ରେସ ସରକାର ନିର୍ବାଚନ ବ୍ୟବସ୍ଥାର ସୁଧାର ପାଇଁ ଗୋସ୍ୱାମୀ କମିଟି ସମେତ କେତେକ କମିଟି ଗଠନ କରିଥିଲେ ଓ କମିଟିର କେତେକ ଶୁପାରିଶଙ୍କୁ କାର୍ଯ୍ୟକାରୀ କରିଥିଲେ । କିନ୍ତୁ କେହି ଇନ୍ଦିରାଙ୍କ ଦ୍ୱାରା ଜନ ପ୍ରତିନିଧିତ୍ୱ ଅଧିନିୟମରେ କରାଯାଇଥିବା ସଂଶୋଧନକୁ ରଦ୍ଦ କରିବା ପାଇଁ ପରାମର୍ଶ ଦେଇନଥିଲେ । ଏହି କାରଣରୁ ନିର୍ବାଚନ ତନ୍ତ୍ର ଧନତନ୍ତ୍ରରେ ପରିଣତ ହୋଇଗଲା । ଅସଲ କଥା ହେଉଛି ଦେଶର ନିର୍ବାଚନରେ ସାଧାରଣ ଲୋକେ ବା ଗରିବ ଲୋକେ କେମିତି ଭାଗ ନେଇପାରିବେ ସେ ବାବଦରେ କୌଣସି ରାଜନୈତିକ ଦଳ ଗୁରୁତ୍ୱ ଦେଉନାହିଁ । କିନ୍ତୁ ଏବେ ଏକ ଦେଶ- ଏକ ନିର୍ବାଚନ କଥା କୁହାଯାଉଛି । ୧୯୬୭ ପର୍ଯ୍ୟନ୍ତ ଦେଶରେ ଏକ ସଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ ହେଉଥିଲା । କିନ୍ତୁ ସେ ସମୟର ରାଜନୈତିକ ପରିସ୍ଥିତି ଓ ବର୍ତ୍ତମାନର ରାଜନୈତିକ ପରିସ୍ଥିତି ମଧ୍ୟରେ ଅନେକ ତଫାତ ରହିଛି । ଏବେ ଯେଉଁ ଏକ ଦେଶ – ଏକ ନିର୍ବାଚନ କଥା କୁହାଯାଉଛି ସେଥିପାଇଁ ସମ୍ବିଧାନ ସଂଶୋଧନର ଆବଶ୍ୟକତା ରହିଛି । ଏବେ କେନ୍ଦ୍ର ସରକାର ଏଥିପାଇଁ ୩ଟି ସଂଶୋଧନ କରିବା ପାଇଁ ଉଦ୍ୟମ କରୁଛନ୍ତି । ଏପରିକି ସମ୍ବିଧାନରେ ରାଜ୍ୟ ମାନଙ୍କୁ ଯେଉଁ ଅଧିକାର ଦିଆଯାଇଛି ସେଥିରେ ସଂଶୋଧନ କରିବାକୁ ପଡିବ ।
ଭାରତର ସଂଘୀୟ ବ୍ୟବସ୍ଥ୍ା ଆମେରିକାର ସଂଘୀୟ ବ୍ୟବସ୍ଥା ଠାରୁ ସଂପୂର୍ଣ୍ଣ ଭିନ୍ନ । ଆମ ସଂବିଧାନରେ ଏକ ମଜଭୁତ କେନ୍ଦ୍ରର ଢ଼ାଞ୍ଚା ଏମିତି ସ୍ଥାପନ କରିଦିଆଯାଇଛି ଯେ ବିଭିନ୍ନ ରାଜ୍ୟର ନିଜସ୍ୱ ସାଂସ୍କୃତିକ ଓ ଭୌଗୋଳିକ ବିବିଧତା ସତ୍ତ୍ୱେ ନିଜର ବିଶିଷ୍ଟ ଚରିତ୍ର ଭାରତୀୟ ସଂଘ ଭିତରେ ହିଁ ରହି ପାରିବ । ଏହା ବିରୁଦ୍ଧରେ ତର୍କ ଦିଆଯାଇପାରେ, କିନ୍ତୁ ଆମେ କେବେ ଭୁଲିଯିବା ଉଚିତ୍ ନୁହେଁ ଯେ ଭାରତୀୟ ସମ୍ବିଧାନର ପ୍ରଥମ ଅନୁଛେଦ ହିଁ ଏକଥା ଉଦ୍ଘୋଷିତ କରୁଛି ଯେ ଭାରତ ରାଜ୍ୟମାନଙ୍କର ଏକ ସଂଘ ଅଟେ । ସମ୍ବିଧାନରେ ରାଜ୍ୟମାନଙ୍କୁ ବିଶେଷ (ସ୍ୱତନ୍ତ୍ର) ଅଧିକାରୀ ମଧ୍ୟ ଦିଆଯାଇଛି ଏବଂ ସମ୍ବିଧାନ କହୁଛି ଯେ କେନ୍ଦ୍ର ସରକାରଙ୍କ ସବୁ ଯୋଜନାକୁ ତୃଣମୂଳ ସ୍ତରରେ ରାଜ୍ୟ ସରକାର ହିଁ ଲାଗୁ କରିବେ । ଏବେ ମୂଳକଥା ନିର୍ବାଚନ ବ୍ୟବସ୍ଥା ଉପରେ ଆଲୋଚନା କରାଯାଉ । କେମିତି ଗଣତନ୍ତ୍ରକୁ ଧନତନ୍ତ୍ର ହେବାରୁ ରୋକାଯାଇ ପାରିବ । ଏଥିରେ ପ୍ରଥମ ମୂଳ ହେଉଛନ୍ତି ଜନପ୍ରତିନିଧି । ବର୍ତ୍ତମାନର ନିର୍ବାଚନ ପ୍ରଣାଳୀରେ କେବଳ କୌଣସି ଧନାଢ଼୍ୟ ହିଁ ଲୋକଙ୍କ ପ୍ରତିନିଧି ହୋଇପାରିବ । ଏହାକୁ ପରିସ୍ଥିତି ମଧ୍ୟ କୁହାଯାଇପାରେ । କିନ୍ତୁ ଆମେ କେମିତି କହିବା ଯେ ଗଣତନ୍ତ୍ରର ପ୍ରକୃତ ମାଲିକ ହେଉଛନ୍ତି ଜନସାଧାରଣ ବା ଭୋଟରମାନେ? ଭୋଟରମାନେ ତାଙ୍କ ଭୋଟ ବଳରେ କାହାରିକୁ ବି ନିର୍ବାଚନରେ ବିଜୟୀ କରିପାରନ୍ତି । କିନ୍ତୁ ପ୍ରାର୍ଥୀମାନଙ୍କ ମଧ୍ୟରେ ସେମାନଙ୍କ ସାମନାରେ ତ କେବଳ ଧନପତି ମାନେ ରହୁଛନ୍ତି ଓ ସେମାନଙ୍କ ମଧ୍ୟରୁ କାହାରିକୁ ସେମାନଙ୍କୁ ଭୋଟ ଦେବା ପାଇଁ ପଡୁଛି । ଗଣତନ୍ତ୍ର ପାଇଁ ଏହା ହେଉଛି ଏକ ଗମ୍ଭୀର ବିଷୟ । ଏକ ଦେଶ-ଏକ ନିର୍ବାଚନକୁ ନେଇ ଏବେ ବିମର୍ଶ ଚାଲିଛି । ସରକାର ସପକ୍ଷରେ ଯୁକ୍ତି ଦର୍ଶାଉଛନ୍ତି ଓ ବିଧେୟକ ଆଗତ ହେଲେ ଏହା ଗୃହୀତ ହେବ । କିନ୍ତୁ ଏହା କେତେଦୂର ପାରଦର୍ଶୀ ହେବ ସେକଥା ସମୟ କହିବ ।
ରାମଚନ୍ଦ୍ରପୁର, ରଣପୁର
ମୋ ୯୪୩୮୪୮୫୦୯୪