ନାଳ ଖାଉଛି ଭିଟାମାଟି, ଶୁଣୁନି ପ୍ରଶାସନ
ଦିନକୁ ଦିନ ନାଳ ପାଣି ଗାଁ ଲୋକଙ୍କ ଭିଟାମାଟିକୁ ଖାଇ ଚାଲିଛି । ମୁଣ୍ଡ ଗୁଞ୍ଜିବାକୁ ଘର କରି ରହିବାକୁ ଲୋକେ ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୩୭ ବର୍ଷ ହେଲା ସରକାରୀ କଳକୁ ଅନୁରୋଧ କରି ଚାଲିଛନ୍ତି । ଓଡ଼ିଶା ମାନବାଧିକାର କମିଶନଙ୍କ ନିଦେ୍ର୍ଦଶ ବି ଚାପରେ ଚପି ଯାଇଛି । ଜାତୀୟ ଅନୁସୂଚିତ ଜାତି କମିଶନ ମଧ୍ୟ ନିଷ୍କ୍ରିୟ । ଶିଳ୍ପ ପାଇଁ ରାତାରାତି ଜମି ଅଧିଗ୍ରହଣ ହୋଇ ଯାଉଥିବା ବେଳେ, ଏହି ଗରିବ ଅନୁସୁଚିତ ଜାତି ଲୋକର ଆବେଦନକୁ ନାଲିଫିତା ତଳେ ଚାପି ଦେଇଛି ସରକାରୀ କଳ । ବଡଚଣା ବ୍ଲକ୍ ଅନ୍ତର୍ଗତ ବନ୍ତଳା ପଞ୍ଚାୟତର ଉପୁଳା ଗାଁ ଦେଇ ପ୍ରବାହିତ ନାଗାନଦୀ ପରବର୍ତି ଅବସ୍ଥାରେ ସରକାରଙ୍କ ଖାତାରେ ବାଇଁଶି ଜୋର ନାମରେ ନାମିତ ହୋଇଛି । ଏହି ବାଇଁଶି ଜୋରରେ ଖୁବ ଜୋରରେ ବର୍ଷା ଦିନେ ପାଣି ଆସୁଥିବା ବେଳେ ଉପୁଳା ଗାଁରେ ମାଟି ଅତଡା ଖାଇ ଧିରେ ଧିରେ ଗାଁ ନାଳରେ ମିଶୁଛି । ଏହି ଗାଁର ଅନୁସୂଚିତ ଜାତିର ଧଡି ବେହେରାଙ୍କ ଘରଡିହ ଦିନକୁ ଦିନ ନାଳରେ ମିଶିବା ନେଇ ଗତ ୭ ଫେବୃୟାରୀ ୧୯୮୭ରେ ଏକ ଦରଖାସ୍ତ ଚକବନ୍ଦୀ ଅଧିକାରୀ ଛତିଆଙ୍କୁ ପ୍ରଦାନ କରାଯାଇଥିଲା । ଏଥିରେ ସ୍ପଷ୍ଟଭାବେ ଧଡି ଉଲ୍ଲେଖ କରିଥିଲେ ଯେ, ଚକ ନମ୍ବର ୨୨୬ ପ୍ଲଟ ନଂବର୧୬୬୩ରେ ଥିବା ତାଙ୍କର ଘରଢିଅ ଦିନକୁ ଦିନ ପାଣିରେ ମିଶୁଥିବାରୁ ଏହି ଜମିକୁ ସରକାର ନେଇଯାଇ ପଶ୍ଚିମ ଦିଗରେ ଥିବା ସରକାରୀ ଜମି ପ୍ଲଟ ନମ୍ବର ୨୧୮୭ରୁ ବଦଳ ସୂତ୍ରରେ ଦିଆଯାଉ । ଏଥିନେଇ ଧଡି ବିଭିନ୍ନ କାର୍ଯ୍ୟାଳୟକୁ ଯାଇ ନୟାନ୍ତ ହୋଇ ଆଖି ବୁଜିଲେ ସିନା ହେଲେ ତାଙ୍କର ଦରଖାସ୍ତ ନାଲିଫିତା ତଳେ ଚାପି ହୋଇ ରହିଗଲା ।
ଏହାପରେ ଧଡିଙ୍କ ପୁଅ ସୌରୀ ଦୁଇଥର ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିବା ପରେ ଓଡ଼ିଶା ସରକାରଙ୍କ ଲ୍ୟାଣ୍ଡ ସେଟେଲମେଣ୍ଟ ଆଇନ ୧୯୬୨ ଧାରା ୩ ଏ ଅନୁସାରେ ଅନ୍ୟତ୍ର ଜମି ବଦଳ ଦେବାକୁ ଯାଜପୁର ଜିଲ୍ଲାପାଳଙ୍କ କୋର୍ଟରେ ଏକ ଆବେଦନ କରିଥିଲେ । ଏହି ଆବଦନକୁ ଭିତ୍ତି କରି ରିପୋର୍ଟ ପ୍ରଦାନ କରିବାକୁ ଦର୍ପଣ ତହସିଲଦାରଙ୍କୁ ତକ୍ରାଳୀନ ଯାଜପୁର ଜିଲ୍ଲାପାଳ ଏକ ପତ୍ର (ନଂବର-୩୫୬ ତା୧.୬.