ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ ସବୁ ଅଟକିଲା

ଏଇ ମାସରେ ଉଭୟ ଜାତୀୟ ଓ ରାଜ୍ୟ ବିଜେପି ସଭାପତି ଚୟନ ହୋଇଥା’ନ୍ତେ  । ଯାହାକୁ ନେଇ ବିଜେପି ଉଚ୍ଚସ୍ତରୀୟ ବୈଠକ ବି କରିଥିଲା  । ଜାତୀୟ ସଭାପତି ଓ ରାଜ୍ୟ ସଭାପତି ଚୟନ ନେଇ ବିଜେପି ରାଜନୀତି ବେଶ୍‌ ସରଗରମ ବି ରହିଥିଲା  । କିନ୍ତୁ ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ ସବୁକିଛି ଅଟକି ଗଲା  । ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏବେ ଦେଶର ସୁରକ୍ଷା ସଂକ୍ରାନ୍ତରେ ବିଚାର ବିମର୍ଷ କରୁଛନ୍ତି  । ତେଣୁ ବିଜେପିର ସଭାପତି ଚୟନ ଅଟକି ରହିଥିବା ଜାଣିବାକୁ ମିଳିଛି  । ଯେପର୍ଯ୍ୟନ୍ତ ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ସୁଧାର ଆସିନାହିଁ ସେଯାଏଁ ଏହା ଅଟକି ରହିବା ନିଶ୍ଚିତ  ।
ଜାତୀୟ ସଭାପତି ଚୟନକୁ ନେଇ ରାଜ୍ୟ ବିଜେପି ନେତାମାନେ ସେମିତି ବ୍ୟଗ୍ର ନଥିଲେ  । କିନ୍ତୁ ରାଜ୍ୟ ସଭାପତି ଚୟନ ଉପରେ ସମସ୍ତଙ୍କର ନଜର ରହିଥିଲା  । କାହିଁକିନା ରାଜ୍ୟ ବିଜେପିର ମଙ୍ଗ କିଏ ଧରିବେ ସେନେଇ କିଛି ନିଷ୍ପତ୍ତି ହୋଇପାରୁନାହିଁ  । ଏହାଛଡ଼ା ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, ନିଗମ ଅଧ୍ୟକ୍ଷ, ଜିଲ୍ଲା ଯୋଜନା ବୋଡର଼୍ ଅଧ୍ୟକ୍ଷ ନିଯୁକ୍ତି ବି ଅଟକି ରହିଛି  । ଯାହାକୁ ନେଇ ନେତାମାନଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଉଛି  । ଜୁନ୍‌ ୧୨କୁ ସରକାର ଏକ ବର୍ଷ ପୂର୍ତ୍ତି ହେବ  । ହେଲେ ପାଖାପାଖି ୧୧ ମାସ ପରେ ବି ଏନେଇ ମୋହନ ସରକାର କିଛି ନିଷ୍ପତ୍ତି ନେଇପାରୁନାହାନ୍ତି  । ଦଳ ଓ ସଂଗଠନରେ ସବୁ କିଛି ଠିକ୍‌ ଚାଲୁନାହିଁ ବୋଲି ବାର୍ତ୍ତା ବି ଯାଉଛି  । ସମ୍ପ୍ରତି ଯେଉଁ ସ୍ଥିତି ସୃଷ୍ଟି ହୋଇଛି ପୁଣି ସବୁ କିଛି ଠିକ୍‌ ହେବାବେଳକୁ ଆହୁରି ମାସେ ସମୟ ଲାଗିଯିବ  । କାହିଁକିନା ପହେଲଗାମ ଆତଙ୍କୀ ଆକ୍ରମଣ ଘଟଣା ବେଳେ ବିଜେପି ରାଜ୍ୟ କିମ୍ବା ଜାତୀୟ ସଭାପତି ଚୟନ କରି ସମାଲୋଚିତ ହେବାକୁ ଚାହୁଁନାହିଁ  । ଏଭଳି ସମୟରେ ଜାତୀୟ ସଭାପତିଙ୍କୁ ସମ୍ବଦ୍ଧ୍ୱର୍ନା ଦେବା ହେଉକି ଦଳୀୟ ରଣନୀତି କରିବା ହେଉ ତାହାକୁ ବିରୋଧୀ ଭିନ୍ନ ଅର୍ଥରେ ଗ୍ରହଣ କରିବା ନିଶ୍ଚିତ  । 
ସେପଟେ ରାଜ୍ୟ ସଭାପତି ଚୟନ ନେଇ ଦଳ ଭିତରେ ଟଣାଓଟରା ଲାଗିରହିଛି  । ଧର୍ମେନ୍ଦ୍ର ପ୍ରଧାନଙ୍କ କୋଟରୀକୁ ପାୱାରଲେସ୍‌ କରିବା ପାଇଁ ବୈଜୟନ୍ତ ପଣ୍ଡା, ଅପରାଜିତା ଷଡ଼ଙ୍ଗୀ, ମନମୋହନ ସାମଲଙ୍କ ଭଳି କେତେକ ନେତା ଲାଗିଥିବା କୁହାଯାଉଛି  । ଗୋଟିଏ ପଟେ ଲୋକଙ୍କର ଭରସା ବିଜେପି ଉପରେ ବଢ଼ିଥିଲେବି କଂଗ୍ରେସ ଭଳି ବିଜେପିରେ ବି ଗୋଡ଼ ଟଣାଟଣି ରୋଗ ବାହାରି ପଡ଼ିଛି  । ସରକାର ଓ ଦଳ ଭିତରେ ଟିକିଏ ବି ସମନ୍ୱୟ ନଥିବା ଦେଖିବାକୁ ମିଳିଛି  । ଯେତେଶୀଘ୍ର ଏହା ଦୂରୀଭୂତ ହେବ ତାହା ବିଜେପି ପାଇଁ ଭଲ  । ନହେଲେ ଏହାର ଫାଇଦା ବିଜେଡ଼ି କିମ୍ବା କଂଗ୍ରେସ ନେବାର ଯଥେଷ୍ଟ ସମ୍ଭାବନା ରହିଛି  ।