ଟ୍ରକରେ ପରୀକ୍ଷାର୍ଥୀ
ବର୍ତ୍ତମାନ ମ୍ୟାଟ୍ରିକ୍ ପରୀକ୍ଷା ଚାଲିଥିଲା ବେଳେ ପରୀକ୍ଷା ଦେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଦୂରରେ ଥିବା ପରୀକ୍ଷା କେନ୍ଦ୍ରକୁ ଯିବାକୁ ପଡୁଛି । ଗ୍ରାମାଞ୍ଚଳ ତଥା ଦୂରଦୂରାନ୍ତ ପାର୍ବତ୍ୟାଞ୍ଚଳରେ ପରୀକ୍ଷା କେନ୍ଦ୍ର ନିକଟରେ ପହଞ୍ଚିବା କେତେକ କ୍ଷେତ୍ରରେ କଷ୍ଟସାଧ୍ୟ ହେଉଥିବାରୁ ପରୀକ୍ଷାର୍ଥୀମାନେ ଅଣଯାତ୍ରୀବାହୀ ଯାନ ଏବଂ ମାଲ୍ବୁହା ଯାନରେ ଯିବା ପାଇଁ ବାଧ୍ୟ ହେଉଛନ୍ତି । ଇତିମଧ୍ୟରେ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ର ଛାତ୍ରଛାତ୍ରୀମାନେ ଖୋଲା ଟ୍ରକ୍ରେ ପରୀକ୍ଷା ଦେବାକୁ ଯାଉଥିବାର ଏକ ଫଟୋ ବିଭିନ୍ନ ଗଣମାଧ୍ୟମରେ ଭାଇରାଲ୍ ହୋଇଛି । ଏ ପ୍ରକାରର ଏକ ବେନିୟମ ଘଟଣାରେ ସମସ୍ତେ ଉଦ୍ବେଗ ପ୍ରକାଶ କରୁଥିଲେ ମଧ୍ୟ ଏହାକୁ ବାରଣ କରିବା ପାଇଁ କେହି ଚାହୁଁନାହାନ୍ତି । ପୁଲିସ୍ ଦୃଷ୍ଟିରେ ଏହା ପଡ଼ିଥିଲେ ମଧ୍ୟ ପୁଲିସ୍ ପକ୍ଷରୁ ଯଥାସମ୍ଭବ ନୀରବତା ଅବଲମ୍ବନ କରାଯାଉଛି । ଏଭଳି ଏକ ପରିସ୍ଥିତିରେ ଟ୍ରକ୍ର ଡ୍ରାଇଭରଙ୍କୁ ଦୋଷ ଦେବା କିମ୍ବା ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଦୋଷ ଦେବା ଅପେକ୍ଷା ପରିସ୍ଥିତିର ସମୀକ୍ଷା କରାଯିବା ଉଚିତ୍ ମନେ ହୁଏ ।
୫ଟି ବ୍ଲକ୍କୁ ନେଇ ନୂଆପଡ଼ା ଜିଲ୍ଲା ଗଠିତ ହୋଇଛି । ସେଗୁଡ଼ିକ ହେଉଛି ନୂଆପଡ଼ା, ଖଡ଼ିଆଳ, କୋମନା, ବୋଡ଼େନ୍ ଏବଂ ସିନାପାଲି । ଏହି ୫ଟି ଯାକ ବ୍ଲକ୍ରେ ଗମନାଗମନର ପର୍ଯ୍ୟାପ୍ତ ସୁବିଧା ନାହିଁ । ଲୋକମାନଙ୍କ ଚାହିଦା ମୁତାବକ ଯାତ୍ରୀବାହୀ ଯାନର ଅଭାବ ରହିଛି । ଗ୍ରାମାଞ୍ଚଳରେ ଲୋକମାନେ ଛୋଟ ଛୋଟ ଯାତ୍ରୀବାହୀ ଯାନରେ ବସ୍ତା ଲଦା ହେବା ଭଳି ଲଦି ହୋଇ ଯାତ୍ରା କରୁଛନ୍ତି । ଏପରିକି ମାଲ୍ବୁହା ଗାଡ଼ିରେ ମଧ୍ୟ ଲୋକେ ଯିବା ଆସିବା କରିବା ଏହି ଅଞ୍ଚଳରେ ଏକ ସାଧାରଣ ଘଟଣା ।
ହଁ, ତେବେ ଏଇ କିଛିଦିନ ତଳେ ୫୦ରୁ ଉଦ୍ଧ୍ୱର୍ ଛାତ୍ରୀ ଏକ ଖୋଲା ଟ୍ରକ୍ରେ ସିନାପାଲି ସ୍ଥିତ ଏକ ବିଦ୍ୟାଳୟରୁ କୋମନା ସ୍ଥିତ ପରୀକ୍ଷା କେନ୍ଦ୍ରକୁ ଯାଇଥିଲେ । ଏକାଥରକେ ୫୦ ଜଣ ଛାତ୍ରୀଙ୍କୁ ନେଇ ନିର୍ଦ୍ଧାରିତ ସମୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା ସମ୍ଭବ ନଥିବାରୁ ଏବଂ ସେମାନଙ୍କର