ଧରାପଡ଼ିଲା ପାକିସ୍ତାନର ଆତଙ୍କବାଦୀ ପ୍ରେମ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଦେଲା କବର

 ନୂଆଦିଲ୍ଲୀ:  ପାକିସ୍ତାନର ଆତଙ୍କବାଦୀ ପ୍ରେମ ପୁଣି ଧରା ପଡ଼ିଯାଇଛି  । ଆତଙ୍କବାଦୀଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କବର ଦିଆଯାଇଛି  । ଗୋଟିଏ ପଟେ ଭାରତର ଆକ୍ରମଣରେ ସାଧାରଣ ନାଗରିକ ମରିଛନ୍ତି ବୋଲି ପାକିସ୍ତାନ କହୁଥିବାବେଳେ କବର ଦେବା ବେଳେ ଆତଙ୍କବାଦୀଙ୍କ ଉପସ୍ଥିତି ତା’ର ଅସଲ ଚେହେରା ଖୋଲିଦେଇଛି  । 
ବୈଦେଶିକ ସଚିବ ବିକ୍ରମ ମିଶ୍ରି ଆଜି ପାକିସ୍ତାନର ଅସଲ ଚେହେରା ପ୍ରମାଣ ସହ ଦେଖାଇ ଦେଇଛନ୍ତି  । ଗଣମାଧ୍ୟମକୁ ସୂଚନା ଦେବାବେଳେ ସେ ଏକ ଫଟୋ ଦେଖାଇଛନ୍ତି  । ଆତଙ୍କବାଦୀଙ୍କ କବର ପାଖରେ କିଭଳି ପାକ୍ ଆର୍ମି ଓ ପୁଲିସ୍ ଅଫିସର ପ୍ରାର୍ଥନା କରୁଛନ୍ତି ତାହା ଦର୍ଶାଇଛନ୍ତି  । ସେହିପରି ସେଠାରେ ଲସ୍କର-ଇ-ତୋଏବାର ଜଣେ ଆତଙ୍କବାଦୀ ବି ରହିଛନ୍ତି  । ଯଦି କେବଳ ସାଧାରଣ ନାଗରିକ ମରିଛନ୍ତି ତାହେଲେ ଏ ଫଟୋ କ’ଣ ଦର୍ଶାଉଛି ବୋଲି ସେ ପାକିସ୍ତାନକୁ ପ୍ରଶ୍ନ କରିଛନ୍ତି  । ଭାରତ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ କରିନାହିଁ, କେବଳ ପାକ୍ ପ୍ରାୟୋଜିତ ଆତଙ୍କବାଦୀ ଆଡ୍ଡା ସ୍ଥଳୀ ଉପରେ ଆକ୍ରମଣ କରିଛନ୍ତି ବୋଲି ଶ୍ରୀ ମିଶ୍ରି ସ୍ପଷ୍ଟ କରିଛନ୍ତି  ।