ଚୋରାଚାଲାଣର ଲମ୍ବା ଚେର
ଅଳ୍ପଦିନ ତଳେ ଭୁବନେଶ୍ୱର ବିମାନ ବନ୍ଦରରୁ ଜଣେ ଯାତ୍ରୀଙ୍କ ସୁଟ୍କେଶ୍ରୁ କିଛି ବିରଳ ସାପ ଓ କଇଁଛ କଷ୍ଟମ୍ ଅଧିକାରୀ ଜବତ୍ କରିଲେ । ଏହା ପରେ ସଙ୍ଗେ ସଙ୍ଗେ ବନବିଭାଗକୁ ଖବର ଦେଇ ଏସବୁକୁ ଜବତ୍ କରାଯିବା ସହିତ ସୁଟ୍କେଶ୍ର ମାଲିକଙ୍କୁ ଗିରଫ କରାଗଲା । ପୂର୍ବରୁ ଆମ ଦେଶରୁ ଅନ୍ୟ ଦେଶକୁ ବିଭିନ୍ନ ବନ୍ୟଜନ୍ତୁଙ୍କୁ ଶରୀରର ଅବଶେଷ ଏବଂ ଜୀବନ୍ତ ଭାବରେ ବନ୍ୟପ୍ରାଣୀଙ୍କର ଚୋରାଚାଲାଣ ହେଉଥିବା ଜଣାପଡ଼ିଥିଲା । ଏ ସମ୍ପର୍କରେ ଆମେ ଅନେକବାର ସମ୍ପାଦକୀୟ ମଧ୍ୟ ଲେଖିଛୁ ।
ହଁ, କେତୋଟି କ୍ଷେତ୍ରରେ ଏ ପ୍ରକାରର ଘଟଣାରେ ସେସବୁକୁ ଜବତ୍ କରାଯିବା ସହିତ କିଛି ବ୍ୟକ୍ତିଙ୍କୁ ଗିରଫ ମଧ୍ୟ କରାଯାଇଛି । ତେବେ ବିଦେଶରୁ ମଧ୍ୟ ଆମ ଦେଶକୁ ବନ୍ୟପ୍ରାଣୀ ଚୋରାରେ ଆମଦାନୀ ହେଉଥିବା ଘଟଣା ପ୍ରଥମ ଥର ପାଇଁ ଦୃଷ୍ଟିଗୋଚର ହୋଇଛି । ବର୍ତ୍ତମାନ କିଛି ରୋଗର ଔଷଧ ତିଆରି କ୍ଷେତ୍ରରେ ବନ୍ୟପ୍ରାଣୀଙ୍କର ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ବ୍ୟବହାର ହେଉଥିବା ଦେଖିବାକୁ ମିଳେ । ଏହି ଅବଧାରଣାକୁ ନେଇ ବିଭିନ୍ନ ପ୍ରକାରର ଚୋରାଚାଲାଣ ଏବଂ ଅଂଶବିଶେଷର ଚୋରା କାରବାର ଦିନକୁ ଦିନ ଅଧିକରୁ ଅଧିକ ହେବାରେ ଲାଗିଛି । ଏସବୁ ବିରୁଦ୍ଧରେ ଯେତେ ପ୍ରକାରର ଧରପଗଡ଼ ହେଲେ ମଧ୍ୟ ଏଭଳି ଘଟଣା କମିବା ପରିବର୍ତ୍ତେ ବଢ଼ି ବଢ଼ି ଚାଲିଛି । ତେବେ ବିଭିନ୍ନ ବନ୍ୟଜନ୍ତୁଙ୍କର ବିଷ ସଂଗ୍ରହ କରି ଏସବୁକୁ ଔଷଧ ଭାବରେ ବ୍ୟବହାର କରାଯାଉଥିବା ସମ୍ପର୍କିତ ଗବେଷଣା ଏକ ଜଣାଶୁଣା ଘଟଣା । ଏ ପ୍ରକାରର ଗବେଷଣାରୁ ସୁଫଳ ମିଳୁଛି କି ନାହିଁ ତାହା କେହି ବି ଜାଣନ୍ତି ନାହିଁ । ତଥାପି ବନ୍ୟଜନ୍ତୁଙ୍କର ଅଙ୍ଗପ୍ରତ୍ୟଙ୍ଗର ଚୋରା ଚାଲାଣ ଆଦି ବଢ଼ି ବଢ଼ି ଚାଲିଛି କହିଲେ ଭୁଲ୍ ହେବ ନାହିଁ ।