ଯିବା ଆସିବା ଲାଗି ଯାତ୍ରୀବାହୀ ଗାଡ଼ି ବ୍ୟବସ୍ଥା ହୋଇ ପାରିନଥିବାରୁ ବାଧ୍ୟ ହୋଇ ସେମାନେ ଏ ପ୍ରକାରର ଏକ ବିପଦସଙ୍କୁଳ ଯାତ୍ରା କରିଥିବା ଜଣାପଡ଼ିଛି । ତେଣୁ ପରିସ୍ଥିତିକୁ ବିଚାର କରିଲେ ଦେଖାଯାଉଛି ଯେ ଏହି ଛାତ୍ରୀମାନେ ଏ ପ୍ରକାରର ଏକ ବିପଜ୍ଜନକ ଯାତ୍ରା କରିବା ପାଇଁ ବାଧ୍ୟ ହେଉଛନ୍ତି । ଜିଲ୍ଲାର ଦୁର୍ଗମ ଅଞ୍ଚଳ ଗୁଡିକରେ ଯାତ୍ରୀମାନଙ୍କ ଗମନାଗମନ ଲାଗି ପର୍ଯ୍ୟାପ୍ତ ପରିମାଣର ଯାତ୍ରୀବାହୀ ଗାଡ଼ି ନଥିବାରୁ ଏ ପ୍ରକାରର ପରିସ୍ଥିିତି ସୃଷ୍ଟି ହେଉଛି । ନୂଆପଡ଼ା ଜିଲ୍ଲାର ବିଭିନ୍ନ ବ୍ଲକ୍ରୁ ରାଜଧାନୀ ଭୁବନେଶ୍ୱର ଏବଂ କଟକକୁ ଅନେକ ବସ୍ ଯିବା ଆସିବା କରୁଥିବା ସ୍ଥଳେ ସ୍ଥାନୀୟ ଯାତ୍ରୀଙ୍କର ପରିବହନ ଲାଗି ଯାତ୍ରୀବାହୀ ଗାଡ଼ି ଗୁଡ଼ିକର ମାଲିକମାନେ ରାଜି ହେଉନାହାନ୍ତି । କାରଣ ସ୍ଥାନୀୟ ପରିବହନ କ୍ଷେତ୍ରରେ ଯାତ୍ରୀମାନଙ୍କ ଠାରୁ ମିଳୁଥିବା ଭଡ଼ା ତୁଳନାରେ ଦୂରଗାମୀ ଯାତ୍ରୀମାନଙ୍କ ଠାରୁ ଅଧିକ ଭଡ଼ା ମିଳୁଛି ଏବଂ ସେଇଥିରେ ଅଧିକ ଲାଭ ଅଛି । ବର୍ତ୍ତମାନ ଛାତ୍ରୀମାନଙ୍କର ଏ ପ୍ରକାରର ବିପଜ୍ଜନକ ପରିବହନ ବ୍ୟବସ୍ଥାରେ ଉଦ୍ବେଗ ପ୍ରକାଶ କରୁଥିବା ବ୍ୟକ୍ତିମାନେ ପରିସ୍ଥିତିର ପରିବର୍ତ୍ତନ ପାଇଁ କେବେବି ପଦକ୍ଷେପ ନେଇନାହାନ୍ତି । ହେଲେ ଜରୁରୀ ଆବଶ୍ୟକତା ସମୟରେ ଛାତ୍ରୀମାନଙ୍କର ଟ୍ରକ୍ରେ ଯାତ୍ରା କରିବା ଘଟଣାକୁ ସମାଲୋଚନା କରିବାରେ ଲାଗିଛନ୍ତି । ଏହା ସତ୍ୟ ଯେ ଟ୍ରକ୍ରେ ଛାତ୍ରୀମାନେ ବିପଜ୍ଜନକ ଭାବରେ ଯିବା କେବେ ହେଲେ ଉଚିତ୍ ନୁହେଁ ।
ଗତ ଜାନୁଆରୀ ୨୬ ତାରିଖ ଦିନ ଗଣତନ୍ତ୍ର ଦିବସ ପ୍ୟାରେଡ୍ରେ ଯୋଗ ଦେବା ପାଇଁ କଟକ ଜିଲ୍ଲାର ଗୋଟିଏ ସ୍କୁଲର ଛାତ୍ରଛାତ୍ରୀମାନେ ଅନ୍ୟ ଏକ ବିଦ୍ୟାଳୟକୁ ମିନିଟ୍ରକ୍ରେ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା ଏବଂ ଏଥିରେ ଜଣେ ଛାତ୍ରଙ୍କର ଜୀବନ ଯାଇଥିଲା । ଏହି ଘଟଣା ଦୃଷ୍ଟିରୁ ଟ୍ରକ୍ରେ ଛାତ୍ରୀମାନଙ୍କର ପରୀକ୍ଷା କେନ୍ଦ୍ର ଯିବା ଘଟଣାକୁ କେବେ ହେଲେ ସମର୍ଥନ କରାଯିବ ନାହିଁ । ତଥାପି ବ୍ୟବସ୍ଥାରେ ପରିବର୍ତ୍ତନ ନହେଲେ କିମ୍ବା ଜିଲ୍ଲାରେ ଯାତ୍ରୀ ପରିବହନ ବ୍ୟବସ୍ଥାକୁ ପର୍ଯ୍ୟାପ୍ତ କରାଯିବା ଦିଗରେ ଜିଲ୍ଲା ପରିବହନ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ଆବଶ୍ୟକ ।