୯୮) ପ୍ରଦାନ କରିଥିଲେ । ତକ୍ରାଳୀନ ଦର୍ପଣ ତହସିଲଦାର ୧୦ଡିସେମ୍ବର ୧୯୯୮ରେ ପତ୍ର ନଂ ୫୮୦୭ରେ ଏଥିନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରି ଉତ୍ତର ଦେଇଥିଲେ । ଏଥିରେ ପରିସ୍ଥିତି ବିପଦ ଜନକ ଅବସ୍ଥାରେ ନଥିବାର ରିପୋର୍ଟ ପ୍ରଦାନ କରି ପୁନଶ୍ଚ ଏହି ଆବେଦନକୁ ନାଲିଫିତା ତଳେ ଚାପିଦେଲେ । ହେଲେ ପ୍ରକୃତ ସତ୍ୟ ରିପୋର୍ଟ ପଠାଇବା ପାଇଁ ଏହି ଗରିବ ପରିବାର ପ୍ରଶାସକଙ୍କୁ ପ୍ରଭାବିତ କରିବାରେ ଅକ୍ଷମ ହୋଇ ଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି । ୧୯୭୦ ମସିହା ବେଳକୁ ଏହି ଯୋରରେ ଲୋକେ ଗୋଡ ବଢାଇ ଡେଇଁକି ଯାଉଥିଲେ । ହେଲେ ଏବେ ଏହା ଦିନକୁ ଦିନ ନିଜର କାୟା ବିସ୍ତାର କରୁଥିବା ବେଳେ ଦିଗ ମଧ୍ୟ ବଦଳାଇ ଚାଲିଛି ।
ଅତଡା ଖାଇବା ଫଳରେ ବହୁ ମୂଲ୍ୟବାନ ବୃକ୍ଷ ମଧ୍ୟ ନାଳରେ ଭାଙ୍ଗି ପଡିଥିବା ବେଳେ ଏବେ ଆଉ କେତେକ ଭାଙ୍ଗିବାକୁ ଯାଉଛି । ସୌରୀ ଓଡ଼ିଶା ମାନବାଧିକାର କମିଶନ ଓ ଜାତୀୟ ଅନୁସୂଚିତ ଜାତି କମିଶନଙ୍କ ନିକଟରେ ପିଟିସନ ଦାଖଲ କରିଥିଲେ । ଓଏଚ୍ଆର୍ସି ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରାୟ ୭ବର୍ଷ ତଳୁ ଜିଲ୍ଲାପାଳଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଏନ୍ସିଏସ୍ସି ପକ୍ଷରୁ ପ୍ରଶାସନକୁ ନୋଟିସ୍ କରାଯାଇଥିଲା । ୭ବର୍ଷ ତଳେ ସୌରୀ ଏନ୍ସିଏସ୍ର କୋଲକତା ଷ୍ଟେଟ୍ ଅଫିସ୍ରେ ରିସର୍ଚ ଅଫିସର ଏ.ଭଟ୍ଟାଚାର୍ଯ୍ୟଙ୍କୁ ବ୍ୟକ୍ତିଗତ ଭାବେ ଭେଟିଏ ବିଷୟରେ ଅବଗତ କରାଇଥିଲେ । ଏ.ଭଟ୍ଟାଚାର୍ଯ୍ୟ କମିଶନଙ୍କ ଶୁଣାଣିରେ ଏ ବିଷୟ ଏଣ୍ଟ୍ରି କରିବାର ପ୍ରତିଶ୍ରୁତି ଦେଇଥିଲେ ବି ଅଗ୍ରଗତିର କିଛି ସୂଚନା ମିଳିନାହିଁ । ଏଥିନେଇ ସରକାରୀ କଳ ତରଫରୁ ସୋଲର ରାଜସ୍ୱ ନିରୀକ୍ଷକ ବହୁ ବାର ଅନୁଧ୍ୟାନ କରିଥିଲେ ବି କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ତେବେ ଏଠାରେ ଜମି ବଦଳ ପାଇଁ ଆବଶ୍ୟକ ସୁଯୋଗ ଥାଇ ବି ପ୍ରଶାସନ ଜାଣିଣୁଣି ଗରିବ ଅନୁସୂଚିତ ଜାତିର ଲୋକଙ୍କ ସ୍ୱରକୁ ଚାପିଦେବା ନେଇ ସାଧାରଣରେ ଘୋର ଉଦବେଗ ପ୍ରକାଶ ପାଉଛି । ଗତ ୩ ତାରିଖରେ ସୌରୀ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଗୁହାରୀ କରିଛନ୍ତି । ସମସ୍ୟାର ତ୍ୱରିତ ସମାଧାନ ହେଉ ନଥିବାରୁ ସମାନ ଅଭିଯୋଗକୁ ଧରି ଲୋକମାନେ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟୁଛନ୍ତି । ଅଭିଯୋଗକୁ ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଚିଠି ନଂ ୫୬୫ ତା ୪ା୨ା୨୫ରେ ସବୁ ଜିଲାପାଳ, ଏସ୍ପି, ସମସ୍ତ ବିଭାଗୀୟ ସଚିବ ଆଦିଙ୍କୁ ଜନଶୁଣାଣୀ ଅଭିଯୋଗକୁ ତ୍ୱରିତ ସମାଧାନ କରିବା ଏବଂ ଜାଣିଶୁଣୀ ସମାଧାନ ବିଳମ୍ବ କରୁଥିବା ଅଧିକାରୀଙ୍କ ବିରୋଧରେ ଓଡିଶା ବେସାମରିକ ସେବା ନିୟମ, ୧୯୬୨ ଅନୁଯାୟୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିଦେ୍ର୍ଦଶ ଦେଇଛନ୍ତି ।