ଆମ ରାଜ୍ୟର ଶିମିଳିପାଳ ଜୈବମଣ୍ଡଳ ଭିତରେ ଏ ପ୍ରକାରର ବନ୍ୟଜନ୍ତୁଙ୍କର ଅଙ୍ଗପ୍ରତ୍ୟଙ୍ଗ ତସ୍କରୀ ପର୍ଯ୍ୟନ୍ତ ବନ୍ଦ ହୋଇପାରିଲା ନାହିଁ । ଦିନକୁ ଦିନ ଲୋକମାନଙ୍କର ଆର୍ଥôକ ଅବସ୍ଥା ଖରାପ ହୋଇ ପଡୁଥିବାରୁ ଯେ କୌଣସି ଉପାୟରେ ରୋଜଗାର କରିବା ପାଇଁ ଲୋକେ ସରକାରଙ୍କ ଦ୍ୱାରା ନିଷିଦ୍ଧ କରାଯାଇଥିବା କାର୍ଯ୍ୟ ସବୁ କରିବା ପାଇଁ କୁଣ୍ଠାବୋଧ କରୁନାହାନ୍ତି । ଲୋକମାନଙ୍କ ନିକଟରେ କର୍ମନିଯୁକ୍ତି ପହଞ୍ଚି ପାରିଥିଲେ ବିଭିନ୍ନ ବନ୍ୟଜନ୍ତୁଙ୍କର ଜୀବନକୁ ବିପନ୍ନ କରିବା ଭଳି କାର୍ଯ୍ୟ ସେମାନେ କରିବାକୁ କେବେହେଲେ ଆଗଭର ହୁଅନ୍ତେ ନାହିଁ । ଏଭଳି ଏକ ସମସ୍ୟାର ମୂଳରେ ରହିଛି ରୋଜଗାରର ଅଭାବ । ସେଥିପାଇଁ ଯେତେ ବିପଦ ଆସୁ ପଛକେ ଯଦି ଅର୍ଥର ରୋଜଗାର ହୋଇପାରିବ ତେବେ ଏକ ବିପଜ୍ଜନକ କାର୍ଯ୍ୟରେ ହାତ ଦେବାକୁ ଲୋକେ ପଛଘୁଞ୍ଚା ଦେଉନାହାନ୍ତି । ଆଇନ୍କୁ ଯେତେ କଠୋର କରିଲେ ମଧ୍ୟ ସେସବୁ ଘଟଣା ଗୁଡ଼ିକ ଅନ୍ୟମାନଙ୍କୁ ସଚେତନ କରିବା ଭଳି ବାର୍ତ୍ତା ଲୋକଙ୍କ ନିକଟରେ ମଧ୍ୟ ପହଞ୍ଚିପାରୁନାହିଁ । କାରଣ ଗଣମାଧ୍ୟମ ଗୁଡ଼ିକରେ ଏଭଳି ଅନେକ କିଛି ଘଟଣା ପ୍ରଦର୍ଶନ କରାଯାଉଛି ଯାହାକି ଲୋକମାନେ ଆଇନ୍ ପ୍ରତି ସଚେତନ ହେବା ପରିବର୍ତ୍ତେ ଆଇନ୍କୁ ହାତକୁ ନେବା ପାଇଁ ପଛଘୁଞ୍ଚା ଦେଉନାହାନ୍ତି । ପୃଥିବୀର ପରିବେଶରେ ପ୍ରତ୍ୟେକ ଜୀବଜନ୍ତୁ, ପ୍ରାଣୀ ବଞ୍ଚିବାର ଅଧିକାର ରହିଛି । ହେଲେ ମନୁଷ୍ୟ ଏକମାତ୍ର ପ୍ରାଣୀ ଯିଏକି ସମଗ୍ର ପୃଥିବୀକୁ ନିଜର ବୋଲି ଭାବୁଛି । ଏ ପ୍ରକାରର ଏକ ଭାବନା ଆଜି ଅନେକ ପ୍ରାଣୀଙ୍କର ବିଲୁପ୍ତିର କାରଣ ପାଲଟିଛି । ଅନ୍ୟପଟେ ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ଏହି ଅନୁପାତରେ କର୍ମନିଯୁକ୍ତି କିମ୍ବା ରୋଜଗାରର ଉତ୍ସର ବୃଦ୍ଧି ଘଟୁନାହିଁ । ଜନସଂଖ୍ୟା ବୃଦ୍ଧି ଦେଶ ପାଇଁ ଏକ ସମସ୍ୟା ନୁହେଁ; ବରଂ ଏହା ମାନବ ସମ୍ବଳର ଆବଶ୍ୟକତା ଏବଂ ଦେଶର ଉତ୍ପାଦନ ବୃଦ୍ଧି ଆଦି ଦିଗରେ ସହାୟକ ହେବା ଭଳି ଯୋଜନା ପ୍ରଣୟନ ହେବା ଆବଶ୍ୟକ । ଅଥଚ ଆମ ଦେଶରେ ଲୋକଙ୍କୁ ବେରୋଜଗାର କରିଦେବା ଭଳି କାର୍ଯ୍ୟ ସବୁ କରାଯାଉଛି । ପରିଶ୍ରମ ନଥାଇ ୨୪ ଘଣ୍ଟିଆ ମନୋରଞ୍ଜନ ଏହିଭଳି ଏକ କାର୍ଯ୍ୟ । ଲୋକଙ୍କ ହାତକୁ କାମ ଏବଂ ରୋଜଗାର ଯୋଗାଇ ଦିଆଗଲେ ହୁଏତ କିଛି ବନ୍ୟଜନ୍ତୁ ବିଲୁପ୍ତିରୁ ବର୍ତ୍ତି ଯାଇପାରନ୍ତେ ।