୧୨୨୯ ଉପଭୋକ୍ତାଙ୍କୁ ଟିପିଏସ୍ଓଡିଏଲ ନୋଟିସ
ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଓଭରହେଡ ବିଜୁଳି ତାର ନିକଟରେ ଅନଧିକୃତ ନିର୍ମାଣ କରିଥିବା ୧୨୨୯ ଜଣ ଉପଭୋକ୍ତା ଏବଂ ପ୍ରତିଷ୍ଠାନକୁ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବୁ୍ୟସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ପକ୍ଷରୁ ନୋଟିସ ଜାରି କରାଯାଇଛି । ବିଦୁ୍ୟତ ଭିତ୍ତିଭୂମି ଏବଂ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଉଦେ୍ଦଶ୍ୟ ନେଇ କମ୍ପାନୀ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।
ଟିପିଏସ୍ଓଡିଏଲର ସୁରକ୍ଷା ଓ ଅନୁପାଳନ ଅଭିଯାନ ଅନୁଯାୟୀ ସମଗ୍ର ୮ ଟି ଜିଲ୍ଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୬୫୫ଟି ନୋଟିସ ଜାରି ହୋଇଥିବା ବେଳେ କୋରାପୁଟରେ ୧୬୦, ମାଲକାନଗିରିରେ ୧୩୧, ଗଜପତିରେ ୧୦୪, ନବରଙ୍ଗପୁରରେ ୮୩, ରାୟଗଡାରେ ୫୫ ଏବଂ ବୌଦ୍ଧ ଜିଲ୍ଲାରେ ୩୮ ଜଣଙ୍କୁ ନୋଟିସ ଦିଆଯାଇଛି । ବିଦୁ୍ୟତ ତାର ନିକଟରେ ଅନଧିକୃତ ନିର୍ମାଣ କାର୍ଯ୍ୟ ଯୋଗୁଁ ଧନଜୀବନ ପ୍ରତି ବିପଦ ସୃଷ୍ଟି ହେବା ସହ ମରାମତି ଓ ରକ୍ଷଣାବେକ୍ଷଣ ତଥା ଜରୁରୀକାଳୀନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥାଏ । ବିଦୁ୍ୟତ ଅଧିନିୟମ ୨୦୦୩ ଏବଂ ସିଇଏ ସୁରକ୍ଷା ନିୟମ ୨୦୨୩ ଅନୁଯାୟୀ ଟିପିଏସ୍ଓଡିଏଲ୍ ଏହି ପଦକ୍ଷେପ ଗ୍ରହଣ କରିଛି । ଉପରୋକ୍ତ ଅଧିନିୟମ ଅନୁସାରେ ବିନା ଅନୁମତିରେ ଓଭରହେଡ ବିଜୁଳି ତାର ନିକଟରେ କୌଣସି ବିଲ୍ଡିଂ କିମ୍ବା ନିର୍ମାଣ କାର୍ଯ୍ୟ କରାଯାଇପାରିବ ନାହିଁ, ଏଥିରେ ଖିଲାପ କଲେ ବିଦୁ୍ୟତ ଯୋଗାଣ ବିଚ୍ଛିନ୍ନ ହୋଇପାରେ କିମ୍ବା ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ।
ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅମିତ କୁମାର ଗର୍ଗ କହିଛନ୍ତି, "ଜନସାଧାରଣ ଏବଂ ଆମ କର୍ମଚାରୀଙ୍କ ସୁରକ୍ଷା ହେଉଛି ଆମର ସର୍ବୋଚ୍ଚ ପ୍ରାଥମିକତା । ବିଦୁ୍ୟତ ତାର ନିକଟରେ ବେଆଇନ ନିର୍ମାଣ ବିପଦଜନକ ଏବଂ ଆଇନର ଅବମାନନା ଅଟେ । ଲୋକଙ୍କୁ ସଚେତନ କରିବା ସହ ଆଇନର ଅନୁପାଳନ କରିବା ଦିଗରେ ଆମେ ପ୍ରତିବଦ୍ଧ । ବିଦୁ୍ୟତ ଲାଇନ୍ ନିକଟରେ ନିର୍ମାଣ କାର୍ଯ୍ୟ ନ କରିବା ଏବଂ ପୂର୍ବରୁ ଆବଶ୍ୟକୀୟ ଅନୁମତି ନେବାକୁ ସମସ୍ତଙ୍କୁ ଅନୁରୋଧ କରୁଛୁ । ଏହି ବିପଦଜନକ ପରିଣାମ ସମ୍ପର୍କରେ ଉପଭୋକ୍ତାଙ୍କୁ ସଚେତନ କରିବା ପାଇଁ ଟିପିଏସ୍ଓଡିଏଲ୍ ଏକ ସଚେତନତା ଅଭିଯାନ ମଧ୍ୟ ଆରମ୍ଭ କରିଛି । ବିଶେଷ କରି ଗ୍ରାମାଞ୍ଚଳ ଏବଂ ସହର ଉପକଣ୍ଠରେ ଗ୍ରାମ ସଭା, ଦୃଶ୍ୟଶ୍ରାବ୍ୟ ଭ୍ୟାନ୍, ପୋଷ୍ଟର, ପଥପ୍ରାନ୍ତ ନାଟକ ଏବଂ ଘରକୁ ଘର ବୁଲି ସଚେତନତା ଅଭିଯାନ କରାଯାଉଛି । ବିଦୁ୍ୟତ ଲାଇନ୍ ନିକଟରେ କୌଣସି ନିର୍ମାଣ କାମ ଆରମ୍ଭ କରିବା ପୂର୍ବରୁ କର୍ତ୍ତୃପକ୍ଷଙ୍କଠାରୁ ଆଗୁଆ ଅନୁମୋଦନ ନେବାକୁ ଟିପିଏସ୍ଓଡିଏଲ୍ ପକ୍ଷରୁ ସମସ୍ତ ଉପଭୋକ୍ତାଙ୍କୁ ଅନୁରୋଧ କରାଯାଇଛି ଏବଂ ଏସବୁ ଅନଧିକୃତ ନିର୍ମାଣ କାର୍ଯ୍ୟରୁ ଦୂରେଇ ରହିବା ପାଇଁ କୁହାଯାଇଛି । ନିୟମ ଉଲ୍ଲଙ୍ଘନ କଲେ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟିପିଏସ୍ଓଡିଏଲ୍ ସୂଚନା ଦେଇଛି ।
ନୋଟିସ୍ ପାଇଥିବା ଉପଭୋକ୍ତାମାନେ ତୁରନ୍ତ ଏହାକୁ ସୁଧାରିବା ପାଇଁ ପଦକ୍ଷେପ ନେବା ଆବଶ୍ୟକ । ନୋଟିସର ଅବମାନନା କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।